ଅନୁପ୍ରବେଶକାରୀଙ୍କ ପାଇଁ ଗୃହଯୁଦ୍ଧ ଧମକ କାହିଁକି ?

0

ଅଭୟ ଦ୍ବିବେଦୀ

ବାଂଲାଦେଶର ଅଧିବାସୀ ବହୁ ସଂଖ୍ୟାରେ ବେଆଇନ ଭାବେ ଆସାମରେ ପ୍ରବେଶ କରୁଥିବାରୁ, ତାହାର ଭୟଙ୍କର ପରିଣତି ସଂପର୍କରେ ଗୁରୁତର ସହିତ ବିଚାର କରିବାର ସମୟ ଆସିଛି। ଧର୍ମ ନିରପେକ୍ଷତାର ଭ୍ରମାତ୍ମକ ଧାରଣାଠାରୁ ଦୂରରେ ରହି ଏ ସଂପର୍କରେ ଚିନ୍ତାକରିବା ଉଚିତ। ବାଂଲାଦେଶୀ ପ୍ରବ୍ରଜକଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଆଶଙ୍କା କରାଯାଉଛି ଯେ ଆସାମର ଅଧିବାସୀ ନିଜ ରାଜ୍ୟରେ ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଯିବେ। ସେମାନଙ୍କ ସାଂସ୍କୃତିକ ଅସ୍ତିତ୍ୱ ସଙ୍କଟାପନ୍ନ ହେବ, ରାଜନୈତିକ ନିୟନ୍ତ୍ରଣ ଦୁର୍ବଳ ହୋଇ ପଡିବ ଏବଂ ନିଯୁକ୍ତି ସୁବିଧା ହ୍ରାସ ପାଇବ। ଏହି ଅନୁଚ୍ଚାରିତ, କପଟପୂର୍ଣ୍ଣ, ଜନସଂଖ୍ୟାଭିତ୍ତିକ ଆକ୍ରମଣ ଫଳରେ ଆସାମର ନିମ୍ନଭାଗରେ ଥିବା ଭୂ-ରଣନୀତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଜିଲାଗୁଡିକ ଅସ୍ତିତ୍ୱ ହରାଇବେ। ବେଆଇନ ପ୍ରବେଶକାରୀଙ୍କ ପ୍ରବାହ ଫଳରେ ଏହି ଜିଲାଗୁଡିକ ମୁସଲିମ୍ ସଂଖ୍ୟାଗରିଷ୍ଠ ଅଞ୍ଚଳରେ ବଦଳି ଯାଉଛି। ସମୟକ୍ରମେ ଏହି ଅଞ୍ଚଳରୁ ବାଂଲାଦେଶ ସହିତ ସମ୍ମିଶ୍ରଣ ପାଇଁ ଦାବି ଉପସ୍ଥାପିତ ହେବ। ଅନ୍ତର୍ଜାତୀୟସ୍ତରରେ ଇସଲାମିକ କଠୋରପନ୍ଥୀଙ୍କ ଶକ୍ତି ବୃଦ୍ଧି ପାଉଥିବାରୁ ସେହି ପୃଷ୍ଠଭୂମି-ପ୍ରେରଣାରେ ଏହି ଦାବି କ୍ରମଶଃ ଆନ୍ଦୋଳନରେ ପରିଣତ ହୋଇଯିବ। ଏହି ପରିପ୍ରେକ୍ଷୀରେ ବିଚାରଯୋଗ୍ୟ ଯେ ବହୁ କାଳରୁ ବାଂଲାଦେଶ ଧର୍ମନିରପେକ୍ଷତା ମାର୍ଗରୁ ଓହରି ଯାଇ ଇସଲାମିକ୍‌ ରାଷ୍ଟ୍ରରେ ପରିଣତ ହୋଇସାରିଛି। ଆସାମର ନିମ୍ନଭାଗ ଦେଶରୁ ବିଭାଜିତ ହେଲେ, ଏହାର ପ୍ରଭାବରେ ଉତ୍ତର-ପୂର୍ବ ଅଞ୍ଚଳ ସମେତ ସାରା ଦେଶରେ ଗମ୍ଭୀର ସ୍ଥିତି ଉତ୍ପନ୍ନ ହେବ। – ଏହା ହେଉଛି ୧୯୯୮ ମସିହା ନଭେମ୍ବର ୮ ତାରିଖରେ ଆସାମର ତତ୍କାଳୀନ ରାଜ୍ୟପାଳ ତଥା ପରମ ବୀର ସେବା ମେଡାଲ ବିଜେତା ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍- ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀନିବାସ କୁମାର ସିହ୍ନାଙ୍କର ଆସାମରେ ବାଂଲାଦେଶୀ-ଅନୁପ୍ରବେଶକାରୀଙ୍କ ଉପରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ରିପୋର୍ଟର କିୟଦଂଶ। ସୁପ୍ରିମକୋର୍ଟର ବିଚାରପତି ଅରୁଣ ଗୋଗୋଇ ଓ ଆର୍‌ଏଫ୍‌ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ, ଆସାମରେ ବାଂଲାଦେଶୀ-ଅନୁପ୍ରବେଶ ଉପରେ ଆଗତ ବିଭିନ୍ନ ରିଟ୍ ପିଟିସନ୍ ଶୁଣାଣି ପରେ ୨୦୧୪ ମସିହା ଡିସେମ୍ବର ୧୭ ତାରିଖରେ ୭୦ ପୃଷ୍ଠା ସମ୍ବଳିତ ପ୍ରଦତ୍ତ ରାୟରେ (ପୃ ୧୬-୧୭)ଏହା ଉଦ୍ଧୃତ କରିଛନ୍ତି। ରାୟର ପ୍ରଥମ ପୃଷ୍ଠାରେ ଉଲ୍ଲେଖ ଅଛି – ଜଣେ ‘ମହାପୁରୁଷ’ ନିଜ ମାଟିରେ ସମ୍ମାନରୁ ବଞ୍ଚିତ ହୋଇଥାନ୍ତି। ‘ମହାପୁରୁଷ’ ବଦଳରେ ‘ନାଗରିକ’ ଉଲ୍ଲେଖ କଲେ ସମସ୍ତ ରିଟ୍ ପିଟିସନର ନିର୍ଯାସ ସ୍ପଷ୍ଟ ହୋଇଯିବ। (କ୍ରମିକ ସଂଖ୍ୟା-୧)। ୧୯୩୧ ମସିହାରେ ଜନଗଣନା ସୁପରିନ୍‌ଟେଣ୍ଡେଣ୍ଟ ସି.ଏସ.ମୁଲନ୍ ଉଲ୍ଲେଖ କରିଥିଲେ – ‘ସମ୍ଭବତଃ ବିଗତ ୨୫ ବର୍ଷ ମଧ୍ୟରେ ଗୋଟିଏ ପ୍ରମୁଖ ଘଟଣା ଯାହା ଆସାମର ବୈଶିଷ୍ଟ୍ୟ ଉପରେ ପ୍ରଭାବ ପକାଇବା ସହିତ ଆସାମର ସଭ୍ୟତା ଓ ସଂସ୍କୃତିକୁ ଧ୍ୱଂସ କରିଦେବ – ସେଭଳି ଘଟଣା ହେଉଛି, ଇଷ୍ଟ ବେଙ୍ଗଲ ଜିଲାର ମୁସଲମାନ ଜମି-ଲୋଭୀଙ୍କର ଆସାମରେ ବେଆଇନ ଅନୁପ୍ରବେଶ।’ (କ୍ରମିକ ସଂଖ୍ୟା-୨)
ସୁପ୍ରିମକୋର୍ଟର ଉପରୋକ୍ତ ରାୟ ଅଧ୍ୟୟନ କରିବା ପରେ ସ୍ପଷ୍ଟ ଆକଳନ କରିହେବ – ଦୀର୍ଘ ଏକ ଶତାବ୍ଦୀ ମଧ୍ୟରେ ବର୍ତ୍ତମାନର ବାଂଲାଦେଶ ଅଧିବାସୀମାନେ ଆସାମରେ ବେଆଇନ ପ୍ରବେଶ କରି ଏହାର ଅର୍ଥନୀତି, ରାଜନୀତି ଏବଂ ସମାଜନୀତିକୁ ବହୁ ଭାବେ ଧ୍ୱଂସ କରିବା ସହିତ ରାଷ୍ଟ୍ରୀୟ ସଂହତି ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳର ପ୍ରବକ୍ତାମାନେ ଏହି ସମସ୍ୟା ସହିତ ପରିଚିତ ଏବଂ ତାହାର ମୂଳ କାରଣ ସଂପର୍କରେ ଅବଗତ ଥିବେ। ଏହା ସତ୍ତ୍ୱେ ଜୁଲାଇ ୩୦ ତାରିଖରେ ଆସାମର ନାଗରିକ ଚିଠା ତାଲିକା ପ୍ରକାଶ ପାଇବା ପରେ ସେଥିରୁ ବାଦ ପଡିଥିବା ୪୦ ଲକ୍ଷ ୭ ହଜାର ବ୍ୟକ୍ତିଙ୍କ ପାଇଁ ସେମାନଙ୍କର ଏତେ ଦରଦ କାହିଁକି ? ଏପରିକି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥି ନିମନ୍ତେ ଗୃହଯୁଦ୍ଧ ଓ ରକ୍ତପାତର ଧମକ ଦେଇଛନ୍ତି। ଆସାମରେ ବସବାସ କରୁଥିବା ୩ କୋଟି ୨୯ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ଚିଠାତାଲିକାରେ ୨ କୋଟି ୮୯ଲକ୍ଷଙ୍କୁ ନାଗରିକ ଘୋଷଣା କରାଯାଇଛି। ବାଦ ପଡିଥିବା ୪୦ଲକ୍ଷ ୭ ହଜାର ମଧ୍ୟରୁ ୨.୪୮ଲକ୍ଷ ଅଧିବାସୀଙ୍କ ସଂପର୍କରେ ସାମାନ୍ୟ ଦ୍ୱନ୍ଦ୍ୱ ରହିଛି ଏବଂ ୩୭.୫୯ଲକ୍ଷ ପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି। ଏହି ବଞ୍ଚିତ ଅଧିବାସୀଙ୍କ ଅଭିଯୋଗ ଶୁଣିବା ନିମନ୍ତେ ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୨୮ ଦିନ ଧାର୍ଯ୍ୟ କରାଯାଇଛି।
ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ପ୍ରକାଶ ପାଇଥାଏ। ୧୯୫୧ ମସିହା ଜନଗଣନା ଆଧାରରେ ସେହି ବର୍ଷ (୧୯୫୧ ମସିହାରେ) ପ୍ରଥମ ନାଗରିକ ପଞ୍ଜିକା ପ୍ରକାଶ ପାଇଥିଲା। ସୁପ୍ରିମକୋର୍ଟଙ୍କ ୨୦୧୩ ମସିହା ନିର୍ଦେଶନାମା ବଳରେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ପ୍ରଥମ ଡ୍ରାଫ୍ଟ ତାଲିକା ଏବଂ ଜୁଲାଇ ୩୦ ତାରିଖରେ ଦ୍ୱିତୀୟ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଛି। ପ୍ରଥମ ତାଲିକାରେ ସମୁଦାୟ ୩ କୋଟି ୨୯ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୧କୋଟି ୯୦ଲକ୍ଷ ନାଗରିକ ଚିହ୍ନଟ କରାଯାଇଥିଲା। ଏହି ଡ୍ରାଫ୍ଟ ତାଲିକା ପ୍ରସ୍ତୁତି କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂପନ୍ନ ହୋଇଛି। ଆସାମର ନାଗରିକ ସ୍ୱୀକୃତି ପାଇଁ ଦୁଇଟି ପନ୍ଥା ରହିଛିି – ୧)୧୯୫୧ ମସିହା ନାଗରିକ ପଞ୍ଜିକାରେ ଯେଉଁମାନେ ତାଲିକାଭୁକ୍ତ ଥିଲେ ସେମାନେ ଓ ସେମାନଙ୍କ ବଂଶଧର ନାଗରିକ ରହିବେ। ୨) ୧-୧-୧୯୬୬ ଓ ୨୪-୩-୧୯୭୧ ଏହି ସମୟ ମଧ୍ୟରେ ଯେଉଁ ବିଦେଶୀମାନେ ଆସାମରେ ପ୍ରବେଶ କରିଛନ୍ତି, ସେମାନେ ଚିହ୍ନଟ ହେବାର ୧୦ ବର୍ଷ ପରେ ନାଗରିକ ବିବେଚିତ ହେବେ।
୧୯୪୮ରୁ କ୍ରମାଗତ ଭାବେ ପୂର୍ବ ପାକିସ୍ତାନରୁ ବହୁ ସଂଖ୍ୟାରେ ପ୍ରବ୍ରଜକ ଆସାମରେ ପ୍ରବେଶ କରିଥିଲେ। ୧୯୭୧ ମାର୍ଚ୍ଚ ୨୬ରେ ନୂତନ ଭାବେ ବାଂଲାଦେଶ ସୃଷ୍ଟି ହେଲା ପରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଲା। ଏହା ବିରୋଧରେ ଆସାମର ଛାତ୍ର ସମାଜ (ଏଏଏସ୍‌ୟୁ) ଆନ୍ଦୋଳନ ଆରମ୍ଭ କଲେ। ୧୯୭୯ ମସିହାରୁ ଏହି ଆନ୍ଦୋଳନ ବ୍ୟାପକ ରୂପ ନେଲା। ସମସ୍ୟାର ସମାଧାନ ନିମନ୍ତେ ୧୯୮୦ ମସିହାରେ ଛାତ୍ର ୟୁନିୟନ ତରଫରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଗଲା। ୧୯୮୩ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆସାମରେ ବେଆଇନ ପ୍ରବେଶ ରୋକିବା ଏବଂ ଅନୁପ୍ରବେଶକାରୀଙ୍କ ପ୍ରତ୍ୟର୍ପଣ ନିମନ୍ତେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କଲେ -The Illegal Migrants (Determination by Tribunal ) (IMDT) Act । କିନ୍ତୁ ଏହି ଆଇନର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା- ବେଆଇନ ପ୍ରବେଶ କରିଥିବା ମୁସଲମାନ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା। ଏହି ଆଇନ ବଳରେ ଅନୁପ୍ରବେଶକାରୀ ପ୍ରତ୍ୟର୍ପଣ ସମ୍ଭବ ହେଲା ନାହିଁ , ପରିସ୍ଥିତି ଆହୁରି ଜଟିଳ ହେଲା। ୨୦୦୫ ମସିହାରେ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିଦେଲେ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ୨୦୧୪ ଡିସେମ୍ବର ୧୪ ତାରିଖ ରାୟରେ ଉଲ୍ଲେଖ କରିଛନ୍ତି -‘The Immigrants (Expulsion of Assam) Act,୧୯୫୦ ଆଧାରରେ ୧୯୬୧ରୁ ୧୯୬୫ ମସିହା ମଧ୍ୟରେ ୧,୫୦,୦୦୦ ଅନୁପ୍ରବେଶକାରୀ ଆସାମରୁ ନିର୍ବାସିତ ହୋଇଥିବାବେଳେ ୧୯୮୩ ଆଇନ ଆଧାରରେ ଏହି ସଂଖ୍ୟା ହେଉଛି ମାତ୍ର ୨୦୦୦।’ (ପୃ-୫୯) ପୁନଶ୍ଚ ୧୯୮୩ ମସିହାରେ ଛାତ୍ର ଆନ୍ଦୋଳନ ଅବ୍ୟାହତ ଥିବାବେଳେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବେଆଇନ ପ୍ରବେଶ କରିଥିବା ୪୦,୦୦,୦୦୦ (ଚାଳିଶ ଲକ୍ଷ) ବାଂଲାଦେଶୀଙ୍କୁ ନିର୍ବାଚନରେ ଭୋଟ ଦେବା ପାଇଁ ଅଧିକାର ପ୍ରଦାନ କରିଦେଲେ। ଏହାର ପ୍ରତିବାଦରେ ସାରା ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ସଂଗଠିତ ହେଲା। ଦଶ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରାଣ ହରାଇଲେ। ଏହି ଦୁର୍ଘଟଣା ‘ନେଲୀ ଗଣହତ୍ୟା’ ନାମରେ ପରିଚିତ। ସେହି ନିର୍ବାଚନରେ କଂଗ୍ରେସ ଦଳ ୧୦୯ ଆସନ ମଧ୍ୟରୁ ୯୧ଟି ଆସନରେ ଜୟଲାଭ କରିଥିଲା। କଂଗ୍ରେସ ଦଳର ପ୍ରମୁଖ ସମର୍ଥକ ଥିଲେ ବିଦେଶାଗତ ବାଂଲାଦେଶୀ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେଉଁ ଚାଳିଶ ଲକ୍ଷ ବିଦେଶୀଙ୍କୁ ଭୋଟ ପ୍ରଦାନ ଅଧିକାର ଦେଇଦେଲେ, ସେଥିରେ କାହାର ସ୍ୱାର୍ଥ ନିହିତ ଥିଲା – ଦେଶର ନା ଦଳର ?
୧୯୮୫ ମସିହାରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ , ଆସାମ ସମସ୍ୟାର ସମାଧାନ ପାଇଁ ଛାତ୍ର ସଂଗଠନ ସହିତ ‘ଆସାମ ଚୁକ୍ତିନାମା’ ସ୍ୱାକ୍ଷର କଲେ। ଆସାମ ଚୁକ୍ତିନାମାର ଦୁଇଟି ପ୍ରମୁଖ ଅଂଶ ହେଉଛି – ୧) ବେଆଇନ ପ୍ରବେଶ କରିଥିବା ବାଂଲାଦେଶୀଙ୍କୁ ରାଜ୍ୟରୁ ନିର୍ବାସିତ କରାଯିବ, ୨) ଆସାମକୁ ଲାଗିଥିବା ବାଂଲାଦେଶ ସୀମାକୁ ପାଚେରି ଏବଂ ତାରବାଡରେ ଏମିତି ସିଲ୍ କରିଦିଆଯିବ ଯେ କେହି ଅନୁପ୍ରବେଶ କରିପାରିବେ ନାହିଁ। ନଦୀପଥରେ ୨୪ ଘଣ୍ଟା ପହରା ବ୍ୟବସ୍ଥା ରହିବ। କିନ୍ତୁ ଦୁର୍ଭାଗ୍ୟ, କେନ୍ଦ୍ରରେ ଏବଂ ରାଜ୍ୟରେ କଂଗ୍ରେସ ସରକାର ଥାଇ ମଧ୍ୟ ଆସାମ ଚୁକ୍ତିନାମା କାର୍ଯ୍ୟକାରୀ କରାଗଲା ନାହିଁ। ୨୦୧୪ ମସିହା ଡିସେମ୍ବର ୧୭ ତାରିଖ ରାୟରେ ‘ଏତେ ବର୍ଷ ମଧ୍ୟରେ ଆସାମ ଚୁକ୍ତିନାମା କାହିଁକି କାର୍ଯ୍ୟକାରୀ ହୋଇନାହିଁି’ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସେହି ରାୟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି – ‘ବାଂଲାଦେଶ-ଆସାମ ସୀମା ମାତ୍ର ୨୬୭ କି.ମି., ତନ୍ମଧ୍ୟରୁ ଜଳ ସୀମା ୪୪ କି.ମି.ା.ଏହି ସୀମା ମଧ୍ୟରୁ ବୃହଦ୍ ଅଂଶ ଏବେ ମୁକ୍ତ ରହିଛି, ଫଳରେ ସହଜରେ ଅନୁପ୍ରବେଶ ଅବ୍ୟାହତ ରହିଛି।’ କାହା ସ୍ୱାର୍ଥରେ ସୀମା ଉନ୍ମୁକ୍ତ ରଖାଯାଇଛି? ୨୦୧୬ ମସିହା କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶରେ ଏବେ ଦୁଇ କୋଟିରୁ ଅଧିକ ବାଂଲା ଦେଶୀ ବେଆଇନଭାବେ ବାସ କରୁଛନ୍ତି। ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୬୦ ଲକ୍ଷରୁ ଅଧିକ। ଏହା ଏକ ମାନବିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି – ‘ବାଂଲାଦେଶର ଶାସନମୁଖ୍ୟଙ୍କ ସହ ଆଲୋଚନା କରି ଅନୁପ୍ରବେଶକାରୀଙ୍କୁ ତାଙ୍କ ଦେଶକୁ ପଠେଇ ଦିଆଯାଉ ଏବଂ ଆସାମ ସୀମା ଦୃଢ଼ ଭାବେ ନିବୁଜ ରଖାଯାଉ।’ ଏହିଭଳି ସତର୍କବାଣୀକୁ ବହୁ ଆଗରୁ ଉପେକ୍ଷା କରାଯାଇଛି। ଯଦି ଏବେ ଆମେ ସତ୍ୟକୁ ଅସ୍ୱୀକାର କରିବା ଆଗାମୀ ସମୟରେ ଆସାମ ପରିସ୍ଥିତି କାଶ୍ମୀର ସମତୁଲ ସମସ୍ୟା ସୃଷ୍ଟି କରିବ।

Leave A Reply