ଏତେ କମ୍ବଳ ପାଇଁ ପଶମ କେଉଁଠୁ ଆସିବ?

0

ଶ୍ୟାମସୁନ୍ଦର ଅଗ୍ରୱାଲା

ଆମରି ଟଙ୍କା ଆମକୁ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆମେ ଦେଉଛୁ ବୋଲି ବାରମ୍ବାର ଡିଣ୍ଡିମ ପିଟି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ। ଥରେ ଭାବନ୍ତୁ ତ କେନ୍ଦ୍ର କହୁଛି ଯେ ତୁମେ ଯେଉଁ ଟଙ୍କିକିଆ ଚାଉଳ ପାଉଛ ସେଥିରେ ଆମେ ଦେଉଛୁ ପଚିଶ ଟଙ୍କା ଆଉ ତୁମ ରାଜ୍ୟ ଦେଉଛି ମାତ୍ର ତିନିଟଙ୍କା । ଠିକ୍‌ ସେହିପରି ରାଜ୍ୟ କହୁଛି ଯେ ତୁମ ଆୟୁଷ୍ମାନ ଯୋଜନାରେ ତୁମେ ଯେଉଁ ଟଙ୍କା ଦେଉଛ ଆମେ ତାକୁ ବର୍ଜନ କରୁଛୁ, ଆଉ ଆମେ ଆମ ଟଙ୍କା ଦେଇ ଆମର ସ୍ବାସ୍ଥ୍ୟର ଯୋଜନା ପ୍ରସ୍ତୁତ କରୁଛୁ।
ବାରମ୍ବାର ଏମିତି ଆମ ଟଙ୍କା ଆଉ ତୁମ ଟଙ୍କା ଭିତରେ ପ୍ରଶ୍ନ ଉଠୁଛି ପ୍ରକୃତରେ ଟଙ୍କାଟା କାହାର? କେନ୍ଦ୍ରର ନା ରାଜ୍ୟର? କାହା ଟଙ୍କା କିଏ କାହାକୁ ଦେଉଛି? କେନ୍ଦ୍ର ହେଉ କି ରାଜ୍ୟ ହେଉ ଟଙ୍କା କ’ଣ ସେମାନେ ତାଙ୍କ ଘରୁ ଆଣିଛନ୍ତି? ଆଜ୍ଞା, ସତ କହିବାକୁ ଗଲେ ରାଜ୍ୟର ହେଉ କି କେନ୍ଦ୍ରର ହେଉ, ଟଙ୍କା ହେଉଛି ଆମର। ଆମରି ଝାଳବୁହା ଟଙ୍କାରେ ଗଢ଼ି ଉଠୁଛି ଆମ ରାଜକୋଷ, ଯାହାର ରକ୍ଷଣାବେକ୍ଷଣ ଓ ଖର୍ଚ୍ଚ କରିବାର ଦାୟିତ୍ବ ନେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏହି ରାଜକୋଷରୁ ମନଇଚ୍ଛା ଟଙ୍କା ଖର୍ଚ୍ଚ କରିବାର ଅଧିକାର କାହାରି ନାହିଁ। ଆଉ ଯଦିବା ଖର୍ଚ୍ଚ କଲେ ତେବେ ଆମ ଟଙ୍କା ଆମକୁ ଦେଇ ଉଭୟ ଆମେ ଦେଉଛୁ ବୋଲି ବାରମ୍ବାର ଗର୍ବର ସହ ଘୋଷଣା କରିବା ମଧ୍ୟ ସୁନ୍ଦର ଶୁଭେ ନାହିଁ।
ଏହି ପରିପ୍ରେକ୍ଷୀରେ ପୁରାଣର ଦି’ଟା ଛୋଟଛୋଟ କଥା ଆଲୋଚନାଯୋଗ୍ୟ। ଦ୍ବାପର ଯୁଗର କଥା। ଦ୍ବାରିକାଧୀଶ ଶ୍ରୀକୃଷ୍ଣ ଯେତେବେଳେ ତାଙ୍କ ବାଲ୍ୟବନ୍ଧୁ ଗରିବ ସୁଦାମାକୁ ସାହାଯ୍ୟ କରିବାକୁ ଯାଇ ଦ୍ବାରକାର ରାଜକୋଷକୁ ଉନ୍ମୁକ୍ତ କରିଦେଲେ ସେତେବେଳେ ତାଙ୍କର ପତ୍ନୀମାନେ, ଯେଉଁମାନେ ଲକ୍ଷ୍ମୀଙ୍କର ଜଣେଜଣେ ଅବତାର, ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତକୁ ଧରି ପକେଇଲେ ଓ ସମଗ୍ର ରାଜକୋଷକୁ ଜଣେ ଦରିଦ୍ର ବ୍ରାହ୍ମଣ ବନ୍ଧୁଙ୍କୁ ଦେଇ ନଦେବା ପାଇଁ ଅନୁରୋଧ କଲେ। ବନ୍ଧୁଙ୍କ ଦାନସୂତ୍ରରେ ରାଜା ସାମାନ୍ୟ ଅର୍ଥ ଦେଇପାରନ୍ତି, କିନ୍ତୁ ଭାବବିହ୍ବଳ ହୋଇ ସମଗ୍ର ରାଜକୋଷକୁ ଦାନ କରିବାର ଅଧିକାର ତାଙ୍କର ମଧ୍ୟ ନାହିଁ। ଏ କଥା ପ୍ରଭୁ ଶ୍ରୀକୃଷ୍ଣ ହୃଦ୍‌ବୋଧ କରିଥିଲେ ଓ ତତ୍‌କ୍ଷଣାତ ରାଜକୋଷ ବନ୍ଦ କରିଦେଇଥିଲେ।
ଗୁରୁ ଦ୍ରୋଣ ଓ ରାଜା ଦ୍ରୁପଦ ଦୁହେଁ ବାଲ୍ୟବନ୍ଧୁ ଥିଲେ। ବାଲ୍ୟକାଳରେ ଥରେ ଦ୍ରୁପଦ ବନ୍ଧୁ ଦ୍ରୋଣଙ୍କ ସହିତ ଖେଳୁଥିବାବେଳେ ତାଙ୍କୁ ପ୍ରତିଜ୍ଞା କରିଦେଇ କହିଦେଲେ ଯେ ବଡ଼ହୋଇ ସେ ଯେଉଁ ସମ୍ପତ୍ତିର ଅଧିକାରୀ ହେବେ ସେଥିରୁ ଅର୍ଦ୍ଧେକ ସମ୍ପତ୍ତି ତାଙ୍କୁ ଦାନ କରିଦେବେ। ସମୟକ୍ରମେ ରାଜପୁତ୍ର ଦ୍ରୁପଦ ବଡ଼ହୋଇ ପାଞ୍ଚାଳ ଦେଶର ରାଜା ହେଲେ। ଦ୍ରୋଣ ଯେଉଁ ଦରିଦ୍ରକୁ ସେହି ଦରିଦ୍ର ରହିଲେ। ଦିନେ ଦ୍ରୋଣ ଅତ୍ୟନ୍ତ ଅଭାବଗ୍ରସ୍ତ ଥିବାବେଳେ ରାଜା ଦ୍ରୁପଦଙ୍କର ଦରବାରରେ ପହଞ୍ଚିଲେ ଓ ରାଜାଙ୍କୁ ତାଙ୍କ ବାଲ୍ୟକାଳର ପ୍ରତିଜ୍ଞା ମନେପକେଇ ରାଜ୍ୟର ଅର୍ଦ୍ଧେକ ସମ୍ପତ୍ତି ଦାବି କରିଥିଲେ। ରାଜା ଦ୍ରୁପଦ କିନ୍ତୁ ତାଙ୍କୁୁ ରୋକଠୋକ୍‌ ମନା କରିଦେଇ କହିଥିଲେ ଯେ ରାଜକୋଷ ହେଉଛି ପାଞ୍ଚାଳ ରାଜ୍ୟର ସମ୍ପତ୍ତି। ‘ଗରିବ ବ୍ରାହ୍ମଣ ହିସାବରେ ତୁମେ କିଛି ରାଜାକୁ ଦାନ ମାଗିପାର କିନ୍ତୁ ଅଜ୍ଞାନ ବାଲ୍ୟ ଅବସ୍ଥାର ପ୍ରତିଜ୍ଞା ରକ୍ଷା କରିବା ବାହାନାରେ ରାଜ୍ୟର ଅ​‌େ​‌​‌ର୍ଦ୍ଧକ ସମ୍ପତ୍ତି ମାଗିବା ତୁମର ଧୃଷ୍ଟତାର ପରିଚୟ ଦିଏ। ମୁଁ ଏ ପ୍ରତିଜ୍ଞା ରକ୍ଷା କରିବାକୁ ଅସମର୍ଥ।’ ବନ୍ଧୁଙ୍କୁ ଏପରି ରୋକଠୋକ୍‌ କଥାବାର୍ତ୍ତା ହୁଏତ ଅନେକଙ୍କୁ ଭଲ ଲାଗି ନପାରେ, କିନ୍ତୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଦ୍ରୁପଦଙ୍କ ନିଷ୍ପତ୍ତି ଯଥାର୍ଥ ଥିଲା। ପାଞ୍ଚାଳ ରାଜ୍ୟର ରାଜକୋଷ ଦ୍ରୁପଦଙ୍କର ନୁହେଁ। ଅଧିକାର ଥିଲେ ମଧ୍ୟ ସେଥିରୁ ଅର୍ଦ୍ଧାଧିକ ଟଙ୍କା ତାଙ୍କର କୌଣସି ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ ଦାନସୂତ୍ରରେ ନିଜର ବନ୍ଧୁଙ୍କୁ ଦେଇଦେବା ନିଶ୍ଚିତ ରୂପେ ଅନ୍ୟାୟ ହୋଇଥାନ୍ତା ବୋଲି ଆପଣମାନେ ନିଶ୍ଚୟ ସ୍ବୀକାର କରିବେ।
ଭାରତବର୍ଷରେ ବର୍ତ୍ତମାନ ଚାଲିଛି କ’ଣ? ପ୍ରାୟ ସବୁ ରାଜନେତାମାନେ କହୁଛନ୍ତି ‘ଆମକୁ ଭୋଟ ଦିଅ, ଆମେ ତୁମକୁ ଟିଭି ଦେବୁ, ଲ୍ୟାପଟପ ଦେବୁ, ଘଣ୍ଟା ଦେବୁ, ସାଇକଲ ଦେବୁ, ଜୋତା ଦେବୁ, ଛତା ଦେବୁ। ଆମେ ତୁମ ପୁଅକୁ ମଟରସାଇକେଲ ଦେବୁୁ। ଆମେ ତୁମ ଝିଅକୁ ସୁନାଗହଣା ଦେବୁ। ଆମେ ତୁମକୁ ଘର ଦେବୁ, ଆମେ ତୁମକୁ ଗାଡ଼ି ଦେବୁ, ହାତୀ ଦେବୁ, ଘୋଡ଼ା ଦେବୁ। ଋଣ କରିଛ? ଚିନ୍ତା କର ନାହିଁ। ଆମେ ତୁମର ଋଣ ମାଫ୍‌ କରିଦେବୁ। ବେକାର ବସିଛ? ବ୍ୟସ୍ତ ହୁଅନାହିଁ। ଆମେ ତୁମକୁ ବେକାରୀ ଭତ୍ତା ଦେବୁ। ତୁମେ କେବଳ ତୁମର ଭୋଟ ଖଣ୍ଡିକ ଆମକୁ ଦିଅ ଆଉ ଆମଠୁ ଯାହା ତାହା ନିଅ।’ ଏଠି ପ୍ରଶ୍ନ ଉଠେ, ତୁମେ କିଏ? କେମିତି ଦେବ? ଏସବୁ ଦେବାପାଇଁ ଟଙ୍କା କେଉଠୁଁ ଆଣିବ? ଯଦି ତୁମର ଦେବାକୁ ଏମିତି ଇଚ୍ଛା ହେଉଛି ତେବେ ଏବେ ଦେଇ ଦେଉନ କାହିଁକି? ଆମେ ତୁମକୁ ଭୋଟ ଦେବାପରେ କେମିତି ଦେବ? ଏହାର ସିଧାସଳଖ ଅର୍ଥ ହେଉଛି ତୁମେ କ୍ଷମତାକୁ ଆସିଲେ ଆମରି ଟଙ୍କାକୁ ଆମକୁ ଦେଇ ତୁମେ ଦେଇଛ ବୋଲି ଡିଣ୍ଡିମ ପିଟିବ।
ଆଜ୍ଞା, ଏ ସବୁ ଦେଖିଲେ ଶୁଣିଲେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଗୋଟେ ମେଣ୍ଢାଛୁୁଆ କଥା ମନେ ପଡ଼େ। ଥରେ ମେଣ୍ଢାରାଜା ଘୋଷଣା କରି କହିଲେ ଯେ ତାଙ୍କ ରାଜ୍ୟର ସମସ୍ତ ମେଣ୍ଢାଙ୍କୁ ଶୀତଦିନରେ ଘୋଡ଼ିହୋଇ ଶୋଇବାକୁ ସେ ଦୁଇଟି ଲେଖାଏଁ ବଡ଼ କମ୍ବଳ ଉପହାର ଦେବେ। ଏ ଘୋଷଣା ଶୁଣି ସବୁ ମେଣ୍ଢା ଆନନ୍ଦରେ ନାଚି ଉଠିଲେ। ଗୋଟିଏ ଛୁଆମେଣ୍ଢା ଏମାନଙ୍କର ନାଚ ଦେଖି ଭକୁଆ ଭଳି ସମସ୍ତଙ୍କୁ ଅନେଇ ରହିବାରୁ ସମସ୍ତେ ସେ ବୁଝିପାରୁନି ବୋଲି ଭାବି ତାକୁ ଭିଡ଼ିଆଣି ଜବରଦସ୍ତ ତାଙ୍କ ସହିତ ନଚେଇବାକୁ ଲାଗିଲେ। ସେ ତଥାପି ନାଚିବାକୁ ରାଜି ନହେବାରୁ ସମସ୍ତେ ତାକୁ ପ୍ରଶ୍ନ କଲେ ‘କିରେ, ନାଚୁନୁ କାହିଁକି?’ ରାଜା ପରା ସମସ୍ତଙ୍କୁ ଦୁଇ ଦୁଇଟି କମ୍ବଳ ଦେବେ ବୋଲି ଘୋଷଣା କରିଛନ୍ତି। ତୋତେ କ’ଣ ଏକଥା ଶୁଣି ଖୁସି ଲାଗୁନି?’ ମେଣ୍ଢା ଛୁଆଟି କହିଲା ‘ଭାଇ ନାଚିବି ଯେ ହେଲେ ମୁଁ ଜାଣିପାରୁନି ଏତେ କମ୍ବଳ ପାଇଁ ରାଜା ପଶମ କେଉଁଠୁ ଆଣିବେ?’
୯୭, ଜନପଥ, ଭୁବନେଶ୍ବର

Leave A Reply