ଅମଲାତନ୍ତ୍ର ଉପରେ ସରକାରଙ୍କ କର୍ତ୍ତୃତ୍ବ

0

ଅଶୋକ କୁମାର ତାରେଣିଆ

ରାଜ୍ୟ ସରକାର କହିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀଙ୍କୁ ବୁଝାଏ। ଅମଲାତନ୍ତ୍ର ସରକାରଙ୍କ ଅଧୀନରେ। ସରକାରଙ୍କ ନିର୍ଦେଶାନୁଯାୟୀ ଅମଲାତନ୍ତ୍ର କାମ କରିବା କଥା। ରାଜ୍ୟର ଶାସନଭାର ନିର୍ବାଚିତ ଜନପ୍ରତିନିଧିଙ୍କ ହାତରେ ନ୍ୟସ୍ତ। ସରକାର ନୀତି ନିର୍ଦ୍ଧାରଣ କରନ୍ତି। ସେହି ନୀତିକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ଅମଲାତନ୍ତ୍ରର। ନିର୍ଦିଷ୍ଟ ବିଭାଗର ମନ୍ତ୍ରୀ ସେହି ବିଭାଗର ସର୍ବେସର୍ବା। ସେହି ବିଭାଗର ସଚିବ ଏବଂ ତଳିଆ କର୍ମଚାରୀମାନେ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଅଧୀନରେ କାମ କରିବା କଥା। ରାଜ୍ୟରେ ମନ୍ତ୍ରୀମାନେ ତାଙ୍କର ବିଭାଗୀୟ କାର୍ଯ୍ୟ ସମ୍ପାଦନ ପାଇଁ ବିଧାନସଭା ଏବଂ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ। କିନ୍ତୁ ଅମଲାତନ୍ତ୍ର ବା ବାବୁମାନେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେଉ ନଥିବାରୁ ସରକାରୀ କାର୍ଯ୍ୟ ସମ୍ପାଦନରେ ଅବହେଳା ପ୍ରଦର୍ଶନ କରିବାର ଅନେକ ଦୃଷ୍ଟାନ୍ତ ରହିଛି। ଅମଲାତନ୍ତ୍ର କରିଥିବା ଭୁଲସମୂହକୁ ବିଭାଗୀୟ ମନ୍ତ୍ରୀମାନେ ବିଧାନସଭାରେ ଅନେକ ସମୟରେ ନିଜର ଭୁଲ ବୋଲି ସ୍ବୀକାର କରିବାକୁ ବାଧ୍ୟ ହୋଇଥାନ୍ତି। ଅମଲାତନ୍ତ୍ରର କାର୍ଯ୍ୟ ଏପରି ହେବା କଥା ଯେପରି ମନ୍ତ୍ରୀମାନେ ସେମାନଙ୍କ ସାମ୍ବିଧାନିକ ଦାୟିତ୍ବ ନିର୍ବାହ କରିବାରେ ଅସୁବିଧାର ସମ୍ମୁଖୀନ ନ ହେବେ।
ଅମଲାତନ୍ତ୍ରର ଅବହେଳା ଯୋଗୁ ସରକାର ବହୁ ସମୟରେ ନ୍ୟାୟପାଳିକା ନିକଟରେ ଲଜ୍ଜିତ ହୁଅନ୍ତି ଏବଂ କୋଟିକୋଟି ଟଙ୍କା ରାଜକୋଷରୁ ଅଯଥାରେ ଖର୍ଚ୍ଚ ହୁଏ। ଓଡ଼ିଶା ସରକାର ‌େ​‌ଷ୍ଟଟ୍‌ ଲିଟିଗେସନ ପଲିସି ତିଆରି କରିଛନ୍ତି। ସରକାରଙ୍କ ବିରୋଧରେ ହେଉଥିବା କେସ୍‌ ସଂଖ୍ୟା ହ୍ରାସ କରିବା ଏହି ପଲିସିର ଉଦ୍ଦେଶ୍ୟ। ଯଦି ସମ୍ଭବ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ନେବା ଏହାର ଉଦ୍ଦେଶ୍ୟ; ମାତ୍ର ଅମଲାତନ୍ତ୍ରର ଅବହେଳା ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁ ମାମଲାର ସଂଖ୍ୟା ହ୍ରାସ ନ ପାଇ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। କୋର୍ଟକୁ ନିର୍ଦ୍ଧାରିତ ସମୟରେ ଉତ୍ତର ନଦେବା, କୋର୍ଟର ପ୍ରତିକୂଳ ମନ୍ତବ୍ୟ ବିରୋଧରେ ନିର୍ଦ୍ଧାରିତ ସମୟ ମଧ୍ୟ‌େ‌ର ଅପିଲ ନକରିବା, ସରକାରୀ ଚାକିରିଆଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ହେଉଥିବା ତଦନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦେଶ ଏବଂ ତତ୍‌ସଂଲଗ୍ନ ଆଇନ୍‌ ଅନୁଯାୟୀ ଅତିବେଶିରେ ବର୍ଷକ ମଧ୍ୟରେ ସମାପ୍ତ ନହେବା ଏବଂ ବର୍ଷବର୍ଷ ଧରି ତଦନ୍ତ ପ୍ରକ୍ରିୟା ଚାଲିବା, ତଦନ୍ତ ଅଧିକାରୀଙ୍କ ରିପୋର୍ଟକୁ ବିନା କାରଣରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ପୁନଃ ତଦନ୍ତ କରିବାପାଇଁ ନିର୍ଦେଶ ଦେବା, ନିୟମ ବାହାରକୁ ଯାଇ ନିର୍ଦିଷ୍ଟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଶହଶହ ସଂଖ୍ୟାର କେସ୍‌ ସୃଷ୍ଟି କରିବା ପ୍ରଭୃତି କେସ୍‌ ସଂଖ୍ୟା ବୃଦ୍ଧି ପାଇବା ଏବଂ ରାଜକୋଷ ଅର୍ଥଶୂନ୍ୟ ହେବାର ପ୍ରମୁଖ କାରଣ। ଏଥିରେ ମନ୍ତ୍ରୀମାନଙ୍କର ବିଶେଷ ସମ୍ପୃକ୍ତି ନଥାଏ।
ବହୁ ସମୟରେ ଦେଖାଯାଇଛି ଯେଉଁମାନେ ବନ୍ଦୋବସ୍ତ କମିସନର ବା ଚକବନ୍ଦୀ କମିସନର ବା ଯୁଗ୍ମ ଅଥବା ଅତିରିକ୍ତ କମିସନର ପଦରେ ଥାଆନ୍ତି ସେମାନେ ରିଭିଜନ୍‌ କେସ ଶୁଣାଣି ବେଳେ ସ୍ପଷ୍ଟ ଆଦେଶ ନଦେଇ ତଳକୋର୍ଟ ବା ତହସିଲଦାରଙ୍କ କୋର୍ଟକୁ ପୁଣି ଥରେ ନିୟମାନୁଯାୟୀ ଶୁଣାଣି କରି ଉପଯୁକ୍ତ ଆଦେଶଦେବା ପାଇଁ ପଠାଇ ଦେଇଥାନ୍ତି। ଏହା ରିଭିଜନ୍‌ କୋର୍ଟଙ୍କ ରାଜସ୍ବ ଆଇନ ବିଷୟରେ ଅଜ୍ଞତା ଅଥବା ପରିଶ୍ରମ କାତରତା ପାଇଁ ହୋଇଥାଏ। ଏହା ଫଳରେ ବାଦୀ ପ୍ରତିବାଦୀ ଉଭୟ ଆର୍ଥିକ କ୍ଷତି ସହିବା ସହ ମାନସିକ ଯନ୍ତ୍ରଣା ପାଇଥାନ୍ତି। ଏଥିରେ ମାମଲା ସମାପ୍ତ ହେବାପାଇଁ ଅହେତୁକ ବିଳମ୍ବ ହୋଇଥାଏ ଏବଂ ତଳକୋର୍ଟର ମାମଲା ସଂଖ୍ୟା ବଢ଼ିବଢ଼ି ଚାଲେ ଯାହା ଷ୍ଟେଟ ଲିଟିଗେସନ ପଲିସିର ବିରୋଧାଚରଣ କରୁଛି।
ମନ୍ତ୍ରୀମାନେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାପାଇଁ ଉନ୍ନତିମୂଳକ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପାଦନ କରିବାକୁ ଚାହୁଁଥିବାବେଳେ ବିଭାଗୀୟ ସଚିବମାନେ ବିଭିନ୍ନ କାରଣ ଦର୍ଶାଇ କାର୍ଯ୍ୟକୁ ବିଳମ୍ବ କରିବାର ଏକାଧିକ ଦୃଷ୍ଟାନ୍ତ ରହିଛି। ଏମାନେ ଯେଉଁ କାମ ଚାହାନ୍ତି ନାହିଁ ଏବଂ ଯାହା ସେମାନଙ୍କଦ୍ବାରା ସମ୍ପାଦନ ହୋଇପାରିଥାନ୍ତା ସେହି ସଂକ୍ରାନ୍ତ ଫାଇଲଗୁଡ଼ିକ ବିଭିନ୍ନ ବିଭାଗ ଯଥା ଅର୍ଥବିଭାଗ, ଆଇନବିଭାଗ, ସାଧାରଣ ପ୍ରଶାସନ ବିଭାଗ ପ୍ରଭୃତି ବିଭାଗର ମତାମତ ଲୋଡ଼ି ଅଯଥା ବିଳମ୍ବ କରିଥାନ୍ତି। ଉକ୍ତ ବିଭାଗଗୁଡ଼ିକୁ ସେମାନଙ୍କ ମତାମତ ଦେବାପାଇଁ କୌଣସି ସମୟସୀମା ରଖାଯାଇନାହିଁ। ମାତ୍ର ନ୍ୟାୟାଳୟ ଯଦି କୌଣସି ଏକ ମାମଲାରେ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ହେବାପାଇଁ ନିର୍ଦେଶ ଦେଇଥାନ୍ତି ତେବେ ସମ୍ପୃକ୍ତ ସଚିବମାନେ ବିଭିନ୍ନ ବିଭାଗର ମତାମତ ହାତାହାତି ଆଣିବାପାଇଁ ଅହେତୁକ ଆଗ୍ରହ ଦେଖାଇଥାନ୍ତି।
ସେକ୍ରେଟାରିଏଟ୍‌ ରୁଲ୍‌ସ ଅଫ ବିଜ୍‌ନେସ୍‌ ଅନୁଯାୟୀ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ କାର୍ଯ୍ୟବାଣ୍ଟିବା କ୍ଷମତା ମନ୍ତ୍ରୀଙ୍କର; ମାତ୍ର ବାସ୍ତବ କ୍ଷେତ୍ରରେ ଏହି କାମଟି ସଚିବଙ୍କ ଦ୍ବାରା ସମାହିତ ହୋଇଥାଏ ଏବଂ ବିଭାଗୀୟ କର୍ମଚାରୀମାନଙ୍କର ବାର୍ଷିକ ଚରିତ୍ର ପଞ୍ଜିକା ସଚିବଙ୍କ ପର୍ଯ୍ୟନ୍ତ ଯାଇଥାଏ। ଯାହା କିଛି ମନ୍ତ୍ରୀଙ୍କ ପାଖକୁ ଯାଏ, ସଚିବମାନଙ୍କ ଦ୍ବାରା ପ୍ରଦତ୍ତ ମତାମତକୁ ମନ୍ତ୍ରୀମାନେ ଗ୍ରହଣ କରିନେଇଥାନ୍ତି। ଫଳରେ ସଚିବାଳୟର କର୍ମଚାରୀମାନଙ୍କର ଅାନୁଗତ୍ୟ କେବଳ ସଚିବମାନଙ୍କ ପ୍ରତି ଥାଏ।
ବିଧାନସଭାର ପ୍ରଶ୍ନର ଉତ୍ତରଗୁଡ଼ିକ ଉପରେ ସଚିବମାନେ ମନ୍ତ୍ରିମାନଙ୍କୁ ଠିକ୍‌ ଭାବରେ ବୁଝେଇ ନପାରିବାରୁ ମନ୍ତ୍ରିମାନେ ବିଧାନସଭାରେ ଉତ୍ତର ଦେବାବେଳେ ହଟହଟା ହୁଅନ୍ତି। ବିଧାନସଭାର ପ୍ରଶ୍ନର ଉତ୍ତର ସଂକ୍ରାନ୍ତ ଆଲୋଚନା ଗୋଟିଏ ଦିନ ପୂର୍ବରୁ ନହୋଇ ଯଦି ଅତିକମ୍‌ରେ ତିନିଦିନ ପୂର୍ବରୁ ହୁଅନ୍ତା, ମନ୍ତ୍ରୀମାନେ ବିଧାନସଭାରେ ଠିକ୍‌ ଉତ୍ତର ଦେବାପାଇଁ ସକ୍ଷମ ହୁଅନ୍ତେ। ଅବଶ୍ୟ ଦକ୍ଷମନ୍ତ୍ରୀମାନେ ଏ ସବୁର ବ୍ୟତିକ୍ରମ ଅଟନ୍ତି। ମନ୍ତ୍ରୀମାନେ ବିଭିନ୍ନ ବିଷୟରେ ଆଲୋଚନା କେବଳ ସଚିବମାନଙ୍କ ମଧ୍ୟରେ ସୀମାବଦ୍ଧ ନରଖି ବିଶେଷଜ୍ଞ ତଥା କ୍ଷେତ୍ରାଧିକାରୀଙ୍କ ସହିତ ଆଲୋଚନା କରନ୍ତେ ତାହାହେଲେ ଠିକ୍‌ ତଥ୍ୟ ଜାଣି ଜନସାଧାରଣଙ୍କ ହିତପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତେ।
ମନ୍ତ୍ରୀମାନେ ଯେପର୍ଯ୍ୟନ୍ତ ରାଜନୀତିକୁ ପେସା ଭାବେ ଗ୍ରହଣ କରିଥିବେ, ତାଙ୍କର ଅମଲାତନ୍ତ୍ର ଉପରେ କର୍ତ୍ତୃତ୍ବ ରହିବନାହିଁ। ମନ୍ତ୍ରୀମାନଙ୍କୁ ଦକ୍ଷ ହେବାକୁ ପଡ଼ିବ ଏବଂ କଠୋର ନିଷ୍ପତ୍ତି ନେବାକୁ ହେବ। ତାହା ହେଲେ ଗଣତନ୍ତ୍ର ସୁଦୃଢ଼ ହେବ।
ପୂର୍ବତନ କମିସନର,
ଲ୍ୟାଣ୍ଡରେକର୍ଡସ ଓ ସେଟଲମେଣ୍ଟ, ଓଡ଼ିଶା

Comments
Loading...