ବୁଆ-ଭତିଜାଙ୍କ ବିଫଳ ପରୀକ୍ଷା

ରାଜନୀତିରେ ଫାଇଦା ପାଇଁ ପରୀକ୍ଷାନିରୀକ୍ଷା କରାଯାଏ। ପରସ୍ପରର କଟର ବିରୋଧୀ ଓ ଭିନ୍ନ ଆଦର୍ଶର ନେତାମାନେ ନିଜର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ହାତ ମିଳାନ୍ତି ଓ ମେଣ୍ଟ କରନ୍ତି। ରାଜନୀତିରେ କିଛି ମେଣ୍ଟ ସ୍ବାଭାବିକ ବା ପ୍ରାକୃତିକ। ସମବିଚାର ସମ୍ପନ୍ନ ଦଳ ଏକାଠି ହୋଇ ମେଣ୍ଟକଲେ ତାହା ସ୍ବାଭାବିକ ବିବେଚିତ ହୁଏ ଏବଂ ଏହା ଦୀର୍ଘସ୍ଥାୟୀ ହୋଇଥାଏ। ତେବେ ଅସ୍ବାଭାବିକ ବା ସୁବିଧାବାଦୀ ମେଣ୍ଟ ସ୍ବଳ୍ପସ୍ଥାୟୀ ହୁଏ। ଏହା କେବଳ କ୍ଷମତା କୈନ୍ଦ୍ରିକ ହୋଇଥାଏ ଏବଂ ଦୁର୍ଦିନରେ ନେତାମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ଏସ୍‌-ପି) ଓ ମାୟାବତୀଙ୍କ ବହୁଜନସମାଜ ପାର୍ଟି (ବିଏସ୍‌ପି)ର ଯେଉଁ ମେଣ୍ଟ ହୋଇଥିଲା ତାହା ସୁବିଧାବାଦୀ ଓ ନିର୍ବାଚନସର୍ବସ୍ବ ଥିଲା। ମେଣ୍ଟ ସତ୍ତ୍ବେ ଦୁଇଦଳ ମଧ୍ୟରେ ସାଂଗଠନିକ ଓ ଭୋଟ ବ୍ୟାଙ୍କ ସ୍ତରରେ ସମନ୍ବୟ ତଥା ସଂହତି ନଥିଲା। ଏହି କାରଣରୁ ଦୁଇଦଳର ଭୋଟ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନ’ଯାଇ ଆଶାର ବିପରୀତ ଭାବେ ବିଜେପି ଆଡ଼କୁ ଚାଲିଗଲା। ଜାତିିଭିତ୍ତିକ ରାଜନୀତିରେ ବିଶ୍ବାସ କରୁଥିବା ଏସ୍‌ପି-ବିଏସ୍‌ପି ପାଇଁ ଦ୍ବିତୀୟ ସମସ୍ୟା ଥିଲେ ମୋଦୀ। ସେ ଶାହାଙ୍କ ସହ ମିଶି ଯେଉଁ ରଣନୀତି ଉତ୍ତରପ୍ରଦେଶରେ ଆପଣାଇ ଥିଲେ ସେଥିରେ ଭୋଟର ଜାତିଗତ ଓ ସଂପ୍ରଦାୟଗତ ବିଚାରର ଊର୍ଦ୍ଧ୍ବକୁ ଉଠି ରାଜନୀତିରେ ଏକ ନୂଆ ସମୀକରଣ ଆଣିଲେ। ତେଣୁ ବୁଆ-ଭତିଜାଙ୍କ ମେଣ୍ଟ ଏକପ୍ରକାର ଅପ୍ରାସଙ୍ଗୀକ ହୋଇଗଲା। ଉଭୟ ମାୟାବତୀ ଓ ଅଖିଳେଶ ଯାଦବଙ୍କର ଏହି ମେଣ୍ଟ ପଛରେ ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଗୋଟିଏ ହେଲା ୟୁପିରେ ବିଜେପିର ବିଜୟ ଅଶ୍ବକୁ ରୋକିବା ଏବଂ ଜାତୀୟ ଓ ପ୍ରାଦେଶିକ ରାଜନୀତିରେ ନିଜନିଜର ପ୍ରଭାବ ବିସ୍ତାର କରିବା। ହେଲେ ଭୋଟର ଉଭୟଙ୍କୁ ସେ ସୁଯୋଗ ଦେଲେ ନାହିଁ ଏବଂ ଉଭୟଙ୍କ ରଣନୀତି ବିଫଳ ହେଲା।
ପରୀକ୍ଷାନିରୀକ୍ଷା ବିଫଳ ହେଲେ ବା ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେଲେ ମେଣ୍ଟର ନେତାଙ୍କ ମଧ୍ୟରେ ଦୋଷାରୋପ ଖେଳ ଆରମ୍ଭ ହୁଏ। ମାୟାବତୀ-ଅଖିଳେଶଙ୍କ ମଧ୍ୟରେ ତାହା ଆରମ୍ଭ ହେବାସହ ମେଣ୍ଟ ଭୁଶୁଡ଼ି ପଡ଼ିଛି। ଏକ ସ୍ବଳ୍ପକାଳୀନ ପରୀକ୍ଷାନିରୀକ୍ଷାର ଅବସାନ ଘଟିବା ସହ ଦେଶର ରାଜନୀତିରେ ତୃତୀୟ ବିକଳ୍ପର ସମ୍ଭାବନା ମଧ୍ୟ ଆପାତତଃ ଶେଷ ହୋଇଛି। କର୍ଣ୍ଣାଟକରେ ମଧ୍ୟ ସେଠାକାର ଭୋଟର ଜେଡିଏସ୍‌ କଂଗ୍ରେସ ମେଣ୍ଟକୁ ଲୋକସଭା ନିର୍ବାଚନରେ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ସେଠାରେ ପାରିବାରିକ ରାଜନୀତି ଓ କ୍ଷମତାର ସୌଦାଗର ସାଜିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେୱେଗୌଡ଼ା ନିଜେ ଓ ତାଙ୍କର ବିରାଦାର ମାନେ ହାରିଯାଇଛନ୍ତି। ଏହାର ସନ୍ଦେଶ ହେଲା ଜାତି, ଅଞ୍ଚଳ ଓ ସଂପ୍ରଦାୟ ଭିତ୍ତିରେ ରାଜନୀତି କରୁଥିବା ନେତାମାନଙ୍କୁ ଭୋଟର ଆଉ ବିଶେଷ ସମର୍ଥନ ଦେଉନାହାନ୍ତି। କାହାରି ରାଜନୈତିକ ହସ୍ତମୁଦି ମାହାଲରେ ସୀମିତ ହୋଇରହିବା ଅପେକ୍ଷା ଭୋଟର ସ୍ବାଧୀନ ଭାବେ ମତଦାନ କରି ଦେଶର ବୃହତ୍ତର ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଏବେ ଆଗଭର ହେଲେଣି। ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଏକ ଭଲ ଲକ୍ଷଣ।
ଦେଶର ଲୋକଙ୍କର ଆଶା ଆକାଙ୍‌କ୍ଷା ବଢ଼ୁଛି ଓ ସେମାନଙ୍କ ରାଜନୈତିକ ଦୃଷ୍ଟିକୋଣ ସଂପ୍ରସାରିତ ଓ ତୀକ୍ଷ୍‌ଣ ହେଉଛି। ଦେଶର ନେତୃତ୍ବ, ପ୍ରସଙ୍ଗ, ରାଷ୍ଟ୍ରଗଠନ ଓ ପରିବର୍ତ୍ତିତ ରାଜନୈତିକ ବାସ୍ତବତାକୁ ବୁଝି ସେମାନେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଆରମ୍ଭ କଲେଣି। ଏହା ଭାରତୀୟ ଗଣତନ୍ତ୍ର ପାଇଁ ନିଶ୍ଚୟ ଶୁଭସୂଚନା।

Comments
Loading...