ଲୁଚିଛି ନା…. ବାସ୍ତବତା ସ୍ବୀକାର କରିବାକୁ ପଡ଼ିବ

ଦେଶର ଉପଭୋକ୍ତାଙ୍କ ଖର୍ଚ୍ଚ(ବ୍ୟୟ) ହାର ବିଗତ ଚାରି ଦଶନ୍ଧିର ସର୍ବନିମ୍ନ ସ୍ତର ୩.୭ ପ୍ରତିଶତକୁ ଖସି ଆସିଛି। ଜାତୀୟ ପରିସଂଖ୍ୟାନ ଆୟୋଗ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟକୁ ସରକାର ଗ୍ରହଣ କରିବେ ନାହିଁ। ଅର୍ଥାତ୍‍ ଏ ପର୍ଯ୍ୟନ୍ତ ଅନୌପଚାରିକ ସ୍ତରରେ ଥିବା ଏହି ରିପୋର୍ଟର ତଥ୍ୟକୁ ଔପଚାରିକ ବା ସରକାରୀ ମାନ୍ୟତା ଦିଆଯିବ ନାହିଁ। ବିଡ଼ମ୍ବନା ହେଉଛି ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ପୂର୍ବରୁ କହିଥିବା ଜାତୀୟ ପରିସଂଖ୍ୟାନ ଆୟୋଗ ଅଧ୍ୟକ୍ଷ ବିମଲ କୁମାର ରାୟ ଏବେ ତାଙ୍କ କଥା ବଦଳାଇ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ମତି ଓ ନୀତି ଆଧାରରେ ବିଚାର କଲେ ଶ୍ରୀରାୟଙ୍କ ୟୁଟର୍ଣ୍ଣ(କଥା ବଦଳାଇବା)ରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ମାନ୍ଦା ଅର୍ଥନୀତି ପରିପ୍ରେକ୍ଷୀରେ ସମାଲୋଚନା ଭୟରେ ଗତ ବର୍ଷ ପରିସଂଖ୍ୟାନ ଆୟୋଗ ପ୍ରଦାନ କରିଥିବା ଉପରୋକ୍ତ ରିପୋର୍ଟକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ। ସରକାରୀ ବ୍ୟବସ୍ଥାର ଗଳାବାଟ ଦେଇ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ ଅର୍ଥନୀତିଜ୍ଞ ରିପୋର୍ଟକୁ ଔପଚାରିକତା ବା ସରକାରୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ଅନେକ ବିଚାର ଆଲୋଚନା ପରେ ରିପୋର୍ଟକୁ ସରକାରୀ ଭାବେ ସାର୍ବଜନୀନ କରାଯିବ ବୋଲି ଆୟୋଗର ଅଧ୍ୟକ୍ଷ ଗତ ଜାନୁଆରୀ ମାସରେ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଗତ ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ଆୟୋଗର ବୈଠକରେ ରିପୋର୍ଟକୁ ସାର୍ବଜନୀନ ନ କରିବା ପାଇଁ ଜନୈକ ପ୍ରଭାବଶାଳୀ ସଦସ୍ୟ ମତ ଦେବାରୁ ଶ୍ରୀରାୟଙ୍କ ଇଚ୍ଛା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ଜଣାପଡ଼ିଛି। ଏହି ସୂଚନାକୁ ଶ୍ରୀରାୟ ସ୍ୱୀକାର କରି ନଥିଲେ ମଧ୍ୟ ଖଣ୍ଡନ କରିନାହାନ୍ତି ଏବଂ ଏ ସମ୍ପର୍କରେ ଅଧିକ କିଛି ସୂଚନା ଦେବା ପାଇଁ ମନା କରିଦେଇଛନ୍ତି। ନମୁନା ସଂଗ୍ରହ, ଅନୁଶୀଳନ ଓ ଉପସ୍ଥାପନ ପ୍ରକ୍ରିୟାର ସଠିକତାକୁ ନେଇ ସନ୍ଦେହ ଉପୁଜିବାରୁ କେନ୍ଦ୍ର ସରକାର ଉପରୋକ୍ତ ରିପୋର୍ଟ ଗ୍ରହଣ କରିବାକୁ ଅନିଚ୍ଛୁକ ବୋଲି ସରକାରୀ ଭାବେ କୁହାଯାଇଛି। ଏଥିସହିତ ଏହି ତଥ୍ୟକୁ ଅନ୍ୟ କୌଣସି ଅନୁଶୀଳନ ଲାଗି ଆଧାର ଭାବେ ଗ୍ରହଣ କରିବାରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଉନ୍ନତ ପଦ୍ଧତି ଓ ଜ୍ଞାନକୌଶଳ ବ୍ୟବହାର କରି ପୁଣି ଥରେ ନମୁନା ସଂଗ୍ରହ ଓ ଅନୁଶୀଳନ କରାଯିବ ବୋଲି ସୂଚନା ମିଳିଛି।
ଏହାପୂର୍ବରୁ କେନ୍ଦ୍ର ସରକାର ଏକାଧିକ ଏଭଳି ସରକାରୀ ରିପୋର୍ଟକୁ ଅଗ୍ରାହ୍ୟ କରିଥିବାର ଉଦାହରଣ ରହିଛି। ରିପୋର୍ଟକୁ ସାର୍ବଜନୀନ ନ କଲେ କିମ୍ବା ଅସ୍ୱୀକାର କଲେ ଯଦି ବାସ୍ତବତାର ଚିତ୍ର ବଦଳି ଯାଉଥା’ନ୍ତା ତେବେ ସେଥିରେ ଆପତ୍ତି ନ ଥା’ନ୍ତା। ସତ କ’ଣ ଜାଣି ମଧ୍ୟ ରିପୋର୍ଟର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ ଉଠାଇବା ଏକ ବିଡ଼ମ୍ବନା ମାତ୍ର। ବର୍ତ୍ତମାନର ଅର୍ଥନୈତିକ ସ୍ଥିତି, ଗତି ଓ ଉପଭୋକ୍ତାଙ୍କ କ୍ରୟ ଶକ୍ତି ବିଷୟରେ ଆଉ କାହାକୁ ଅଛପା ନାହିଁ। ଭାରତର ଅର୍ଥନୀତି ଆଇସିୟୁକୁ ଚାଲିଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ୍‍ କହିଥିବାବେଳେ ଏବେ ସରକାରୀ ଦଳର ସାଂସଦ ସୁବ୍ରମଣ୍ୟନ୍‍ ସ୍ୱାମୀ ସାମଗ୍ରୀ ଓ ସେବା କର(ଜିଏସ୍‍ଟି)କୁ ‘ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ପାଗଳାମୀ’ ଭାବେ ଅଭିହିତ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ୍‍ ଉପସ୍ଥାପନର ଅବ୍ୟବହିତ ପୂର୍ବରୁ ଉପସ୍ଥାପିତ ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଅର୍ଥନୈତିକ ଅଭିବୃଦ୍ଧିର ମନ୍ଥରତା ବିଷୟରେ ଇଙ୍ଗିତ କରାଯାଇଥିବାବେଳେ ଆନ୍ତଜାର୍ତିକ ରେଟିଂ ଓ ଅର୍ଥନୈତିକ ସଂସ୍ଥାମାନେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ କରିଚାଲିଛନ୍ତି। ଯଦିବା ସରକାରୀ ତଥ୍ୟ ଓ ବିଶେଷଜ୍ଞଙ୍କ ମତମନ୍ତବ୍ୟକୁ ଗ୍ରହଣ କରା ନ ଯାଏ ତେବେ ବି ଉପଭୋକ୍ତାଙ୍କ ଆର୍ଥିକ ଦୁଃସ୍ଥିତିକୁ ଅବିଶ୍ୱାସ କରିବାର କୌଣସି କାରଣ ଦେଖାଯାଉନାହିଁ। ଅଟୋମୋବାଇଲ୍‍, ରିଏଲ୍‍ ଇଷ୍ଟେଟ୍‍, କଞ୍ଜ୍ୟୁମର ଡ୍ୟୁରେବଲ୍‍ସ୍‍, ଏଫ୍‍ଏମ୍‍ସିଜି କ୍ଷେତ୍ରରେ ଗୁରୁତର ମାନ୍ଦାବସ୍ଥା ଉପଭୋକ୍ତାଙ୍କ ଆର୍ଥିକ କ୍ଷମତାକୁ ସୂଚାଇବାକୁ ଯଥେଷ୍ଟ। ତେଣୁ ରିପୋର୍ଟକୁ ଲୁଚାଇ ଦେଲେ ଯେ ସତ ଲୁଚିଯିବ, ଏହା ଭାବିବା ଭୁଲ୍‍। ଅଧିକନ୍ତୁ କେବଳ ‘ଲୁଚିଛି ନା ଗୋଡ଼ ଦିଟା ଦିଶୁଛି’ ଭଳି ହାସ୍ୟାସ୍ପଦ ଅବସ୍ଥା ସୃଷ୍ଟି ହେବା ସାର ହେବ – ଏ କଥା ବୁଝାଇ କହିବା ଆବଶ୍ୟକ ନାହିଁ।
ଆଉ ଏକ ବିଡ଼ମ୍ବନା ଯେ କେନ୍ଦ୍ର ସରକାର କୌଣସି ଉପଦେଶ/ପରାମର୍ଶ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ଏପରିକି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‍ଙ୍କ ଉଦ୍‍ବେଗ ଓ ପରାମର୍ଶର ପ୍ରଭାବ ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ୍‍ରେ ପ୍ରତିଫଳିତ ହୋଇଥିବାର ପ୍ରମାଣ ମିଳୁନାହିଁ। ଅର୍ଥନୀତିଜ୍ଞଙ୍କ ମତ ଓ ପରାମର୍ଶକୁ ଯଦି ରାଜନୈତିକ ଅଭିସନ୍ଧି ପୃଷ୍ଠଭୂମିରେ ଉପେକ୍ଷା କରାଯାଏ ତେବେ ଦେଶ ଓ ଦେଶବାସୀଙ୍କ ପାଇଁ ଅନିଷ୍ଟକାରୀ ହୋଇପାରେ ବୋଲି ଆମର ମତ। ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞମାନେ ଯେ କୌଣସି ଦଳ/ମତବାଦ/ଆଦର୍ଶର ପ୍ରତିନିଧିତ୍ୱ କରୁଥାନ୍ତୁ ନା କାହିଁକି ଦେଶର ସାମଗ୍ରିକ ମଙ୍ଗଳ ଓ ଅର୍ଥନୀତିର ଭବିଷ୍ୟତ ଦୃଷ୍ଟିରୁ ସମସ୍ତଙ୍କୁ ବିଶ୍ୱାସକୁ ନେଇ ବିଚାର ଆଲୋଚନା କରିବା ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଉଚିତ ହେବ।
ଯଦି ଅର୍ଥନୀତିର ସ୍ଥିତାବସ୍ଥା ଜାରି ରହେ ଏବଂ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନ ଆସେ ତେବେ ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନ କେବଳ ମରୀଚିକା ପାଲଟିବ। ବାସ୍ତବତାକୁ ସ୍ୱୀକାର ନ କଲେ ସ୍ଥିତାବସ୍ଥାରେ ଉନ୍ନତି ଅସମ୍ଭବ। ଏଥିପାଇଁ ପ୍ରଥମେ ବିଚାରଗତ ପ୍ରହେଳିକା ବା ମିଛିମିଛିକା ଲୁଚକାଳି ଖେଳରୁ ଦୃଷ୍ଟିଭଙ୍ଗୀ ମୁକ୍ତ ହେବା ଆବଶ୍ୟକ।

Comments
Loading...