ପାକିସ୍ତାନ ସହ ପାଣିଯୁଦ୍ଧ

0

କୁହାଯାଏ ଝଡ଼ବେଳର ଶପଥ ପାଗ ବଦଳିଯିବା ସହିତ ଭୁଲି ହୋଇଯାଏ। ପୁଲୱାମାର ଯବାନ ସଂହାର ଘଟଣା ପରେ ସରକାରୀ ଭାବେ, ରାଜନୈତିକ ସ୍ତରରେ ଓ ସର୍ବୋପରି ଦେଶର ସର୍ବସାଧାରଣଙ୍କ ମଧ୍ୟରେ ଯେଉଁ ରାଗ, କ୍ଷୋଭ ଓ ପ୍ରତିଶୋଧପରାୟଣତା ଦେଖାଦେଇଛି ତାହା ଯେ ତତ୍କାଳ ଯୁଦ୍ଧର ରୂପ ନେବ, ସେ ସମ୍ଭାବନା କ୍ଷୀଣ। କ୍ରମଶଃ ସମସ୍ତେ ଥଣ୍ଡା ପଡ଼ିଯିବେ ଏବଂ ମୁମ୍ବଇ ଆକ୍ରମଣ, ସେନାଶିବିର ଉପରେ ଆତଙ୍କବାଦୀ ହମ୍‌ଲା ଓ ସଂସଦଭବନ ଆକ୍ରମଣ ଭଳି ପୁଲୱାମା ଘଟଣା ମଧ୍ୟ ଇତିହାସର କଥାବସ୍ତୁ ସିନା ପାଲଟିବ, ଏହା ଆଉ ଏକ ଭାରତ-ପାକ୍‌ ଲଢ଼େଇର ଇତିହାସ ସୃଷ୍ଟି କରିବ ନାହିଁ କିମ୍ବା ପାକ୍‌ ଆତଙ୍କବାଦୀ କାର୍ଯ୍ୟକୁ ସମୂଳେ ରୋକିପାରିବନି। ଦୁଇଟିଯାକ ଦେଶ ଅଣୁଅସ୍ତ୍ରର ଅଧିକାରୀ ହୋଇଥିବାରୁ ପୂର୍ଣ୍ଣାଙ୍ଗ ଓ ନିର୍ଣ୍ଣାୟକ ଯୁଦ୍ଧର ସୁଯୋଗ ସୀମିତ। ଦ୍ବିତୀୟ ପ୍ରସଙ୍ଗଟି ହେଉଛି ପାକ୍‌ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା ଭାରତପରି ଶକ୍ତିଶାଳୀ ଓ ସ୍ବାଧୀନ ନୁହେଁ। ସେଠାରେ ସେନା ହିଁ ଅସଲ ଶାସକ ଏବଂ ସରକାର ସଖିକଣ୍ଢେଇ। ମୁଲ୍ଲା ଓ ଆତଙ୍କବାଦୀ ସଂଗଠନଗୁଡ଼ିକ ଶାସନ ଏବଂ ସରକାରଙ୍କୁ ନିୟନ୍ତ୍ରିତ କରନ୍ତି।
ଏଭଳି ଅବସ୍ଥାରେ ପାକ୍‌ ପ୍ରାୟୋଜିତ ଆତଙ୍କବାଦକୁ ଦମନ କରାଯିବ କିପରି? ଏଥିପାଇଁ କୂଟନୈତିକ କୌଶଳ, ଆନ୍ତର୍ଜାତିକ ଚାପ ଏବଂ ଆର୍ଥିକ ଦୃଷ୍ଟିରୁ ପାକିସ୍ତାନକୁ ଦୁର୍ବଳ କରିବା ଏକମାତ୍ର ବାଟ। ଭାରତ ସେ ବିକଳ୍ପଗୁଡ଼ିକୁ କାମରେ ଲଗାଉଛି ଏବଂ ଏହାର କିଞ୍ଚିତ ପ୍ରଭାବ ମଧ୍ୟ ପଡ଼ିଲାଣି। ଆତଙ୍କବାଦ ଏପରି ଏକ ପ୍ରସଙ୍ଗ ଯାହା ବିଶ୍ବର ସବୁ ଦେଶପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଆନ୍ତର୍ଜାତିକ ସ୍ତରରେ ଭାରତ ଏ କ୍ଷେତ୍ରରେ ଯଥେଷ୍ଟ ସମର୍ଥନ ପାଉଛି।
ପାକିସ୍ତାନକୁ ବାଣିଜ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧାପ୍ରାପ୍ତ ରାଷ୍ଟ୍ର ତାଲିକାରୁ ଭାରତ ହଟାଇବା ପରେ ସେଠାରେ ଖାଉଟି ସାମଗ୍ରୀ ଉପରେ ଏହାର ପ୍ରଭାବ ଅନୁଭୂତ ହେଲାଣି ଏବଂ ଟମାଟୋ କିଲୋପିଛା ୨୦୦ ଟଙ୍କାରେ ପହଞ୍ଚିଲାଣି। ଆଉ କିଛିକାଳ ପରେ ପାକିସ୍ତାନୀ ବଜାରରେ ତାତି ଅଧିକ ଅନୁଭୂତ ହେବ। ଏହାସହିତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବାରୁ ପାକିସ୍ତାନକୁ ୩୭ ରାଷ୍ଟ୍ରବିଶିଷ୍ଟ ଏଫ୍‌ଏଟିଏଫ୍‌ ଗୋଷ୍ଠୀ କଳା ତାଲିକାରୁ ବାଦ ଦେବନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଏହାର ଅର୍ଥ ଏହି ଗୋଷ୍ଠୀ ପାକିସ୍ତାନକୁ ପୂର୍ବଭଳି ଏକ ପ୍ରକାର ଏକଘରିକିଆ କରି ରଖିବେ। ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି ପାଇଁ ଏହା ଏକ ଶକ୍ତ ଆଘାତ ଓ ଭାରତ ସକାଶେ ଏକ କୂଟନୈତିକ ବିଜୟ।
ଏବେ ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ଅମାନ୍ୟ କରି ଭାରତ ପାକିସ୍ତାନକୁ ପାଣି ନ ଦେବାକୁ ନିଷ୍ପତ୍ତି ନେଇଛି। ଏହା ଅତି ସହଜ ନ’ହେଲେ ମଧ୍ୟ ଏକ ସାହସିକ ପଦକ୍ଷେପ ଯାହା ଭାରତ କରି ଦେଖାଇବା ଉଚିତ; କାରଣ ପାକିସ୍ତାନର ଅର୍ଥନୀତି ସିନ୍ଧୁଜଳ ଉପରେ ବହୁୁଳଭାବେ ନିର୍ଭରଶୀଳ। ମରୁପ୍ରବଣ ପାକିସ୍ତାନରେ ସିନ୍ଧୁନଦୀ ଦେଶର ମଧୁରଜଳ ଆବଶ୍ୟକତାର ୮୦ଭାଗ ପୂରଣ କରିଥାଏ ଏବଂ ଏ ନଦୀ ଓ ଏହାର ଶାଖାଗୁଡ଼ିକ ଶୁଖିଗଲେ ବିକଳ୍ପ ଜଳଉତ୍ସର ବ୍ୟବସ୍ଥା ନାହିଁ। ୧୯୬୦ର ଚୁୁକ୍ତି ଅନୁସାରେ ଭାରତ ଦେଇ ପ୍ରବାହିତ ସିନ୍ଧୁ, ଚେନାବ ଓ ଝେଲମର ପୂର୍ଣ୍ଣ ଜଳ ପାକିସ୍ତାନ ପାଉଛି। ଭାରତ କେବଳ ରାବି, ବେଆସ୍‌ (ବିପାଶା) ଓ ସତଲେଜର ଜଳ ଉପଯୋଗ କରୁଛି। ବିଶ୍ବବ୍ୟାଙ୍କ ମଧ୍ୟସ୍ଥତାରେ ସ୍ବାକ୍ଷରିତ ଏହି ଚୁକ୍ତି ଅନୁସାରେ ସିନ୍ଧୁ ପ୍ରଣାଳୀର ୮୦% ପାଣି ପାକିସ୍ତାନ ନେଉଥିବାବେଳେ ଭାରତ ମାତ୍ର ୨୦ ଭାଗ ବ୍ୟବହାର କରୁଛି। ଏହି ନଦୀ ପ୍ରଣାଳୀର ଉପରମୁଣ୍ଡରେ ଭାରତ ଏକାଧିକ ଜଳଭଣ୍ଡାର ନିର୍ମାଣ କରିଥିବାବେଳେ ଆଉ କେତେକ ନିର୍ମାଣର ଶେଷ ଅବସ୍ଥାରେ। ଆହୁରି ମଧ୍ୟ ହିମାଳୟର ତୁଷାରସ୍ରୋତ ଯାହା ସିନ୍ଧୁ ନଦୀର ଜଳଉତ୍ସ, ତାହା କ୍ରମଶଃ କ୍ଷୀଣ ହେବାରୁ ଜଳପ୍ରବାହ କମୁଛି। ପଶ୍ଚିମ ପଞ୍ଜାବର ସୁକୁର ଡ୍ୟାମ ସମେତ ବିଭିନ୍ନ ସ୍ଥାନରେ ଏକାଧିକ ନଦୀବନ୍ଧ ନିର୍ମାଣ ଫଳରେ ସିନ୍ଧୁ ନଦୀ ଆଉ ଚିରସ୍ରୋତା ନୁହେଁ। ସିନ୍ଧୁ ମୁହାଣରେ ଅବସ୍ଥିତ ବନ୍ଦର ସହର ତଥା ଦେଶର ସର୍ବବୃହତ୍‌ ନଗରୀ କରାଚି ଉତ୍କଟ ଜଳାଭାବର ସମ୍ମୁଖୀନ। ସେଠାରେ ପାଣିଚୋରି ଓ ପାଣିପାଇଁ ଦଙ୍ଗା ଏକ ସାଧାରଣ ଘଟଣା। ନଦୀ ବ୍ୟବସ୍ଥାର ମଧ୍ୟଭାଗରେ ଦେଶର ଧନିକ ଓ ବାହୁବଳୀ ନେତାମାନେ ବନ୍ଧବାନ୍ଧି ପାଣି ଅଟକାଇ ଶିଳ୍ପ ଓ ଚାଷୀଙ୍କୁ ବିକୁଛନ୍ତି। ଏଥିରେ ପାଣି ମାଫିଆଙ୍କ ଦୌରାତ୍ମ୍ୟ ମଧ୍ୟ ଅଧିକ। ଫଳରେ ପାକିସ୍ତାନର କେନାଲ ବ୍ୟବସ୍ଥା ବିପର୍ଯ୍ୟସ୍ତ ଏବଂ ଶିଳ୍ପାଞ୍ଚଳସବୁ ଜଳାଭାବର ସମ୍ମୁଖୀନ। ଅତଏବ ଏଭଳି ଅବସ୍ଥାରେ ଭାରତ ଯଦି ନୂଆ ଡ୍ୟାମ ମାଧ୍ୟମରେ ପାଣି ଅଟକାଏ ପାକିସ୍ତାନର କୃଷି, ଶିଳ୍ପ ଓ ସାମାଜିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ନିଶ୍ଚିତ। ଭାରତ ଏଭଳି କିଛି କଲେ ପାକିସ୍ତାନ ଅବଶ୍ୟ ପ୍ରତିବାଦ କରିବ ଓ ଆନ୍ତର୍ଜାତିକସ୍ତରରେ ନିଶ୍ଚିତ ହଇଚଇ ସୃଷ୍ଟିହେବ।
ପାକିସ୍ତାନର ମଧୁର ଜଳସ୍ଥିତି ଅନୁଧ୍ୟାନ କରିବାପରେ କେତେକ ଆନ୍ତର୍ଜାତିକ ସଂସ୍ଥା ଯେଉଁ ରିପୋର୍ଟ ଦେଇଛନ୍ତି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ପାକିସ୍ତାନ ଏକ ଭୟଙ୍କର ଜଳଯୁଦ୍ଧର ସମ୍ମୁଖୀନ ହେଉଛି ବୋଲି ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ସିନ୍ଧୁ ଉପତ୍ୟକାର ଭୌଗୋଳିକ ସ୍ଥିତି, ବିଶ୍ବ ତାପମାତ୍ରା ବୃଦ୍ଧିଜନିତ ସ୍ଥିତି ଓ ଜଳ ପରିଚାଳନାରେ ପାକ୍‌ ସରକାରଙ୍କ ବିଫଳତା ଆଦିକୁ ମୁଖ୍ୟତଃ ଦାୟୀ କରାଯାଇଛି। ତେଣୁ ଏଭଳି ସ୍ଥିତିରେ ଭାରତ ଯଦି ସିନ୍ଧୁ ପାଣି ଅଟକାଇବ ପାକିସ୍ତାନ ଅବସ୍ଥା କ’ଣ ହେବ ତାହା ସହଜେ ଅନୁମେୟ। ଚୁକ୍ତି ସର୍ବଦା ସର୍ତ୍ତ ଆଧାରିତ। ପାକିସ୍ତାନ ଯେତେବେଳେ ସର୍ତ୍ତ ରକ୍ଷା କରୁନାହିଁ ଓ ଶତ୍ରୁତା ଆଚରଣ କରୁଛି ସେତେବେଳେ ଭାରତ ଏହାକୁ ମାନିବାର କୌଣସି ଯଥାର୍ଥତା ନାହିଁ। କଥାରେ ଅଛି ଯେସାକୁ ତେସା, ହାରାମଜାଦାକୁ କୁରାଢ଼ି ଫଶା। ଭାରତ ତା’ର ଧମକକୁ କଥାରେ ସୀମିତ ନରଖି କାର୍ଯ୍ୟରେ କରି ଦେଖାଉ।

Leave A Reply