ରାଜ୍ୟସଭାର ଗରିମା

ବିଦ୍ବାନମାନେ ନିର୍ବାଚିତ ହେଲେ ସଦନର ବିଭବ ବୃଦ୍ଧି ହେବ

ଭାରତୀୟ ସଂସଦ ରାଜ୍ୟସଭାର ପ୍ରବେଶ ଦ୍ବାରରେ ଲେଖା ଯାଇଛି ମହାଭାରତର ଏହି ପ୍ରସିଦ୍ଧ ଶ୍ଳୋକ:
ନ ସା ସଭା ଯତ୍ର ନ ସନ୍ତି ବୃଦ୍ଧାଃ
ବୃଦ୍ଧା ନ ତେ ଯେ ନ ବଦନ୍ତି ଧର୍ମମ୍‌।
ଧର୍ମୋ ନ ବୈ ଯତ୍ର ଚ ନାସ୍ତି ସତ୍ୟଂ
ସତ୍ୟଂ ନ ତଦ୍ୟଚ୍ଛଳନାନୁବିଦ୍ଧମ୍‌।।
ଏହାର ଅର୍ଥ ହେଲା, ଯେଉଁ ସଭାରେ ବୃଦ୍ଧଜନ, ଅନୁଭବୀ ବ୍ୟକ୍ତି ନାହାନ୍ତି, ତାହା ସଭା ନୁହେଁ। ଯିଏ ଧର୍ମର କଥା କହନ୍ତି ନାହିଁ, ସେମାନେ ବୃଦ୍ଧ ନୁହନ୍ତି; ଯେଉଁଥିରେ ସତ୍ୟ ନାହିଁ, ତାହା ଧର୍ମ ନୁହେଁ ଏବଂ ଯାହା କପଟରେ ପୂର୍ଣ୍ଣ, ତାହା ସତ୍ୟ ନୁହଁ। ପରନ୍ତୁ ବିଡ଼ମ୍ବନା ଏହା ଯେ ଆଜି ଦେଶରେ ରାଜ୍ୟସଭାର ଅସ୍ତିତ୍ବ ନେଇ ପ୍ରଶ୍ନ ଉଠାଯାଉଛି। କୌଣସି ସଂଘୀୟ ଶାସନ ବ୍ୟବସ୍ଥାରେ ବିଧାୟିକାର ଉପର ସଦନ ସାମ୍ବିଧାନିକ ବାଧ୍ୟତାନୁସାରେ ରାଜ୍ୟର ହିତ ପାଇଁ ପ୍ରତିଷ୍ଠିତ ହୋଇଥାଏ। ଏହି ସିଦ୍ଧାନ୍ତ ଅନୁଯାୟୀ ସ୍ବାଧୀନ ଭାରତର ଗଣତାନ୍ତ୍ରିକ ଓ ସଂଘୀୟ ଶାସନ ବ୍ୟବସ୍ଥାରେ ରାଜ୍ୟସଭା ଗଠନ ହୋଇଛି। ଏହି ସଦନର କାମ ହେଲା ଲୋକସଭା ଦ୍ବାରା ପାରିତ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିବା।
ସମ୍ବିଧାନର ଅନୁଚ୍ଛେଦ-୮୦ ଅନୁସା‌େ‌ର ରାଜ୍ୟସଭାରେ ସର୍ବାଧିକ ୨୫୦ ସଦସ୍ୟ ରହିପାରିବେ। ଏମାନଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହୋଇଥାଆନ୍ତି। ଅନ୍ୟ ୨୩୮ ଜଣ ସଦସ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ରାଜ୍ୟମାନଙ୍କରୁ ବିଧାୟକଙ୍କ ମତ ଦ୍ବାରା ନିର୍ବାଚିତ ହୋଇଥାଆନ୍ତି।
ବ୍ରିଟିଶ ସମ୍ବିଧାନ ଢାଞ୍ଚାରେ ଭାରତୀୟ ସମ୍ବିଧାନ ପ୍ରସ୍ତୁତବେଳେ ଡ. ଭୀମରାଓ ଆମ୍ବେଦକର ଏବଂ ତାଙ୍କର ସହଯୋଗୀମାନେ ‘ହାଉସ ଅଫ୍‌ ଲର୍ଡସ’କୁ ଆଖି ଆଗରେ ରଖି ଭାରତରେ ରାଜ୍ୟସଭାର ପରିକଳ୍ପନା କରିଥିଲେ। ଇଂଲଣ୍ଡରେ ‘ହାଉସ ଅଫ୍‌ ଲର୍ଡସ’କୁ ‘ଅପର ହାଉସ’ ବା ‘ହାଉସ୍‌ ଅଫ୍‌ ଏଲଡର୍ସ’ ବୋଲି କୁହାଯାଏ। ପରମ୍ପରାଗତ ଭାବରେ ଏଥିରେ ଇଂଲଣ୍ଡର ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଦ୍ବାନମାନେ ସଦସ୍ୟ ରହିଥାନ୍ତି। ଠିକ୍‌ ସେହିପରି ରାଜ୍ୟସଭା ମଧ୍ୟ ଆମ ପାଇଁ ଅପର ବା ଏଲଡର୍ସ ହାଉସ ଏବଂ ଲୋକସଭା ଲୋୟର ହାଉସ। ପ୍ରାରମ୍ଭିକ କାଳରେ ରାଜ୍ୟସଭାରେ ସେହିଭଳି ବ୍ୟକ୍ତିମାନେ ହିଁ ସଦସ୍ୟଭାବେ ରହୁଥିଲେ ଯାହା ଦ୍ବାରା ଗୃହର ମର୍ୟ୍ୟାଦା ସହିତ ଦେଶର ଗରିମା ବୃଦ୍ଧି ପାଉଥିଲା। ଏହାବ୍ୟତୀତ ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୨ ଜଣଙ୍କୁ ରାଷ୍ଟ୍ରପତି ନିଜର ବିଶେଷାଧିକାର ବଳରେ ଗୃହର ସଦସ୍ୟ ଭାବେ ମନୋନୀତ କରୁଥିଲେ।
ସଂଘୀୟ ସ୍ତରରେ ରାଜ୍ୟଗୁଡ଼ିକର ସ୍ବାର୍ଥ ରକ୍ଷା କରିବା ଦାୟିତ୍ବ ରାଜ୍ୟସଭାର। ଏହା ପାର୍ଲାମେଣ୍ଟର ଦ୍ବିତୀୟ ସଦନ ଏବଂ ଲୋକସଭା ସମକକ୍ଷ ଦାୟିତ୍ବର ଅଧିକାରୀ। ରାଜ୍ୟସଭା ସାଂସଦ ସଦନରେ ୨୨ଟି ଭାରତୀୟ ଭାଷାରେ ଭାଷଣ ଦେଇପାରିବେ, କାରଣ ଅପର ହାଉସରେ ଭାରତୀୟ ଭାଷାଗୁଡ଼ିକର ଏକସଙ୍ଗେ ବ୍ୟାଖ୍ୟା କରିବାର ସୁବିଧା ରହିଛି।
ଡିସେମ୍ବର ୯, ୧୯୪୬ରେ ସମ୍ବିଧାନ ସଭାର ପ୍ରଥମ ବୈଠକ ହୋଇଥିଲା ଏବଂ ୧୯୫୦ ପର୍ୟ୍ୟନ୍ତ ଏହା କେନ୍ଦ୍ରୀୟ ବିଧାନ ମଣ୍ଡଳ ଭାବରେ କାର୍ୟ୍ୟ କରୁଥିଲା। ୧୯୫୨ ପର୍ୟ୍ୟନ୍ତ ସଂସଦରେ ଏହି ଗୋଟିଏ ମାତ୍ର ସଦନ ଥିଲା। ସ୍ବତନ୍ତ୍ର ଭାରତରେ ସଂସଦରେ ଦ୍ବିତୀୟ ସଦନର ଆବଶ୍ୟକତା ସମ୍ପର୍କରେ ସଂବିଧାନ ସଭାରେ ବିସ୍ତୃତ ଆଲୋଚନା ହେବାପରେ ରାଜ୍ୟସଭା ଗଠନ ନେଇ ଏକମତ ପ୍ରକାଶ ପାଇଲା। ରାଜ୍ୟଗୁଡ଼ିକର ହିତ ବା ସ୍ବାର୍ଥ ରକ୍ଷା ଏହାର ମୁଖ୍ୟ ଦାୟିତ୍ବ ହେବ ବୋଲି ଘୋଷଣା କରାଗଲା ଏବଂ ଗଠନ ହେଲା ଅପ୍ରେଲ ୩, ୧୯୫୨ ମସିହାରେ। ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ମେ ୧୩, ୧୯୫୨ରେ। ପ୍ରଥମେ ରାଜ୍ୟସଭାକୁ କାଉନ୍‌ସିଲ ଅଫ୍‌ ଷ୍ଟେଟସ୍‌ କୁହାଯାଉଥିଲା। ୧୯୫୪, ଅଗଷ୍ଟ ୨୩ ତାରିଖରେ ତତ୍କାଳୀନ ସଭାପତି ଗୃହରେ ଘୋଷଣା କଲେ ଯେ ଏବେ କାଉନସିଲ ଅଫ ଷ୍ଟେଟସ୍‌ ପରିବ​‌େ​‌ର୍ତ୍ତ ଏହାକୁ ରାଜ୍ୟସଭା କୁହାଯିବ। ଭାରତର ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ କ୍ରମାଗତ ଭାବରେ ଦୁଇଥର (୧୬.୫.୧୯୫୨ରୁ ୧୨.୫.୧୯୬୨) ରାଜ୍ୟସଭାରେ ଅଧ୍ୟକ୍ଷ ରହିଥିଲେ।
ଆମ ପାଇଁ ସୌଭାଗ୍ୟର କଥା ଯେ ଓଡ଼ିଶାରୁ ପ୍ରଥମ ଥର ପାଇଁ ଦୁଇଜଣ ପ୍ରତିଭାଶାଳୀ ବ୍ୟକ୍ତି ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମଭୂଷଣ ରଘୁନାଥ ମହାପାତ୍ର ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଭୂଷଣ ସୋନାଲ ମାନସିଂହ ଏବେ ରାଜ୍ୟସଭାର ମନୋନୀତ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ଓଡ଼ିଶାରୁ ୧୦ଜଣ ସଦସ୍ୟ ଥିବାବେଳେ ଉତ୍ତର ପ୍ରଦେଶରୁ ସର୍ବାଧିକ ୩୧ଜଣ ସଦସ୍ୟ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଦିଲ୍ଲୀରୁ ୩ଜଣ ଏବଂ ପୁଡ଼ୁଚେରୀରୁ ଜଣେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥାନ୍ତି।
ରାଜ୍ୟସଭାରେ ବହୁମତ ନ ରହିଲେ ସରକାର କିଭଳି ଅଡ଼ୁଆରେ ପଡ଼ନ୍ତି ତାହା ଅନେକ ଥର ଦେଖା ଯାଇଛି। ତେଣୁ ରାଜ୍ୟସଭାକୁ ଏକ ଥଇଥାନ କେନ୍ଦ୍ର ନ ଭାବି ଏହାର ଗୁରୁତ୍ବକୁ ଉପଲବ୍ଧି କରିବା ଉଚିତ। ରାଜ୍ୟସଭା କେବଳ ଏକ ସାମ୍ବିଧାନିକ ସଦନ ନୁହେଁ, ବରଂ ସଂଘୀୟ ବ୍ୟବସ୍ଥା ଅନୁସା‌େର ଦେଶର ପ୍ରତ୍ୟେକ ରାଜ୍ୟ ଏବଂ ଏହାର ଜନତାଙ୍କ ପ୍ରତିନିଧିତ୍ବ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ସଂସ୍ଥା, ଏହାକୁ ଏକ ପରାମର୍ଶଦାତା ସଦନ ବୋଲି ମଧ୍ୟ କୁହାଯାଇଛି। ଦେଶର ବୁଦ୍ଧିଜୀବୀ, ମର୍ୟ୍ୟାଦାସମ୍ପନ୍ନ ବ୍ୟକ୍ତି, ବିଦ୍ବାନମାନଙ୍କୁ ରାଜ୍ୟଗୁଡ଼ିକ ଏହି ସଦନକୁ ନିର୍ବାଚିତ କରି ପଠାଇଲେ ଏହାର ବିଭବ ବୃଦ୍ଧି ପାଇବ।

ଅରୁଣ କୁମାର ପଣ୍ଡା
ବରିଷ୍ଠ ସାମ୍ବାଦିକ, ସିଡିଏ, କଟକ

Comments are closed.