ରାଜସ୍ୱ ଅନୁପାତରେ ବ୍ୟୟବରାଦ ବୃଦ୍ଧି ହେଉ : ରେଳ ବଜେଟ୍‍ରେ ବି କମିଲା

# ଗତ ୧ ତାରିଖରେ ସଂସଦରେ ଉପସ୍ଥାପିତ ପଞ୍ଚଦର୍ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଏଥର ଓଡ଼ିଶାକୁ ପାଖିପାଖି ୧% କମ୍‍ କେନ୍ଦ୍ରୀୟ ଅନୁଦାନ ମିଳିବ। ଏଥିସହିତ ଟିକସ ରାଜସ୍ୱରୁ ରାଜ୍ୟଭାଗ ବାବଦରେ ଅର୍ଥରାଶି ମଧ୍ୟ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇବ। ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ୮ଟି କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନା ଇତିମଧ୍ୟରେ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ପ୍ରାୟୋଜିତ ଯୋଜନା ମଧ୍ୟରୁ ଅଧାରୁ ଅଧିକ ଅର୍ଥ ବରାଦ ହ୍ରାସ ପାଇଲାଣି। ତେଣୁ ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରେ ସେହିସବୁ କଲ୍ୟାଣକାରୀ ଯୋଜନା ଚାଲୁ ରଖିଛନ୍ତି। ଏଭଳି ସ୍ଥିତିରେ ଏଥର କେନ୍ଦ୍ରୀୟ ଅନୁଦାନ ଓ ଟିକସ ଭାଗ ହ୍ରାସ ପାଇଲେ ରାଜ୍ୟର ଆର୍ଥିକ ପରିଚାଳନା କଷ୍ଟକର ହୋଇପଡ଼ିବ। ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଆର୍ଥିକ କ୍ଷତି ସହିବାକୁ ଯାଉଥିବା ଓଡ଼ିଶା ପାଇଁ ରେଳ ବଜେଟ୍‍ରେ ମଧ୍ୟ କାଣ୍ଟଛାଣ୍ଟ କରାଯାଇଛି। ଗତ ୧ ତାରିଖରେ ସାଧାରଣ ବଜେଟ୍‍ ସହିତ ଉପସ୍ଥାପିତ ରେଳ ବଜେଟ୍‍ର ବିସ୍ତୃତ ଚିତ୍ର କ୍ରମଶଃ ପଦାକୁ ଆସୁଛି। ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ପ୍ରଦତ୍ତ ସୂଚନାକୁ ଅନୁଶୀଳନ କଲେ ପୂର୍ବବର୍ଷ ତୁଳନାରେ ଓଡ଼ିଶା ରେଳବାଇ ଏଥର ପାଖାପାଖି ୧୫୦୦ କୋଟି ଟଙ୍କାରୁ ଅଧିକ ହରାଇବ ବୋଲି ଜଣାପଡ଼ୁଛି।
ସ୍ୱାଧୀନୋତ୍ତର ଭାରତରେ ରେଳ ବିଭାଗ ବ୍ୟୟବରାଦରେ ଓଡ଼ିଶାକୁ ଅବହେଳା ଏକ ଦେହସୁହା ଘଟଣାରେ ପରିଣତ ହେଲାଣି। ଓଡ଼ିଶାରୁ ବାର୍ଷିକ ୨୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ୱ ରେଳ ମନ୍ତ୍ରାଳୟ ସଂଗ୍ରହ କରୁଥିଲେ ମଧ୍ୟ ଓଡ଼ିଶା ପାଇଁ ବଜେଟ୍‍ ବ୍ୟୟ ବରାଦ ୪ ହଜାର କୋଟି ଟପିନାହିଁ। ୨୦୧୪ରେ ଏନ୍‍ଡିଏ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରେ ଅବଶ୍ୟ ଏହି ଧାରାରେ ବ୍ୟତିକ୍ରମ ଘଟିଥିଲା। ଏନ୍‍ଡିଏର ୫ ବର୍ଷ ଶାସନ କାଳ ମଧ୍ୟରେ ଦୁଇଦୁଇ ଥର ରେଳ ବଜେଟ୍‍ରେ ଓଡ଼ିଶା ପାଇଁ ୫ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ ହୋଇଥିଲା। ବିଡ଼ମ୍ବନା ହେଉଛି, ରେଳ ବଜେଟ୍‍ରେ ବ୍ୟୟ ବରାଦ ବଢ଼ିଥିଲେ ମଧ୍ୟ ଓଡ଼ିଶାରେ ରେଳବାଇ ବିକାଶ ପ୍ରକ୍ରିୟାରେ ଆଶାନୁରୂପ ଅଗ୍ରଗତି ଘଟୁନାହିଁ। ରେଳ ପ୍ରକଳ୍ପ ପାଇଁ ମୁଖ୍ୟତଃ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ହୋଇଥିବାବେଳେ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ତଥାପି ରେଳ ମନ୍ତ୍ରାଳୟର ଉଦାସୀନତା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଦଶନ୍ଧିଦଶନ୍ଧି ଧରି ପଡ଼ି ରହୁଛି। ରାଜ୍ୟ ସରକାର ବାରମ୍ବାର ପତ୍ର ମାଧ୍ୟମରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ତାହା ପ୍ରଭାବଶୂନ୍ୟ ହେଉଛି।
ସୁଖର କଥା ଦୀର୍ଘ ଦିନ ଧରି ଲଟକି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ଏବଂ ସେ ବାବଦରେ ଆସନ୍ତା ଆର୍ଥିକ ବର୍ଷରେ ୫୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଏବଂ ବଡ଼ବିଲ-କିରିବୁରୁ ମଧ୍ୟରେ ଟ୍ରେନ୍‍ ଚଳାଚଳ ପାଇଁ ଭିତ୍ତିଭୂମି ନିର୍ମାଣ କରିବାକୁ ଘୋଷଣା ହୋଇଛି। ଏହି ଦୁଇ ନୂଆ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ୱାଧୀନତାର ୭୨ ବର୍ଷ ପରେ ଗଞ୍ଜାମ, ବୌଦ୍ଧ, ଫୁଲବାଣୀ ଆଦି ଜିଲାର ଅଧିବାସୀ ସେମାନଙ୍କ ଅଞ୍ଚଳରେ ଟ୍ରେନ୍‌ ଦେଖିବାର ସୌଭାଗ୍ୟ ପାଇବେ। ସେହିପରି ଲୁହାପଥର ପରିବହନକୁ ଦୃଷ୍ଟିରେ ରଖି ବଡ଼ବିଲ-କିରିବୁରୁ ରେଳ ପଥ ନିର୍ମାଣ ପାଇଁ ଘୋଷଣା କରାଯାଇଛି। ଅବଶ୍ୟ ଏହି ଦୁଇ ନୂଆ ରେଳ ପ୍ରକଳ୍ପ ପାଇଁ ଟୋକନ୍‍ ମନି ହିସାବରେ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦ କରାଯାଇଛିି। ଅର୍ଥାତ୍‍ ଏହି ଦୁଇ ରେଳ ପ୍ରକଳ୍ପ ସରକାରଙ୍କ ଦୃଷ୍ଟିରେ ରହିଛି ଏବଂ ଭବିଷ୍ୟତରେ କାର୍ଯ୍ୟକାରୀ ହେବ ବୋଲି ବୁଝାଯାଉଛି। ଅତୀତରେ ରେଳ ପ୍ରକଳ୍ପ ଘୋଷଣା ଓ କାର୍ଯ୍ୟାନ୍ୱୟନର ଅଗ୍ରଗତିର ମନ୍ଥର ଧାରାକୁ ସମୀକ୍ଷା କଲେ ଉପରୋକ୍ତ ଦୁଇ ପ୍ରକଳ୍ପ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବାର ଆଶା ଦିଶୁନାହିଁ। ସେହିପରି ଓଡ଼ିଶାରେ ଚାରିଟି ନୂଆ ପ୍ରକଳ୍ପ ଏବଂ ଚାରିଟି ରେଳ ଲାଇନ୍‍ର ଦୋହରାକରଣ ପାଇଁ ଘୋଷଣା ହୋଇଥିଲେ ମଧ୍ୟ ମାତ୍ର ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦ ହୋଇଛି। ଏହିସବୁ ଦୃଷ୍ଟିରୁ ରେଳ ବଜେଟ୍‍ରେ ପୁଣି ଥରେ ଓଡ଼ିଶାକୁ ଉପହାସ କରାଯାଉନାହିଁ ତ – ଏହି ପ୍ରଶ୍ନ ମନକୁ ଆସୁଛି।
ଏ ସବୁ ସତ୍ତ୍ବେ କେତେକ ରେଳ ଲାଇନ୍‍ର ଦୋହରାକରଣ, ତୃତୀୟ ଲାଇନ୍‍ ଓ ବିଦ୍ୟୁତ୍‍କରଣ ପାଇଁ ବଜେଟ୍‍ରେ ଆଶାନୁରୂପ ବ୍ୟୟ ବରାଦ ହୋଇଥିବା ସ୍ୱାଗତଯୋଗ୍ୟ। ଓଡ଼ିଶା ପାଇଁ ନିରାଶାଭରା ରେଳ ବଜେଟ୍‍ରେ ଉପରୋକ୍ତ କେତେକ ଘୋଷଣା ଓ ବ୍ୟୟବରାଦ କିଛିଟା ଆଶ୍ୱାସନା ଦେଇଛି।
୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ରେଳ ବଜେଟ୍‍ରେ ମୋଟ ୪୩୭୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶା ପାଇଁ ପାଖାପାଖି ଅଧା ବ୍ୟୟବରାଦ କରାଯାଇଛି। କଳାହାଣ୍ଡିରେ ପ୍ରସ୍ତାବିତ ୱାଗନ୍‍ କାରଖାନା ପାଇଁ ୧ କୋଟି ଟଙ୍କାର ଟୋକନ ମନି ଘୋଷଣା କରାଯାଇଛି। ସେଠାରୁ ୱାଗନ୍‍ କାରଖାନା ସ୍ଥାନାନ୍ତର ହେବ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହା ଏହି ଘୋଷଣା ପରେ ଆପାତତଃ ଦୂର ହୋଇଛି। ମାନେଶ୍ୱରଠାରେ ମାଲ୍‍ବାହୀ ରେଳଗାଡ଼ି ମରାମତି କାରଖାନା ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାରୁ ଏ କ୍ଷେତ୍ରରେ ମଧ୍ୟ ଆଶା ସଞ୍ଚାର ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କର୍ମନିଯୁକ୍ତି ବୃଦ୍ଧି ପାଇବ। ତେବେ ବ୍ୟୟବରାଦ କେବଳ ଟୋକନ ମନିରେ ସୀମିତ ଥିବାରୁ ଏହି ସବୁ ପ୍ରକଳ୍ପର ଭାଗ୍ୟ ଏବେ ମଧ୍ୟ ନିଶ୍ଚିତ ହୋଇପାରୁନାହିଁ।
ମୋଟାମୋଟି ଭାବେ କହିବାକୁ ଗଲେ ଗତ ବର୍ଷ ତୁଳନାରେ ଓଡ଼ିଶାକୁ ରେଳ ବ୍ୟୟ ବରାଦ ହ୍ରାସ ପାଇଥିଲେ ହେଁ ନୂଆ ପ୍ରକଳ୍ପ, ବିଶେଷକରି ଦୋହରାକରଣ ଓ ବିଦ୍ୟୁତକରଣ ପାଇଁ ଅର୍ଥମଞ୍ଜୁର ହେବା ଶୁଭସୂଚନା, କିନ୍ତୁ ଓଡ଼ିଶାର ଦାବି ଓ ଓଡ଼ିଶାବାସୀଙ୍କ ଆବଶ୍ୟକତା ଆଧାରରେ ଏହା ବହୁତ କମ୍‍ ବୋଲି କହିବାକୁ ହେବ। ରାଜସ୍ୱ ଆୟ ଅନୁପାତରେ ବ୍ୟୟ ବରାଦ ବୃଦ୍ଧି ନ ପାଇଲେ ଶେଷରେ ରେଳ ବିଭାଗକୁ ହିଁ ପସ୍ତାଇବାକୁ ପଡ଼ିବ। ଭବିଷ୍ୟତ ଦୃଷ୍ଟିରୁ ଏକ ଦୀର୍ଘସ୍ଥାୟୀ ଯୋଜନା ସମ୍ପର୍କରେ ରେଳ ବିଭାଗ ବିଚାର କରନ୍ତୁ।

Comments
Loading...