ଅସ୍ବାଭାବିକ ସ୍ଥିତି ବନାମ ବିଦ୍ରୋହ ଦମନ

0

ନିରଞ୍ଜନ ମହାନ୍ତି

ପ୍ରତ୍ୟେକ ସାମାଜିକ ବ୍ୟବସ୍ଥା କୌଣସି ନା କୌଣସି ସାମାଜିକ ବିଦ୍ରୋହ ଓ ବିପ୍ଳବର ସୂତ୍ରଧର। ସେହି ସାମାଜିକ ବ୍ୟବସ୍ଥା ଯଦି ଶ୍ରେଣୀବିଭକ୍ତ ହୋଇଥାଏ, ସେଥିରେ ବିପ୍ଳବ ଅବଶ୍ୟମ୍ଭାବୀ ବୋଲି ବିଶ୍ବର ଚିନ୍ତାନାୟକମାନେ ମତ ପ୍ରକାଶ କରିଛନ୍ତି।
ଏହା ନିଃସନ୍ଦେହରେ କୁହାଯାଇପାରେ, ଭାରତ ଏକ ଶ୍ରେଣୀବିଭକ୍ତ ସମାଜ। ଏହାର ଶ୍ରେଣୀଚେତନା ଦ୍ବନ୍ଦ୍ବାତ୍ମକ। ଏହା ବି​‌େ​‌ଦ୍ରାହର ରୂପ ନେଇ ବିପ୍ଳବରେ ପରିଣତ ହୋଇଥାଏ। ଯାହା ଲକ୍ଷ୍ୟ କରାଯାଉଛି, ଆ‌େ‌ନ୍ଦାଳନ, ବିଦ୍ରୋହ ଓ ସାମାଜିକ ବିପ୍ଳବଶୂନ୍ୟ ଏ ଦେଶ ଏକ କିମ୍ଭୂତକିମାକାର ରୂପ ନେଇଛି। ବଞ୍ଚିବା ନିମ‌ନ୍ତେ ମୌଳିକ ଆବଶ୍ୟକତା ପୂରଣ ହୋଇ ନପାରିଲେ ମଣିଷ ଆନ୍ଦୋଳନର ପଥ ବାଛିନିଏ। ଚାଷୀ ଆନ୍ଦୋଳନ, ନାରୀ ନିର୍ଯାତନା ବିରୋଧୀ ଆନ୍ଦୋଳନ, ଚକାବନ୍ଦ ଆନ୍ଦୋଳନ, ଶିକ୍ଷକ ଆନ୍ଦୋଳନ- ଏପରି କିଛି ଆନ୍ଦୋଳନ ଏ​‌େ​‌ବ ଦୃଷ୍ଟିଗୋଚର ହେଉଛି। ମଧ୍ୟଯୁଗୀୟ ଶିଳ୍ପ ବିପ୍ଳବ ସମୟରେ ବିଶ୍ବରେ ଯେଉଁ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ସେହିପରି ଆନ୍ଦୋଳନ ଏବେ ଭାରତରେ ଦୃଷ୍ଟିଗୋଚର ହେଉନାହିଁ, ଯଦିଓ ଭାରତ ଏକ ଶ୍ରମଜୀବୀ ରାଷ୍ଟ୍ର। ଏହାର କାରଣ ହୋଇପାରେ ଚେତନାର ସ୍ଥାଣୁତା, ସାମାଜିକ ଜ୍ଞାନଗରିମାର ଅବକ୍ଷୟ ଓ ରାଜନୈତିକ ଚିନ୍ତାଚେତନାର ଦୂରଦୃଷ୍ଟିହୀନ ମାନସିକତା।
ପ୍ରତ୍ୟେକ ବ୍ୟବସ୍ଥାରେ ଶାସିତ ଶ୍ରେଣୀର ବଳ ହିଁ ଲୋକବଳ। ଭାରତବର୍ଷରେ କିନ୍ତୁ ଲୋକବଳ ଏକଜୁଟ ହୋଇ ରହିନାହିଁ। କିଛି ବିଚ୍ଛିନ୍ନତାବାଦୀ, ଆଉକିଛି ଆଞ୍ଚଳିକତା ଓ ସାଂପ୍ରଦାୟିକତାବାଦୀ ବିକ୍ଷିପ୍ତ ଭାବେ ଲୋକଙ୍କୁ ସେମାନଙ୍କର ଆଦର୍ଶ ସପକ୍ଷରେ ମତେଇ ଲୋକଙ୍କ ବଳ ଅପଚୟ କରୁଛନ୍ତି। ଫଳରେ ଲୋକେ ନିଜନିଜକୁ ସଂଗଠିତ କରାଇ କୌଣସି ସାଧାରଣ ସମସ୍ୟା ବିରୋଧରେ ଏକତ୍ର ହୋଇପାରୁ ନାହାନ୍ତି। ଏ ଦେଶରେ ୬୦ଭାଗ କୃଷିଜୀବୀ ଓ ଅଣସଂଗଠିତ ଶ୍ରମିକଶ୍ରେଣୀ ସରକାରୀ ଭତ୍ତା, ବିପିଏଲ ଚାଉଳ ଓ ଅନ୍ୟାନ୍ୟ ସୁବିଧା ପାଇବାକୁ ବ୍ୟାକୁଳ ହୋଇପଡ଼ୁଛନ୍ତି। ଏସବୁ ସୁଯୋଗ ହାସଲ କରିବା ପରେ ସେମାନଙ୍କ କର୍ମମୁଖର ଜୀବନ ଧୀରେଧୀରେ କର୍ମବିମୁଖ ହୋଇପଡ଼ୁଛି। ଫଳରେ ଗ୍ରାମାଞ୍ଚଳରେ ଶ୍ରମଶକ୍ତି ରୁଗ୍‌ଣ ହୋଇପଡ଼ିଛି। ଏହାର ଅର୍ଥାତ୍‌ କର୍ମବିମୁଖତାର ପ୍ରଚଣ୍ଡ କୁପ୍ରଭାବ କୃଷି ଅର୍ଥନୀତି ଉପରେ ପଡ଼ୁଛି। ଲୋକେ ଗଣ୍ଡେ ଖାଇ ଦଣ୍ଡେ ଜିଇବା ନିମନ୍ତେ ବ୍ୟାକୁଳତା ପ୍ରକାଶ କରୁଛନ୍ତି। ଏପରି ସ୍ଥିତି ଯଦି ଜାରି ରହେ, ତା’ହେଲେ ଦେଶର ସୁଦୃଢ଼ ଅର୍ଥନୀତି ଭାବେ ପରିଚିତ ଗ୍ରାମଭିତ୍ତିକ ଅର୍ଥନୀତି ଆସ୍ତେଆସ୍ତେ ଧୂଳିସାତ୍‌ ହୋଇଯିବ।
ସାମାଜିକ ପରିବର୍ତ୍ତନ ନିମନ୍ତେ ଯେଉଁ ଆନ୍ଦୋଳନର ଆବଶ୍ୟକତା ରହିଛି- ଯଥା କୃଷିଭିତ୍ତିକ ଆନ୍ଦୋଳନ, ଅଣସଂଗଠିତ ଗ୍ରାମାଞ୍ଚଳ ଶ୍ରମିକ ଆନ୍ଦୋଳନ ଓ ସର୍ବତୋଭାବେ କୁଟୀର ଶିଳ୍ପ ଆନ୍ଦୋଳନ ଅର୍ଥହୀନ ହୋଇପଡ଼ିବ। ପରୋକ୍ଷ କିମ୍ବା ପ୍ରତ୍ୟକ୍ଷରେ ଏକ ଅନ୍ତଃସାରଶୂନ୍ୟ ସମାଜ ସୃଷ୍ଟି ସକାଶେ ରାସ୍ତା ଖୋଲିଯିବ। ଏହି ରାସ୍ତା ଖୋଲାଯିବା ବଡ଼ କଥା ନୁହେଁ; ବଡ଼ କଥା ହେଉଛି ଶୋଷଣ ବିରୋଧୀ, ଅର୍ଥନୈତିକ ପରିବର୍ତ୍ତନ ଆନ୍ଦୋଳନ ଏହାଦ୍ବାରା ଦିଗହରା ହୋଇପଡ଼ିବ।
ପ୍ରତ୍ୟେକ ଦେଶର ଶୋଷକ ଓ ଶାସକ ଶ୍ରେଣୀ ଲୋକଙ୍କୁ ଦିଗହରା ହେବାପାଇଁ ସୁଯୋଗ ଦେଇଥାନ୍ତି। ଏ ପ୍ରକାର ସୁଯୋଗ ଆପେଆପେ ଆସେ ନାହିଁ। କାଳେ ଲୋକେ ନିଜ ସମସ୍ୟା ସମାଧାନ ସକାଶେ ସଂଗଠିତ ବିଦ୍ରୋହ କରିବେ, ସେଥିନେଇ କିଛି ନେତୃସ୍ଥାନୀୟ ଲୋକଙ୍କୁ ବିଭିନ୍ନ ବାଟରେ ବଶୀଭୂତ କରାଇ ଶାସକଗୋଷ୍ଠୀ ସେମାନଙ୍କୁ କରାୟତ୍ତ କରିଥାନ୍ତି। ଯେପରି ସାଧାରଣ ଲୋକଙ୍କୁ ବିପିଏଲ କାର୍ଡ଼ ଯୋଗାଇଦେଇ ଶାସକ ଶ୍ରେଣୀ ସେମାନଙ୍କୁ ନିଜ ହାତମୁଠାକୁ ଆଣେ, ସେହିପରି କିଛି ନେତୃସ୍ଥାନୀୟ ଲୋକଙ୍କୁ କ୍ଷମତାର ଲୋଭ ଦେଖାଇ ବିିଭିନ୍ନ ପଦରେ ବସାଇ ଶାସକ ଗୋଷ୍ଠୀ ମଧ୍ୟ ସେମାନଙ୍କୁ କରାୟତ୍ତ କରିଥାଏ। ଏହା ମଧ୍ୟ ଏକପ୍ରକାର କ୍ଷମତା-ବିପିଏଲ କାର୍ଡ।
ଆମେ ଯେଉଁ ଭାରତରେ ବୈପ୍ଳବିକ ଅଭ୍ୟୁଦୟର ସ୍ବପ୍ନ ଦେଖୁଥିଲେ, ସେହି ଭାରତବର୍ଷ ବର୍ତ୍ତମାନ ସ୍ଥାଣୁ ତଥା ନିଷ୍କ୍ରିୟ ପାଲଟି ଯାଇଥିବା ଅନୁଭବ କରାଯାଉଛି। ଆମର ସନ୍ଦେହ-ବିଦ୍ରୋହୀ ଓ ବିପ୍ଳବୀ ହତ୍ୟାର ଶିକାର ହୋଇନାହାନ୍ତି ତ ? ସେମାନଙ୍କୁ ନିର୍ଯାତନା ଓ ନିଃସହାୟତା ଭିତରେ ରଖାଯାଉ ନାହିଁ ତ? ଏହା ଏବେ ଏକ ଅସମାହିତ ପ୍ରସଙ୍ଗ ହୋଇପଡ଼ିଛି।
ଅତୀତରେ ଅର୍ଥାତ୍‌ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ବେଳେ ସମଗ୍ର ଦେଶରେ ଯେଉଁ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରାଯାଇ ବିପ୍ଳବୀ ଓ ବିଦ୍ରୋହୀମାନଙ୍କୁ କାରାରୁଦ୍ଧ କରାଯାଇଥିଲା ଏବଂ ଜନମତକୁ କଠୋରତାର ସହିତ ଦମନ କରାଯାଇଥିଲା, ଏବେ ସେଭଳି ସ୍ଥିତି ପରୋକ୍ଷରେ ସୃଷ୍ଟି କରାଯାଉନାହିଁ ତ? ଯଦି ହେଉଥାଏ, ତା’ହେଲେ ତାହା ସାଙ୍ଘାତିକ।
କୋଳଥିଆ, ଆଇଗଣିଆ, ଭୁବନେଶ୍ବର

Leave A Reply