ସ୍ମୃତି ଓ ସଂକଳ୍ପ…. ସର୍ବେ ଭବନ୍ତୁ ସୁଖିନଃ…

ଅନେକ ତିକ୍ତ-ମଧୁର ଅନୁଭୂତି ଦେଇ ‘୨୦୧୯’ ବିଦାୟ ନେଇଛି। ନୂଆ ଆଶା, ଉଦ୍ଦୀପନା ଓ ସ୍ୱପ୍ନର ସମ୍ଭାର ନେଇ ଆସିଛି ‘୨୦୨୦’। ସମୟର ଚିରନ୍ତନ ଗତିରେ ବିଦାୟ ଓ ଆଗମନ ଏକ ନିରନ୍ତର ପ୍ରକ୍ରିୟା। ଏହି ପ୍ରକ୍ରିୟା ମଧ୍ୟରେ କେତେବେଳେ ଆମ ଚାରିପାଖରେ ଘଟିଚାଲିଥିବା ଘଟଣାଗୁଡ଼ିକ ମଧ୍ୟରୁ କେତୋଟି ଅଲିଭା ସ୍ମୃତି ଛାଡ଼ି ଦେଇଯାଏ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ‘୨୦୧୯’ ଇତିହାସର ଅନେକ କାଳଜୟୀ ଅଧ୍ୟାୟ ଲେଖିଯାଇଛି। ସେହିପରି ‘୨୦୨୦’ ମଧ୍ୟ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ମାନ୍ୟତା ଦାବି କରୁଛି। ‘୨୦୨୦’ ସହିତ ଚଳିତ ସହସ୍ରାବ୍ଦର ପ୍ରଥମ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ସମାପ୍ତ ହେବ। ସାଂଖ୍ୟିକ ଓ ଆଳଙ୍କାରିକ ଭାବେ ପରିସଂଖ୍ୟାନବିତ୍‍ଙ୍କ ପାଇଁ ୨୦୨୦ ଯେତିକି ଗୁରୁତ୍ୱପୂର୍ଣ୍ଣ; ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଓ ସୈନିକଙ୍କ ପାଇଁ ତା’ଠାରୁ ଅଧିକ ଆହ୍ୱାନପୂର୍ଣ୍ଣ।
ସୃଜନ ଓ ନିର୍ମାଣ ପାଇଁ ସଂକଳ୍ପ ନେବାର ଅବକାଶ ଆଣେ କିଛି ମହାର୍ଘ ମୁହୂର୍ତ୍ତ। ସଂକଳ୍ପ ନେବା ପୂର୍ବରୁ ପ୍ରଥମେ ଭବିଷ୍ୟତର ଆହ୍ୱାନକୁ ପରଖିବାକୁ ହେବ ଏବଂ ଏଥିପାଇଁ ବର୍ତ୍ତମାନରେ ଛିଡ଼ା ହୋଇ ଅତୀତର ସ୍ମୃତି, ଅନୁଭୂତି ଓ ଅଭିଜ୍ଞତାର ଆଲୋଚନା କରିବାକୁ ପଡ଼ିବ। ନବବର୍ଷର ପ୍ରଥମ ସକାଳରେ ଥରେ ଫେରି ଚାହିଁଲେ ଦେଖିବାକୁ ମିଳିବ – ‘୨୦୧୯’ ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣ ପରି ନାରକୀୟ କାଣ୍ଡର ମୂକସାକ୍ଷୀ ପାଲଟିଛି; ପୁଣି ଆଣିଛି କୋଟିକୋଟି ଭାରତୀୟଙ୍କ ପାଇଁ ବାଲାକୋଟ୍‍ ଏୟାରଷ୍ଟ୍ରାଇକ୍‍୍‍ ଜରିଆରେ ପ୍ରତିଶୋଧର ଆତ୍ମତୃପ୍ତି। ଯୁଗାନ୍ତକାରୀ ତିନି ତଲାକ୍‍ ଆଇନ୍‍ ପ୍ରଣୟନ କରିଥିବା ସଂସଦ ୩୭୦ ଧାରା ଉଚ୍ଛେଦ ଓ ଜାମ୍ମୁକାଶ୍ମୀର ବିଭାଜନ କରି ରାଜନୈତିକ ମାନଚିତ୍ର ବଦଳାଇ ଦେଇଛି। ପୂର୍ଣ୍ଣଚ୍ଛେଦ ପଡ଼ିଛି ୪ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ବିବାଦର। ଏଥିସହିତ ଭାରତୀୟ ସମ୍ବିଧାନର ମୌଳିକତା ଓ ନ୍ୟାୟ ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଆସ୍ଥା ପୁଣି ଥରେ ପ୍ରମାଣିତ ହୋଇଛି। ଚଳିତ ବର୍ଷ ସଂସଦକୁ ରେକର୍ଡ ସଂଖ୍ୟକ ମହିଳା ପ୍ରତିନିଧି ନିର୍ବାଚିତ ହୋଇ ମହିଳା ସଶକ୍ତୀକରଣରେ ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ଅପରପକ୍ଷରେ ହାଇଦ୍ରାବାଦ୍‍ ବଳତ୍କାର ଓ ହତ୍ୟା ଘଟଣା ଇତିହାସରେ ଆଉ ଏକ ଦୁଃଖଦ ଅଧ୍ୟାୟ ଯୋଡ଼ିଦେଇଛି। ପୁଣି ହାଇଦ୍ରାବାଦ୍‍ ଅଭିଯୁକ୍ତଙ୍କୁ ପୁଲିସ୍‍ ଏନ୍‍କାଉଣ୍ଟର ଘଟଣାକୁ ସ୍ୱତଃସ୍ଫୂର୍ତ୍ତ ସମର୍ଥନ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଦିଗକୁ ଇଂଗିତ କରିଥିବାବେଳେ ଏହାକୁ ପ୍ରତିହତ କରିଛି ଉନ୍ନାଓ ଘଟଣାର ବାହୁବଳୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଦିଲ୍ଲୀ ଜିଲା ଅଦାଲତଙ୍କ ରାୟ। ବର୍ଷ ଶେଷ ବେଳକୁ ନାଗରିକ ସଂଶୋଧନ ଆଇନ(ସିଏଏ)ର ନିଅାଁ ସମଗ୍ର ଦେଶକୁ ବ୍ୟାପିଛି। କୂଟନୀତିରେ ପାକିସ୍ତାନକୁ ଏକଘରକିଆ କରିବାରେ ସଫଳ ହୋଇଥିବା ଭାରତର ଭାବମୂର୍ତ୍ତି ଆନ୍ତର୍ଜାତିକ ସ୍ତରରେ ଆହୁରି ଉଜ୍ଜ୍ୱଳ ହୋଇଛି। ସେହିପରି ଚନ୍ଦ୍ରଯାନ-୨ ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ବିଶ୍ୱରେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ କରିଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ଭାବେ ବିଷାଦର ବର୍ଷ ଭାବେ ପରିଗଣିତ ୨୦୧୯ରେ ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ଦେଶର ବେକାରୀ, ନିମ୍ନ ଅଭିବୃଦ୍ଧି ହାର, ମାନ୍ଦାବସ୍ଥା, ପିଆଜ ଦର ବୃଦ୍ଧି ରେକର୍ଡ ସୃଷ୍ଟି କରିଛି। ନୂଆ ସଡ଼କ ସୁରକ୍ଷା ଆଇନ୍‍ ଓ କଟକଣା ଲୋକଙ୍କୁ ଦାୟିତ୍ୱବାନ୍‍ କରିଛି ଏବଂ ମିଶ୍ର ପ୍ରତିକ୍ରିୟା ଲାଭ କରିଛି।
‘୨୦୧୯’ର ଏହି ସବୁ ଘଟଣା ‘୨୦୨୦’ ପାଇଁ ଆହ୍ୱାନ ସୃଷ୍ଟି କରିଛି। ନବଗଠିତ ଲଦାଖ ଓ ଜାମ୍ମୁ-କାଶ୍ମୀରରେ ଶାନ୍ତି ଓ ବିକାଶ, ସିଏଏ ପ୍ରତି ଜନମତ ସୃଷ୍ଟି, ଅର୍ଥନୈତିକ ମାନ୍ଦାବସ୍ଥା ଦୂର, କେନ୍ଦ୍ର-ରାଜ୍ୟ ଏବଂ ପଡ଼ୋଶୀଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି, ତିନି ତଲାକ ଆଇନର ସଫଳ କାର୍ଯ୍ୟକାରିତା, ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ବୁଝାମଣାରୁ ଓହରିବାଜନିତ ବାଣିଜ୍ୟ କ୍ଷତି ଭରଣା ଆଦି ୨୦୨୦ରେ କେନ୍ଦ୍ର ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ। ସେହିପରି ‘ଫଣି’ ବିଧ୍ୱସ୍ତ ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ନିରୋଧୀ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ, ବିଲୁପ୍ତ ଜୈବବିବିଧତା ଓ ପ୍ରାଣୀଜଗତର ସୁରକ୍ଷା, ପରିବେଶ ଅନୁକୂଳ ବିକାଶ, ସ୍ୱାବଲମ୍ବନଶୀଳ ଯୋଜନା,ଶ୍ରୀମନ୍ଦିରରେ ନୀତିଗତ ସଂସ୍କାର, ମହାନଦୀ ଓ ପୋଲାଭରମ୍‍ ଆଦି ପ୍ରସଙ୍ଗ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପାଇଁ ୨୦୨୦ ଗୁରୁତ୍ୱପୂର୍ଣ୍ଣ ବର୍ଷ ଭାବେ ପରିଗଣିତ ହେବ।
ଏ ସବୁରୁ ଊର୍ଦ୍ଧ୍ବରେ ଯଦି ବିଚାର କରଯାଏ, ତେବେ ଜଳବାୟୁ ପରିବର୍ତ୍ତନ ହିଁ ଆଜିର ପ୍ରଧାନ ଆହ୍ୱାନ ଓ ଜାଗତିକ ସମସ୍ୟା ଭାବେ ଦେଖାଦେଇଛି। ଅସ୍ୱାଭାବିକ ମୌସୁମୀ, ମରୁଡ଼ି, ବାତ୍ୟା ଆଦି ଦୁର୍ବିପାକ ଜୀବଜଗତ ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରିଛି। ପରିବେଶ ପ୍ରଦୂଷଣ ଓ ବିଷାକ୍ତ ବାଷ୍ପ ସମସ୍ୟା ରାଜଧାନୀ ଦିଲ୍ଲୀ ସୀମା ସରହଦ ଡେଇଁ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏଥିପାଇଁ ସରକାରୀ ନୀତିକୁ କେବଳ ଦାୟୀ ନ କରି ଆମେ ନିଜେ ହିଁ ଦାୟିତ୍ୱ ନେଲେ ଧ୍ୱଂସ ମୁଖରୁ ପୃଥିବୀକୁ ଓ ନିଜକୁ ରକ୍ଷା କରିପାରିବା। ଆମ ହାତରେ ସମୟ ସ୍ୱଳ୍ପ। ତେଣୁ ‘୨୦୨୦’ ହିଁ ଏଥିପାଇଁ ସଂକଳ୍ପ ନେବାର ମହାର୍ଘ ମୁହୂର୍ତ୍ତ ହେଉ। ମିତବ୍ୟୟିତା, ଚାକଚକ୍ୟପୂର୍ଣ୍ଣ ଓ ବିଶୃଙ୍ଖଳିତ ଜୀବନଚର୍ଯ୍ୟାରୁ ନିବୃତ୍ତ ରହିଲେ ଏହି ଆହ୍ୱାନକୁ ମୁକାବିଲା କରିବା ସମ୍ଭବ। ଆଗାମୀ ଦିନରେ ଭାରତ ସମେତ ବିଶ୍ୱର ଅର୍ଥନୈତିକ ସଙ୍କଟ ଆହୁରି ଜଟିଳ ହେବାକୁ ଯାଉଛି। ଏଣୁ ବେଳୁ ହୁଁ ସତର୍କ ରହିବାକୁ ହେବ। ସେହିପରି ସିଏଏ ଓ ଏନ୍‍ଆରସିକୁ ନେଇ ଯେପରି ସାମ୍ପ୍ରଦାୟିକ ସଦ୍‍ଭାବନା ବ୍ୟାହତ ନ ହୁଏ ସେଥିପାଇଁ ଦେଶର ବିଶାଳ ଯୁବଶକ୍ତି ‘୨୦୨୦’କୁ ‘ସଂକଳ୍ପର ବର୍ଷ’ ଭାବେ ଗ୍ରହଣ କରିବା ସର୍ବାଦୌ ମଙ୍ଗଳପ୍ରଦ ହେବ।
ଅନେକ ଆଶା ଓ ଆହ୍ୱାନ ନେଇ ଆସିଥିବା ‘୨୦୨୦’ ମଧୁମୟ ହେଉ-, ଆକାଶ, ବାୟୁ, ଜଳ, ମହୌଷଧୀ ଅମୃତମୟ ହୁଅନ୍ତୁ-, ଧରିତ୍ରୀ ସ୍ୱର୍ଣ୍ଣପ୍ରସୂ ହେଉ। ଡାକ୍ତରମାନେ ସେବା ପରାୟଣ ଓ ଯନ୍ତ୍ରୀମାନେ ଜାତିପ୍ରାଣ ହୁଅନ୍ତୁ। ନ୍ୟାୟଜୀବୀମାନେ ନୀତିନିଷ୍ଠ, ଶାସକ ଜନାଭିମୁଖୀ, ପ୍ରଶାସକ ସଚ୍ଚୋଟ, ସମ୍ବାଦଜୀବୀ ନିର୍ଭୀକ ଓ ନିରପେକ୍ଷ, ଆରକ୍ଷୀ ବାହିନୀ ସମର୍ପିତ, ବ୍ୟବସାୟୀମାନେ ସାଧୁ ହୁଅନ୍ତୁ। ଶିକ୍ଷକ ନୈତିକତାର ଶିକ୍ଷା ଦିଅନ୍ତୁ। ନବନିଯୁକ୍ତ କର୍ମମୟ ଜୀବନ ଆରମ୍ଭ କରୁଥିବା ଯୁବବର୍ଗ କର୍ମଠ,ନିଷ୍ଠାପର ଓ ସମୟାନୁବର୍ତ୍ତୀ ହୁଅନ୍ତୁ ଏବଂ ଛାତ୍ରଛାତ୍ରୀମାନେ ଅଧ୍ୟବସାୟୀ ହୁଅନ୍ତୁ। ଆମର, ଆମ ପରିବାରର, ସମାଜର ଏବଂ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ଆସନ୍ତୁ ସମସ୍ତେ ମିଶି ଶାନ୍ତି, ପ୍ରୀତି, ଭ୍ରାତୃତ୍ୱ, ସୌହାର୍ଦ୍ୟ, ସହଯୋଗିତା ଓ ସହଭାଗିତାର ଶପଥ ନେବା। ‘୨୦୨୦’ର ପରୀକ୍ଷାର୍ଥୀମାନେ ସଫଳ ହୁଅନ୍ତୁ ଓ ଏକ ସମୃଦ୍ଧି ଦେଶ ଗଠନ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରନ୍ତୁ -‘ସମାଜ’ ପରିବାର ତରଫରୁ ‘ନବବର୍ଷ – ୨୦୨୦’ରେ ଏହି କାମନା।
ସର୍ବେ ଭବନ୍ତୁ ସୁଖିନଃ…

Comments are closed.