ଖାଦ୍ୟ ନିରାପତ୍ତା ଓ କୁନ୍ଦି ସାହୁମାନେ

0

ପଞ୍ଚାନନ କାନୁନ୍‌ଗୋ

ଖାଦ୍ୟସୁରକ୍ଷା ଆଇନ ଆଧାରରେ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଜଣପିଛା ପାଞ୍ଚକିଲୋ ଚାଉଳର ଉପଭୋକ୍ତା ସଂଖ୍ୟା ରାଜ୍ୟଖର୍ଚ୍ଚରେ ୩୪ ଲକ୍ଷ ୪୪ ହଜାର ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି, ଯାହାକୁ ନେଇ ଅନେକ ବାଦ-ବିସମ୍ବାଦ ବିରୋଧୀମାନେ ଉଠାଇଛନ୍ତି। ସରକାରୀ ଜନସଂଖ୍ୟା ହାର ବୃଦ୍ଧିହେତୁ ଏପରି ସଂଖ୍ୟା ବଢ଼ାଇବାକୁ ବାଧ୍ୟ ହେଲେ ବୋଲି କୈଫିଏତ୍ ଢଙ୍ଗରେ ସରକାର କହିଛନ୍ତି। ବାସ୍ତବତା ହେଲା ଯେ କେନ୍ଦ୍ର ସରକାର ଏକ ଭୁଲ୍ ନିଷ୍ପତ୍ତି ସଂଖ୍ୟା ଉପରେ ସୀମା ନିର୍ଦ୍ଧାରଣ (କ୍ୟାପିଙ୍ଗ୍‌) ଓ ରାଜ୍ୟ ସରକାରଙ୍କର ତ୍ରୁଟିପୂର୍ଣ୍ଣ ଆକଳନ ହେତୁ ଉପୁଜୁଥିବା ସମସ୍ୟା ସରକାର ନିର୍ବାଚନ ପୂର୍ବରୁ ସମାଧାନ କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। କାରଣ ସମ୍ବାାଦପତ୍ରମାନଙ୍କରେ ପ୍ରକାଶିତ ସମ୍ବାଦ କୁନ୍ଦି ସାହୁର ଖାଦ୍ୟାଭାବ ମୃତ୍ୟୁ ଏହି ଦୁଇ ସରକାରଙ୍କର କ୍ୟାପିଙ୍ଗ୍‌ ଏବଂ ତ୍ରୁଟିପୂର୍ଣ୍ଣ ତାଲିକା କାରଣରୁ ହୁଏତ ହୋଇଛି। ଘଟଣାଟି ଘଟିଥିଲା ହରିଶଙ୍କର ରୋଡ଼ ପ୍ଲାଟ୍‌ଫର୍ମରେ ଜୁଲାଇ (୨୦୧୮) ମାସରେ। ମା’ ଉମା ପାଖରେ ନା ଥିଲା ଟଙ୍କିକିଆ ଚାଉଳ, ନା ଥିଲା ବାର୍ଦ୍ଧକ୍ୟ ବା ବିଧବା ଭତ୍ତା। ଖାଇବାକୁ ନ ପାଇ ଝିଅ କୁନ୍ଦି ମରିବାର କାହାଣୀ ଏବେ ସାମନାକୁ ଆସିଲା। ଯେଉଁ ସମୟରେ ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ଯୋଗାଣକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାହାବା ନେବାର ପ୍ରତିଯୋଗିତାରେ ଅଛନ୍ତି ସେହି ସମୟରେ ଅନାହାର ମୃତ୍ୟୁ ସମ୍ବାଦ ଆସୁଛି। ନିଜ ଖର୍ଚ୍ଚରେ କିଲୋପିଛା ୧ଟଙ୍କା ଦରରେ ଚାଉଳ ଯୋଗାଇ ଦେଲେ ରାଜ୍ୟ ସରକାରଙ୍କୁ ବାର୍ଷିକ ୬୦୦କୋଟି ଟଙ୍କା ଅଧିକ ରିଆତି ଖର୍ଚ୍ଚ ବହନ କରିବାକୁ ପଡ଼ିବ। ମାତ୍ର ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଠମାସ ଥିବାରୁ ଏହି ଖର୍ଚ୍ଚ କିଛି ପରିମାଣରେ କମ୍ ରହିବ। ଖର୍ଚ୍ଚ ଯାହା ହେଉନା କାହିଁକି ସରକାରୀ ଦଳ ଆସନ୍ତା ନିର୍ବାଚନ ସମୟରେ ଅନେକ ଭୋଟଦାତାଙ୍କ ରାଗରୁ ରକ୍ଷା ପାଇବେ। ପ୍ରତ୍ୟେକ ଗାଁରେ ଥିବା ଉପକୃତ ଉପଭୋକ୍ତା ସରକାରଙ୍କୁ ପ୍ରଶଂସା ଯେତେ କରିବେ ନାହିଁ, ଗାଁରେ ଥିବା ଅଳ୍ପସଂଖ୍ୟକ ବାଦ ପଡ଼ିଥିବା ଦରିଦ୍ର ଶ୍ରେଣୀର ଉପଭୋକ୍ତାଙ୍କ ପ୍ରଶ୍ନରେ ସରକାର ଅଧିକ ନିନ୍ଦିତ ହେବେ। ମାନନ୍ତୁ ନ ମାନନ୍ତୁ ସେହି ନିନ୍ଦାରୁ ନିସ୍ତାର ପାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।
ଟଙ୍କିକିଆ ଚାଉଳରେ ରାଜ୍ୟ ସରକାରଙ୍କର କିଲୋପିଛା ରିଆତି ମାତ୍ର ୨ଟଙ୍କା ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ୫୦ ପଇସା, ଏପରି ମୋଟ ଟ.୨.୫୦ ଥିବାବେଳେ କେନ୍ଦ୍ର ସରକାରଙ୍କୁ କିଲୋପିଛା ରିଆତି ମୋଟ ଟ.୩୩.୦୦ ରୁ ଊର୍ଦ୍ଧ୍ବ ହୋଇଥାଏ। ଏବେ ଧାନ ବା ଗହମର ସହାୟକ (ଏମଏସପି) ବୃଦ୍ଧି ହେତୁ କିଲୋପିଛା ରିଆତି ଅଧିକ ବୃଦ୍ଧି ହେବ। ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଉପଭୋକ୍ତାଙ୍କ ପ୍ରାପ୍ୟ ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନ ପହଞ୍ଚାଇଛନ୍ତି ସାଧାରଣ ଉପଭୋକ୍ତା ଏହି ଚାଉଳର ସମସ୍ତ ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେବା ନିଶ୍ଚିତ ପ୍ରାୟ। ସେ ହିଁ ଶ୍ରେୟର ଅଧିକାରୀ ଓ ସେ ହିଁ ନିନ୍ଦାର ଅଧିକାରୀ। ଏଣୁ ନିନ୍ଦାରୁ ତ୍ରାହି ପାଇବା ଉଦ୍ଦେଶ୍ୟରେ ଏପରି କରାଯାଇଛି। ତ୍ରୁଟି ସଂଶୋଧନ କରିବାର ତାକତ ସରକାରଙ୍କର ସାମର୍ଥ୍ୟ ବାହାରେ।
ଟଙ୍କିକିଆ ଚାଉଳକୁ ନେଇ ଅନେକଙ୍କର ଗୋଟିଏ ଭିନ୍ନମତ ରହିଆସିଛି। ଏହାଦ୍ୱାରା ରାଜ୍ୟର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ଓ କୃଷିକ୍ଷେତ୍ରରେ ମୂଲିଆ ନ ମିଳୁଥିବା ଅବା ଲୋକଙ୍କର କାର୍ଯ୍ୟ କରିବାର ସ୍ପୃହା ରହୁନାହିଁ ବୋଲି କିଛି ମନେକରନ୍ତି। ମାତ୍ର ଗୋଟିଏ କଥା ଜଣାନାହିଁ ଯେ ଯେଉଁଦିନଠାରୁ ଦେଶର ଖାଦ୍ୟ ନିଗମ ବା କେନ୍ଦ୍ର ସରକାର ଓଡ଼ିଶାରେ ସବୁ କ୍ଷେତ୍ରରେ, ଅର୍ଥାତ୍ ମଧ୍ୟାହ୍ନ ଭୋଜନ ଚାଉଳ ଓ ମାସକୁ ମୁଣ୍ଡପିଛା ପାଞ୍ଚକିଲୋ ରିଆତି ଚାଉଳ ବାବଦରେ ଅରୁଆ ବଦଳରେ ଉଷୁନା ଚାଉଳ ଯୋଗାଇବାର ବ୍ୟବସ୍ଥା କଲେ, ରାଜ୍ୟରେ ଧାନ ସଂଗ୍ରହ ହାର ବଢ଼ିବାକୁ ଲାଗିଲା। ଏହି ଧାନ ସରକାରୀ ମଣ୍ଡିରେ ଯାଇ ଉଷୁନା ଚାଉଳରେ ପରିଣତ ହୁଏ ଏବଂ କେନ୍ଦ୍ର ତା’ର ରିଆତି ବାବଦ ଅର୍ଥ ଭରଣା କରିଥାନ୍ତି। ଯେତେ ଅଧିକ ଚାଉଳ ଯୋଗାଯିବ ସେତେ ଅଧିକ ଧାନ କିଣାଯିବ। ସୁଚିନ୍ତିତ, ସୁନିୟନ୍ତ୍ରିତ ସର୍ବକାଳୀନ ସରକାରୀ ସଂଗ୍ରହ ନୀତି (Procurement Policy) ଥିଲେ ଚାଷୀ ତା’ର ମୂଲ୍ୟ ଠିକ୍ ସମୟରେ ପାଇପାରିବ।
ଅନ୍ୟ ସମାଲୋଚନାଟି ହେଉଛି ଏପରି ରିଆତି ଚାଉଳ ଯୋଗାଇବା ଫଳରେ ମୂଲିଆମାନେ ମଜୁରି ଦର ବଢ଼ାଇ ଦେଇଛନ୍ତି ଅବା କାମକୁ ଆସୁନାହାନ୍ତି। ଯଦି ଜଣେ ରଙ୍ଗମିସ୍ତ୍ରି (ଅଳ୍ପ କୁଶଳୀ) କାମକରି ମଜୁରି ବାବଦ ୫୦୦ ରୁ ୬୦୦ ଟଙ୍କା ଦାବିକଲେ ଜଣେ ଅର୍ଦ୍ଧକୁଶଳୀ ତଳି ରୁଆଳି ୪୦୦ ବା ୫୦୦ ଟଙ୍କା ଦାବି କରିବା ଯଥାର୍ଥ ମଣେ। ସେ ନିଯୁକ୍ତିକାରୀର ଦେବା କ୍ଷମତା (Paying Capacity) କୁ ଦେଖି ନଥାଏ। ଏ କ୍ଷେତ୍ରରେ ଉଭୟଙ୍କର ଶକ୍ତି ବୃଦ୍ଧି (ନିଯୁକ୍ତିକାରୀ ଓ ମୂଲିଆ) ଘଟିଲେ ହିଁ ସମତୁଲ ସଂହତି ରହିବ। କେହି କାହା ବିରୁଦ୍ଧରେ ଅଭିଯୋଗ କରିବେ ନାହିଁ।
ଏ କଥା କୁହାଯାଉଛି ଚାଷୀର ଆତ୍ମହତ୍ୟା ଏବେ ବଢ଼ିଯାଇଛି। ଏହା ସତ, ମାତ୍ର ଏକଥା ମଧ୍ୟ ସତ୍ୟ ଯେ ଓଡ଼ିଶାରେ ପୂର୍ବେ ଶୁଣାଯାଉଥିବା ଅନାହାର ମୃତ୍ୟୁ ସଂପର୍କିତ ସମ୍ବାଦ ପ୍ରାୟତଃ ଦେଖିବାକୁ ମିଳୁନାହିଁ। ସମସ୍ତଙ୍କୁ ଭାତ ମିଳୁଛି ବୋଲି କୁହାଯାଉଛି। ତାହା ଯଥେଷ୍ଟ ନୁହେଁ। କାର୍ଯ୍ୟ କରିବାର ଶକ୍ତି (Capacity to work) ବୃଦ୍ଧି ଘଟିବା ଓ କ୍ରୟଶକ୍ତି ବୃଦ୍ଧି ଘଟିବା ଉପରେ ନିର୍ଭରକରି ବ୍ୟକ୍ତି ଓ ରାଷ୍ଟ୍ରର ନିରନ୍ତର ସମୃଦ୍ଧି ହୋଇଥାଏ। ନିତି ଆୟୋଗର ମୁଖ୍ୟ (CEO) ଅମିତାଭ କାନ୍ତଙ୍କର ଏକ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେ କହିଲେ, ଦେଶର ଅଭିବୃଦ୍ଧି ବର୍ତ୍ତମାନ ୭.୫% ହାରରେ ଅଛି ୧୦% କୁ ବୃଦ୍ଧି କରିବାକୁ ହେଲେ ବ୍ୟକ୍ତିର ସ୍ୱାସ୍ଥ୍ୟଗତ ଉତ୍କର୍ଷ ବୃଦ୍ଧିପାଇବା ଆବଶ୍ୟକ ଓ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର କମିଲେ ହିଁ ସମ୍ଭବ ହେବ। ବାସ୍ତବରେ ଜଣେ ରୁଗ୍ଣ ମଣିଷ ବା ଶକ୍ତିହୀନ ମଣିଷ ବାହାରେ ପିନ୍ଧିଥିବା ଲୁଗାଖଣ୍ଡିକ ଦୃଷ୍ଟିରୁ ପରିପୂର୍ଣ୍ଣ ମଣିଷର ପ୍ରତ୍ୟୟ ସୃଷ୍ଟି କରିଥାଏ; ମାତ୍ର ଖଟିଲାବେଳେ ତା’ର ଅପୂର୍ଣ୍ଣ ଶକ୍ତି ବଡ଼ ବାଧକ ସାଜିଥାଏ, ଏକଥା ବୋଧହୁଏ ସାଧାରଣ ଦେଖଣାହାରୀ ଅନୁଭବ କରନ୍ତି ନାହିଁ।
ଭାରତ ସରକାରଙ୍କ ପ୍ରଚଳିତ ସ୍ୱାସ୍ଥ୍ୟନୀତି ହେତୁ ଦେଶରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଅନୁପାତ କମିଛି। ଏହା ଅନେକାଂଶରେ ଇନ୍‌ଷ୍ଟିଚ୍ୟୁସନାଲ୍ ଡେଲିଭରି ଓ କିଛି ପ୍ରବର୍ତ୍ତିତ ଯୋଜନା – ମମତା, ଅଙ୍ଗନୱାଡ଼ିରେ ଶିଶୁ ଓ ମା’ଙ୍କ ଯତ୍ନ ହେତୁ ଘଟିଛି। ଏହିସବୁ କାର୍ଯ୍ୟକ୍ରମ କେନ୍ଦ୍ର ସ୍ତରରେ ଜନ୍ମନେବା ପୂର୍ବରୁ ମଧ୍ୟ କ୍ରୟଶକ୍ତି ବୃଦ୍ଧିଥିବା, ଶିକ୍ଷା ଓ ସ୍ୱାସ୍ଥ୍ୟପ୍ରତି ସଚେତନ କେରଳ ରାଜ୍ୟରେ ମାତୃ ମୃତ୍ୟୁହାର ଯଥା ଶିଶୁ ମୃତ୍ୟୁହାର ସର୍ବଭାରତୀୟ ସ୍ତରଠାରୁ ଯଥେଷ୍ଟ କମ ଥିଲା। ମଧ୍ୟପ୍ରଦେଶ, ଓଡ଼ିଶା, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ପ୍ରଭୃତି ଅନଗ୍ରସର ରାଜ୍ୟରେ ଏହି ମୃତ୍ୟୁହାର ଅଧିକ ଥିଲା। ଏବେବି ସେହିସବୁ ରାଜ୍ୟର ସ୍ଥିତି (ରାଙ୍କ୍‌) ପୂର୍ବବତ୍ ବଜାୟ ରହିଛି। ଅଳ୍ପ ତଳ ଉପର ଲକ୍ଷ୍ୟ କରାଯାଏ।
ରୋଜଗାର ସ୍ଥିତି ଓ କ୍ରୟଶକ୍ତି କମ୍ ଥିବା ରାଜ୍ୟ ବା ଅଞ୍ଚଳମାନଙ୍କରେ ବଡ଼ ସମସ୍ୟା ହେଉଛି ଦୈହିକ ଶକ୍ତି (ବଡ଼ି ମାସ ଇଣ୍ଡେକ୍ସ) ଏବଂ କୁପୋଷଣ ଓ ଅପପୁଷ୍ଟି ଜନିତ ସମସ୍ୟା, ରକ୍ତ ଶୂନ୍ୟତାଜନିତ ଶକ୍ତି କ୍ଷୟ ଆଦି ସାମନାକୁ ଆସିଥାଏ। ପ୍ରଥମେ ମହିଳା ଓ କିଶୋରୀମାନଙ୍କ ପୁଷ୍ଟି ସାଧନଗତ ସ୍ଥିତି ଅନୁଧ୍ୟାନ କରାଯାଉ। ରକ୍ତହୀନତା ରୋଗରେ (୨୦୧୫ ଜନସଂଖ୍ୟା) ୧୫ ରୁ ୪୯ ବର୍ଷର ଗର୍ଭବତୀ ୫୮.୭% ପ୍ରଜଜନକ୍ଷମ ମହିଳା ଯେଉଁମାନେ କୁପୋଷଣର ସମ୍ମୁଖୀନ ୩୩.୩% ଗର୍ଭଧାରଣ ଆରମ୍ଭରେ କମ୍ ଓଜନ ବିଶିଷ୍ଟ ମହିଳା ୪୨.୨% ଥିବାବେଳେ ଶିଶୁମାନଙ୍କ କ୍ଷେତ୍ରରେ ଶାରୀରିକ ଅଭିବୃଦ୍ଧି ହାର ପାଞ୍ଚବର୍ଷରୁ କମ୍ ବୟସର ପିଲା ୧୫.୧%, ସ୍ୱାଭାବିକଠାରୁ ସ୍ୱଳ୍ପ ଓଜନ କ୍ଷେତ୍ରରେ ପାଞ୍ଚବର୍ଷ ବୟସରୁ କମ୍ ବୟସର ପିଲାଙ୍କ ଅନୁପାତ ୨୯.୪ ରକ୍ତହୀନତାରେ ସମ୍ମୁଖୀନ ୬ ରୁ ୫୯ ମାସର ଶିଶୁଙ୍କ ହାର ୬୦% ଥିବାର ଦେଖାଯାଏ। ସର୍ବଭାରତୀୟ ସ୍ତରରେ ପୁରୁଷମାନଙ୍କ କ୍ଷେତ୍ରରେ ଅସାମର୍ଥ୍ୟ (ବିଏମଆଇ) ୩୦.୧% ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୩୧% ଥିଲା ଓ ଓଡ଼ିଶା କ୍ଷେତ୍ରରେ ଏହା ଯଥାକ୍ରମେ ୩୦.୧% ଏବଂ ୩୮.୫% ଅଛି। ଏହି ଅାନୁପାତିକ ହାର ସର୍ବଭାରତୀୟ ହାରଠାରୁ ଅଧିକ ଖରାପ ସ୍ଥିତିରେ ଅଛି। ପୁଷ୍ଟିହୀନତା, ରକ୍ତଶୂନ୍ୟତା କ୍ଷେତ୍ରରେ ଓଡ଼ିଶାର ମୋଟାମୋଟି ହାର ଜାତୀୟ ଅନୁପାତ ସହିତ ପାଖାପାଖି ଥିବାବେଳେ ଆଦିବାସୀବହୁଳ ଜିଲାମାନଙ୍କରେ ଖୁବ୍ ଅଧିକ ଥିବାର ଦେଖାଯାଇଥାଏ। ଏହିପରି ଅଳ୍ପ ଶକ୍ତିଧାରୀ ପୁରୁଷ ଓ ସ୍ତ୍ରୀମାନଙ୍କର କାର୍ଯ୍ୟ କରିବାର କ୍ଷମତା ଖୁବ୍ କମ୍ ରହେ। ରକ୍ତଶୂନ୍ୟତା ଓ ପୁଷ୍ଟିହୀନତା କାରଣରୁ ଅନେକ ସହଜରେ ରୋଗାକ୍ରାନ୍ତ ହେଉଥିଲେ। ‘ନଗଡ଼ା’ ଚିତ୍ର ଏକ ନମୁନା ମାତ୍ର ବିଭିନ୍ନ ଖାଦ୍ୟସାର ତଥା ଲବଣ ମାତ୍ର ଆବଶ୍ୟକତାଠାରୁ କମ୍ ରହିବା ଦୃଷ୍ଟିରୁ ଶରୀରର ରୋଗ ନିରୋଧକ ଶକ୍ତି କମ୍ ରୁହେ।
କେବଳ ଭାତ ଗଣ୍ଡାଏ ଯୋଗାଇଦେଲେ ହୁଏତ ଗୋଟିଏ ‘ଦାନୀପଣ’ର ଉଷ୍ମଭାବ ପ୍ରଦର୍ଶିତ ହୋଇପାରେ। ହେଲେ ସାମଗ୍ରିକ ଭାବେ ଏକ ସଶକ୍ତ ବ୍ୟକ୍ତି ବା ଜାତି ବଞ୍ଚିରହେ ନାହିଁ। ଶକ୍ତିର ପ୍ରଥମ ଆବଶ୍ୟକତା ନିରନ୍ତର କ୍ରୟ ଶକ୍ତି ବୃଦ୍ଧି ଓ ଆୟ ବୃଦ୍ଧି ହେତୁ ସୁଷମ ଖାଦ୍ୟ କ୍ରୟ କରିବାର ସାମର୍ଥ୍ୟ ବୃଦ୍ଧି ଘଟାଇବା। ଲୋକଙ୍କୁ ଭାତ ଯୋଗାଇ ଦେବାର ବ୍ୟବସ୍ଥା ହେଲେ ଆପତ୍ତି କରିବାର ନାହିଁ। ଏହା ପ୍ରତ୍ୟାହାର କରିନେଲେ ଅନେକ ବ୍ୟକ୍ତିଙ୍କର ଅସଲ ରୂପ ଶାରୀରିକ ଓ ଆର୍ଥିକ ଆତ୍ମପ୍ରକାଶ କରିବ। ଅନେକ କୁନ୍ଦି ସାହୁ ପରି ହୁଏତ ଅନାହାର ମୃତ୍ୟୁ ମୁଖରେ ପଡ଼ିବେ। କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ଯୋଜନାର ଲଜ୍ଜା ଜନକ ପରିଣତି ଆତ୍ମପ୍ରକାଶ କରିବ।
ପରସ୍ପରକୁ ଦୋଷାରୋପ କରିବା ଅପେକ୍ଷା ଭାତ ଯୋଗାଇବା ସହିତ ‘ଶକ୍ତି’ ଯୋଗାଇବା ବ୍ୟବସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରସ୍ତୁତ କରିବା ଦରକାର। ହାତଟେକି ଭାତ ଦେବା ସେତିକିବେଳେ ଆବଶ୍ୟକ ହେବନାହିଁ, ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିର ଆୟଶକ୍ତି ଓ କ୍ରୟଶକ୍ତି ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିବ।
କେବଳ ମା’ ଉମା ସାହୁ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ଭିତରେ ଭରି ଉଠୁ ‘ଭାତ’ ଯୋଗାଡ଼ ସହିତ ‘ବଂଚିବାର ଶକ୍ତି ଚାହୁଁ’। ତେବେ ଯାଇ ‘ଖାଦ୍ୟ’ ନିରାପତ୍ତା ବ୍ୟବସ୍ଥା ସାର୍ଥକ ହେବ।

Comments
Loading...