ଓଡ଼ିଆ ବିଶ୍ବବିଦ୍ୟାଳୟ

0

ଗୋଟିଏ ବିଶ୍ବବିଦ୍ୟାଳୟ ଏକ ଜାତିର ଅସ୍ମିତା ଓ ବୌଦ୍ଧିକତାର ପରିଚୟ ବହନ କରିଥାଏ। ଏହା ଉଭୟ ବିଶ୍ବକୁ ଗବାକ୍ଷ ଓ ଆକର୍ଷଣର ସୁଯୋଗ ସୃଷ୍ଟିକରେ। ଓଡ଼ିଶାରେ ଏବେ ବିଶ୍ବବିଦ୍ୟାଳୟ ବା ତତ୍ତୁଲ୍ୟ ଶିକ୍ଷାନୁଷ୍ଠାନର ଅଭାବ ନାହିଁ। କେବଳ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଛଡ଼ା ଆଉ ପ୍ରାୟ ସବୁ ବିଷୟରେ ବିଶ୍ବବିଦ୍ୟାଳୟମାନ କାର୍ଯ୍ୟ କରୁଛି। ଏହି ବିଶ୍ବବିଦ୍ୟାଳୟ ସଂସ୍ଥାପନ ପ୍ରକ୍ରିୟାରେ ସଦ୍ୟ ତାଲିକାଭୁକ୍ତ ହୋଇଛି ‘ଓଡ଼ିଆ ବିଶ୍ବବିଦ୍ୟାଳୟ’, ଯାହା ରାଜ୍ୟର ଐତିହ୍ୟ ଓ ସାଂସ୍କୃତିକ ପୀଠ ପୁରୀ ଜିଲାର ସତ୍ୟବାଦୀଠାରେ ପ୍ରତିଷ୍ଠା କରାଯିବ। ଏ ନିଷ୍ପତ୍ତିଟି ଅପ୍ରତ୍ୟାଶିତ କିମ୍ବା ରାଜନୀତି ପ୍ରେରିତ ନୁହେଁ। ଓଡ଼ିଆ ଭାଷା ‘ଶାସ୍ତ୍ରୀୟ ମାନ୍ୟତା’ ହାସଲ କରିବାପରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ଉଠିଥିଲା ଏବଂ ସରକାର ଏ ନେଇ ଆପାତତଃ ଏକ ନୀତିଗତ ନିଷ୍ପତ୍ତି ନେଇଥିଲେ। ନିର୍ବାଚନର ଅଳ୍ପଦିନ ପୂର୍ବରୁ ଏନେଇ ଘୋଷଣା ପ୍ରକାଶ ଏବଂ ସ୍ଥାନ ନିରୂପଣକୁ କାକତାଳୀୟ କୁହାଯାଇ ପାରିବ ନାହିଁ। ପରବ ପାଇଁ ନୂଆଲୁଗା ସାଇତି ରଖିବାଭଳି ସରକାର ଏହାକୁ ନିର୍ବାଚନକୁ ଆଖିଆଗରେ ରଖି ଅବଶ୍ୟ ବ୍ୟବସ୍ଥା କରିଛନ୍ତି। ଏଇଟା ଗୋଟେ ଗୌଣ କଥା, ବଡ଼କଥା ହେଉଛି ଏହି ନୂଆ ବିଶ୍ବବିଦ୍ୟାଳୟର ରୂପରେଖ ଓ କାର୍ଯ୍ୟ କ’ଣ ହେବ। ଏଯାଏ ଏ ଘେନି କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେଣୁ ଅନେକ ଏ ନେଇ କୌଣସି ନିର୍ଦିଷ୍ଟ ଧାରଣା, କଳ୍ପନା ମଧ୍ୟ କରିପାରୁ ନାହାନ୍ତି।
ଏହି ନୂଆ ଶିକ୍ଷାନୁଷ୍ଠାନଟି ଶୈକ୍ଷିକ ନା ଅଣଶୈକ୍ଷିକ, ନିୟନ୍ତ୍ରଣକାରୀ ଏବଂ ସହବନ୍ଧନକାରୀ ବିଶ୍ବବିଦ୍ୟାଳୟ ହେବ, ତାହା ପ୍ରଥମ ପ୍ରଶ୍ନ। ଏହାର ପାଠ୍ୟକ୍ରମ, ଶିକ୍ଷାଦାନର ମାଧ୍ୟମ, ଗବେଷଣା ଓ ଅନ୍ୟାନ୍ୟ ବିଷୟ କ’ଣ ହେବ ସେ ନେଇ କିଛି ସୂଚନା ମିଳୁନାହିଁ। ଅତଏବ ମନରେ ପ୍ରଶ୍ନଉଠେ ଏହା ଓଡ଼ିଶା ସଂସ୍କୃତି ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ପରିବର୍ଦ୍ଧିତ ରୂପ ଭଳି ହେବନାହିଁ ତ? ଏହା ଯଦି ହୁଏ, କଥା ସରିଲା। ସତ୍ୟବାଦୀ ପଣ୍ଡିତ ଗୋପବନ୍ଧୁଙ୍କ ସାଧନାପୀଠ ଓ ପଞ୍ଚସଖାଙ୍କ ଦର୍ଶନର ପ୍ରୟୋଗଶାଳା ଥିଲା। ମଣିଷ ତିଆରି ପାଇଁ ଉଦ୍ଦିଷ୍ଟ ତାଙ୍କ ବନବିଦ୍ୟାଳୟ କେବଳ ସାର୍ଟିଫିକେଟ ପ୍ରଦାନକାରୀ ଶିକ୍ଷାରେ ସୀମିତ ନ’ହୋଇ ଶିକ୍ଷାକୁ ବିଶ୍ବମୁଖୀ, ବହୁଦର୍ଶୀ, ବହୁମୁଖୀ କରିବାକୁ ଉଦ୍ଦିଷ୍ଟ ଥିଲା। ଅତଏବ ସେଇ ପାବନପୀଠରେ ଗଢ଼ି ଉଠିବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟର ଉଦ୍ଦେଶ୍ୟ ଓ ପ୍ରୟାସ ପ୍ରଥମରୁ ସ୍ପଷ୍ଟ ହୋଇଯିବା ଉଚିତ।
ଆମ ବିଚାରରେ ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ କେବଳ ଓଡ଼ିଆରେ ସୀମିତ ନ’ରହୁ। ଓଡ଼ିଆକୁ ପ୍ରାଧାନ୍ୟ ଦେବାସହିତ ଦେଶ ବିଦେଶର ଅନ୍ୟାନ୍ୟ ପ୍ରମୁଖ ଭାଷା, ସାହିତ୍ୟ, ଦର୍ଶନ, ସଂସ୍କୃତି, ବୈଷୟିକ ବିଦ୍ୟା ଓ ପ୍ରଯୁକ୍ତି ସମ୍ପର୍କରେ ଅଧ୍ୟୟନ, ପୁସ୍ତକ ପ୍ରଣୟନ, ପ୍ରକାଶନ ଓ ଗବେଷଣାର ସୁଯୋଗ ସୃଷ୍ଟିହେଉ। ତା’ନହେଲେ ଏହା ବିଶ୍ବବିଦ୍ୟାଳୟର ଯଥାର୍ଥ ମାନ୍ୟତା ପାଇବ କିପରି? ଦେଶର ଅନ୍ୟ କେତେକ ରାଜ୍ୟରେ ସଂପୃକ୍ତ ଭାଷାର ବିଶ୍ବବିଦ୍ୟାଳୟ କାର୍ଯ୍ୟ କରୁଛି। ସେସବୁର ଢାଞ୍ଚାକୁ ଅନୁଧ୍ୟାନ କରାଯାଇପାରେ। ସର୍ବୋପରି ଆମ ରାଜ୍ୟରେ ଓଡ଼ିଆଭାଷା ସାହିତ୍ୟ ସମେତ ଆନ୍ତଃବିଷୟକ କ୍ଷେତ୍ରରେ ବହୁ ପ୍ରବୀଣ, ବରେଣ୍ୟ ତଥା ବିଜ୍ଞ ପ୍ରଫେସର, ଶିକ୍ଷା ପ୍ରଶାସକ, ଗବେଷକ ଓ ବୁଦ୍ଧିଜୀବୀ ଅଛନ୍ତି। ସେମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ମଧ୍ୟ ନିଆଯାଇପାରେ। ଏ କ୍ଷେତ୍ରରେ ବିଭାଗୀୟ ମନ୍ତ୍ରୀ ଓ ସଂପୃକ୍ତ ପ୍ରଶାସକଙ୍କୁ କିଞ୍ଚିତ ଉଦାର ଓ ନମନୀୟ ହେବାକୁ ପଡ଼ିବ। ସେମାନେ ଯଦି କେବଳ ନିଜସ୍ବ ବିଚାର ଓ ଶୈଳୀରେ ନିଷ୍ପତ୍ତି ନେଇ ସବୁକିଛି କରିବେ ତାହା କେବଳ ଏକ ଆତ୍ମାହୀନ ଶିକ୍ଷାସୌଧ ଭାବେ ମୁଣ୍ଡଟେକି ଆମକୁ ଖତେଇ ହେବ। ଏ ନେଇ ଦେଖା ଦେଇଥିବା ଉଲ୍ଲାସ ବିଳାସରେ ପରିଣତ ନ’ହେଉ। ସରକାରଙ୍କ ନିଷ୍ଠା ଓ ପ୍ରାଶାସନିକ ତତ୍ପରତା ଉପରେ ସବୁକିଛି ନିର୍ଭର କରେ।

Leave A Reply