ବୁଆ-ବବୁଆ ଯୋଡ଼ି

0

ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦୁଇ ଦଶନ୍ଧି ଧରି ପରସ୍ପରକୁ ପରମ ଶତ୍ରୁ ମଣିଆସୁଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଆଗାମୀ ଲୋକସଭା ନିର୍ବାଚନ ପାଇଁ ମିତ୍ର ପାଲଟିବା ସହ ମେଣ୍ଟ କରିଛନ୍ତି। ବୁଆ (ମାୟାବତୀ) ଓ ବବୁଆ (ଅଖିଳେଶ ଯାଦବ)ଙ୍କ ଯୋଡ଼ି ଅବଶ୍ୟ ଏହା ପୂର୍ବରୁ ମଧ୍ୟ ନିର୍ବାଚନ ସଫଳତା ଗୋଟାଇ ସାରିଛନ୍ତି, ଯାହା ସେମାନଙ୍କୁ ଏହି ମେଣ୍ଟ ଗଠନ ପାଇଁ ପ୍ରେରଣା ଯୋଗାଇଛି। ନିକଟ ଅତୀତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦ୍ବାରା ଖାଲି ହୋଇଥିବା ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଏସ୍‌ପି-ବିଏସ୍‌ପି ମେଣ୍ଟ ବିଜୟୀ ହୋଇ ବିଜେପିର ବିଜୟରଥକୁ ଅଟକାଇ ଦେଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଦୁଇଟି ଯାକ ଆସନ ଥିଲା ବିଜେପିର ଦୁର୍ଗ। ୨୦୧୪ ଲୋକସଭା ନିର୍ବାଚନରେ ଏସ୍‌ପି ୫ଟି ଆସନ ଜିତିଥିବାବେଳେ ବିଏସ୍‌ପି ଗୋଟିଏ ମଧ୍ୟ ଆସନ ଜିତିବାରେ ସମର୍ଥ ହୋଇନଥିଲା।
ବୁଆ-ବବୁଆ ମେଣ୍ଟ କରିବା ପଛରେ ଯେଉଁ ମୁଖ୍ୟ ଉଦ୍ଦେଶ୍ୟଟି ରହିଛି, ତାହା ହେଲା ବିଜେପିକୁ କ୍ଷମତାଚ୍ୟୁତ କରିବା, କେବଳ ରାଜ୍ୟରୁ ନୁହେଁ ଦେଶରୁ ମଧ୍ୟ। ଅଖିଳେଶ ସ୍ପଷ୍ଟଭାବେ କହିଛନ୍ତି ଯେ ଦିଲ୍ଲୀ ସିଂହାସନରେ ବସିବାପାଇଁ ଯିବାକୁ ହେଲେ ଉତ୍ତରପ୍ରଦେଶ ଦେଇ ହିଁ ଯିବାକୁ ପଡ଼ିବ ଏବଂ ତାଙ୍କର ଏହି ମେଣ୍ଟ ବିଜେପିକୁ ଅଟକାଇବା ନିଶ୍ଚିତ। ଏକଦା ଆପଣା ‘ଗୃହଯୁଦ୍ଧ’ରେ ବ୍ୟସ୍ତବିବ୍ରତ ଅଖିଳେଶଙ୍କ ଏହି କଥା ବାହୁସ୍ଫୋଟ ପରି ମନେ ହେଉଥିଲେ ହେଁ ସଂପୂର୍ଣ୍ଣ ଅମୂଳକ ନୁହେଁ; କାରଣ ଉତ୍ତର ପ୍ରଦେଶରେ ହିଁ ଦେଶର ସର୍ବାଧିକ ୮୦ଟି ଲୋକସଭା ଆସନ ରହିଛି ଓ ସେଥିରେ ଯିଏ ବିଜୟ ହାସଲ କରିଥାଏ, ତା’ପାଇଁ ଦିଲ୍ଲୀକୁ ଯିବାର ରାସ୍ତା ସହଜ ହୋଇଯାଏ। ୨୦୧୪ ନିର୍ବାଚନରେ ବିଜେପି ୮୦ରୁ ୭୧ଟି ଆସନରେ ବିଜୟଲାଭ କରିବା ତା’ପାଇଁ ଦିଲ୍ଲୀ ସିଂହାସନର ରାସ୍ତାକୁ ସୁଗମ କରିଦେଇଥିଲା। ସେହି ଦୃଷ୍ଟିରୁ ଏସ୍‌ପି-ବିଏସ୍‌ପି ମେଣ୍ଟର ଗୁରୁତ୍ବ ସର୍ବାଧିକ ଏବଂ ବିଜେପି ପାଇଁ ନିଶ୍ଚିତଭାବେ ଏକ ବଡ଼ ଆହ୍ବାନ।
ବୁଆ-ବବୁଆ ଯୋଡ଼ିକୁ ଅନେକ ଦୃଷ୍ଟିରୁ ‘ବିଜୟୀ ଯୋଡ଼ି’ ବୋଲି କହିବା ଅତିଶୟୋକ୍ତି ହେବନାହିଁ, ଅନ୍ତତଃ ବର୍ତ୍ତମାନ ସ୍ଥିତିରେ। ଏହାର କେତେକ ଐତିହାସିକ କାରଣ ମଧ୍ୟ ବିଚାରଣୀୟ। ୧୯୯୩ରେ ଯେତେବେଳେ ପ୍ରଥମ ଥର ପାଇଁ ବିଏସ୍‌ପି ମୁଖ୍ୟ କାଂଶୀରାମ ଓ ଏସ୍‌ପି ମୁଖ୍ୟ ମୁଲାୟମ ସିଂହ ଯାଦବ ହାତ ମିଳାଇଲେ, ସେତେବେଳେ ସ୍ଲୋଗାନ ଦିଆଯାଇଥିଲା, ‘ମିଲେ ମୁଲାୟମ-କାଂଶୀରାମ, ହୱା ମେଁ ଉଡ଼ଗୟେ ଜୟ ଶ୍ରୀରାମ’! ବାବ୍ରି ମସଜିଦ୍ ଧ୍ବଂସ ପର ଉକ୍ତ ସମୟରେ ବିଜେପି ସପକ୍ଷରେ ପବନ ବୋହୁଥିବା ସତ୍ତ୍ବେ ଉକ୍ତ ସ୍ଲୋଗାନ ସତ୍ୟ ସାବ୍ୟସ୍ତ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ଇତିହାସର ଚକ ପୁଣି ଘୂରିଛି ଓ ଏହି ଉଭୟ ଦଳ ଏକାଠି ହୋଇ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେମାନେ ୩୮-୩୮ ଆସନରେ ଲଢ଼ିବା ପାଇଁ ସ୍ଥିର କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆସନ ଆମେଠି ଓ ରାଏ ବରେଲୀରେ ପ୍ରାର୍ଥୀ ନଦେବାକୁ ନିଷ୍ପତ୍ତି କରିଛନ୍ତି। ଏସ୍‌ପି-ବିଏସ୍‌ପି ମେଣ୍ଟ କଂଗ୍ରେସକୁ ସାଥୀରେ ନେଇ ନଥିଲେ ହେଁ କଂଗ୍ରେସ ପାଇଁ ଏହା ଯେତିକି ବିରାଟ ଆହ୍ବାନ ନୁହେଁ, ସେତିକି ବିଜେପି ପାଇଁ; କାରଣ ଏଥିରେ ମେଣ୍ଟ ଓ କଂଗ୍ରେସକୁ ଲାଭ ହେବାକୁ ଥିବାବେଳେ ବିଜେପିର କ୍ଷତି ହେବା ସମ୍ଭାବନା ବେଶୀ। ଏହାର କାରଣ ହେଲା କଂଗ୍ରେସର ଉଚ୍ଚବର୍ଗ ମତଦାତା ଏସ୍‌ପି ଓ ବିଏସ୍‌ପି, ଉଭୟଙ୍କୁ ପସନ୍ଦ କରେନାହିଁ; ତେଣୁ ସମସ୍ତ ୮୦ଟି ଆସନରେ କଂଗ୍ରେସ ଲଢ଼ିବା ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିବ। ତେବେ ବିଜେପି ଭୋଟରଙ୍କ ମନ ଜିଣିବା ନିମନ୍ତେ ସେଠାରେ କିଛି ଗୋଟାଏ ବଡ଼ ଧରଣର ଚାଲ୍‌ ଖେଳିବା ବିଚିତ୍ର ନୁହେଁ।
ଅପରପକ୍ଷେ, ବୁଆ-ବବୁଆଙ୍କ ମେଣ୍ଟ ଘୋଷଣା ପରେ ଉଭୟଙ୍କ ସମ୍ମୁଖରେ ସବୁଠୁ ବଡ଼ ଆହ୍ବାନ ହେବ ନିର୍ବାଚନରେ ନିଜନିଜ ଭୋଟକୁ ପରସ୍ପରକୁ ସ୍ଥାନାନ୍ତର। ବିଏସ୍‌ପି ପାଇଁ ଏହା ଖୁବ୍ ସହଜ, କାରଣ ମାୟାବତୀ ଭୋଟ ସ୍ଥାନାନ୍ତର ମାମଲାରେ ବେଶ୍ ଦକ୍ଷ। ଅତୀତରେ ବିଏସ୍‌ପି ଯେଉଁ ଦଳ ସହ ବି ମେଣ୍ଟ କରିଛି, ତା’ର ପୂରା ଭୋଟବ୍ୟାଙ୍କ ସହଯୋଗୀ ଦଳକୁ ସ୍ଥାନାନ୍ତର ହୋଇଛି। ଏହି ଦୃଷ୍ଟିରୁ ଏସ୍‌ପିକୁ ଅଧିକ ଲାଭ ମିଳିପାରେ, କିନ୍ତୁ ଏ କ୍ଷେତ୍ରରେ ଆଗାମୀ ଲୋକସଭା ନିର୍ବାଚନରେ ଏସ୍‌ପିର ଗୁରୁଦାୟିତ୍ବ ରହିବ; କାରଣ ଯେତେବେଳେ ବି ଏସ୍‌ପି-ବିଏସ୍‌ପି ମେଣ୍ଟ ହୋଇଛି ଯାଦବ ସମାଜର ସଂପୂର୍ଣ୍ଣ ଭୋଟ ବିଏସ୍‌ପିକୁ ସ୍ଥାନାନ୍ତର ହୋଇନାହିଁ। ତେବେ ଏଥରର ସମୀକରଣ କିଛିଟା ଭିନ୍ନ। ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଯାଦବମାନେ ନିଜକୁ ଉପେକ୍ଷିତ ମନେ କରୁଛନ୍ତି; ତେଣୁ ସେମାନେ ବିଜେପି ବଦଳରେ ବିଏସ୍‌ପିକୁ ଭୋଟଦେବାକୁ ଶ୍ରେୟ ମଣିବେ। ସେହିପରି ଏଥର ମୁସଲମାନ ଭୋଟର ମଧ୍ୟ ମେଣ୍ଟ ସପକ୍ଷରେ ଯିବାର ସମସ୍ତ ସମ୍ଭାବନା ରହିଛି। ସେମାନେ ବିଜେପିକୁ ହରାଇବାକୁ ଭୋଟ ଦେବେ ଓ ବିଜେପିର ବିକଳ୍ପ ଭାବେ ଏସ୍‌ପି-ବିଏସ୍‌ପି ମେଣ୍ଟକୁ ବାଛିବେ। ୧୯୯୨ପରେ ସବୁ ସ୍ଥାନରେ କଂଗ୍ରେସକୁ ମୁସଲମାନ ଭୋଟର ଉପେକ୍ଷା କରିଆସୁଛନ୍ତି, କେବଳ ଆମେଠି ଓ ରାଏ ବରେଲୀ ବ୍ୟତୀତ। ଅତଏବ ଦୁଇ ଜାତୀୟ ଦଳକୁ ଦୁଇ ଆଞ୍ଚଳିକ ଦଳର ମେଣ୍ଟର ମୁକାବିଲା କରିବା ସହଜ ହେବନାହିଁ, ତାହା ନିଶ୍ଚିତ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୨୨ ଶତାଂଶ ଦଳିତ, ୪୫ ଶତାଂଶ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ୧୯ ଶତାଂଶ ମୁସଲମାନ ​ଭୋଟରଙ୍କ ଭୋଟଭାଗ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହେବ।

Leave A Reply