ରାଜନୀତିରେ ଧର୍ମର ପୁଞ୍ଜି

0

ବିଶ୍ବଚିନ୍ତାମଣି ଅମ୍ବିକା ପ୍ରସାଦ ପାଣି

ନିକଟରେ ସାଂସଦ ଶଶୀ ଥରୁର ଦେଇଥିବା ମନ୍ତବ୍ୟ ‘ବିଜେପି ଯଦି ୨୦୧୯ରେ କ୍ଷମତାକୁ ଆସେ ତେବେ ଭାରତ ଏକ ହିନ୍ଦୁ ପାକିସ୍ତାନରେ ପରିଣତ ହେବ’କୁ ନେଇ ବିତର୍କ ଜୋର ଧରିଥିଲା। ଏଥି ସହ ୨୦୧୯ ନିର୍ବାଚନ ପାଇଁ ରାଜନୈତିକ ମଇଦାନ ସରଗରମ ହେବା ଆରମ୍ଭ କରିଛି କହିଲେ ଭୁଲ ହେବ ନାହିଁ। କେବଳ ଥରୁରଙ୍କ ମନ୍ତବ୍ୟ ନୁହେଁ ବରଂ କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟକୁ ଧର୍ମ ସଂଖ୍ୟାଲଘୁ ଗୋଷ୍ଠୀର ମାନ୍ୟତା କିମ୍ବା ମଧ୍ୟପ୍ରଦେଶ ସରକାରଙ୍କ ଦ୍ବାରା ୫ଜଣ ହିନ୍ଦୁ ଧର୍ମଗୁରୁ ପ୍ରଚାରକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ହେଉ କିମ୍ବା ରାହୁଲ ଗାନ୍ଧୀଙ୍କର ବାରମ୍ବାର ମନ୍ଦିର ଦର୍ଶନ ଓ ଭ୍ରମଣ ହେଉ, ଏସବୁ ସୂଚିତ କରେ ଯେ ଧର୍ମ ଓ ରାଜନୀତି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏକ ବ୍ୟକ୍ତିଗତ ବନ୍ଧନର ଉତ୍ସ ଧର୍ମ କେବଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଭୋଟବ୍ୟାଙ୍କ ଛଡ଼ା ଅନ୍ୟ କୌଣସି ଭୂମିକା ତୁଲାଇବାରେ ବିଫଳ ହୋଇଛି ବୋଲି ବୁଝିବାପାଇଁ ପଡ଼ିବ। ଏଠାରେ ପ୍ରଶ୍ନଉଠେ ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ କ’ଣ ରାଜଧର୍ମର ଦ୍ବାହିଦେଇ ପ୍ରକୃତ ସାମାଜିକ ମାନ୍ୟତା ସହ ଧର୍ମର ଚରିତ୍ର ସଂହାର ନ କରି ରାଜନୀତି କରିବା ଅସମ୍ଭବ। ରାଜନୈତିକ ମଇଦାନରେ ଧର୍ମର ପୁଞ୍ଜି ଓ ବଡ଼ଭାଇପଣିଆକୁ ଦେଖିଲେ କ’ଣ ବୁଝିବାପାଇଁ ପଡ଼ିବ ଯେ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଧର୍ମନିରପେକ୍ଷତା ପରସ୍ପର ବିରୋଧୀ ମନୋଭାବ ପୋଷଣ କରନ୍ତି? ବିଡ଼ମ୍ବନାର ବିଷୟ, ଭାରତ ଧର୍ମନିରପେକ୍ଷତାର ଏକ ବିସ୍ତୀର୍ଣ୍ଣ ସଂଜ୍ଞା ‘ସର୍ବଧର୍ମ ସମଭାବ’ ଓ ଅତ୍ୟନ୍ତ ସଂକୀର୍ଣ୍ଣ ସଂଜ୍ଞା ‘ରାଷ୍ଟ୍ର ଧର୍ମମତ ଭେଦଠାରୁ ଦୂରରେ’ ଦୋଛକିରେ ଦଣ୍ଡାୟମାନ !
୧୯୪୬ରେ ମହାତ୍ମା ଗାନ୍ଧୀ ମତ ଦେଇଥିଲେ ଯେ ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ଓ ଧର୍ମ ଏବଂ ରାଷ୍ଟ୍ର ମଧ୍ୟରେ ଏକ ଦୂରତ୍ବର ଆବଶ୍ୟକତା ରହିଛି। କିନ୍ତୁ ଦେଶ ସ୍ବାଧୀନତାର ୭୦ବର୍ଷ ପରେ ମଧ୍ୟ ରାଜନୀତିର ପ୍ରତିଟି ସ୍ତରରେ ବଳିପଡ଼େ ଧର୍ମ ଯାହାକି ଲଜ୍ଜାଜନକ। ଚାଣକ୍ୟଙ୍କର ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ରାଜଧର୍ମକୁ ଭୁଲିଯାଇ ରାଜନୀତିରେ ଆମେମାନେ ଗୁଣୁଗୁଣାନ୍ତି ମହମ୍ମଦ ଅଲ୍ଲୀ ଜିନ୍ନା- ହିନ୍ଦୁ ମହାସଭା- ଲଭ୍‌ ଜିହାଦ୍‌-ଧର୍ମାନ୍ତରର ଘର ବାହୁଡ଼ା- ମଣ୍ଡଳ- ମୁସଲିମ-ଗୁଜୁରାଟ ଇତ୍ୟାଦି । ପ୍ରଥମତଃ ଅନ୍ୟ ଧର୍ମ ପ୍ରତି ଶତ୍ରୁତା ମନୋଭାବ ପୋଷଣ କରିବା ଧର୍ମଗତ ବିଭେଦର ବ୍ୟାପ୍ତି ପାଇଁ ଏକ ନିରଙ୍କୁଶ ପଥପ୍ରଦାନ କରିଥାଏ ଓ ସେତେବେଳେ ହିଁ ରାଜନୈତିକ ଧର୍ମଗତ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ଧର୍ମକୁ ସ୍ବ-ବିଚାରଧାରାରେ ରାଷ୍ଟ୍ରର ବିନା ହସ୍ତକ୍ଷେପରେ ସ୍ବାଧୀନ ଭାବେ ପରିଚାଳିତ ହେବାପାଇଁ ୧୭୭୨ରେ ବଙ୍ଗର ପୂର୍ବତନ ରାଜ୍ୟପାଳ ୱାରେନ୍‌ ହେଷ୍ଟିଙ୍ଗ୍‌ସ ଧର୍ମଭିତ୍ତିକ ବ୍ୟକ୍ତିଗତ ଆଇନ୍‌ (ହିନ୍ଦୁ ଆଇନ ଓ ମୁସଲିମ୍‌ ଆଇନ)ର ପ୍ରଣୟନ କରିଥିଲେ। କିନ୍ତୁ ଏହା ପଛରେ ରାଷ୍ଟ୍ରକୁ ଆଢ଼ୁଆଳରେ ରଖି ଅଣହସ୍ତକ୍ଷେପ ମଧ୍ୟରେ ବିଭାଜନର ଓ ହସ୍ତକ୍ଷେପର ମଞ୍ଜି ପରୋକ୍ଷରେ ବୁଣାଯାଇଥିଲା ବୋଲି ସ୍ବୀକାର କରିବାପାଇଁ ପଡ଼ିବ। କେବଳ ସେଥିପାଇଁ ଭାରତରେ ଧର୍ମନିରପେକ୍ଷତା ପ୍ରତିଟି ସ୍ତରରେ ସାଂପ୍ରଦାୟିକତା ଦ୍ବାରା ଆକ୍ରମଣର ଶିକାର ହୋଇଥାଏ ଯାହାକି ଗୋଟିଏ ନିର୍ଦିଷ୍ଟ ଧର୍ମକୁ ଏକ ସାର୍ବଜନୀନ ମୂଲ୍ୟବୋଧ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥାଏ।
ସବୁ ଧର୍ମ ଓ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମାନ ଭାବେ ଭାଗୀଦାର କରେଇବା ପାଇଁ ଭାରତୀୟ ସମ୍ବିଧାନ ନା ଆମେରିକା ପରି ଏକ ବ୍ୟବସ୍ଥା ଆପଣେଇ ପାରିଲା, ଯେଉଁଠି ସମ୍ପୂର୍ଣ୍ଣ ରୂ​‌େ​‌ପ ଧର୍ମ ରାଜନୀତିଠାରୁ ଊର୍ଦ୍ଧ୍ବରେ ନା ଅନ୍ୟ ରାଷ୍ଟ୍ର ପରି ଯେଉଁଠି ଗୋଟିଏ ଧର୍ମ ଓ ଧାର୍ମିକ ପରମ୍ପରା ଓ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦିଆଯିବାର ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୨୫-ଧର୍ମକୁ ମାନିବା ପ୍ରଚାର ଓ ପ୍ରସାର କରିବାର ଅଧିକାର, ଧାରା-୨୬ ଧାର୍ମିକ ଅନୁଷ୍ଠାନ ଗଠନ ଓ ପରିଚାଳନାର ଅଧିକାର ଓ ଧାରା ୨୯ ଓ ୩୦ – ଧର୍ମଗତ ଓ ଭାଷାଗତ ସଂଖ୍ୟାଲଘୁ ସଂପ୍ରଦାୟକୁ ଶିକ୍ଷାନୁଷ୍ଠାନ ଗଠନ ଓ ପରିଚାଳନା ଅଧିକାର ଇତ୍ୟାଦି କେବଳ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ସୀମିତ ହୋଇ ରହିଯାଇଛି। ୧୯୭୬ରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ୪୨ତମ ସମ୍ବିଧାନ ସଂଶୋଧନ ଆଇନ ଦ୍ବାରା ‘ଧର୍ମନିରପେକ୍ଷ’ ଶବ୍ଦଟି ଭାରତୀୟ ସମ୍ବିଧାନରେ ସ୍ଥାନ ପାଇଥିଲା; କିନ୍ତୁ ତା’ ପରେପରେ ପଞ୍ଜାବରେ ଅକାଳୀଦଳକୁ ହରାଇବା ପାଇଁ ଇନ୍ଦିରା ଗାନ୍ଧୀଙ୍କର ଶିଖ୍‌ ଧର୍ମଗୁରୁ ପ୍ରଚାରକ କ‌େର୍ଣ୍ଣଲ ସିଂହ ଭିଣ୍ଡନୱାଲେଙ୍କ ସହ ବନ୍ଧୁତା ଓ ତଦ୍‌ଜନିତ ପଞ୍ଜାବରେ ସାଂପ୍ରଦାୟିକ ହିଂସା ପରିସ୍ଥିତି ରାଜନୀତିରେ ଧର୍ମକୁ ନେଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ସେଇପରି ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ୧୯୮୫ରେ ଶାହାବାନୋ ମାମଲାରେ ସୁପ୍ରିମକୋର୍ଟ ଛାଡ଼ପତ୍ର ପରେ ମୁସଲମାନ ମହିଳାଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ରାୟ ଦେଇଥିଲେ। ସେତେବେଳେ ମୁସଲମାନ ସଂପ୍ରଦାୟକୁ ଅସନ୍ତୁଷ୍ଟ ନ କରିବାପାଇଁ ରାଜୀବ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସରକାର ସଂସଦରେ ସୁପ୍ରିମକୋର୍ଟ ରାୟକୁ ବିରୋଧ କରି ମୁସଲମାନ ମହିଳା ଆଇନ-୧୯୮୬ ପ୍ରଣୟନ କରିଥିଲେ। ଏକ ସମୟରେ ମଧ୍ୟ ହିନ୍ଦୁ ସଂପ୍ରଦାୟକୁ ଅସନ୍ତୁଷ୍ଟ ନକରିବାପାଇଁ ୧୯୪୯ରୁ ତାଲା ବନ୍ଦ ଥିବା ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସ୍‌ଜିଦ୍‌ ସ୍ଥାନକୁ ସାଧାରଣ ଜନତାଙ୍କ ଚଳପ୍ରଚଳ ପାଇଁ ଖୋଲିଦେଇଥିଲେ। ଏହି ଦୁଇଟି ନିଷ୍ପତ୍ତି ଦ୍ବାରା ହିନ୍ଦୁ ଓ ମୁସଲମାନ ସଂପ୍ରଦାୟକୁ ସନ୍ତୁଷ୍ଟ କରି ଧର୍ମନିରପେକ୍ଷତାର ଏକ ଭାରସାମ୍ୟ ରକ୍ଷାକରିବା ଉଦ୍ଦେଶ୍ୟ ଥିଲେ ମଧ୍ୟ ପରୋକ୍ଷରେ ସାଂପ୍ରଦାୟିକ ରାଜନୀତିର ବିଷମଞ୍ଜି ବୁଣିଦିଆଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ତା’ର ଠିକ୍‌ ବର୍ଷକ ପରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣା ଓ ତା ପରେପରେ ୧୯୯୩ର ମୁମ୍ବଇ ଦଙ୍ଗା, ୨୦୦୨ରେ ଗୁଜୁରାଟ ଦଙ୍ଗା ଇତ୍ୟାଦି ଘଟଣା ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷତାର ସୂଚୀପତ୍ରରେ ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। କେବଳ ଦଙ୍ଗା ନୁହେଁ, ଧର୍ମାନ୍ତରର ଘର ବାହୁଡ଼ା, ଲଭ୍‌ ଜିହାଦ୍‌, ଗୋ-ରକ୍ଷା, ଧର୍ମରକ୍ଷା ନାମରେ ଗୋଷ୍ଠୀଗତ ହିଂସା, ଯାହାକି ଏବେ ସଂସଦର ଅଧିବେଶନରେ ବିତର୍କର ପ୍ରସଙ୍ଗକୁ ନେଇ ବିଶ୍ବ ଦରବାରରେ ଭାରତ ଆଜି ନିନ୍ଦିତ ଓ ଲଜ୍ଜିତ ମଧ୍ୟ।
କିଛି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ସ୍ବାଧୀନ ଭାରତରେ ରାଜନୈତିକ ଆଦର୍ଶବାଦ ଅପେକ୍ଷା ଧର୍ମଗତ ରାଜନୀତି ଓ ତଦ୍‌ଜନିତ ହିଂସା ପାଇଁ ଅନେକ ଧନଜୀବନ ହାନି ହୋଇଛି। ମନେରଖିବା ପାଇଁ ପଡ଼ିବ ଯେ ହରପ୍ପା (୩୦୦୦ ଖ୍ରୀଷ୍ଟପୂର୍ବ) ଯୁଗରେ ମଧ୍ୟ ଅଭିଯାନ/ ଆକ୍ରମଣ କେବଳ କ୍ଷମତା ଓ ରାଜ୍ୟ ଜୟ ପାଇଁ ଉଦ୍ଦିଷ୍ଟ ଥିଲା, ଧର୍ମପାଇଁ ନୁହେଁ। ଏପରିକି ଭାରତ ଉପରେ ୧୭ ଥର ଆକ୍ରମଣ କରିଥିବା ମହମୁଦ୍‌ ଗଜନୀ ମଧ୍ୟ ଲୁଟ୍‌ପାଟ୍‌ ଆଶାରେ ଆକ୍ରମଣ କରିଥିଲେ; କୌଣସି ଧର୍ମ ସ୍ଥାପନ ବା ପ୍ରଚାର ପାଇଁ ନୁହେଁ। ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ ସ୍ବାଧୀନ ଭାରତରେ ଗଣତନ୍ତ୍ରର ବିରୋଧ ନୀତି ‘ବ୍ୟକ୍ତି ଉପରେ ଗୋଷ୍ଠୀ’କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। କ୍ଷତ୍ରିୟ, ହିନ୍ଦୁ ଭୋଟବ୍ୟାଙ୍କକୁ ହରେଇବା ଭୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ବଲିଉଡ଼ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ରିଲିଜ୍‌ ନ କରେଇଦେବାପାଇଁ ସୁପ୍ରିମକୋର୍ଟର ଆଶ୍ରୟ ନେବା ହଉ କିମ୍ବା ୧୯୫୦ ଦଶକରେ ନେହେରୁ ମୁସ୍‌ଲିମ୍‌ ଭୋଟବ୍ୟାଙ୍କ ପାଇଁ ଜାମାମସ୍‌ଜିଦ୍‌ର ଇମାମ୍‌ ବୁଖାରିଙ୍କର ଆଶ୍ରୟ ନେବା ହେଉ, ଏ ସବୁ ପ୍ରମାଣ କରେ ଯେ ବ୍ୟକ୍ତି ଅପେକ୍ଷା ରାଜନୀତିରେ ଗୋଷ୍ଠୀର ପ୍ରାଧାନ୍ୟ ଅଧିକ। ସ୍ବାଧୀନତାର ପ୍ରଥମ ଦୁଇଦଶନ୍ଧି ଧରି କୌଣସି ରାଜନୈତିକ ଦଳର ଜାତି,ଧର୍ମ ଭିତ୍ତିକ ଶାଖା ନଥିଲାବେଳେ ଏବେ ପ୍ରତ୍ୟେକଟି ଦଳରେ ଜାତିଧର୍ମ ଭିତ୍ତିକ ଶାଖାଗୁଡ଼ିକ ଫୁଟିଉଠିଛି। ଏପରିକି ଧର୍ମଜାତି ଭିତ୍ତିକ ରାଜନୈତିକ ଦଳ ଯେପରିକି ଅକାଳୀଦଳ, ଶିବସେନା ଆଦି କ୍ଷମତା ହାସଲରେ ମଧ୍ୟ ସଫଳ ହୋଇଛନ୍ତି।
ଗତବର୍ଷ ଅଭିରାମ ସିଂହ ବନାମ କୋମୋଚେନ (୨୦୧୭) ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ନିର୍ବାଚନବେଳେ ଜାତି, ଧର୍ମ, ଲିଙ୍ଗ, ଭାଷାକୁ ନେଇ ଟୀକାଟିପ୍‌ପଣୀ କରିବା, ସେଇ ଆଧାରରେ ଭୋଟଭିକ୍ଷା କରିବା କିମ୍ବା ଭୋଟଦାନରୁ ବିରତ ରହିବାପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଇବା ଏକ ଦୁର୍ନୀତିଗତ ଅପରାଧ ବୋଲି ବିବେଚନା କରାଯିବ। ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୩)ରେ ବର୍ଣ୍ଣିତ ଥିବା ସଂାପ୍ରଦାୟିକ ଟିପ୍‌ପଣୀ ଆଇନସିଦ୍ଧ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।
ଆଜିର ପରିସ୍ଥିତିରେ ଧର୍ମଯୁଦ୍ଧ, ସାଂପ୍ରଦାୟିକ ହିଂସାର ପୃଷ୍ଠଭୂମି ଉପରେ ଦୃଷ୍ଟିନିକ୍ଷେପ କଲେ ଜଣାଯାଏ ଯେ ଏ ସବୁର ସୃଷ୍ଟିକର୍ତ୍ତା ଧର୍ମ ନୁହେଁ ବରଂ ଧର୍ମଭିତ୍ତିକ ରାଜନୀତି ଅଟେ। ସେ ଇଜିପ୍‌ଟ୍‌ରେ ବୋକୋ ହାରାମ୍‌ର ଖ୍ରୀଷ୍ଟିୟାନ ଦଙ୍ଗା ହେଉ କିମ୍ବା କେତେକ ଦେଶରେ ସାରିୟତ୍‌ ଆଇନ୍‌ ଓ ମହିଳା ଦାସତ୍ବକୁ ଆଇନସିଦ୍ଧ କରିବା ହେଉ, ପ୍ରତିଟି କ୍ଷେତ୍ରରେ ରାଜନୀତି ଧର୍ମପାଇଁ ଏକ ମରଣଯନ୍ତା ପାଲଟିଛି। ଏବେ ଧର୍ମନିରପେକ୍ଷତାର ଠିକାଦାର ସାଜିଥିବା କିଛି ରାଜନୈତିକ ଦଳଗୁଡ଼ିକ ପ୍ରମାଣ କରିପାରିବେ କି ସେମାନେ କୌଣସି ନିର୍ଦିଷ୍ଟ ଧର୍ମର ବ୍ୟକ୍ତିବିଶେଷଙ୍କୁ ଗୋଷ୍ଠୀଗତ ଭୋଟବ୍ୟାଙ୍କ ଭାବେ ନୁହେଁ ବରଂ ବ୍ୟକ୍ତିଗତ ଭୋଟର ଭାବେ ବିବେଚନା କରନ୍ତି ବୋଲି? ପରିଶେଷରେ ପରିସ୍ଥିତି ବିଗିଡ଼ିବା ଆଗରୁ ରାଜନୀତିରେ ଧର୍ମ ପୁଞ୍ଜି ଉପରେ ରୋକ୍‌ ଲାଗିବା ସହ ଧର୍ମଭିତ୍ତିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବାର ଆବଶ୍ୟକତା ରହିଛି।

Leave A Reply