ଭାରତରେ ନିର୍ବାଚନ ଚାନ୍ଦା ଓ କଳାଧନ

0

ସୂର୍ଯ୍ୟନାରାୟଣ କର

ଯାହା ଦେଖାଯାଇଛି ଅଥବା ଦେଖାଯାଉଛି, ଭାରତବର୍ଷରେ ଯେତେଗୁଡ଼ିଏ ରାଜନୈତିକ ଦଳ ନିର୍ବାଚନରେ ଅଂଶଗ୍ରହଣ କରନ୍ତି, ସେମାନେ ଗଭୀର ଆତ୍ମସନ୍ତୋଷ ସହିତ ପ୍ରଚାର କରନ୍ତି ଯେ ସେମାନଙ୍କର ଦଳ ନିର୍ବାଚନରେ ଆର୍ଥିକ ସ୍ବଚ୍ଛତା, ସଚ୍ଚୋଟତା ଉପରେ ସର୍ବାଧିକ ଗୁରୁତ୍ବ ଦିଅନ୍ତି ଏବଂ ନିର୍ବାଚନରେ କୌଣସି ପ୍ରକାର କଳାଧନ ଗ୍ରହଣ କରନ୍ତି ନାହିଁ। ସମଗ୍ର ଭାରତବର୍ଷରେ କୋଟି‌କୋଟି ଜନସାଧାରଣ ଏହାକୁ ଶୁଣି ​‌​‌​‌େସମାନଙ୍କ ମନ୍ତବ୍ୟରୁ ଦୂରରେ ରହନ୍ତି। ବାସ୍ତବରେ ଭାରତବର୍ଷରେ ନିର୍ବାଚନରେ କଳାଟଙ୍କାର ଉପଯୋଗ ହୁଏ କି ନାହିଁ ସେ ବିଷୟରେ ଦେଶର ନାଗରିକମାନେ ପ୍ରାୟତଃ ବିଶେଷ ଉତ୍ସାହ ପ୍ରଦର୍ଶନ କରନ୍ତି ନାହିଁ। ମାତ୍ର କଳାଟଙ୍କା ଓ ନିର୍ବାଚନ ଅଙ୍ଗାଙ୍ଗୀଭାବେ ଜଡ଼ିତ ଓ ଏହା ଅତ୍ୟନ୍ତ ସ୍ପର୍ଶକାତର ବିଷୟ।
ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତବର୍ଷରେ ନିର୍ବାଚନ ସମୟରେ, ବିଶେଷ ଭାବରେ ରାଜ୍ୟମାନଙ୍କରେ ବିଧାୟକମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ହେଉ ଅଥବା କେନ୍ଦ୍ରରେ ସାଂସଦମାନଙ୍କୁ ନିର୍ବାଚନ ପାଇଁ ହେଉ, ଯେଉଁ ଅଦୃଶ୍ୟ ଅଘୋଷିତ, ହିସାବ ବହିର୍ଭୂତ କୋଟିକୋଟି ଟଙ୍କାର ବିପୁଳ ଅର୍ଥ ରାଶି ବନ୍ୟାର ସୁଅପରି ଖର୍ଚ୍ଚ ହୋଇଯାଏ, ତାହା କଳାଧନ ନୁହେଁ ତ ଆଉ କ’ଣ? ଏପରି ବିପୁଳ ଅର୍ଥ କେଉଁ ସୂତ୍ରରୁ ଆସେ, ତା’ର ଦାତା ଗ୍ରହୀତା ସମ୍ପର୍କରେ ଜାଣିବା ସାଧାରଣ ଜନତାଙ୍କ ପାଇଁ ଏକ କଷ୍ଟକର ବ୍ୟାପାର । ଖାଲି ସେତିକି ନୁହେଁ, ଭାରତବର୍ଷର କୋଟିକୋଟି ଜନସାଧାରଣଙ୍କର ଟିକସଲବ୍ଧ ଅର୍ଥକୁ ମଧ୍ୟ ବାଟମାରଣା କରି କଳାଧନରେ ପରିଣତ କରିବାର ଅଭିଯୋଗ ହୁଏ। ତେବେ ରାଜନୈତିକ ଦଳମାନେ କିପରି ମୋହନ ମନ୍ତ୍ର ଫୁଙ୍କି, କଳକୌଶଳ କରି ନିର୍ବାଚନ ଚାନ୍ଦା ଆଦାୟ କରନ୍ତି ତା’ର କିଛିଟା ଆଭାସ ଅନୁଧ୍ୟାନ କରାଯାଇପାରେ।
ଜନପ୍ରତିନିଧି ଆଇନର ଧାରା ୨୯-ସି କୁ ଅପବ୍ୟବହାର କରି ରାଜନୈତିକ ଦଳମାନେ ବିଶେଷ ଭାବରେ ଉପରୋକ୍ତ ଆଇନର ଅପବ୍ୟବହାର କରି ନିର୍ବାଚନ ପାଇଁ କଳାଟଙ୍କା ଆଦାୟ କରୁଥିବାର ଅଭିଯୋଗହୁଏ। ଉପରୋକ୍ତ ଧାରା ଅନୁସାରେ ଯେ କେହି ବ୍ୟକ୍ତିବିଶେଷ କୋଡ଼ିଏ ହଜାର ଟଙ୍କାରୁ କମ୍‌ ଏପରିକି ୧୯୯୯ ଟଙ୍କା ପର୍ଯ୍ୟନ୍ତ ନିଜର କୌଣସି ପରିଚୟ ନଦେଇ ଯେ​‌େ​‌କୗଣସି ରାଜନୈତିକ ଦଳକୁ ନିର୍ବାଚନ ଚାନ୍ଦାଦେଇ ପାରିବେ ଏବଂ ଏହି ଆର୍ଥିକ ଦେଣନେଣ ପାଇଁ ସେ ନିର୍ବାଚନ କମିସନ ଅଥବା ଆୟକର ଅଧିକାରୀଙ୍କୁ ଅବଗତ କରାଇବେ ନାହିଁ; ଅନ୍ୟ ଅର୍ଥରେ କହିଲେ ଯଦି କୌଣସି ବିଶିଷ୍ଟ ଶିଳ୍ପପତି, ଅଥବା ବ୍ୟବସାୟୀ ଛଦ୍ମ ନାମରେ ସେମାନଙ୍କ ଅଘୋଷିତ କଳାଟଙ୍କାରୁ ଏହିପରି ବିପୁଳ ଅର୍ଥ ପ୍ରଦାନ କରନ୍ତି, ସେମାନଙ୍କୁ ସେଇ ଅର୍ଥର ଆଧାର ଅଥବା ସ୍ଥିତି କାହାରିକୁ ଜଣାଇବା ଆବଶ୍ୟକ ପଡ଼େନାହିଁ। ଏହିପରି ଭାବରେ ଭାରତର ଅନେକ ରାଜନୈତିକ ଦଳମାନେ ଧନୀ, କୋଟିପତି, ଶିଳ୍ପପତି, ବିଶିଷ୍ଟ ବ୍ୟବସାୟୀମାନଙ୍କଠାରୁ କୋଟିକୋଟି ଟଙ୍କା ନିର୍ବାଚନ ଚାନ୍ଦା ଆଦାୟ କରନ୍ତି ଏହି ସଂଗୃହୀତ ଅର୍ଥର ହିସାବ ସେମାନେ କସ୍ମିନ୍‌କାଳେ ନିର୍ବାଚନ କମିସନ୍‌, ସୂଚନା କମିସନ କିମ୍ବା ଆୟକର ଅଧକାରୀମାନଙ୍କୁ ଦିଅନ୍ତି ନାହିଁ। ଉପରୋକ୍ତ କୋଡ଼ିଏ ହଜାରଟଙ୍କାରୁ ସାମାନ୍ୟ କମ୍‌ଥିବା ଦାତାଙ୍କ ସଂଖ୍ୟା ସମଗ୍ର ନିର୍ବାଚନ ଦାତାଙ୍କ ସଂଖ୍ୟାର ଶତକଡ଼ା ୮୫ଭାଗ ଅଧିକ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯୁକ୍ତରାଷ୍ଟ୍ରର ଆମେରିକା ନିର୍ବାଚନ ସମୟରେ ଯଦି କୌଣସି ବ୍ୟକ୍ତିବିଶେଷ ସେଠାର କୌଣସି ରାଜନୈତିକ ଦଳକୁ ମାତ୍ର ଦୁଇଶହ ଡଲାର ଅର୍ଥ ଦାନ କରନ୍ତି, ତାଙ୍କୁ ନିଜର ପରିଚୟ ପତ୍ର ଦେବାସହିତ ସେ କେଉଁ ସୂତ୍ରରୁ ଏହି ଅର୍ଥ ଦାନ କରିଛନ୍ତି ତା’ର ସଂପୂର୍ଣ୍ଣ ବିବରଣୀ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଜଣାଇବାକୁ ବାଧ୍ୟ ।
ଅନ୍ୟ ଗୋଟିଏ ସ୍ପର୍ଶକାତର ବିଷୟ ହେଲା କେନ୍ଦ୍ରସରକାର ତାଙ୍କର ୨୦୧୭ ମସିହା ବାର୍ଷିକ ବଜେଟରେ ନିର୍ବାଚନ ଚାନ୍ଦାପାଇଁ ସମଗ୍ର ଭାରତବର୍ଷରେ ନିର୍ବାଚନ ବଣ୍ଡ୍‌ ପ୍ରବର୍ତ୍ତନ କରାଇଲେ। ଏହି ବଣ୍ଡ୍‌ରେ ବ୍ୟବସ୍ଥା ରହିଲା କି ଯେଉଁ ବ୍ୟକ୍ତିବିଶେଷ, କମ୍ପାନୀ, ଅଥବା କର୍ପୋରେଟ ସଂସ୍ଥା ଯଦି କୌଣସି ରାଜନୈତିକ ଦଳକୁ ନିର୍ବାଚନ ଚାନ୍ଦାଦେବେ, ସେମାନେ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଯେ କୌଣସି ଶାଖାରେ ନିର୍ବାଚନ ବଣ୍ଡ୍‌ କରିପାରିବେ। ଏହି ନିର୍ବାଚନ ବଣ୍ଡ୍‌କୁ ସେମାନେ ତାଙ୍କ ଇଚ୍ଛା ମୁତାବକ ରାଜନୈତିକ ଦଳମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ରଖିପାରିବେ, ମାତ୍ର ଏହି ବଣ୍ଡ୍‌ଦ୍ବାରା ରାଜନୈତିକ ଦଳମାନେ ଯେଉଁ ବିପୁଳ ଅର୍ଥ ଲାଭ କରିବେ, ସେଥିରେ ଚାନ୍ଦା ଦାତାଙ୍କ ନାମ, ଠିକଣା ଏବଂ ଅର୍ଥର ପରିମାଣ ପ୍ରକାଶ କରାଯିବ ନାହିଁ। ଏପରିକି ସେମାନଙ୍କ ଆକାଉଣ୍ଟକୁ ଆୟକର ବିଭାଗର ଅଧିକାରୀମାନେ ତଦାରଖ କରିପାରିବେ ନାହିଁ, ରାଜନୈତିକ ଦଳମାନେ ନିର୍ବାଚନ କମିସନଙ୍କୁ କୌଣସି ହିସାବ ଦେବେନି କିମ୍ବା ନିର୍ବାଚନ ସଂକ୍ରାନ୍ତ କୌଣସି ସରକାରୀ ଅଧିକାରୀଙ୍କୁ ଉପରୋକ୍ତ ଚାନ୍ଦା ବିଷୟରେ ଅବଗତ କରାଇବେ ନାହିଁ। ଏହାକୁ ସଂପୂର୍ଣ୍ଣ ଗୋପନ ରଖାଯିବ। ଖାଲି ସେତିକି ନୁହେଁ; ନିର୍ବାଚନ ବଣ୍ଡ୍‌ ସମ୍ପର୍କରେ କୌଣସି ଆୟକର ଅଧିକାରୀ କୌଣସି ରାଜନୈତିକ ଦଳ ଉପରେ ବିଭାଗୀୟ ଚାପ କିମ୍ବା କର୍ତ୍ତୃତ୍ବ ଜାହିର କରିପାରିବେ ନାହିଁ। ଏହା ପୂର୍ବରୁ ୨୦୧୩ ମସିହାରେ କମ୍ପାନୀ ଆକ୍ଟ ଧାରା ୧୮୨ ଅନୁସାରେ ଯେକୌଣସି କମ୍ପାନୀ ସେମାନଙ୍କର ବିଗତ ତିନିବର୍ଷର ଲାଭାଂଶରେ ଶତକଡ଼ା ୭.୫% ଭାଗ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଚାନ୍ଦା ଦେଇପାରିବେ।
ବର୍ତ୍ତମାନ ଲକ୍ଷ୍ୟ କରିବାର କଥା ନିର୍ବାଚନ ବଣ୍ଡ୍ ମାଧ୍ୟମରେ ଯେଉଁ କମ୍ପାନୀଗୁଡ଼ିକ ରାଜନୈତିକ ଦଳମାନଙ୍କୁ ଚାନ୍ଦାଦେବେ, ତା’ର କୌଣସି ହିସାବ ସେମାନେ ଆୟକର ଅଧିକାରୀ ଅଥବା ନିର୍ବାଚନ କମିସନଙ୍କୁ କସ୍ମିନ କାଳେ ଜଣାଇବେ ନାହିଁ। ଏହାକୁ ଅନ୍ୟଅର୍ଥରେ କହିଲେ କମ୍ପାନୀମାନେ ଅର୍ଜନ କରିଥିବା କଳାଟଙ୍କା ନିର୍ବାଚନ କାର୍ଯ୍ୟରେ ପ୍ରୟୋଗ ହେଉଛି ବୋଲି ଧରାଯାଇପାରେ। ଏହି ସୁଯୋଗରେ ଦେଶର ବିଶିଷ୍ଟ କମ୍ପାନୀ, ଶିଳ୍ପପତି, କର୍ପୋରେସନ ଆଦି ନିର୍ବାଚନ ବଣ୍ଡ୍‌ ମାଧ୍ୟମରେ ଅଘୋଷିତ କଳାଟଙ୍କା ନିର୍ବିଘ୍ନରେ ରାଜନୈତିକ ଦଳମାନଙ୍କୁ ଚାନ୍ଦାଦେଇ ସେମାନଙ୍କର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିପାରିବେ ଏବଂ ଏସବୁକୁ ଜାଣି ମଧ୍ୟ ଆୟକର ବିଭାଗ ଅଥବା ନିର୍ବାଚନ କମିସନ ନୀରବତା ଅବଲମ୍ବନ କରିବେ। ଏହାହିଁ ଆଜିର ଭାରତବର୍ଷରେ ଅଘୋଷିତ ନିର୍ବାଚନ ବିଧି ବ୍ୟବସ୍ଥା। ପୁନରାୟ ଭାରତର ନିର୍ବାଚନ ପରିଚାଳନା ଆଇନ ଧାରା ୨୯-୧ ଅନୁସାରେ ଏକାନ୍ତ ଚତୁରତାର ସହିତ ପରିବର୍ତ୍ତନ କରାଯାଇ ଉଲ୍ଲେଖ କରାଯାଇଛି ଯେ ନିର୍ବାଚନ ନିୟମକୁ ଚାନ୍ଦା ଦେଇଥିବା କମ୍ପାନୀମାନେ ଆୟକର ବିଭାଗର ଅଧିକାରୀମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ନୁହନ୍ତି ଯାହାଫଳରେ ଦୁଇହଜାର ଟଙ୍କାକୁ ଊର୍ଦ୍ଧ୍ବ ଚାନ୍ଦା ଦେଇଥିବା କମ୍ପାନୀମାନେ ନିର୍ବାଚନ ବଣ୍ଡ୍‌ମାଧ୍ୟମରେ କୋଟିକୋଟି ଟଙ୍କା ଚାନ୍ଦାଦେଲେ ବି ସେମାନେ କସ୍ମିନକାଳେ ଆୟକର ଅଧିକାରୀ ଅଥବା ନିର୍ବାଚନ କମିସନଙ୍କର କୌଣସି କ୍ଷମତା ବଳୟର ପ୍ରଶ୍ନର ପରିସୀମା ଭିତରକୁ ଆସିବେ ନାହିଁ। ଏହି ଉପାୟରେ ଭାରତବର୍ଷରେ କଳାଧନର ବିପୁଳ ସ୍ରୋତକୁ ସଂଚାଳନ କରିପାରିବେ।
ଯଦି କୌଣସି ବ୍ୟକ୍ତିବିଶେଷ ସୂଚନା ଅଧିକାର ଆଇନବଳରେ କୌଣସି କମ୍ପାନୀଠାରୁ ନିର୍ବାଚନ ଚାନ୍ଦା ସମ୍ପର୍କୀୟ କୌଣସି ତଥ୍ୟ ଜାଣିବାକୁ ଇଚ୍ଛା କରନ୍ତି ତେବେ, ଗୋପନୀୟତା ଭଙ୍ଗକୁ ଆଳକରି ତାହା ଦିଆଯାଇ ପାରିବ ନାହିଁ ବୋଲି ସଂପୃକ୍ତ ବ୍ୟକ୍ତିଙ୍କୁ ଜଣାଇ ଦିଆଯାଇପାରେ। ଅନ୍ୟ ଏକ ଉ​‌େ​‌ଲ୍ଲଖନୀୟ ବିଷୟ ହେଲା ଚଳିତ ୨୦୧୮ ମସିହାରେ ସଂସଦରେ ହୋଇଥିବା ଅର୍ଥ ବିଲ୍‌ ଉପରେ ଯେଉଁ ସଂଶୋଧନ ପ୍ରସ୍ତାବ ଆସିଥିଲା ତାହା ବିନା ଆଲୋଚନା, ବିନା ତର୍କବିତର୍କରେ ଲୋକସଭାରେ ସମସ୍ତ ମାନ୍ୟବର ସଦସ୍ୟମାନଙ୍କର ସ୍ବୀକୃତି ଲାଭ କରିଥିଲା। ବିଲ୍‌ରେ ଗୃହୀତ ହୋଇଥିବା ନିୟମରେ ସର୍ତ୍ତ ରହିଲା ଯେ ବିଦେଶରେ (ଭାରତ ବାହାରେ) ରହୁଥିବା କୌଣସି ବ୍ୟକ୍ତିବିଶେଷ କୌଣସି ରାଜନୈତିକ ଦଳକୁ ନିର୍ବାଚନ ଚାନ୍ଦାଦେବାକୁ ଇଚ୍ଛାକଲେ ତାହାକୁ କୌଣସି ବେନିୟମ ଅବା ବେଆଇନ ବୋଲି କୁହାଯାଇ ପାରିବ ନାହିଁ। ଏହି ନିୟମ ପିଛିଲା ୧୯୭୧ ମସିହାରୁ ଲାଗୁହେଲା ବୋଲି ଧରି ନିଆଗଲା। ଏପରି ତରବରିଆ ଭାବରେ ଯେଉଁ ପରିସ୍ଥିତିରେ ବିଦେଶରେ ବସବାସ କରୁଥିବା ବ୍ୟକ୍ତିମାନଙ୍କଠାରୁ ନିର୍ବାଚନ ଚାନ୍ଦା ଆଦାୟ କରାଯିବ ଏବଂ କରାଯାଇଥିଲା ମଧ୍ୟ, ତାହା ଭାରତବର୍ଷର ମଙ୍ଗଳଦୃଷ୍ଟିରୁ କେତେ ପରିମାଣରେ ଲାଭଦାୟକ, ସେ କଥା ଦେଶର କୋଟିକୋଟି ଜନସାଧାରଣ ବିଚାର କରିବେ।
ପ୍ରକାଶ ଥାଉକି ୨୦୧୪ ମସିହାରେ ବିଦେଶରେ ଥିବା ବେଦାନ୍ତ କମ୍ପାନୀ ଭାରତର ଦୁଇଟି ବିଶିଷ୍ଟ ତୁଙ୍ଗ ରାଜନୈତିକ ଦଳକୁ ନିର୍ବାଚନ ଚାନ୍ଦା ଦେବା ଅଭିଯୋଗରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ବିଚାରର ସମ୍ମୁଖୀନ ହୋଇଥିଲା। ଅଭିଯୋଗର ଶୁଣାଣି କରି ଅଦାଲତ କେବଳ ଯେ ବେଦାନ୍ତ କମ୍ପାନୀକୁ କୈଫିୟତ ତଲବ କରିିଥିଲେ, ତାହା ନୁହେଁ, ପରନ୍ତୁ ଉପରୋକ୍ତ ରାଜନୈତିକ ଦଳକୁ ତାଗିଦ୍‌ କରିଥିଲେ। ଏଥି ସହିତ ଅଦାଲତ ଭାରତର ନିର୍ବାଚନ କମିସନ ଏବଂ କେନ୍ଦ୍ର ସରକାରଙ୍କୁ ଉପରୋକ୍ତ ଦୁଇ ରାଜନୈତିକ ଦଳ ବିରୋଧରେ ନିର୍ବାଚନ ଆଇନ ଅମାନ୍ୟ ଦୃଷ୍ଟିରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ଭାରତର ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନେ କେତେ ଅର୍ଥ ଖର୍ଚ୍ଚ କରନ୍ତି, ଏହି ଅର୍ଥ କେଉଁ ସୂତ୍ରରୁ ସଂଗ୍ରହ କରନ୍ତି, ଏହି ଅର୍ଥକୁ ଭାରତର ମହା ହିସାବରକ୍ଷକ ସମୀକ୍ଷା କରନ୍ତି ନାହିଁ। ଏହା ଏକ ବିରାଟ ପ୍ରଶ୍ନବାଚୀ।
ଆଜିକାଲି ଭାରତର ବିଭିନ୍ନ ରାଜ୍ୟରେ ପଞ୍ଚାୟତ ସମିତି ନିର୍ବାଚନ ହେଉ ଅଥବା ସହରମାନଙ୍କରେ କାଉନସିଲ ମେମ୍ବର ନିର୍ବାଚନ ହେଉ, ସବୁଥିରେ ଲକ୍ଷଲକ୍ଷ ଟଙ୍କା, ପରନ୍ତୁ କଳାଟଙ୍କା ଖର୍ଚ୍ଚ ହେଉଥିବାର ଅଭିଯୋଗ ହୁଏ। ଖାଲି ସେତିକି ନୁହେଁ, ନିର୍ବାଚନ ପୂର୍ବରୁ କଳାଟଙ୍କାର ବ୍ୟବହାର କରି ଭୋଟରମାନଙ୍କୁ ପ୍ରଭାବିତ କରିବାର ଅଭିଯୋଗ ବି ଶୁଣିବାକୁ ମିଳେ। ଅବଶ୍ୟ ଏହି ଅଭିଯୋଗକୁ କୌଣସି ରାଜନୈତିକ ଦଳ ସ୍ବୀକାର କରନ୍ତି ନାହିଁ। ଇଂଲଣ୍ଡରେ ଯଦି କୌଣସି ବ୍ୟକ୍ତିବିଶେଷ ଅଥବା କମ୍ପାନୀ, ରାଜନୈତିକ ଦଳ, ଅଥବା ସ୍ବାଧୀନ ପ୍ରାର୍ଥୀଭାବରେ କାହାକୁ ନିର୍ବାଚନ ଚାନ୍ଦା ଦିଅନ୍ତି, ତେବେ ଚାନ୍ଦାର ପରିମାଣ, ଦାତାର ସଂପୂର୍ଣ୍ଣ ଠିକଣା, କେଉଁସୂତ୍ରରୁ ଏହି ଅର୍ଥ ଦିଆଗଲା ଇତ୍ୟାଦି ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ କଠୋର ନିୟମ କରାଯାଇଛି।
ଭାରତବର୍ଷରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନରେ ରାଜନୈତିକ ଦଳମାନେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ସେ ଅର୍ଥର ପ୍ରକୃତ ଉତ୍ସ କାହାରିକୁ ବିଶେଷ ଭାବରେ ନିର୍ବାଚନ କମିସନ, ଆୟକର ବିଭାଗ କିମ୍ବା ସଂପୃକ୍ତ ସରକାରୀ ବିଭାଗକୁ ଜାଣିବାକୁ ଦିଅନ୍ତି ନାହିଁ। ଫଳରେ ନିର୍ବାଚନ ଶେଷ ହେଲାପରେ ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅନେକ ଅନୈତିକ କାର୍ଯ୍ୟକଳାପର ଯନ୍ତ୍ରଣାକୁ ଦେଶବାସୀ ନୀରବରେ ମୁଣ୍ଡପାତି ସହି ଯାଆନ୍ତି। ଏହାଠାରୁ ଦୁଃଖର ବିଷୟ ଆଉ କ’ଣ ଥାଇପାରେ। ସୁତରାଂ ନିର୍ବାଚନ ଏବଂ କଳାଟଙ୍କା, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବବୋଲି କୁହାଯାଇପାରେ।

Leave A Reply