ରାସ୍ତା ଲଢ଼େଇ ଓ ପରାଭବ

0

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆପଣାଢ଼ଙ୍ଗର ରାଜନୀତି କରିବାକୁ ଅଧିକୃତ; କିନ୍ତୁ ମୁଖ୍ୟମନ୍ତ୍ରୀ ଭଳି ଏକ ସାମ୍ବିଧାନିକ ପଦରେ ରହି ତାହାର ଦୁରୁପଯୋଗ କରିବାର ଅଧିକାର ତାଙ୍କର ନାହିଁ। ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସେ ତାଙ୍କର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସିବିଆଇ ଜେରାରୁ ସୁରକ୍ଷିତ କରିବା ପାଇଁ ରାସ୍ତାରେ ବସି ଯେଉଁ ମହାନାଟକ ଭିଆଇଲେ ଏବଂ ଯେଭଳି ଏଥିରୁ ଓହରିଲେ ତାହା ଦେଖିଲେ ମନେହୁଏ ଯେ ସେ ଏହି ସମଗ୍ର ପ୍ରକରଣରେ ଏକ ବଡ଼ ପରାଭବ ଲଭିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ନିଜର ନୈତିକ ବିଜୟ ​‌େ​‌ବାଲି କହି ଧାରଣା ଭାଙ୍ଗିବା ବୋଧହୁଏ ମମତାଙ୍କ ପାଇଁ ଏକମାତ୍ର ବାଟଥିଲା। ଏହି ଘଟଣାରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି କେତେକ ନେତାଙ୍କ ସମର୍ଥନ ଲାଭ କରିଥିବା କଥା ମିଛରେ କହି ମଧ୍ୟ ଧରାପଡ଼ି ଯାଇଛନ୍ତି। ତାଙ୍କୁ ରାହୁଳ ଗାନ୍ଧୀ, କେସିଆର, ବାମପନ୍ଥୀ ଓ ଆଉ କେତେକ ତୁଙ୍ଗ ବିରୋଧୀନେତାଙ୍କ ସମର୍ଥନ ମଧ୍ୟ ଏ ପ୍ରସଙ୍ଗରେ ନମିଳିବା ପଛରେ ରହିଛି ତାଙ୍କର ଅସ୍ଥିର ଓ ଅପ୍ରତ୍ୟାଶିତ ସ୍ବଭାବ ଓ ତତ୍‌ଜନିତ ନିଷ୍ପତ୍ତି। ଏକ ଚର୍ଚ୍ଚିତ ଦୁର୍ନୀତି ପ୍ରସଙ୍ଗରେ ତଦନ୍ତକୁ ବିରୋଧ କରିବା ନିଶ୍ଚିତ ଗ୍ରହଣୀୟ ନୁହେଁ ଏକଥା କିପରି ଦିଦି ବୁଝି ପାରୁନାହାନ୍ତି? ଏବେ ପଶ୍ଚିମବଙ୍ଗରେ ବିଜେପି ମମତାଙ୍କର ଏକ ନମ୍ବର ଶତ୍ରୁ ଏବଂ ସେ ନିଜର ରାଜନୈତିକ ସ୍ବାର୍ଥପାଇଁ ତା’ ବିରୋଧରେ ଲଢ଼ିବାରେ କିଛି ଅସୁବିଧା ନାହିଁ। ତାହାର ଅର୍ଥ ନୁହେଁ କଥାକଥାକେ ରାସ୍ତାକୁ ଓହ୍ଲାଇ, ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥାର ଦ୍ବାହି ଦେଇ ବିରୋଧୀଦଳର ନେତାମାନଙ୍କୁ ଡାକିହାକି ରାସ୍ତାରେ ନାଟକବାଜି କରିବା। ନିଜକୁ ସେ ଗଣତନ୍ତ୍ର ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ପ୍ରମୁଖ ରକ୍ଷାକର୍ତ୍ତ୍ରୀ ଭାବେ ଉପସ୍ଥାପିତ କରୁଥିବାବେଳେ ଭୁଲିଯାଉଛନ୍ତି ଯେ ତାଙ୍କର ପ୍ରତିଗାମୀ ବ୍ୟବହାର ଓ ପଦକ୍ଷେପମାନ ଗଣତାନ୍ତ୍ରିକ ବିଧି ଓ ସାମ୍ବିଧାନିକ ବ୍ୟବସ୍ଥାର ବାଟ ଓଗାଳୁଛି। ନିର୍ବାଚନ ପ୍ରଚାରରେ ଆସୁଥିବା କୌଣସିି ନେତା ମୁଖ୍ୟମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବାକୁ ଅନୁମତି ନ’ଦେବା କେତେ ଯୁକ୍ତିଯୁକ୍ତ?
ତେବେ ସେ ଯା’ହେଉ ମମତାଙ୍କ ସୁରକ୍ଷା ଓ ଅଭୟ ଭିତରେ ଥିବା ପୁଲିସ ଅଧିକାରୀ ଜଣକ ସିବିଆଇ ଜେରାର ସମ୍ମୁଖୀନ ​‌େ​‌ହବେ ଏକ ନିରପେକ୍ଷ ଇଲାକା ଶିଲଂରେ। ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇ ସିବିଆଇକୁ ମଧ୍ୟ ଛାଟ ମାରିଛନ୍ତି। ଏହାଫଳରେ ସଡ଼କ ଲଢ଼େଇର ଅବସାନ ଘଟିଛି ଏବଂ ଉଭୟ ମମତା ଓ ସିବିଆଇ ନିଜନିଜର ଅଧିକାର କ୍ଷେତ୍ରରେ ରହିବାକୁ ବାଧ୍ୟ ହୋଇଛନ୍ତି। ଚିଟ୍‌ଫଣ୍ଡ ଦୁର୍ନୀତି ଆମ ସମୟର ଏକ ଭୟଙ୍କର ତଥା ରାଜ୍ୟ ପ୍ରାୟୋଜିତ ସଂଗଠିତ ଠକେଇ। ଏଥିରେ ନେତା, ଅଧିକାରୀ, ପୁଲିସ ଓ ବହୁ ପ୍ରଭାବଶାଳୀ ସଂପୃକ୍ତ। ତେଣୁ ଏହାର ନିରପେକ୍ଷ ତଦନ୍ତ ଯଥାସମ୍ଭବ ସାରି ଦୋଷୀଙ୍କୁ ଦଣ୍ଡ ଏବଂ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଅର୍ଥ ଫେରାଇବାର ଆବଶ୍ୟକତା ରହିଛି। ଏହି ଘଟଣାକୁ ନେଇ ଆଉ ଅଧିକ ରାଜନୀତି ନ’ ହେଉ ଏବଂ ଲୋକଙ୍କୁ ଭୁଆଁ ବୁଲା ନ’ଯାଉ।

Leave A Reply