ଧର୍ମ ନିରପେକ୍ଷତା ଭାରତର ଆତ୍ମା

0

କିଶୋର ଶତପଥୀ

ଆମେରିକାରେ ଅନୁଷ୍ଠିତ ସିକାଗୋ ଧର୍ମ ସମ୍ମିଳନୀରେ େ‌ଯାଗଦେଇ ସ୍ୱାମୀ ବିବେକାନନ୍ଦ କହିଥିଲେ ଆମେ କେବଳ ସାର୍ବଜନୀନ ସହନଶୀଳତାରେ ବିଶ୍ୱାସ କରୁନା, ସବୁ ଧର୍ମକୁ ସତ୍ୟ ଭାବେ ଗ୍ରହଣ କରିଥାଉ। ଆମର ଶାସ୍ତ୍ର ମଧ୍ୟ କହିଛି ‘ଏକମ୍‌ ସତ୍୍‌ ବିପ୍ରା ବହୁଧା ବଦନ୍ତି।’ ୧୮୫୧ ମସିହାରେ ବ୍ରିଟେନର ଲେଖକ ଜର୍ଜ ଜାକବ ହୋଲେକଙ୍କର ଏକ ଉପନ୍ୟାସରେ ଧର୍ମ ନିରପେକ୍ଷ ଶବ୍ଦର ପ୍ରଥମ ପ୍ରୟୋଗ ହୋଇଥିଲା। ଧର୍ମ ଶବ୍ଦର ପ୍ରୟୋଗ ନକରି ସେ ଏପରି ଏକ ସମାଜ ସଂପର୍କରେ ବର୍ଣ୍ଣନା କରିବାକୁ ଚାହୁଁଥିଲେ ଯାହା ଉପରେ ଧର୍ମର କୌଣସି ପ୍ରଭାବ ପଡିବ ନାହିଁ। ତେବେ ଧର୍ମ ନିରପେକ୍ଷ ସମାଜରେ କୌଣସି ଧର୍ମ ଭାବନାକୁ ସମାଲୋଚନା କରାଯିବାର ପ୍ରଶ୍ନ ଉଠୁନାହିଁ। ଭାରତ ସ୍ୱାଧୀନ ହେବା ସମୟରେ ସରକାର ଗ୍ରହଣ କରିଥିବା ଧର୍ମ ନିରପେକ୍ଷ ବିଚାରକୁ ହିନ୍ଦୁତ୍ୱବାଦୀମାନେ ତୀବ୍ର ସମାଲୋଚନା କରିଥିଲେ। ସହନଶୀଳତା ଏବଂ ସବୁ ଧର୍ମକୁ ସମ୍ମାନ ପ୍ରଦାନ ବିଚାରକୁ ଘୃଣା କରି ତତ୍କାଳୀନ ସଂଘ ସରସଂଚାଳକ ଏମ.ଏସ.ଗୋଲୱାଲକର କହିଥିଲେ ଏହି ବିଚାରକୁ ଗ୍ରହଣ କରିବା ହେଉଛି ଦୁର୍ବଳତାର ଲକ୍ଷଣ। ସେ ମଧ୍ୟ କହିଥିଲେ ଯେ ୧୯୪୭ରେ ଭାରତ ପ୍ରକୃତ ସ୍ୱାଧୀନତା ଲାଭ କରିନାହିଁ। ନୂଆ ନେତାମାନେ ଜାତୀୟତାବାଦର ଏକ ବିକୃତ ବିଚାରକୁ ଗ୍ରହଣ କରିଛନ୍ତି ବୋଲି ସେ କହୁଥିଲେ। କ୍ଷେତ୍ରୀୟ ଜାତୀୟତାବାଦର ତୀବ୍ର ବିରୋଧ କରି ସେ କହିଥିଲେ ଏହା ହେଉଛି ଏକ ଭ୍ରାନ୍ତ ବିଚାରର ପ୍ରତିଫଳନ। ତାଙ୍କ ମତରେ କିଛି ରାଜନୈତିକ ଏବଂ ଅର୍ଥନୈତିକ ଅଧିକାରକୁ ନେଇ କଦାପି ଏକ ରାଷ୍ଟ୍ର ଗଠିତ ହୋଇନପାରେ। ହିନ୍ଦୁ ସଂସ୍କୃତିରେ ଗଣତନ୍ତ୍ରର ସ୍ଥାନ ନାହିଁ। କାରଣ ମନୁ ଶାସ୍ତ୍ରରେ ଏହାର ବର୍ଣ୍ଣନା କରାଯାଇନାହିଁ। କେବଳ ହିନ୍ଦୁଙ୍କ ବ୍ୟତୀତ ଭାରତରେ ଆଉ କେହି ପ୍ରକୃତ ନାଗରିକ ହୋଇପାରିବେ ନାହିଁ। ଅନ୍ୟ ଧର୍ମର ଲୋକେ ଭାରତରେ ଦ୍ୱିତୀୟ ଶ୍ରେଣୀର ନାଗରିକ ହୋଇ ରହିବେ। ମନୁବାଦୀଙ୍କର ଏହି ବିଚାରକୁ ଭାରତ ଗ୍ରହଣ କଲେ ଆଉ ଭାରତ ହୋଇରହିବ କି? ଏହାଦ୍ୱାରା ନିଜର ସ୍ଥିତିକୁ ଭାରତ ନିଜେ ଖଣ୍ଡନ କରିବ ନାହିଁକି? ନିଜର ଜନ୍ମଭୂମିରେ ଅଣହିନ୍ଦୁଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ କଦାପି ଚିନ୍ତା କରାଯାଇନପାରେ। ଏପରି ବିଚାର ଭାରତର ଆତ୍ମାକୁ ଭାଗଭାଗ କରିଦେବ। ୧୯୪୭ରେ ଧର୍ମକୁ ଭିତ୍ତିକରି କ୍ଷେତ୍ରୀୟ ବିଭାଜନ ହୋଇଥିଲା। ଏବେ ଧର୍ମକୁ ଭିତ୍ତିକରି ଭାରତର ଆତ୍ମାକୁ ବିଭାଜନ କରିବା ନିମନ୍ତେ ଧର୍ମାନ୍ଧମାନେ ଉଦ୍ୟମ ଆରମ୍ଭ କରିଛନ୍ତି।
ସାମାଜିକ ଏବଂ ନୈତିକ ମୂଲ୍ୟବୋଧର ଭିତ୍ତିଭୂମି ଉପରେ ଧର୍ମନିରପେକ୍ଷ ନୀତି ପ୍ରସ୍ତୁତ କରାଯାଇଛି। ଏକ ସୁସଂଯତ ସମାଜ ଗଠନ ଏବଂ ପରିଚାଳନା ନିମନ୍ତେ ଏହି ନୀତି ପ୍ରସ୍ତୁତ କରାଯାଇଛି। ସମାଜରେ ଧର୍ମର ସ୍ଥିତିକୁ ଏହା କୌଣସି ସମୟରେ ବାରଣ କରିନାହିଁ। ତେବେ କେଉଁସବୁ କ୍ଷେତ୍ରରେ ଧର୍ମର ପ୍ରବେଶ କରାଯିବ ନାହିଁ ତାହାକୁ ଏହି ନୀତି ଦ୍ୱାରା ସ୍ଥିର କରାଯାଇଛି। ଦୈବୀ କର୍ତ୍ତୃପକ୍ଷ ଦ୍ୱାରା ଏହା ପ୍ରସ୍ତୁତ କରାଯାଇନାହିଁ କିମ୍ବା ଦୈବୀ କର୍ତ୍ତୃପକ୍ଷଙ୍କର ଏଥି ପ୍ରତି ସ୍ୱୀକୃତି ନାହିଁ। ଏଥିପାଇଁ ବୋଧେ ମୌଳବାଦୀମାନେ ଧର୍ମନିରପେକ୍ଷ ବିଚାରର ବିରୋଧ କରନ୍ତି। ଦେଶ ସ୍ୱାଧୀନ ହେବାର ଅବ୍ୟବହିତ ପୂର୍ବରୁ ଫ୍ରାନ୍ସର ଦାର୍ଶନିକ ଆଣ୍ଡ୍ରି ମାଲକ୍ସ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପଚାରିଥିଲେ, ସ୍ୱାଧୀନ ହେବାପରେ ଦେଶରେ କ’ଣ କରିବା ଆପଣଙ୍କ ନିମନ୍ତେ ସବୁଠାରୁ କଷ୍ଟକର ହେବ? ନେହେରୁଙ୍କ ଉତ୍ତର ଥିଲା- ଭାରତ ପରି ଏକ ଧାର୍ମିକ ସମାଜରେ ଯଥାର୍ଥ ମାର୍ଗର ପ୍ରୟୋଗ କରି ଏକ ଯଥାର୍ଥ ସମାଜ ସ୍ଥାପନ କରି ଧର୍ମନିରପେକ୍ଷ ରାଷ୍ଟ୍ର ଗଠନ କରିବା ତାଙ୍କ ପାଇଁ କଷ୍ଟକର ହେବ।
ଭାରତୀୟ ସମାଜ ଏବଂ ଧର୍ମନିରପେକ୍ଷବାଦ ଏବେ ରାଜନୈତିକ ବେଷ୍ଟନୀ ମଧ୍ୟରେ ସୀମାବଦ୍ଧ ନୁହେଁ। ଆମ ଦେଶରେ ରାଜନେତାମାନେ ଏହାକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। କିଛି ରାଜନୈତିକ ଗୋଷ୍ଠୀ ମୁହଁରେ ଧର୍ମନିରପେକ୍ଷ ବୋଲି କହୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର ପ୍ରୟୋଗ କରୁନାହାନ୍ତି। ଦେଶର ଏକ ନିର୍ଦିଷ୍ଟ ରାଜନୈତିକ ଗୋଷ୍ଠୀ ପକ୍ଷରୁ ଧର୍ମନିରପେକ୍ଷ ନୀତିର ଉପହାସ କରାଯାଉଛି। କାରଣ ଏହି ଗୋଷ୍ଠୀର ରାଜନୈତିକ ଆଦର୍ଶ ଏହି ନୀତି ଉପରେ ଗଠନ କରାଯାଇନାହିଁ। ଧର୍ମନିରପେକ୍ଷ ନୀତିକୁ ଗ୍ରହଣ କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବା କେବଳ ଏକ ରାଜନୈତିକ ବିଚାର ନୁହେଁ, ଆମେ କିପରି ସମାଜ ଗଠନ କରିବାପାଇଁ ଚାହୁଁଛେ ତାହାର ସୂଚନା ଏଥିରୁ ମିଳିଥାଏ। ଯଦି ଆମର ସଂବିଧାନରୁ ଧର୍ମନିରପେକ୍ଷ ଶବ୍ଦକୁ ହଟାଇ ଦିଆଯାଏ ତେବେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡିବ। ଦେଶରେ ଘୋର ଅରାଜକତା ବ୍ୟାପିଯିବ। ସାମାଜିକ ବନ୍ଧନ ଛିଣ୍ଡିଯିବ। ଗୃହ ଯୁଦ୍ଧକୁ କେହି ଅଟକାଇ ପାରିବେ ନାହିଁ। ବାସ୍ତବରେ ଆମେ ଯଦି ଏକ ଧର୍ମନିରପେକ୍ଷ ସମାଜରେ ବାସ କରିବାକୁ ଚାହୁଁଛେ ତେବେ ସାର୍ବଜନୀନ କ୍ଷେତ୍ରରେ ନିଜକୁ କୌଣସି ଏକ ଧର୍ମ, ଜାତି ଏବଂ ଭାଷାର ନକହି ଏକ ରାଷ୍ଟ୍ରର ନାଗରିକ ବୋଲି ଭାବିବା ଏବଂ ସେହିପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ। ବିଭିନ୍ନତାରେ ଏକତା ହେଉଛି ଆମର ଐତିହ୍ୟ। ଏବେ ସେହି ଏକତାରେ ବିଭିନ୍ନତାର ବିଷକୁ ପ୍ରବେଶ କରାଇ ଆମର ଐତିହ୍ୟକୁ ଧ୍ୱଂସ କରିଦେବା ନିମନ୍ତେ ସୁଚିନ୍ତିତ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବାପରି ମନେହେଉଚି।
ଭାରତ ହେଉଛି ଏପରି ଏକ ରାଷ୍ଟ୍ର ଯେଉଁଠି ଗୋଟିଏ ଦେବତା ବା ଗୋଟିଏ ଧର୍ମର ପ୍ରାଧାନ୍ୟ ସମାଜ ଉପରେ ଦେଖାଯାଏ ନାହିଁ। ଏଠାରେ ଗୋଟିଏ ପରିବାରର ସଦସ୍ୟମାନେ ନିଜନିଜ ମନର ଦେବତାଙ୍କୁ ପୂଜା କରନ୍ତି। ଏହାକୁ ନେଇ ପରସ୍ପର ସହିତ ଲଢନ୍ତି ନାହିଁ। ଗୋଟିଏ ପିଣ୍ଡିରେ ସବୁ ଠାକୁର ସ୍ଥାନ ପାଇଥାଆନ୍ତି। ସବୁ ଧର୍ମ ମଧ୍ୟରେ ଉତ୍ତମ ସହାବସ୍ଥାନ ରହିଲେ ଯାଇ ଧର୍ମନିରପେକ୍ଷ ନୀତିର ଉଚିତ ପାଳନ କରାଯାଇପାରିବ। ଭାରତରେ ଜାତି,ଧର୍ମ ଭିତ୍ତିରେ ନାଗରିକର ଅଧିକାର ସାବ୍ୟସ୍ତ କରାଯାଏ ନାହିଁ। ଧର୍ମ ନିରପେକ୍ଷ ରାଷ୍ଟ୍ରରେ ରାଷ୍ଟ୍ର ଏବଂ ନାଗରିକଙ୍କ ମଧ୍ୟରେ କେବଳ ଆନୁଗତ୍ୟ ଭାବ ନଥାଏ, ନାଗରିକଙ୍କ ମଧ୍ୟରେ ବି ପରସ୍ପର ପ୍ରତି ଆନୁଗତ୍ୟ ଭାବ ଥାଏ। ଏକ ଧର୍ମନିରପେକ୍ଷ ସମାଜରେ ଜାତି, ଧର୍ମ ଏବଂ ଭାଷାର ସ୍ଥାନ ଗୌଣ ଥିବାବେଳେ ସାଂପ୍ରତିକ ବ୍ୟବସ୍ଥାରେ ଏହା ଉପରେ ପ୍ରାଧାନ୍ୟ ଦିଆଯାଉଥିବା ଲକ୍ଷ୍ୟ କରାଯାଉଛି। ଧର୍ମନିରପେକ୍ଷ ରାଷ୍ଟ୍ରରେ କୌଣସି ଧାର୍ମିକ ପ୍ରତିଷ୍ଠାନକୁ ରାଷ୍ଟ୍ର ପକ୍ଷରୁ ସମର୍ଥନ କରାଯାଏ ନାହିଁ, ସଂପ୍ରତି ତାହା ହେଉଛି। ସର୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଆରମ୍ଭ କଲାବେଳେ ମହାତ୍ମା ଗାନ୍ଧୀ ତାଙ୍କୁ କହିଥିଲେ ଯେ ଏହି ମନ୍ଦିର ନିର୍ମାଣରେ ରାଷ୍ଟ୍ରର ରାଜକୋଷରୁ ଗୋଟିଏ ପାହୁଲା ଯେପରି ନିଆନଯାଏ। ଏବେ ରାଷ୍ଟ୍ର ଧାର୍ମିକ ମେଳାପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇଦେଉଛି। ଏପରିକି ସନ୍ଥମାନଙ୍କ ନିମନ୍ତେ ପେନସନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଗଲାଣି।
ଏବେ ଭାରତର ଶାସକ ଗୋଷ୍ଠୀ ଯେପରି ଅତ୍ୟଧିକ ଧାର୍ମିକ ମନୋଭାବ ପ୍ରଦର୍ଶନ କରୁଛନ୍ତି ତାହାକୁ ଧର୍ମ କୁହାଯିବା ବୋଧେ ଠିକ ହେବନାହିଁ। ଧର୍ମ ନାମରେ ଆମର ଚାରିପଟେ ଯେଉଁ ବାତାବରଣ ସୃଷ୍ଟି ହୋଇଗଲାଣି ତାହା ବାସ୍ତବ ବୋଲି ଜଣାପଡୁନାହିଁ। ସାମାଜିକ ସ୍ତର ହେଉ ବା ରାଜନୈତିକ କ୍ଷେତ୍ର ହେଉ, ଏଥିରେ ନିଜର ସ୍ଥିତି ଜାହିର କରିବାଲାଗି ଧର୍ମକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଧର୍ମ ଏବଂ ଧନକୁ ମାଧ୍ୟମ କରି ଭାରତରେ ଯେପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ତାହା ବ୍ୟର୍ଥ ହେଉଥିଲା। ମହାତ୍ମା ଗାନ୍ଧୀ ଆନ୍ଦୋଳନର ନେତୃତ୍ୱ ନେବା ମାତ୍ରେ ସର୍ବଧର୍ମ ସମନ୍ୱୟର ଡାକରା ଦେଲେ। ଏହି ଆନ୍ଦୋଳନ ମଧ୍ୟରେ ଏକ ସର୍ବଭାରତୀୟ ଧାରା ସୃଷ୍ଟିହେଲା । ଗାନ୍ଧିଜୀଙ୍କ ଦ୍ୱାରା ପ୍ରୋତ୍ସାହିତ ଏହି ସର୍ବଭାରତୀୟ ମନୋଭାବ ଯୋଗୁ ଭାରତ ସ୍ୱାଧୀନତା ଲାଭ କଲା। ଭାରତୀୟ ସମାଜକୁ ଧର୍ମନିରପେକ୍ଷ କରିବା ଗୋଟିଏ ରାତିର ବିପ୍ଳବ ନୁହେଁ, ଏହା ହେଉଛି ଏକ ଐତିହାସିକ ପ୍ରକ୍ରିୟା। ଏହାକୁ ଦୃଢ କରିବାପାଇଁ ସମୟ ଆବଶ୍ୟକ। ଏଥି ନିମନ୍ତେ ରାଷ୍ଟ୍ର ଏବଂ ସମାଜକୁ ଭିନ୍ନ ଏକ ଧାରାରେ କାମ କରିବାକୁ ପଡିବ। ଏକ ଧର୍ମନିରପେକ୍ଷ ସମାଜ ବା ରାଜନୈତିକ ବ୍ୟବସ୍ଥାରେ ଧର୍ମକୁ ତ୍ୟାଗ କରାଯାଏ ନାହିଁ, ବରଂ ସବୁ ଧର୍ମକୁ ସମ୍ମାନ ପ୍ରଦର୍ଶନ କରାଯାଏ।
ଧର୍ମନିରପେକ୍ଷ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକର ଧାର୍ମିକ ଅଧିକାରକୁ ସୁରକ୍ଷା ପ୍ରଦାନ କରାଯାଇଥାଏ। ସଂପ୍ରତି ଦେଶରେ ଧର୍ମନିରପେକ୍ଷ ବିଚାର ଧାରା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ବିଚାର ପ୍ରତି ଘୃଣାଭାବ ପ୍ରଦର୍ଶନ କରି ଶାସନରେ ଥିବା ତୁଙ୍ଗ ନେତାମାନେ ଏହାକୁ ନକଲି ଧର୍ମନିରପେକ୍ଷ କହୁଛନ୍ତି। ଏମାନେ କିମ୍ବା ଏମାନଙ୍କ ପୂର୍ବ ପିଢି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇନଥିଲେ। ସଂବିଧାନର ବିରୋଧକରି ଏହାକୁ ପୋଡି ଦେଇଥିଲେ। ଜାତୀୟ ପତାକାରେ ଥିବା ଶାନ୍ତିର ପ୍ରତୀକ ଅଶୋକ ଚକ୍ରକୁ ଏମାନେ ବିରୋଧ କରିଥିଲେ। ସମାଜରେ ଶାନ୍ତି ନରହିଲେ ରାଷ୍ଟ୍ର କଦାପି ଧର୍ମ ନିରପେକ୍ଷ ହୋଇପାରିବ ନାହିଁ। ଏବେ ରାଜନୈତିକ ଫାଇଦା ନିମନ୍ତେ ସମାଜରେ ଅଶାନ୍ତି ଏବଂ ଘୃଣାର ବାର୍ତ୍ତାମାନ ପ୍ରଚାର କରାଯାଉଛି। ମୁକ୍ତ ବିଚାରଧାରାକୁ ହତ୍ୟା କରାଯାଉଛି। ସମୟର ଗତି ସହିତ ତାଳ ଦେଇ ଭାରତର ସମାଜରେ ବହୁ ବିଚାରଧାରାର ସମନ୍ୱୟ ଘଟିଥିବାରୁ ଭାରତୀୟ ସଭ୍ୟତା ୫ ହଜାର ବର୍ଷ ହେଲା ତିଷ୍ଠି ରହିଛି। ବିଭିନ୍ନ ସମୟରେ ଏହା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ ନିଜର ବୈଚାରିକ ଧାରାରେ ଅବିଚଳିତ ରହିଥିବାରୁ ତିଷ୍ଠି ରହିବା ସହିତ ସମୟର ବେଳାଭୂମିରେ ନିଜ ନିମନ୍ତେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।

Leave A Reply