ଏହା ଶେଷ ରାୟ ତ? : ନିର୍ଭୟା ହତ୍ୟାକାରୀଙ୍କୁ ଅନ୍ତିମ ସୁଯୋଗ

# ନିର୍ଭୟା ଗଣଧର୍ଷଣ ଓ ହତ୍ୟାର ଚାରିପ୍ରମୁଖ ଦୋଷୀ ଫାଶୀ ଦଣ୍ଡାଦେଶ ପାଇଥିଲେ ହେଁ ତାହା ଆଇନଗତ ଜଟିଳତା ଓ ଲଢ଼େଇ ଯୋଗୁଁ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ତାରିଖ ଧାର୍ଯ୍ୟ ସତ୍ତ୍ବେ ଦୋଷୀମାନେ ଫାଶୀକୁ ଟାଳି ଚାଲିଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବାକୁ ତାଙ୍କ ପକ୍ଷର ଓକିଲମାନେ ସବୁ ପ୍ରକାର ଆଇନଗତ ଉପାୟ ପ୍ରୟୋଗ କରିଚାଲିଛନ୍ତି। ଏଇ ଆଇନଗତ ଲଢ଼େଇ ଓ ଦଣ୍ଡ କାର୍ଯ୍ୟକାରୀ ହେବାର ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଆଇନଗତ ଲଢ଼େଇ ପ୍ରକ୍ରିୟାର ଦୀର୍ଘତା ଓ ଜଟିଳତା ଦେଖି ମଧ୍ୟ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଛି। ଅଳ୍ପଦିନ ତଳେ ହାଇଦରାବାଦର ଜଣେ ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପୁଲିସ ସଂପୃକ୍ତ ସବୁ ଅଭିଯୁକ୍ତଙ୍କୁ ତଥାକଥିତ ଏନ୍‌କାଉଣ୍ଟର କରି ହତ୍ୟା କରିବା ଘଟଣାକୁ ଏବେ ଲୋ‌େକ  ଯଥାର୍ଥ ବୋଲି କହୁଛନ୍ତି।

ତେବେ ଆଇନକୁ ସମ୍ମାନ ଦେଉଥିବା ଲୋକ ତ’ ନିର୍ଭୟା ହତ୍ୟାକାରୀଙ୍କୁ ହାଇଦରାବାଦ ଭଳି ଢ଼ଙ୍ଗରେ ହତ୍ୟା କରିବା ପ୍ରସ୍ତାବକୁ ସମର୍ଥନ କରିବେ ନାହିଁ। ଆମ ଆଇନ ବ୍ୟବସ୍ଥା ଯାହା ସେଥିରେ ଜଘନ୍ୟତମ ଅପରାଧରେ ସଂପୃକ୍ତ ଅପରାଧୀକୁ ମଧ୍ୟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପୂର୍ବରୁ ସବୁ ଆଇନଗତ ମାର୍ଗର ଉପଯୋଗ କରିବାର ସୁଯୋଗ ଉନ୍ମୁକ୍ତ। ଏହାକୁ ଅଦାଲତ ଅସ୍ବୀକାର କରିପାରିବେ ନାହିଁ ଏବଂ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହେବାପୂର୍ବରୁ ଅପରାଧୀକୁ ଶେଷତମ ଆଇନଗତ ସହାୟତା ପାଇବାର ସୁ‌େଯ​‌ାଗ ଦେବାକୁ ବାଧ୍ୟ। ତେଣୁ ଏଇ ମାମଲାରେ ତାହାହିଁ ହୋଇଛି ଏବଂ ଅପରାଧୀଙ୍କ ଓକିଲମାନେ ଦେଶରେ ଉପଲବ୍ଧ ସମସ୍ତ ଆଇନଗତ ମାର୍ଗ ଉପଯୋଗ କରୁଛନ୍ତି। ଏଥିରେ ମୁଦେଇ ପକ୍ଷ ସହିତ ଜନତାଙ୍କ ଧୈର୍ଯ୍ୟଚ୍ୟୁତ ହେବା ସ୍ବାଭାବିକ। ତେଣୁ ଏଭଳି ଜଘନ୍ୟ ଅପରାଧରେ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ବିକଳ୍ପ ଏବଂ ତ୍ବରିତ ଆଇନଗତ ମାର୍ଗ ପ୍ରସ୍ତୁତ ହେବାଉଚିତ। ଆହୁରି ମଧ୍ୟ ଏଇ ମାମଲାର ଶିକ୍ଷା ତୁରନ୍ତ ଫାଶୀ ପ୍ରଦାନର ଏକ ନୂଆ ନଜିର ସୃଷ୍ଟି କରିବାର ବାଟ ଫିଟାଉ।

ଦିଲ୍ଲୀ ଉଚ୍ଚନ୍ୟାୟାଳୟ ବୁଧବାର ଏଇ ମାମଲାର ରାୟ ଦେଇ କହିଛନ୍ତି ସବୁ ଚାରିଜଣ ଦୋଷୀ ଏକାଥରେ ଫାଶୀ ପାଇବେ ଏବଂ ଏହା ଅଲଗାଅଲଗା ହେବନାହିଁ। ତେଣୁ ଯେଉଁ ମାନଙ୍କର ଆଇନଗତ ସୁରକ୍ଷା ବାଟ ବନ୍ଦ ହୋଇଯାଇଛି ସେମାନଙ୍କୁ ଫାଶୀ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ଅର୍ଜି ଏହାଦ୍ବାରା ଖାରଜ ହୋଇଛି। ଅଦାଲତ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦୋଷୀମାନଙ୍କ ପାଖରେ ଫାଶୀ ଟାଳିବାକୁ ଆଉ ଯେଉଁ ସବୁ ଆଇନଗତ ବ୍ୟବସ୍ଥା ଅଛି ଏକ ସପ୍ତାହ ମଧ୍ୟରେ ​‌େ​‌ସମାନେ ସେ ସବୁର ଉପଯୋଗ କରିବେ। ସାତଦିନ ପରେ ସେମାନଙ୍କ ବିରୋଧରେ ଫାଶୀ ପରୱାନା ଜାରି କରାଯିବ। ଏଇ ରାୟରୁ ଆପାତତଃ ସ୍ପଷ୍ଟ ଯେ ସାତଦିନ ପରେ ଏଇ ଅପରାଧୀମାନେ ଫାଶୀଖୁଣ୍ଟରେ ଝୁଲିବେ। ତେବେ ସାତଦିନ ମଧ୍ୟରେ ସେମାନଙ୍କ ଆଇନଗତ ସୁରକ୍ଷାର ଅଧ୍ୟାୟ ଶେଷ ହେବ କି ନାହିଁ ତାହା ଅନୁମାନ କରିବା ଆମ ବ୍ୟବସ୍ଥାକୁ ଦେଖି ବିଶ୍ବାସ ହେଉନାହିଁ। ପୁଣି କିଛି ଆଇନଗତ ପେଞ୍ଚ ବାହାରିବ ନାହିଁତ?

Comments are closed.