କେଉଁ ଓଡ଼ିଶାର ବାସିନ୍ଦା ମୁଁ ?

‘ସୁନ୍ଦର ଦିଶେ ଲୋ ପରବତ ସିନା ଦୂରରୁ ଦେଖିଲେ ସହି, ଏଡ଼େ ନିରିମମ ପଥର ତା’ଦେହ ପାଖରୁ ଦେଖିଲେ ଯାଇ।’ ଗତ ଶତାବ୍ଦୀର ପଞ୍ଚମ ଦଶକରେ ଏଇ ଗୀତଟି ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ଥିଲା। ଗୀତଟି ଗାଉଥିଲେ ସେ ସମୟରେ କୁମାରୀ କଲ୍ୟାଣୀ ମୁଖାର୍ଜୀ (ସ୍ୱନାମଧନ୍ୟ ହୋମିଓପାଥି ଚିକିତ୍ସକ ଡାକ୍ତର ସନାତନ ମୁଖାର୍ଜୀଙ୍କ କନ୍ୟା)। ଏଇ ପ୍ରବନ୍ଧଟି ଲେଖିବା ଆରମ୍ଭ କଲାବେଳକୁ ହଠାତ୍ ଏଇ ଗୀତଟି ମନେ ପଡ଼ିଗଲା। ପ୍ରଥମେ ତାଙ୍କୁ ଓ ତାଙ୍କର ପିତାଙ୍କୁ କୃତଜ୍ଞତାର ସହିତ ପ୍ରଣାମ କରୁଛି। ଏହା ଭିତରେ ଦୀର୍ଘ ୬୦ ବର୍ଷ ବିତି ଗଲାଣି, କିନ୍ତୁ ଗୀତଟି ଓ ତାଙ୍କର ଗାଇଥିବା ଲାଳିତ୍ୟ ସ୍ୱର ଏବେ ମଧ୍ୟ ମନେ ଅଛି। ଏଇ ପ୍ରବନ୍ଧରେ ତା’ର ପ୍ରାସଙ୍ଗିକତା ମଧ୍ୟ ରହିଛି।
ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା। ସଭ୍ୟତାର ଉନ୍ମେଷ କାଳରୁ ମାନବ ସମାଜରେ ‘ଜୋର୍ ଯା’ର, ମୁଲକ ତା’ର’ ନିୟମଟି ସବୁବେଳେ ଯେନତେନ ପ୍ରକାରେ ବଳବତ୍ତର ରହିଆସିଛି। ତେଣୁ ଦୁର୍ବଳ ଓ ଅସହାୟ ବ୍ୟକ୍ତିମାନଙ୍କ ଉପରେ ସବଳର ଦୌରାତ୍ମ୍ୟ ଓ ଅତ୍ୟାଚାର ହୋଇ ଆସିଛି। ସାମାଜିକ ଶୃଙ୍ଖଳା ଭାଙ୍ଗି ସଭ୍ୟତାର ଅଗ୍ରଗତି ବାହାନାରେ ବିଶୃଙ୍ଖଳ ଆଚରଣକୁ ଆପଣେଇବାରେ ଆଜିର ମଣିଷ ତତ୍ପର। ଆମ ରାଜନୀତି ଏହାକୁ ଆହୁରି ଉସୁକାଉଛି।
ଦୀର୍ଘ ୫୯ ବର୍ଷରୁ ଉର୍ଦ୍ଧ୍ବ ବିଦେଶରେ କଟାଇଲିଣି। ମୋର ଜନ୍ମମାଟି ଓଡ଼ିଶା ସହିତ ମୋର ନିବିଡ଼ ସମ୍ପର୍କ ରହିଛି। ବହୁବାର ସଭାସମିତିରେ ଓ ଆଜି ମଧ୍ୟ ଆଉ ଥରେ କହିବାକୁ ମୋର ଦ୍ୱିଧା ନାହିଁ ଯେ ‘ଓଡ଼ିଶାକୁ ଗୋଟିଏ ମିନିଟ ପାଇଁ ମୁଁ ଭୁଲିନାହିଁ’। ଆଜି ମୋର ମନରେ ଏକମାତ୍ର ଉତ୍ପୀଡ଼କ ପ୍ରଶ୍ନ- “କେଉଁ ଓଡ଼ିଶାର ବାସିନ୍ଦା ମୁଁ?” ଆଶାକରେ, ଏଇ ପ୍ରବନ୍ଧଟି ତା’ର ଉତ୍ତର ଦେବ।
“ଆମ ଓଡ଼ିଶା” କହିଲେ ଆଜି ତିନୋଟି ଓଡ଼ିଶାକୁ ବୁଝାଏ। ଏଇ ଓଡ଼ିଶାରେ ବସବାସ କରୁଥିବା ଲୋକମାନଙ୍କୁ ତିନିଭାଗରେ ବିଭକ୍ତ କରିବାକୁ ଅନେକ ଯୁକ୍ତି ରହିଛି। ସେମାନଙ୍କର ଦୁନିଆ, ସେମାନଙ୍କର ଜୀବନ ପରସ୍ପରଠାରୁ ଏତେ ଭିନ୍ନ ଯେ ସେମାନଙ୍କୁ ତିନୋଟି ଅଲଗା ଦେଶର ବୋଲି କହିଲେ ସତ୍ୟର ଅପଳାପ ହେବନାହିଁ। ଏଇ ତିନି କିସମର ଲୋକ ସତରେ ତିନୋଟି ଓଡ଼ିଶାର ଅଧିବାସୀ। ପାଠକମାନେ ମୋର ଏପରି ଯୁକ୍ତିକୁ ପ୍ରବାସରେ ରହୁଥିବା ଏକ ପାଗଳର ପ୍ରଳାପ ବୋଲି ଭାବିପାରନ୍ତି, କିନ୍ତୁ ଏହା ଏକ ନିଚ୍ଛକ ସତ୍ୟ।
“ପ୍ରଥମ ଓଡ଼ିଶା”ର ଲୋକମାନେ ହେଲେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର। ସେମାନଙ୍କ ପାଇଁ ଆର୍ଥିକ ସ୍ୱଚ୍ଛଳତା ଓ ଆରାମପୂର୍ଣ୍ଣ ଜୀବନ ସୁନିଶ୍ଚିତ। ବିପଦଆପଦ ପାଇଁ ସେମାନଙ୍କର ସଞ୍ଚୟ ଭଲ। ପିଲାମାନେ ଇଂଲିଶ ମିଡିୟମ ସ୍କୁଲକୁ ପଢ଼ିବାକୁ ଯାଆନ୍ତି। ସେମାନଙ୍କର ପିଲାମାନେ ଘରଠାରୁ ଦୁଇପାହୁଣ୍ଡ ଚାଲି ଯିବାକୁ ଅମଙ୍ଗ ବା ଅକ୍ଷମ। ତାଙ୍କୁ ସାଇକଲ ଓ ସ୍କୁଟି ଲୋଡ଼ା। ବେଶୀ ଧନୀ ହେଲେ, ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଗାଡ଼ି ଓ ଡ୍ରାଇଭର ଖଞ୍ଜା ହୋଇଛି। ଗାଡ଼ିରେ ବସିବାମାତ୍ରେ ‘ଟିଟୁନ ବାବୁ’ ଡ୍ରାଇଭରକୁ କହେ ‘ହେ ଏସି ଜୋରରେ ଚଲାଅ, ଗରମ ହେଉଛି।’ ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ଇଂଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ ଓ ଅନ୍ୟ ବୈଷୟିକ ଶିକ୍ଷା ଅନୁଷ୍ଠାନରେ କାପିଟେସନ୍ ଫି’ ଦେଇ ପଢ଼ିବାରେ କୌଣସି ଅସୁବିଧା ନାହିଁ। କୋଚିଙ୍ଗ୍ ସେଣ୍ଟରରେ ତାଙ୍କ ଭବିଷ୍ୟତ ପାଇଁ ପୁଞ୍ଜିନିବେଶ କରାଯାଇଛି। ଝିଅକୁ ଜବରଦସ୍ତ ଯୌତୁକ ଦେଇ ବାହା ଦେବାରେ କୌଣସି ସମସ୍ୟା ନାହିଁ। ରୋଗରେ ପଡ଼ିଲେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ବ ଅପରେସନ ପାଇଁ ଓ ବଜାରରୁ ଦାମିକା ଔଷଧ ପାଇଁ ସମ୍ବଳର କୌଣସି ଅଭାବ ନାହିଁ। ସେମାନଙ୍କର ପରିବାରର ଭବିଷ୍ୟତ ସୁରକ୍ଷିତ। ଏଇ ‘‘ପ୍ରଥମ ଓଡ଼ିଶା’’ର ଯୁବ ସମ୍ପ୍ରଦାୟ ଇଂରାଜୀ ଭାଷାରେ ନିପୁଣ ଓ ପାଶ୍ଚାତ୍ୟ ସଭ୍ୟତାରେ ଅନୁପ୍ରାଣିତ। ଏମାନଙ୍କର ଆଦର୍ଶ ପୁରୁଷ ହେଲେ ଅନିଲ ଅମ୍ବାନୀ ବା ଶାହରୁଖ ଖାଁ, କେବେହେଲେ ଗାନ୍ଧୀ, ଗୋପବନ୍ଧୁ ବା ମଧୁ ବାରିଷ୍ଟର ନୁହନ୍ତି।
“ଦ୍ୱିତୀୟ ଓଡ଼ିଶା” ଲୋକମାନେ କିଏ? ସେମାନେ ହେଲେ ନିଜେ ବଞ୍ଚିବା ପାଇଁ ଅନବରତ ସଂଘର୍ଷରତ ସ୍ୱଳ୍ପ ଆୟକାରୀ ଗରିବ ଚାଷୀ, କୁଲି, ମଜଦୁର ଓ ସମ୍ବଳହୀନ ଲୋକମାନେ, ଯେଉଁମାନଙ୍କର ଅତୀତ ନଥିଲା କି ଭବିଷ୍ୟତ ମଧ୍ୟ ନାହିଁ। କେବଳ ଟିକିଏ ବଞ୍ଚିବା ପାଇଁ ଏମାନେ ଖାଇବା,ପିଇବା, ମୁଣ୍ଡ ଗୁଞ୍ଜିବାକୁ ସଂଗ୍ରାମ କରିକରି ସାରାଜୀବନ କଟାଇ ଦିଅନ୍ତି। ଏମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢ଼ନ୍ତି। ବହୁପିଲା ଅଧାରୁ ପଢ଼ା ଛାଡ଼ନ୍ତି। ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସମ୍ବଳର ଅଭାବ। ଆଜି ଓଡ଼ିଶାରେ ଘରେଘରେ ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ ବେକାର ପିଲା, ଯେଉଁମାନଙ୍କର ଭବିଷ୍ୟତ ଅନ୍ଧାର। ଝିଅର ବିଭାଘର ଏମାନଙ୍କ ପାଇଁ ଗୋଟିଏ ମୌଳିକ ସମସ୍ୟା। ଦେହ ଅସୁସ୍ଥ ହେଲେ ନିଜର ଭାଗ୍ୟକୁ ଆଦରି କେବଳ ମୃତ୍ୟୁକୁ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ସରକାରୀ ଡାକ୍ତରଖାନାରେ ଔଷଧ ନାହିଁ। ବଜାରରୁ ଆକାଶଛୁଆଁ ଦରରେ ଏମାନେ ଔଷଧ କିଣିବାକୁ ପଇସା କେଉଁଠାରୁ ଆଣିବେ? ପେଟ ପୂରାଇବା ଓ ଦେହ ଘୋଡ଼ାଇବାର ଆବଶ୍ୟକତା ଏମାନଙ୍କର ଔଷଧଠାରୁ ଅଧିକ ପରା! ସରକାରୀ ଅଫିସରେ ଏମାନଙ୍କୁ ଦୂର୍ ଦୂର୍, ମାର୍ ମାର୍। ବିପଦଆପଦରେ ପିଠିରେ ପଡ଼ିବାକୁ କେହି ନାହିଁ। କେବଳ ଦ୍ୱିତୀୟ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଏଇ ଅସହାୟ ଗରିବ ନାଗରିକମାନଙ୍କର ‘ସାମ୍ବିଧାନିକ ଅଧିକାର’ କେବଳ ‘କିମ୍ବଦନ୍ତୀ’ମାତ୍ର। ରାଜନେତା କେବଳ ନିର୍ବାଚନ ସମୟରେ ଭୋଟ ଭିକ୍ଷା ପାଇଁ ଏମାନଙ୍କୁ ଖୋଜନ୍ତି। ଏଥିରେ ଦ୍ୱିମତ ଅଛି କି?
“ତୃତୀୟ ଓଡ଼ିଶା”ର ଲୋକମାନେ ହେଉଛନ୍ତି ଆମର ରାଜନେତା। ସେମାନେ, ବିଶେଷତଃ ଦ୍ୱିତୀୟ ଓଡ଼ିଶାର ଲୋକମାନଙ୍କର ଭାଗ୍ୟ ନିର୍ଣ୍ଣୟ କରନ୍ତି। ଏଇ ରାଜନେତାମାନେ ଜାତି, ଧର୍ମର ବିଭେଦ ସୃଷ୍ଟି କରନ୍ତି। ନିର୍ବାଚନ ଆଗରୁ ଦୁର୍ନୀତି ଓ ସାଧୁତାର ଭାଷଣ ଦିଅନ୍ତି। ବିକାଶର ପ୍ରତିଶ୍ରୁତି ଦେଇ ‘ରୋଟି,କପଡ଼ା,ମକାନ’ର ସ୍ୱପ୍ନ ଦେଖାଇ ଭୋଟ ହାସଲ କରନ୍ତି। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତବର୍ଷରେ ଅପାଠୁଆ, ଅଜ୍ଞାନ, ଲୋକେ ଗୁଣ୍ଡା,ଦାଗୀମାନଙ୍କୁ ତାଙ୍କର ପ୍ରତିନିଧି ରୂପେ ବାଛନ୍ତି। ଆମ ନେତାମାନେ ଛଳନାକାରୀ ଭାବରେ କ୍ଷମତାର ଅନ୍ଧଗଳିର ନିକଟବର୍ତ୍ତୀ ହୋଇଛନ୍ତି। ଅଣ-ବୈଜ୍ଞାନିକ ଧାର୍ମିକ ଭାବ ଏଠାରେ ପ୍ରବଳ। ଧର୍ମର ଅଫିମ ବାଣ୍ଟି ଓ ‘ଖଇରାତି ରାଜନୀତି’ କରି ରାଜନେତାମାନେ ସାଧାରଣ ଜନତାକୁ ତାଙ୍କର ‘ସ୍ଥାୟୀ ଅନୁଗାମୀ’ କରି ନେଇଛନ୍ତି। ଓଡ଼ିଆ ବୁଦ୍ଧିଜୀବୀ ଗୋଷ୍ଠୀ ସମାଜକୁ ଜ୍ଞାନଦୀପ୍ତ କରିବା ପରିବର୍ତ୍ତେ ସମାଜଠାରୁ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରୁଛନ୍ତି (ମୋ ନିଜ ଲେଖା: “ଦିଗହରା ସମାଜରେ ଓଡ଼ିଆ ‘ବୁଦ୍ଧିଜୀବୀ’” ‘ସମାଜ’, ୨୬.୧୦.୨୦୧୯)। ଖଇରାତି ରାଜନୀତି ଯୋଗୁ ‘‘ଦ୍ୱିତୀୟ ଓଡ଼ିଶା’’ରେ ଲୋକମାନଙ୍କର ରାଜନେତାଙ୍କ ଉପରେ ‘ମାତ୍ରାହୀନ ନିର୍ଭରଶୀଳତା’ ବଢ଼ିଛି। ଏ ବିଷୟରେ ମାଳମାଳ ଲେଖା ସବୁବେଳେ ଗଣମାଧ୍ୟମରେ ପ୍ରକାଶ ପାଇଛି ଓ ପାଉଛି। ତେଣୁ ଏ ବିଷୟ ଆଉ ଫେଣେଇ ଲେଖିବା ରୁଚିକର ହେବନାହିଁ।
ଗୌରଚନ୍ଦ୍ରିକାରେ ଏତେଗୁଡ଼ିଏ କଥା ଲେଖିବାପରେ ନିଜକୁ ପ୍ରଶ୍ନ କରିବା ଆମ ଓଡ଼ିଶାରେ ଏପରି ପରିସ୍ଥିତି ବିଶେଷକରି ଏପରି ‘ଅସମାନତା’ ଓ ‘ମାନସିକତା’ ପାଇଁ ଦାୟୀ କିଏ? ଏହାର କାରଣ ଆଉ ଲୁଚାଛପା ହୋଇ ରହିନାହିଁ। ଏହାର କୁପରିଣାମ କିନ୍ତୁ ଭୟଙ୍କର। ସବୁଠାରୁ ବିଡ଼ମ୍ବନାର କଥା ହେଉଛି ଧନୀଙ୍କ ସରକାର- ଧନୀଙ୍କ ଦ୍ୱାରା ପ୍ରଭାବିତ ଓ ଧନୀଙ୍କ ପାଇଁ। ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଅଭିଶାପ ହେଉଛି ଆମର ‘ଦାରିଦ୍ର୍ୟ’। ଆମ ଓଡ଼ିଶାରେ ଗରିବଙ୍କ ସଂଖ୍ୟା ୩୧ ପ୍ରତିଶତ। ଦାରିଦ୍ର୍ୟ ଓଡ଼ିଶା ଉପରେ ତା’ର କର୍ତ୍ତୃତ୍ୱ ବଜାୟ ରଖିଛି। ସରକାରୀ ଭାଷାରେ କିନ୍ତୁ ‘ଓଡ଼ିଶା ପ୍ରାଚୁର୍ଯ୍ୟରେ ଭରପୂର’। ‘ଦାରିଦ୍ର୍ୟ ବଳବତ୍ତର ରହୁ’- ଏହା ହେଉଛି ରାଜନେତାମାନଙ୍କର ଗୁପ୍ତ କାର୍ଯ୍ୟସୂଚୀ।
ମୋ ୫୯ ବର୍ଷରୁ ଊର୍ଦ୍ଧ୍ବ ଜର୍ମାନୀରେ ଜୀବନ ଭିତରେ ଏଯାବତ୍ ଓଡ଼ିଶା ଭଳି ପରିସ୍ଥିତି କେବେହେଲେ ଦେଖିନାହିଁ। ପୁନର୍ବାର ସେଇ ପ୍ରଶ୍ନ- ଏଇ ତିନୋଟି ଓଡ଼ିଶା ଭିତରୁ କେଉଁ ଓଡ଼ିଶାର ବାସିନ୍ଦା ମୁଁ? ସିଧାସିଧା କହିଲେ ସେଇ ପ୍ରଥମ ଓଡ଼ିଶାର ବାସିନ୍ଦା ମୁଁ। ମୋ ପାଖରେ ସବୁ ଅଛି। ଏହା ମୋ ଭାଗ୍ୟ ଯୋଗୁଁ ହୋଇପାରେ, ଭଗବାନଙ୍କ ଆଶୀର୍ବାଦରୁ ହୋଇପାରେ ବା ମୋର ନିଜର ଉଦ୍ୟମରୁ ହୋଇପାରେ। ସେ ବିଷୟ ଆଜି ଆଲୋଚ୍ୟର ବିଷୟ ନୁହେଁ। କାରଣ ଏହା ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମସ୍ୟା। ଆଜି ମୋର କାହା ପାଖରେ କୌଣସି ଅଭିଯୋଗ ନାହିଁ, କିନ୍ତୁ ଆମ ଓଡ଼ିଶାରେ ଏମିତି ଅନେକ ଲୋକ ରହିଯାଇଛନ୍ତି ଯେଉଁମାନଙ୍କୁ ଜୀବନର ବଡ଼ଦାଣ୍ଡରେ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ସମ୍ବଳ, ସୁବିଧା ଓ ସୁଯୋଗ ଟିକିକ ମିଳିପାରେ ନାହିଁ। ନ ହେଲେ ସେମାନେ ଆମମାନଙ୍କ ଭିତରେ ଜଣେ ହୋଇ ପାରିଥାନ୍ତେ। ଏହା ମୋତେ ସବୁବେଳେ ବିଷାଦିତ କରିଛି। ପ୍ରତିଦିନ ଆମେମାନେ ସେମାନଙ୍କର ଦାରିଦ୍ର୍ୟ, ଶୋଷଣ, ଠକେଇ ଓ ଲାଂଛନା ଦେଖୁ, ଆହା ବୋଲି ପଦେ କହିଦେଇ ଆମ କାମ ସରିଗଲା ବୋଲି ଭାବୁ। ଏଇ ସାମାନ୍ୟ ଆବେଗର ଆଢ଼ୁଆଳରେ ସେମାନଙ୍କର ଦୁଃଖର ବାସ୍ତବତା ଓ ତା’ର କାରଣଟା ଲୁଚିଯାଏ। ଅନ୍ତଃସ୍ୱରଟି କିନ୍ତୁ ଆଗଭଳି ଅପରିବର୍ତ୍ତନୀୟ ରହିଥାଏ।
କାହାର ଦୁଃଖକଷ୍ଟ ବା ଦାରିଦ୍ର୍ୟ ମୁଁ ଦେଖିପାରେନାହିଁ। ଏହାର ଉଦାହରଣ ଦେଇ କେତେ କେତେ ପ୍ରବନ୍ଧ ଲେଖିଛି। ଏପରି ପରିବେଶ ମୋତେ ବିବ୍ରତ କରାଏ। କ’ଣ ପାଇଁ ଗୋଟାଏ ସମାଜରେ ଏତେ ଅସମାନତା? ବିବେକୀ ମଣିଷମାନେ ଓ ଆମର ରାଜନେତାମାନେ ଏସବୁ କିପରି ସହି ପାରୁଛନ୍ତି? ଏଇ ଅସମାନତା ବିରୁଦ୍ଧରେ ଲଢ଼ିବ କିଏ? ଯେଉଁଦିନ ଥିଲାବାଲାଙ୍କର ନଥିଲାବାଲାଙ୍କ ପ୍ରତି ସମାନ ଅନୁଭୂତି ପରିଲକ୍ଷିତ ହେବ ସେଇଦିନଠାରୁ ସମାଜ ବଦଳିବ। ଏହା ଜର୍ମାନୀରେ ସମ୍ଭବ ହୋଇଛି। ମୁଁ ଏଇକଥା ଜର୍ମାନୀରେ ମର୍ମେମର୍ମେ ଅନୁଭବ କରିଛି, କିନ୍ତୁ ଆଜିକା ଦିନରେ ଏହା ଓଡ଼ିଶାରେ ମୋ କଳ୍ପନାର ବାହାରେ।
ଏ ସମ୍ପର୍କରେ ଗଣମାଧ୍ୟମରେ ମାଳମାଳ ଲେଖା ପ୍ରକାଶ ପାଉଛି। ଏହାର ପ୍ରତିକାର ପାଇଁ ଆମର ମାନସିକତା ନାହିଁ କି ସରକାରଙ୍କ ତରଫରୁ କୌଣସି ଆନ୍ତରିକତା ନାହିଁ। ବିଶେଷକରି ଧର୍ମ, ସଂସ୍କୃତି, ଭାଷା ଓ ସାମାଜିକ କ୍ଷେତ୍ରରୁ ଅସମାନତା ଦୂର ହେଉଥିବାରୁ ଓଡ଼ିଶାବାସୀଙ୍କ ଲାଗି ସବୁଠାରୁ ବଡ଼ ଅଭିଶାପ ହେଉଛି “ଆମର ଦାରିଦ୍ର୍ୟ”।

ରାଜେନ୍ଦ୍ର ନାରାୟଣ ଦାସ
ଗିଲବାଖ୍ ଷ୍ଟାସେ ୯୫ଏ, ନଏସ, ଜର୍ମାନୀ
drrajendradas.germany@gmail.com

Comments are closed.