ପାପର ହେତୁ

ଭରପୂର ରାଜଦରବାରରେ ସେଦିନ ହଠାତ ରାଜା ବିକ୍ରମାଦିତ୍ୟ ରାଜପୁରୋହିତଙ୍କୁ ଆକସ୍ମିକ ଭାବରେ ପ୍ରଶ୍ନ କରିଥିଲେ- ମାନ୍ୟବର! କୃପାକରି କୁହନ୍ତୁ, ଦୁନିଆରେ ଏତେସବୁ ଯେ ପାପକାର୍ୟ୍ୟ ହେଉଛି,ଏହାର ମୂଳକାରଣ କ’ଣ, ଲୋକେ କାହିଁକି ପାପ କରୁଛନ୍ତି?
ରାଜାଙ୍କର ଏଭଳି ପ୍ରଶ୍ନ ଶୁଣି ରାଜ-ପୁରୋହିତ ଦ୍ବିଧାରେ ପଡ଼ିଗଲେ। ସଠିକ ଉତ୍ତର ନଦେଲେ ଦରବାରରେ ନିଜ ପ୍ରତିଷ୍ଠା କ୍ଷୁଣ୍ଣ ହେବ ଓ ହାସ୍ୟାସ୍ପଦ ହେବା ସାର ହେବ। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କହିଲେ- ମହାଭାଗ! ମୋତେ ଦୁଇଦିନ ସମୟ ଦିଅନ୍ତୁ। ମୁଁ ଆପଣଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର ଦେବି।
ଉତ୍ତର ଶୁଣି ରାଜା କହିଲେ- ଠିକ୍‌ ଅଛି, ତୁମେ କହିବା ମୁତାବକ ଦୁଇଦିନ ସମୟ ଦିଆଗଲା। ଯଦି ସଠିକ୍‌ ଉତ୍ତର ଦିଅନ୍ତି ତା’ହେଲେ ତୁମକୁ ପ୍ରଚୁର ଅର୍ଥ ପୁରସ୍କାର ସ୍ବରୂପ ଦିଆଯିବ।
ପୁରସ୍କାର ଲୋଭ ଓ ପ୍ରତିଷ୍ଠା ବୃଦ୍ଧି ଆଶାରେ ରାଜ-ପୁରୋହିତ ଏହାର ଉତ୍ତର ଅନ୍ବେଷଣରେ ବାହାରି ପଡ଼ିଲେ। ଅନେକ ଆଡ଼ ବୁଲିଲେ। ତାଙ୍କର ଏହି ଆଶଙ୍କା ଥିଲା ଯେ ଯଦି ରାଜାଙ୍କ ପସନ୍ଦଯୋଗ୍ୟ ସଠିକ୍‌ ଉତ୍ତର ନ ଦିଅନ୍ତି ତେବେ ରାଜାଙ୍କ ବିଷ ଦୃଷ୍ଟିରେ ପଡ଼ିବେ, ମର୍ୟ୍ୟାଦା ମଧ୍ୟ ହାନି ହେବ।
ବିଭିନ୍ନ ଆଡ଼ ବୁଲିବା ଭିତରେ ସାଧୁସନ୍ଥ, ମୁନିଋଷିଙ୍କୁ ଭେଟି ଏହି ପ୍ରଶ୍ନର ଉତ୍ତର ପଚାରନ୍ତି। ସେମାନେ ନିଜନିଜ ଢଙ୍ଗରେ ଉତ୍ତର ଦିଅନ୍ତି। ହେଲେ ସେମାନଙ୍କ ଉତ୍ତରରେ ରାଜପୁରୋହିତ ସନ୍ତୁଷ୍ଟ ନଥିଲେ।
ବୁଲିବୁଲି ନଗର ଉପକଣ୍ଠରେ ପହଞ୍ଚି ଯାଇଥିଲେ ରାଜପୁରୋହିତ। ଏକ ବିସ୍ତୀର୍ଣ୍ଣ ପ୍ରାଙ୍ଗଣରେ ଜଣେ ମେଷ ପାଳକ ମେଷ ଚରାଉଥିବାର ଦେଖିବାକୁ ପାଇଥିଲେ। ରାଜ-ପୁରୋହିତ ବହୁତ ଆଶା ନେଇ ମେଷ ପାଳକଙ୍କୁ ପ୍ରଶ୍ନ ପଚାରନ୍ତେ ଖୁବ୍‌ ଜୋରରେ ହସି ଥିଲା ସେ। ହସିବାର କାରଣ ପଚାରନ୍ତେ ଉତ୍ତର ଦେଇଥିଲା, ‘ମୁଁ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇପାରିବିନି। କାରଣ ଆପଣ ଏହାର ଉତ୍ତର ପାଇବା ନିମନ୍ତେ ଯୋଗ୍ୟ ନୁହନ୍ତି।’ ମେଷ ପାଳକଠାରୁ ଏହା ଶୁଣିବାପରେ ରାଜପୁରୋହିତ ନିଶ୍ଚିତ ହୋଇଯାଇଥିଲେ ଯେ ନିଶ୍ଚୟ ସେ ସଠିକ୍‌ ଉତ୍ତର ଦେବାକୁ ସକ୍ଷମ, ହେଲେ କୌଣସି କାରଣରୁ କୁଣ୍ଠା ପ୍ରକାଶ କରୁଛି। ଗରିବ ଶ୍ରେଣୀର ମେଷ ପାଳକକୁ ପ୍ରଭାବିତ କରିବା ପାଇଁ କହିଥିଲେ- ‘ମୁଁ ତୁମ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ। ମୋତେ ସଠିକ ଉତ୍ତର କହିଦିଅ। ମୁଁ ବଡ଼ ସଂକଟରେ ପଡ଼ିଛି।’ ମେଷପାଳକକୁ ସମସ୍ତ ପ୍ରସଙ୍ଗ କହିଥିଲେ ପୁରୋହିତ।
ଏହାଶୁଣି ମେଷପାଳକ କହିଥିଲା- ‘ଏହାର ଉତ୍ତର ପାଇବା ଲାଗି ମୁଁ ଘରୁ ଆଣିଥିବା ଖାଦ୍ୟ ଆପଣଙ୍କୁ ଖାଇବାକୁ ହେବ।’ ରାଜପୁରୋହିତ ସାଦରେ ଏହା ସ୍ବୀକାର କରିନେଇଥିଲେ, କାରଣ ତାଙ୍କ ନିକଟରେ ବିକଳ୍ପ ନଥିଲା। ଏବେ ମେଷ ପାଳକ ହସିହସି କହିଥିଲା- ‘ଏହା ହିଁ ତ ଆପଣଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର।’ ରାଜପୁରୋହିତ କିଛି ବୁଝି ପାରିନଥିଲେ। ମେଷପାଳକ ବୁଝାଇ ଦେଇଥିଲା- ନୀଚ ଜାତିର ଭାବି ଆମମାନଙ୍କୁ ଛୁଇଁବାକୁ ଆପଣମାନେ ଘୃଣା କରନ୍ତି। ହେଲେ ଆପଣ ପଦ, ପ୍ରତିଷ୍ଠା, ପୁରସ୍କାର ଲୋଭରେ ମୁଁ ମିଛରେ ଆପଣଙ୍କୁ ମୋ ପାଖରେ ଥିବା ଖାଦ୍ୟ ଖାଇବା ପାଇଁ କହିଲି, ଆପଣ ତାହା ସ୍ବୀକାର କରିନେଲେ। ଏପରିକି ଯାହାକିଛି କରିବା ନିମନ୍ତେ ପ୍ରସ୍ତୁତ ହୋଇଯାଇଥିଲେ। ମୁଁ ଆପଣଙ୍କୁ ଯେଉଁ ଖାଦ୍ୟ କଥା କହିଥିଲି ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା, ହେଲେ କିଛି ବାଛ ବିଚାର ନକରି ଆପଣ ସ୍ବାର୍ଥବଶତଃ ରାଜି ହୋଇଗଲେ। ଲୋଭାସକ୍ତ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଇଥାଏ। ଏହି ଲୋଭ ଓ ତୃଷ୍ଣା କାରଣରୁ ହିଁ ବ୍ୟକ୍ତି ସକଳ ପ୍ରକାର ପାପ କରିଥାଏ। ତେଣୁ ଲୋଭ ହିଁ ଦୁନିଆର ଅଧିକାଂଶ ପାପର ମୁଖ୍ୟ ହେତୁ (କାରଣ)। ରାଜପୁରୋହିତ ତାଙ୍କ ପ୍ରଶ୍ନର ଉତ୍ତର ପାଇଯାଇଥିଲେ।

Comments are closed.