ସୁନନ୍ଦା : ଏକ ଅମ୍ଳାନ ଓ ନିର୍ଲିପ୍ତ ପ୍ରତିଭା

୧୯.୧.୨୦୨୦ ତାରିଖ ଦିନ ସୁନନ୍ଦା ପଟ୍ଟନାୟକ ଚିରଦିନ ପାଇଁ ଆଖି ବୁଜି ଦେଲେ ତାଙ୍କ କର୍ମଭୂମି କଲିକତାରେ। ତାଙ୍କ ବୟସ ସେତେବେଳକୁ ୮୫ ବର୍ଷ। ଏକ ନିଃସଙ୍ଗ, ସ୍ବାଭିମାନୀ, ମୁକ୍ତ ବିହଙ୍ଗ ଉଡ଼ିଗଲା ମହାଶୂନ୍ୟକୁ।
ଶୁଣିଥିଲି ରାମକୃଷ୍ଣ ପରମହଂସ କହୁଥିଲେ, ‘ଟଙ୍କା ମାଟି, ମାଟି ଟଙ୍କା’। ତ୍ୟାଗୀ ପରମହଂସଙ୍କୁ ଟଙ୍କା ଦେଲେ ସେ ନଦୀରେ ଫୋପାଡ଼ି ଦେଉଥିଲେ। ପ୍ରତ୍ୟକ୍ଷରେ ଅର୍ଥ ପ୍ରତି ଅନାସକ୍ତ ବ୍ୟକ୍ତିଙ୍କୁ ଦେଖିଲି ସୁନନ୍ଦା ପଟ୍ଟନାୟକଙ୍କ ମାଧ୍ୟମରେ। ତାଙ୍କ ସହିତ ମୋର ପରିଚୟ ହୁଏ ୧୯୯୨-୯୩ ଅବଧିରେ। କଲିକତାରେ ମୋର ପୋଷ୍ଟିଙ୍ଗ୍‌ ହୋଇଥାଏ। ସରକାରୀ ଘର ମିଳିଲା ସଲ୍ଟ ଲେକ୍‌ର ଜିବି-ବ୍ଲକ୍‌ରେ। ଅନତି ଦୂରରେ ରହୁଥିଲେ ସୁନନ୍ଦା ପଟ୍ଟନାୟକ। ଇଚ୍ଛା ଥିଲା ଝିଅ ତାଙ୍କ ଅଧୀନରେ ଶାସ୍ତ୍ରୀୟ ସଂଗୀତର ତାଲିମ ଗ୍ରହଣକରୁ। ଗୋଟିଏ ରବିବାରରେ ତାଙ୍କୁ ଯାଇ ଭେଟିଲି। ଧଳା ରଙ୍ଗର ସୂତାଶାଢ଼ି ପିନ୍ଧିଥିବା ଜଣେ ସାଧାରଣ ମହିଳା। ପରିଚୟ ଦେଇ ଅଭିପ୍ରାୟ କହିଲି। ରୋକ୍‌ଠୋକ୍‌ ମନା କରିଦେଲେ- ଆଇ ଡୋଣ୍ଟ ଟିଚ୍‌ ବିଗିନର୍ସ। ଏମିତି ବାରମ୍ବାର ଅନୁରୋଧ କରୁଥିଲି। ଏମିତି ପ୍ରାୟ ଛ’ମାସ ବିତିଲା। ଆଉ ଥରେ ମୋତେ ଦେଖି କହିଲେ, ‘ମାସକୁ ପାଞ୍ଚଶହ ଟଙ୍କା ଦେଇ ପାରିବୁ?’ କହିଲି ‘ଆଜ୍ଞା ନା’। କହିଲେ, ‘ହଉ ଯା’। ପରବର୍ତ୍ତୀ ସପ୍ତାହରେ ପୁଣି ଅନୁରୋଧ କରିବା ପରେ ସୁନନ୍ଦା ପଚାରିଲେ, ‘ଝିଅ କିଛି ଗୀତ ଶିଖିଛି?’ ମୁଁ ମନା କରିବାରୁ ସୁନନ୍ଦା କହିଲେ, ‘ହଉ ଆର ସପ୍ତାହ ତାକୁ ନେଇ ଆସ। ମୁଁ କିଛି ସମୟ ଦେଖିବି। ଯଦି ଠିକ୍‌ ନ କଲା, ତଡ଼ି ଦେବି’।
ଝିଅର ତାଲିମ ଆରମ୍ଭ ହେଲା। ଆମର ପରିଚୟ ଓ ଆତ୍ମୀୟତା ବଢ଼ିଲା। ତାଙ୍କ ଇଚ୍ଛାନୁଯାୟୀ ଆମେ ତାଙ୍କୁ ଅପା ଡାକିଲୁ। ଝିଅ ତାଙ୍କୁ ଡାକେ ଗୁରୁମା’। ସେ ସମୟରେ ଆମ ପକ୍ଷରେ ପାଞ୍ଚଶହ ଟଙ୍କା ଅତି ବେଶୀ ଥିଲା। ଝିଅର ତାଲିମର ମାସେ ପରେ ତିନିଶହ ଟଙ୍କା ଧରି ଗଲି। ତୀକ୍ଷ୍ଣ ଉତ୍ତର ଆସିଲା, ‘ତୁ ମୋତେ ପଇସା ଦେଖଉଛୁ?’ ପରେ ନରମିକି କହିଲେ, ‘ଆରେ ବାପା, ଛୋଟ ଝିଅଟି। ସଦ୍ୟ ସଂଗୀତ ଶିକ୍ଷା ଆରମ୍ଭ କରିଛି। କାହିଁକି ଫିସ୍‌ କଥା ଭାବୁଛୁ?’ ସୁନନ୍ଦା ଅପା କେବଳ ଝିଅ ପିଲାକୁ ସଂଗୀତ ଶିକ୍ଷା ପ୍ରଦାନ କରୁଥିଲେ। ସବୁ ରବିବାର ମୋ ଭଳି ଅନେକ ଅଭିଭାବକ ତାଙ୍କ ଝିଅ ମାନଙ୍କୁ ଆଣିବାକୁ ଆସନ୍ତି। ଥରେ ଜଣେ ଅଭିଭାବକ ମୋତେ ପଚାରିଲେ ମୁଁ ଝିଅର ଫିସ୍‌ ବାବଦକୁ କେତେ ଦେଉଛି। ମୁଁ ମୋର ଅଭିଜ୍ଞତା କହିଲି। ସେ ଅଭିଭାବକ ଜଣକ କହିଲେ ଯେ ମାଡାମ ତାଙ୍କଠୁ ମଧ୍ୟ ଫିସ୍‌ ନେଉନାହାନ୍ତି। ବଡ଼ ଆଶ୍ଚର୍ଯ୍ୟର କଥା !
ଅପା ନଥିବା ବେଳେ ଥରେ ତାଙ୍କ ଘରେ ଚୋରି ହେଲା। ଅପାଙ୍କ ପ୍ରତିକ୍ରିୟା ଥିଲା ‘‘କିଏ ଜଣେ ଅଭାବଗ୍ରସ୍ତ ବ୍ୟକ୍ତି ତା’ର ଅଭାବ ପୂରଣ ପାଇଁ ଏହା କରିଥାଇ ପାରେ। ମୋ ଘରୁ କିଛି ଚୋରି ହୋଇନାହିଁ। ମୁଁ କାହାକୁ ସନ୍ଦେହ କରୁନାହିଁ।’’ ଆଉ ଏକ ଘଟଣା। ଅପା ଟ୍ରେନ୍‌ରେ ଯାଉଥିବା ସମୟରେ ଡକାୟତମାନେ ତାଙ୍କ ଦୁଇ ହାତରେ ଥିବା ଦୁଇଟି ସରୁ ସୁନା ଚୁଡ଼ି ନେଇଗଲେ। ଅପା କହିଥିଲେ, ‘ଠାକୁର ଏତକ ଧନ ବି ମୋ ପାଖରେ ରହୁ ଚାହୁଁ ନଥିଲେ। ତାହାହିଁ ହେଲା, କାହାକୁ ଅଭିଯୋଗ କରିବି ? କାହିଁକି ଅଭିଯୋଗ କରିବି ?’ ତା’ପରଠୁ ତାଙ୍କ ଦୁଇଟି ହାତ ଖାଲି ରହିଲା। ସୁନନ୍ଦା ପଟ୍ଟନାୟକ ଅତ୍ୟନ୍ତ ଆତ୍ମ-ବିଶ୍ବାସୀ ଥିଲେ, ଆମେ ଥରେ ତାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ସେ ଅସୁସ୍ଥ ଥିବା ଜଣାପଡ଼ିଲା। ପଚାରିଲି ଅପା, ଏତେ ଜର, ଔଷଧ ଖାଇଛନ୍ତି ? ଡାକ୍ତରଙ୍କୁ ଡାକିଦେବି ? ଅପା ସାଙ୍ଗେସାଙ୍ଗେ ଉତ୍ତର ଦେଲେ, ମୁଁ ଏ ଜରକୁ ଡରେ ନାହିଁ। ସାୱାର ଖୋଲି ଘଣ୍ଟାଏ ଠିଆହୋଇ ଯିବି ପାଣିତଳେ। ଜର ଛାଡ଼ିଯିବ।’ ସୁନନ୍ଦା ପଟ୍ଟନାୟକ ଥିଲେ ଉଚ୍ଚତମ ସ୍ତରର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ। ସେ ପୁନାରେ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଅଧୀନରେ ତାଲିମ ଲାଭ କରିଥିଲେ। ବିନାୟକ ରାଓ ଥିଲେ ଗ୍ବାଲିୟର ଘରାନାର ପ୍ରଖ୍ୟାତ ସଂଗୀତଜ୍ଞ ବିଷ୍ଣୁ ଦିଗମ୍ବର ପଲୁସ୍କରଙ୍କ ଶିଷ୍ୟ। ସୁନନ୍ଦା କଲିକତାସ୍ଥିତ ତାଙ୍କ ବାସଭବନରେ ଏକ ସଂଗୀତ ବିଦ୍ୟାଳୟ ଖୋଲିଥିଲେ ବିଷ୍ଣୁ ଦିଗମ୍ବରଙ୍କ ନାଁରେ। ସୁନନ୍ଦା ଥିଲେ ବିଶୁଦ୍ଧ କଳାକାର। ସେ ତାଙ୍କର ଗାୟନ ଶୈଳୀରେ ଆଧୁନିକତାର ପ୍ରୟୋଗ କରୁନଥିଲେ। ଶାସ୍ତ୍ରୀୟ ସଂଗୀତ ଖେୟାଲ ଗାଇଲା ବେଳେ ‘ଦ୍ରୁତ’ ସ୍ବରରେ ତାଙ୍କର ‘ତରାନା’ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲା। ସେ ସମୟର ଶ୍ରେଷ୍ଠ ମହିଳା ଶାସ୍ତ୍ରୀୟ କଂଠଶିଳ୍ପୀ ଯଥା- କିଶୋରୀ ଆମୋନକର, ପରିବିନ୍‌ ସୁଲତାନା ପ୍ରମୁଖଙ୍କ ସମକକ୍ଷ କଳାକାର ସିଏ। ସଂଗୀତ ତାଙ୍କୁ ଦେଶ ବି​ଦେଶର ଅନେକ ଜାଗାକୁ ନେଇ ଯାଇଛି। ତେବେ ସେ ନିଜର ପ୍ରଚାରପ୍ରସାର କରୁନଥିଲେ। ତାଙ୍କର ଏକ ବ୍ରାଣ୍ଡ ତିଆରି କରିବା ପାଇଁ ତାଙ୍କର କେହି ନିକଟ ଆତ୍ମୀୟ ବା ସହୃଦୟ ବ୍ୟକ୍ତି ନଥିଲେ। ତାଙ୍କ ଆର୍ଥିକ ବିଷୟ ବୁଝାସୁଝା କରିବା ପାଇଁ ମଧ୍ୟ କେହି ନଥିଲେ। ବଡ଼ ନାଁ ପାଇଁ ଏ ସବୁ ଆବଶ୍ୟକ। ଏସବୁ କାରଣରୁ ହୁଏତ ତାଙ୍କର ଏତେଟା ନାଁ ହେଲାନାହିଁ।
ସୁନନ୍ଦା ପଟ୍ଟନାୟକ ଅବିବାହିତ ଥିଲେ ଏବଂ ଏକା ରହିବାକୁ ପସନ୍ଦ କରୁଥିଲେ। କଲିକତାରେ ସେ ବେଶ୍‌ ଜନପ୍ରିୟ ଥିଲେ। ସେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀ ଓ ଊର୍ଦୁରେ ନିପୁଣା ଥିଲେ। ଏସବୁ ଭାଷାର ସେ କବିତା ଲେଖୁଥିଲେ। ସୁନନ୍ଦା ପଟ୍ଟନାୟକଙ୍କ ଜନ୍ମ ଓଡ଼ିଶାରେ (୧୯୩୪)। ବାପା ଶିକ୍ଷକ ତଥା ବିଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକ। ପିଲାଟି ବେଳୁ ସଙ୍ଗୀତ ପ୍ରତି ରୁଚି। ପରବର୍ତ୍ତୀ କାଳରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ କୁନି ସୁନନ୍ଦାର ପ୍ରତିଭାରେ ପ୍ରଭାବିତ ହୋଇଥିଲେ। ରାଜେନ୍ଦ୍ର ବାବୁ ସୁନନ୍ଦାଙ୍କୁ ସଂଗୀତ ଶିକ୍ଷା ପାଇଁ ପ୍ରୋତ୍ସାହନ ଯୋଗାଇଲେ। ସୁନନ୍ଦା ଗଲେ ପୁନା ସଂଗୀତ ଶିକ୍ଷା ପାଇଁ। ରାଜେନ୍ଦ୍ର ବାବୁ ଏବଂ ଓଡ଼ିଶାର ରାଜ୍ୟପାଳ ଆସଫ୍‌ ଅଲ୍ଲି ଯଥାକ୍ରମେ ତାଙ୍କୁ ପଚାଶ ଓ ପଚିଶ ଟଙ୍କା ମାସକୁ ପଠାଉଥିଲେ। ଅନେକ କଷ୍ଟ ସହି ସୁନନ୍ଦା କୃତକାର୍ଯ୍ୟ ହେଲେ ଏବଂ ଓଡ଼ିଶା ଫେରିଆସିଲେ। ଓଡ଼ିଶାରେ ସେତେବେଳେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଏତେଟା ଜନପ୍ରିୟ ନଥିଲା। ଏଣୁ ଜଣେ ପେସାଦାର ଶିଳ୍ପୀ ପାଇଁ ଅନେକ ଅସୁବିଧା ଥିଲା। ସେ ସମୟକ୍ରମେ ଗଲେ କଲିକତା। ସେତେବେଳେ କଲିକତା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର ପେଣ୍ଠସ୍ଥଳୀ ଥିଲା। ବଡ଼ବଡ଼ ସଂଗୀତ ଆସରମାନ ହେଉଥିଲା। ସୁନନ୍ଦାଙ୍କୁ ଭୀମସେନ ଯୋଷୀ, ବିଲାୟତ ଖାନ୍‌ ଭଳି ଆଗଧାଡ଼ିର କଳାକାରଙ୍କ ସହ ଆସରରେ ଅଂଶଗ୍ରହଣ କରିବାର ସୁ​‌େ​‌ଯାଗ ମିଳିଲା। କ୍ରମଶଃ ତାଙ୍କୁ ଏକ ପ୍ରତିଷ୍ଠିତ କଣ୍ଠଶିଳ୍ପୀର ମର୍ଯ୍ୟାଦା ଓ ସମ୍ମାନ ମିଳିଲା। ସେ କଲିକତାରେ ରହିଗଲେ ଏବଂ ସେଇଠି ହିଁ ଶେଷ ନିଃଶ୍ବାସ ତ୍ୟାଗ କଲେ।
ସୁନନ୍ଦା ପଟ୍ଟନାୟକ ତାଙ୍କ ପ୍ରତିଭା ଅନୁପାତରେ ନାଁ କମେଇ ପାରିଲେ ନାହିଁ। ଓଡ଼ିଶାରେ ତାଙ୍କୁ ଯେତେଟା ସମ୍ମାନ ମିଳିବା କଥା ସେତେଟା ମିଳିଲା ନାହିଁ। ଏ ଦୁଇ ବ୍ୟଥା ଚିରଦିନ ରହିବ। ସମପରିମାଣରେ କେନ୍ଦ୍ରସରକାର ଏବଂ ସଂଗୀତ କମ୍ପାନୀମାନେ ଦୋଷୀ। ଓଡ଼ିଶାରେ ଜନତା ମଧ୍ୟ ତାଙ୍କୁ ଏବଂ ତାଙ୍କ ସଂଗୀତ ପ୍ରତି ବିଶେଷ ଉତ୍ସାହ ଓ ସମ୍ମାନ ପ୍ରକାଶ କରିନାହାନ୍ତି। ସେ ଓଡ଼ିଶାରେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଦେବାକୁ ଚେଷ୍ଟା କରିଥିଲେ। ଯଥେଷ୍ଟ ପରିମାଣରେ ଛାତ୍ରୀ ତାଙ୍କୁ ମିଳୁ ନଥିଲେ। ଶେଷ ଆଡ଼କୁ ସୁନନ୍ଦା ବର୍ଷକୁ ଥରେ ବାରାଣସୀର ସଙ୍କଟମୋଚନ ଏବଂ ପୁରୀ ଜଗନ୍ନାଥ ମନ୍ଦିରର ଆସର ଛଡ଼ା ଅନ୍ୟତ୍ର ଯିବା ବନ୍ଦ କରି ଦେଇଥିଲେ। ନବେ ଦଶକରେ ପୁରୀ ଆସରରେ ପ୍ରଥମେ ବିଜୁବାବୁ ଏବଂ ପରେ ଜାନକୀବାବୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ଓଡ଼ିଶା ଆସି କିଛି କରିବାକୁ ଅନୁରୋଧ କରୁଥିଲେ ଏବଂ ସରକାରୀ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ। ଶେଷଥର ସେହି ପ୍ରତିଶ୍ରୁତି ଶୁଣି ସୁନନ୍ଦା ଅପା ପ୍ରତିବାଦ କରିବାରୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ଭାବେ ପୁରୀରେ ଜାଗା ଦିଆଗଲା ବୋଲି ଘୋଷଣା କଲେ। ପରେ ଯେତେବେଳେ ସୁନନ୍ଦା ପଟ୍ଟନାୟକ ଜମି ବିଷୟରେ ବୁଝିବାକୁ ଗଲେ, ପୁରୀ କଲେକ୍ଟର ତାଙ୍କୁ ଦୁଇଘଣ୍ଟା ବାହାରେ ବସାଇଲେ। ଯାହା ହେଉ, ଜମି ମିଳିଲା। ସୁନନ୍ଦା ନିଜ ଖର୍ଚ୍ଚରେ ଘରଟିଏ ତିଆରି କଲେ। ଇଚ୍ଛାଥିଲା, ତାଙ୍କ ବରିଷ୍ଠ ଛାତ୍ରୀମାନେ ଏବଂ ସମୟ ସମୟରେ ସେ ନିଜେ ଆସି ସଙ୍ଗୀତ ଶିକ୍ଷା ଦେବେ। କିଛି ଶିକ୍ଷାର୍ଥୀ ଆସିଲେ ବି। ଦିନେ କିଛି ଦୁର୍ବୃ୍ତ୍ତ ସେ ଘରେ ପଶି ସବୁ ଚୋରି କରିନେଲେ ଓ କବାଟ ଝରକା ଭାଙ୍ଗିଦେଲେ। ପୁଲିସ, ପ୍ରଶାସନ କିଛି କଲେ ନାହିଁ। ସୁନନ୍ଦା ପଟ୍ଟନାୟକଙ୍କ ଓଡ଼ିଶାରେ ଶାସ୍ତ୍ରୀୟ ସଂଗୀତ ଶିକ୍ଷାଦାନର ସ୍ବପ୍ନ ମଉଳିଗଲା।
ଗତ ଶତାବ୍ଦୀର ପଚାଶ ଦଶକ ଓଡ଼ିଶାର ସାଂସ୍କୃତିକ ଇତିହାସର ଏକ ନିର୍ଣ୍ଣାୟକ ସମୟ। ପଚାଶ ଦଶକର ମଝାମଝି ପ୍ରିୟମ୍ବଦା ମହାନ୍ତିଙ୍କ ଦିଲ୍ଲୀରେ ଓଡ଼ିଶୀ ନୃତ୍ୟ (ସେ ସମୟରେ ଭାରତନାଟ୍ୟମ୍‌ କୁହାଯାଉଥିଲା) ପ୍ରଦର୍ଶନ, ଚାର୍ଲ୍ସ ଫେକ୍ରି ଏବଂ ଇନ୍ଦ୍ରାଣୀ ରହମାନଙ୍କ ପ୍ରୟାସ, ମାୟାଧର ମାନସିଂହ ଏବଂ କାଳିଚରଣ ପଟ୍ଟନାୟକଙ୍କ ଗବେଷଣା, କେଳୁଚରଣ ମହାପାତ୍ରଙ୍କ ଆବିର୍ଭାବ ଏବଂ ସଂଯୁକ୍ତା ପାଣିଗ୍ରାହୀଙ୍କ ଅନବଦ୍ୟ ଉପସ୍ଥାପନା ଓଡ଼ିଶୀ ନୃତ୍ୟ ପାଇଁ ନୂଆଯୁଗ ଆରମ୍ଭ କଲା। ସେ ପର୍ଯ୍ୟନ୍ତ ନୃତ୍ୟ ସଙ୍ଗୀତ ସାଧାରଣ ଭାବରେ ଓଡ଼ିଶାରେ, ବିଶେଷତଃ ମଧ୍ୟବିତ୍ତ ପରିବାରରେ ଗ୍ରହଣୀୟ ନଥିଲା। ଓଡ଼ିଶୀ ନୃତ୍ୟ ଏକ ସାମାଜିକ ସ୍ବୀକୃତି ଲାଭ କଲା। ଠିକ୍‌ ସେହି ସମୟରେ ସୁନନ୍ଦା ପଟ୍ଟନାୟକ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର ସମ୍ଭାର ଧରି ଓଡ଼ିଶାରେ ପଦାର୍ପଣ କଲେ। ତେବେ ସେ ଏକା ହୋଇଗଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତକୁ ସାମାଜିକ ସ୍ବୀକୃତି ମିଳିଲା ନାହିଁ। ବର୍ତ୍ତମାନ ବି ଏତେ ବେଶୀ ନୁହେଁ। ଏଣୁ ସୁନନ୍ଦା ‘ଏକ୍‌ଲା ଚଲୋରେ’ ନୀତିରେ ଏକା ଚାଲିଲେ- ଏକ ନିଃସଙ୍ଗ ପଥିକ। ସର୍ବଭାରତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ। ନିଃସନ୍ଦେହ ଭାରତର ସମକାଳୀନ ଶାସ୍ତ୍ରୀୟ ସଂଗୀତ ବିଶାରଦମାନଙ୍କ ସମକକ୍ଷ କଳାକାର ସିଏ। ତାଙ୍କୁ ଯେତେଟା ସମ୍ମାନ ଓ ସ୍ବୀକୃତି ମିଳିବା କଥା ମିଳିଲା ନାହିଁ। ସତକଥା। କିନ୍ତୁ ସେ ଯେ ଜଣେ ଉଚ୍ଚକୋଟୀର ବିଶୁଦ୍ଧ କଳାକାର, ଏଥିରେ ସନ୍ଦେହ ନାହିଁ।
ସୁନନ୍ଦା ପଟ୍ଟନାୟକ ଜଣେ ପ୍ରଚଣ୍ଡ ପ୍ରତିଭାବାନ କଳାକାର ଓ ଜଣେ ଦରଦୀ ମଣିଷ ଥିଲେ। ତାଙ୍କର ଏକ ଦୁର୍ବାର ଇଚ୍ଛାଶକ୍ତି ଥିଲା। ସେ ଏକ ସରଳ, ନିରାଡ଼ମ୍ବର ଜୀବନ ଯାପନ କରୁଥିଲେ ଏବଂ ଜଣେ ଅତ୍ୟନ୍ତ ସମ୍ବେଦନଶୀଳ ମଣିଷ ଥିଲେ। ସେ ଓଡ଼ିଶାର ଗର୍ବ ଥିଲେ। ସେଥିଲେ ଜଣେ ଅତ୍ୟନ୍ତ ସ୍ବାଭିମାନୀ ଏବଂ ଜଣେ ନିର୍ଲିପ୍ତ ମଣିଷ। ଈଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

ଶ୍ରୀକାନ୍ତ ଚାଟାର୍ଜୀ

ଖଡ଼ିଆଳ

Comments are closed.