ନିର୍ବାଚନ ଜୁଆଖେଳରେ କରଦାତାଙ୍କ ଧନ

0

ପଞ୍ଚାନନ କାନୁନ୍‌ଗୋ

ନିର୍ବାଚନ ଆସିଲେ ଘୋଷିତ ଓ ଅଘୋଷିତ ଅର୍ଥ ଲଗାଣର ମାତ୍ରା ବଢ଼ିଚାଲେ। ଅଘୋଷିତ ଅର୍ଥରାଶି କରଦାତାଙ୍କର ନୁହେଁ। ଏହା ମୁଖ୍ୟତଃ ଲାଞ୍ଚଦାତା ଓ ପୁଞ୍ଜି ଠୁଳକାରୀଙ୍କର ଧନ, ହେଲେ ଘୋଷିତ ଅର୍ଥ ଲଗାଣ ସବୁବର୍ଗର କରଦାତାଙ୍କର ଧନ। ପ୍ରତ୍ୟକ୍ଷ କର ଓ ପରୋକ୍ଷ କରଦାତାଙ୍କର ପ୍ରଦତ୍ତ ବୃହତ୍ ଅର୍ଥରାଶିରୁ ଖୋଲାଖୋଲି ଭାବେ ସରକାରମାନେ ଭୋଟ ଜୁଆରେ ଲଗାଇବାରେ ଲାଗିଛନ୍ତି। କେନ୍ଦ୍ରରେ ଥିବା ଏନ୍.ଡି.ଏ ସରକାର ହୁଅନ୍ତୁ ଅବା ରାଜ୍ୟରେ ଥିବା ବିଜୁ ଜନତା ଦଳ ସରକାର ହୁଅନ୍ତୁ, ନିଜ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ନିମନ୍ତେ ପ୍ରଚୁର ବିଜ୍ଞାପନ ଛାଡ଼ୁଛନ୍ତି। ଏଥିରେ ହଜାର ହଜାର କୋଟି ଟଙ୍କାର ଅର୍ଥରାଶି ବିନିଯୋଗ ହେଉଛି। ସମସ୍ତ ଗଣମାଧ୍ୟମ, ଛପା ସମ୍ବାଦ ହେଉ ଅଥବା ବିଦ୍ୟୁତ ଗଣମାଧ୍ୟମ ହେଉ, ନିଜର ନିଜ ସାମଗ୍ରୀର ପ୍ରଚାର ଛାଡ଼ୁଛନ୍ତି। ଏଥିରେ ଲୋକ ସଚେତନତା ଅପେକ୍ଷା ବେପାରୀ ମନୋଭାବ ଅଧିକ ପ୍ରତିଫଳିତ ହେଉଥିବା ଦେଖାଯାଉଛି। ବଜାର ଅର୍ଥନୀତିରେ ଗ୍ରାହକକୁ ଆକୃଷ୍ଟ କରିବାପାଇଁ ଏ ସମସ୍ତ ଉଦ୍ଦିଷ୍ଟ ପରି ମନେହୁଏ। ଏଥିରେ ଯୋଡ଼ିହୋଇ ରହିଛି ବ୍ୟୟବହୁଳ ପ୍ରତିମୂର୍ତ୍ତି ଉନ୍ମୋଚନ।
ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରରେ ଥିବା ଏନ୍.ଡି.ଏ ସରକାର ପାଖାପାଖି ୨.୩ଲକ୍ଷ କୋଟି ଟଙ୍କାର ପେଡ଼ି ଖୋଲିବା ସହ କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାଙ୍କର ଅର୍ଥଲଗାଣ ଉନ୍ମୁକ୍ତ କରିବା ଚେଷ୍ଟାରେ ଅଛନ୍ତି। ଚାଷୀମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଅନେକ ବଣ୍ଟନ କାର୍ଯ୍ୟକ୍ରମ ନିଶ୍ଚୟ ହେବ। ଅନେକ ଭାବରେ ରିଆତି ଦିଆଯାଉଛି। ସେଥିମଧ୍ୟରୁ ସବୁଠାରୁ ବଡ଼ ରିଆତି ଖାଦ୍ୟ ସୁରକ୍ଷା ବାବଦରେ ଦିଆଯାଇଥାଏ ଯାହାର ବାର୍ଷିକ ପରିମାଣ ୧,୬୯,୩୨୩ କୋଟି (୨୦୧୮-୧୯) ଟଙ୍କା ଓ ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟପାଇଁ ପ୍ରାୟ ୫୫,୦୦୦ କୋଟି ଟଙ୍କା ରଖାଯାଇଛି। ଚାଷୀମାନଙ୍କୁ କେନ୍ଦ୍ର ସରକାର ଦେବାକୁ ଥିବା ମୋଟ ସହାୟତା ରାଶି ଗୋଟିଏ ବଡ଼ ରକମର ହେବ। କାରଣ ଦେଶରେ ଗ୍ରାମୀଣ ପରିବାର ସଂଖ୍ୟା ମୋଟ ୧୭୯.୭ ମିଲିଅନ୍‌ର ପ୍ରାୟତଃ ୮୮.୯% ସହାୟତା ଅପେକ୍ଷାରେ ଅଛନ୍ତି। ଅଧିକନ୍ତୁ ସାଧାରଣ ଭୋଟଦାତାଙ୍କ ପରିବାରକୁ ଆକୃଷ୍ଟ କରିବା ନିମନ୍ତେ ଗ୍ୟାସ୍ ସିଲିଣ୍ଡର ଓ ଗ୍ୟାସ୍ ଯୋଗାଣରେ ରିଆତି ଘୋଷଣା ବୃଦ୍ଧି ପାଇବ। ପ୍ରତ୍ୟେକ ପରିବାରକୁ ମାସକୁ ୨୫ ହଜାର ଟଙ୍କା ଦେବା ସଂପର୍କରେ କଳ୍ପନାଜଳ୍ପନା ଚାଲିଛି। ଏଥିପାଇଁ ଲୋଡ଼ାଥିବା ଅର୍ଥରାଶି ସଂଗ୍ରହ କରିବାକୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ ଥିବା ଧନରାଶି ଉପରେ ଆଖି ପକାଇଛନ୍ତି। ସଂପ୍ରତି ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ ରାଶିର ପରିମାଣ ୧୦.୪୬ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଏଥିରେ ୬.୯ ଲକ୍ଷ କୋଟି ଟଙ୍କା ସୁନା ମୂଲ୍ୟାୟନ ଓ ଚଳନ୍ତି ଟଙ୍କା ଥିବାବେଳେ ୨.୩୨ ଲକ୍ଷ କୋଟି ଟଙ୍କା ଆପଦକାଳୀନ ପାଣ୍ଠିରେ ଅଛି। ଏହି ଅର୍ଥ ବ୍ୟତୀତ ପ୍ରତିବର୍ଷ ମିଳୁଥିବା ଲାଭାଂଶ ବିଭିନ୍ନ ବ୍ୟାଙ୍କମାନଙ୍କର ଅବସ୍ଥାକୁ ଦେଖି ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ପାଖାପାଖି ୭୭ ହଜାର କୋଟି ଟଙ୍କା ଦିଆସରିଲାଣି। ଉଚ୍ଚ ସୁଧହାରରୁ ଆସୁଥିବା ଅର୍ଥରାଶିରୁ ଏହି ଆୟ କୌଣସି ସମୟରେ ବାଣିଜ୍ୟିକ ଅସାମଞ୍ଜସ୍ୟ ଅବା ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ବୃଦ୍ଧିଜନିତ ସଂକଟର ସମ୍ମୁଖୀନ ହେବାପାଇଁ ରଖା ଯାଇଥାଏ। ତାହାସବୁ ଭୋଟ ବିକଳରେ ବ୍ୟୟ କରିଦେଲେ ସଂକଟ ସମୟରେ ଭାରତ ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବ।
ଦେଶବାସୀଙ୍କଠାରୁ ଆଦାୟ ହେଉଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ କରକୁ ପୁଞ୍ଜି ନିବେଶ ବା ପୁଞ୍ଜି ସୃଷ୍ଟିକାରୀ ବ୍ୟବସ୍ଥା ସୃଷ୍ଟିରେ ନ ଲଗାଇ ଅନେକ ଅଣ ଉତ୍ପାଦନକାରୀ କାର୍ଯ୍ୟରେ ଲଗାଇ କେନ୍ଦ୍ର ସରକାର ଯେ କରଦାତାଙ୍କ ପାଖରେ ଅକ୍ଷମଣୀୟ ଅପରାଧ କରିଥାନ୍ତି, ଏକଥା ସ୍ୱୀକାର କରିବାକୁ ହେବ। ବିନା ସୁଧରେ ଋଣ ଦେବା, ଋଣ ନୁହେଁ, ମାତ୍ର ମୂଳଧନ ଆଦାୟ ନ କରିବା କରଦାତାଙ୍କ ଧନର ଅପବ୍ୟବହାର ବୋଲି ଧରିବାକୁ ହୁଏ। ଏହି ମୂଳଧନ ନ ଦେବାରେ ବଡ଼ ବଡ଼ ପୁଞ୍ଜିପତି ହୁଅନ୍ତୁ ଅବା ଅଗଣିତ ବିଭିନ୍ନ ବର୍ଗର ଉପଭୋକ୍ତା ହୁଅନ୍ତୁ, ସମସ୍ତେ ସମଭାବରେ ଦାୟୀ ଏବଂ ଏଥିପାଇଁ ସରକାରୀ ନୀତି ମଧ୍ୟ ଦାୟୀ। ରାଜ୍ୟ ସରକାରମାନେ ଭୋଟ ହାତେଇବା ପାଇଁ ନିର୍ବାଚନ ସମୟରେ ଉଭୟ ପ୍ରତିଶ୍ରୁତି ଓ ମୁକ୍ତ ହସ୍ତରେ ଦାନ କରିବା ଆରମ୍ଭ କରି ଦେଉଛନ୍ତି। ସେହି ଦାନ ଭିତରେ ଦିନରାତି ଖାଇବା ଯୋଗାଇବା, କାଳିଆ ଯୋଜନା ମାଧ୍ୟମରେ ଛେଳି, କୁକୁଡ଼ା ପାଇଁ ଟଙ୍କା ବାଣ୍ଟିବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଚାଷକୁ ଉତ୍ପାଦନମୁଖୀ ନକରାଇ କେବଳ ଭୋଟ ସମୟରେ ଟଙ୍କା ବାଣ୍ଟିବା ହେଉଛି ଏପରି ସବୁ କାର୍ଯ୍ୟକ୍ରମ। ଉଚ୍ଚହାରରେ ସୁଧ ଲଗାଉଥିବା ‘ସ୍ୱୟଂ ସହାୟକ ଗୋଷ୍ଠୀ’କୁ ବାନ୍ଧି ରଖିବା ପାଇଁ ଗୋଷ୍ଠୀ ପିଛା ୧୫ ହଜାର ଟଙ୍କା ଅବା ବ୍ଲକ୍ ସ୍ତରରେ ସଂଘପାଇଁ ୨୫ଲକ୍ଷ ଟଙ୍କା ଦେବାବେଳେ ବ୍ୟାଙ୍କମାନଙ୍କରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦେବା ବ୍ୟବସ୍ଥା ହୋଇଛି। ପୂର୍ବରୁ ଏହି ସବୁ ଗୋଷ୍ଠୀକୁ ଦିଆଯାଇଥିବା ଅର୍ଥରାଶି ଓ ସହାୟତା ଋଣଭାବେ ଦିଆଯାଇଥିବା ଟଙ୍କା ସବୁର ବ୍ୟବହାର ସଂପର୍କରେ ସଚେତନ ରହିବା ଦରକାର। ଏଥିସହିତ ଏହି ୮ଲକ୍ଷରୁ ଊର୍ଦ୍ଧ୍ବ ‘ସ୍ୱୟଂ ସହାୟକ ଗୋଷ୍ଠୀ’ କ’ଣ ସବୁ ଆୟକାରୀ ବ୍ୟବସ୍ଥା କରିଛନ୍ତି ଅବା ପୁଞ୍ଜି ସୃଷ୍ଟିକାରୀ ବ୍ୟବସ୍ଥା କରିଛନ୍ତି ସେ ସବୁର ହିସାବ ହେବା ସହିତ ସମ୍ବଳ ସୃଷ୍ଟି କରିଛନ୍ତି କି ନାହିଁ ତାହା ଦେଖାଯାଇଛି କି ? ଗତ ବାତ୍ୟା ପରେ ମାଗଣା ଓ ରିଆତି ଦରରେ ଗାଈ, ଛେଳି ଆଦି ବଣ୍ଟନ କରାଯାଇଥିଲା। ସେସବୁର ସ୍ଥିତି କ’ଣ। ଆଦିବାସୀବହୁଳ ଅଞ୍ଚଳରେ ୨୦୦୩-୦୪ ମସିହାରୁ ଆରମ୍ଭ ହୋଇଥିବା ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଫଳାଫଳ ଦେଖିଲେ ଯେ କେହି ହତାଶ ହେବ। କେବଳ ଯାହା କାର୍ଯ୍ୟନିର୍ବାହୀମାନଙ୍କର ହାତ ଚିକ୍କଣ ହୋଇଛି ଓ କିଛି ରାଜନୈତିକ ନେତାଙ୍କର ସଂପତ୍ତି ବୃଦ୍ଧିରେ ସହାୟତା କରିଛି।
ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ବା ଇସ୍ତାହାର ଦେଖିବାକୁ ମିଳେ। ସେସବୁ କାର୍ଯ୍ୟକାରୀ କରାଯାଉ ନଥିବାରୁ ଭୋଟଦାତାମାନେ ରାଜନେତା ଓ ରାଜନୈତିକ ଦଳମାନଙ୍କଠାରୁ ବିଶ୍ୱାସ ହରାଇଥିଲେ। ଏବେ ସରକାରରେ ଥିବା ଦଳ ତତ୍‌କ୍ଷଣାତ ଦାନର ମାତ୍ରା ସଜାଡ଼ିଛନ୍ତି। ଫଳତଃ ଲୋକେ ଏହି ତତ୍‌କ୍ଷଣାତ ଅର୍ଥ ପାଇବାର ଲୋଭ ସମ୍ବରଣ ନ କରିପାରି ଆବେଦନ କରିବାକୁ ଧାଡ଼ି ବାନ୍ଧିଲେଣି। କରଦାତାଙ୍କର ଧନକୁ ନିର୍ବାଚନ ହାର୍‌ଜିତ୍‌ର ଜୁଆ ଖେଳରେ ଲଗାଇ ଥିବା ଏହିସବୁ ରାଜନୈତିକ ଦଳ କେବଳ ଭବିଷ୍ୟତର ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁଛନ୍ତି ତା ନୁହେଁ, ଏକ ରୁଗ୍ଣ ସାମାଜିକ ଅବସ୍ଥାର କାରଣ ହେବାର ଦେଖାଯିବ। ନିର୍ବାଚନର ଅଳ୍ପଦିନ ପୂର୍ବରୁ ମୁକ୍ତହସ୍ତ ଦାନ ବାଜି ରଖିବାର ପ୍ରତିଯୋଗିତାରେ ମାତିଥିବା ସମସ୍ତ ରାଜନୈତିକ ଦଳ ଓ ନେତାମାନେ ସ୍ମରଣ ରଖିବା ଉଚିତ ଯେ ଏହିସବୁ ଧନରାଶି କୋଟିକୋଟି କରଦାତାଙ୍କର ଅର୍ଥ। ଏହାର ସଦୁପଯୋଗ କରାଯାଇ ଅନେକ ଆୟ ସୃଷ୍ଟିକାରୀ ବ୍ୟବସ୍ଥା ହୋଇପାରିଥାନ୍ତା ଯେଉଁଥିରେ ଉତ୍ପାଦନବୃଦ୍ଧି ଘଟିଥାନ୍ତା, ନିଯୁକ୍ତି କ୍ଷେତ୍ର ପ୍ରସ୍ତୁତ ହୋଇ ପାରିଥାନ୍ତା ଓ ସର୍ବୋପରି କ୍ରୟଶକ୍ତି ବୃଦ୍ଧିରେ ସହାୟକ ହୋଇଥାନ୍ତା।

Leave A Reply