ଆଧାର ଅସୁରକ୍ଷିତ?

0

ଦୁଇ ସପ୍ତାହ ତଳେ ଆଇନ ଓ ନ୍ୟାୟ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବେଶ୍ ବାହୁସ୍ଫୋଟ ମାରିଥିଲେ। ସେ କହିଥିଲେ ଯେ କୋଟିଏ ଥର ଉଦ୍ୟମ କଲେ ବି ଆଧାର ତଥ୍ୟକୁ କେହି ଚୋରି କରିପାରିବେ ନାହିଁ। ବୋଧହୁଏ ତାଙ୍କ ଉଦ୍‌ବୋଧନରେ ପ୍ରେରିତ ହୋଇ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ଅଧ୍ୟକ୍ଷ ଆର୍.ଏସ୍. ଶର୍ମା ଶନିବାର ଟ୍ବିଟରରେ ନିଜର ୧୨ ଅଙ୍କବିଶିଷ୍ଟ ଆଧାର ନମ୍ବରକୁ ସାର୍ବଜନୀନ କରି ଚ୍ୟାଲେଞ୍ଜ୍ କରିଥିଲେ ଯେ କେହି ତାକୁ ନେଇ ବ୍ୟକ୍ତିଗତ ତଥ୍ୟ କାଢ଼ି ତାଙ୍କର କିଛି କ୍ଷତି କରି ଦେଖାନ୍ତୁ! ଆଦୌ ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ ସେ ଆହ୍ବାନ ଦେବାର ମାତ୍ର କେଇଘଣ୍ଟା ଭିତରେ ହିଁ ତାଙ୍କ ଆଧାରର ବ୍ୟକ୍ତିଗତ ତଥ୍ୟ, ଯଥା: ଜନ୍ମତାରିଖ, ଫୋନ ନମ୍ବର, ବିକଳ୍ପ ଫୋନ ନମ୍ବର, ପାନ୍‌କାର୍ଡ ନମ୍ବର ଇତ୍ୟାଦି ଆସିବାକୁ ଲାଗିଲା। ଏଲିଅଟ୍ ଆଣ୍ଡରସନ ନାମକ ଜଣେ ଫରାସୀ ସୁରକ୍ଷା ବିଶେଷଜ୍ଞ ଶ୍ରୀ ଶର୍ମାଙ୍କୁ ଚେତାଇ ଦେଇଥିଲେ ଯେ ଆଧାର ସଂଖ୍ୟା ସାର୍ବଜନୀନ କରିବା ଏକ ଭଲ ବିଚାର ନୁହେଁ! ଏହାସତ୍ତ୍ବେ ଯଦି ସରକାର କହିବେ ଆଧାର ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ, ତାହା ନିଶ୍ଚୟ ଏକ ଭଲ ବିଚାର ନୁହେଁ ବୋଲି ଆମକୁ କହିବାକୁ ହିଁ ପଡ଼ିବ। ଅବଶ୍ୟ ରବିବାର ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତା’ର ଚିରାଚରିତ ଢଙ୍ଗରେ ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ସଫେଇ ଦେଇଛି।
କେବଳ ଏହି ଗୋଟିଏ ଘଟନା ନୁହେଁ, ପୂର୍ବରୁ ଏଭଳି ଅନେକ ଘଟନା ଘଟିସାରିଛି, ଯେଉଁଠି ହଜାରହଜାର ଲୋକଙ୍କର ଆଧାର ତଥ୍ୟ ସାର୍ବଜନୀନ ହୋଇଛି। ଏଇ ନିକଟରେ ଜଣେ ଦରପାଠୁଆ ମୋବାଇଲ ଦୋକାନୀ ତେଲଙ୍ଗାନା ରାଜ୍ୟର ସରକାରୀ ୱେବ୍‌ସାଇଟରୁ ପ୍ରାୟ ତିନି ହଜାର ଲୋକଙ୍କ ଆଧାର ତଥ୍ୟ ଚୋରି କରି ଇ-କେୱାଇସି ମାଧ୍ୟମରେ ସେମାନଙ୍କ ଅଜାଣତରେ ସିମ୍‌କାର୍ଡଗୁଡ଼ିକୁ କାର୍ଯ୍ୟକ୍ଷମ କରିଥିବା ଲୋକଲୋଚନକୁ ଆସିଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସଂପୃକ୍ତ ବ୍ୟକ୍ତିଜଣକ ଆଧାର ତଥ୍ୟ ସହ ଲୋକଙ୍କ ଫିଙ୍ଗରପ୍ରିଣ୍ଟକୁ ମଧ୍ୟ ଡାଉନଲୋଡ଼ କରିଥିଲା। ପୁଲିସକୁ ଦେଇଥିବା ବୟାନରେ ସେ କହିଥିଲା ଯେ ଅନଲାଇନ ଭିଡିଓ ଦେଖି ଫିଙ୍ଗର୍‌ପ୍ରିଣ୍ଟ ଆଣିବା ପଦ୍ଧତିକୁ ​‌େ​‌ସ ଆୟତ୍ତ କରିଥିଲା। ଏହାର ଅର୍ଥ ହେଉଛି, ଆଧାର ତଥ୍ୟ ସଂଗ୍ରହ କରିବା ପାଇଁ କୋଟିଏ ଥର ଚେଷ୍ଟାର ଆବଶ୍ୟକତା ଆଦୌ ନାହିଁ। ସାମାନ୍ୟ ପ୍ରଯୁକ୍ତି ଜ୍ଞାନ ଥିବା ଲୋକଟିଏ ବି ଚାହିଁଲେ ଆଧାରର ବ୍ୟକ୍ତିଗତ ତଥ୍ୟକୁ ଚୋରି କରିପାରିବ। ଆମ ମନ୍ତ୍ରୀ ତଥାପି ଯଦି କହିବେ ଯେ ଆଧାର ସଂପୂର୍ଣ୍ଣ ସୁରକ୍ଷିତ, ତେବେ ତା’ଠୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ ଅଛି!
ସ୍ମରଣଯୋଗ୍ୟ, ଚଳିତବର୍ଷ ଜାନୁଆରୀ ୪ରେ ଏକ ଇଂରେଜୀ ଖବରକାଗଜରେ ମାତ୍ର ପାଞ୍ଚଶହ ଟଙ୍କା ବିନିମୟରେ କିଭଳି କୋଟିକୋଟି ଲୋକଙ୍କ ଆଧାର ତଥ୍ୟ ମିଳିପାରୁଛି, ସେ ନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ସେତେବେଳେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ସଫେଇ ଦେଇ ଏଭଳି ରିପୋର୍ଟକୁ ଖଣ୍ଡନ କରିବା ସହ ଆଧାର ଡାଟାବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦର୍ଶାଇଥିଲା। ତେବେ ଯେଉଁମାନେ ଏଭଳି ତଥ୍ୟ ଚୋରି କରିଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା; ଅର୍ଥାତ ପରୋକ୍ଷରେ ତଥ୍ୟଚୋରି କଥାକୁ ୟୁଆଇଡିଏଆଇ ସ୍ବୀକାର କରିଥିଲା। ୨୦୧୭ ନଭେମ୍ବରରେ ୨୧୦ଟି ସରକାରୀ ୱେବ୍‌ସାଇଟ୍‌ରେ ଲକ୍ଷଲକ୍ଷ ଲୋକଙ୍କର ୟୁଆଇଡି ନମ୍ବର ସମେତ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ ହୋଇଥିଲା। ଏହାକୁ ୟୁଆଇଡିଏଆଇ ସ୍ବୀକାର କରିଥିଲେ ହେଁ ସେଇ ପୁରୁଣା କଥାକୁ ଦୋହରାଇ କହିଥିଲା ଯେ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ। ସେହିପରି ତା’ ପର ମାସ, ଅର୍ଥାତ ଡିସେମ୍ବରରେ ଏକ ମୋବାଇଲ ସେବା ଯୋଗାଉଥିବା କମ୍ପାନୀ ତା’ର ନୂଆକରି ଆରମ୍ଭ କରିଥିବା ପେମେଣ୍ଟ୍ ବ୍ୟାଙ୍କରେ ବେଆଇନ ଭାବେ ଆଧାର ତଥ୍ୟକୁ ବ୍ୟବହାର କରି ଲୋକଙ୍କ ଅଜାଣତରେ ଆକାଉଣ୍ଟମାନ ଖୋଲିଥିବା ଜଣାପଡ଼ିଥିଲା।
ଅତଏବ, ଏସବୁ ଘଟନାରୁ ଆମେ ନିଶ୍ଚିତ ଯେ ଆଧାର ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତ୍ରୁଟିମୁକ୍ତ ଓ ସୁରକ୍ଷିତ ନୁହେଁ। ଏହା ଗତ ଶୁକ୍ରବାର ତଥ୍ୟ ସୁରକ୍ଷା ଉପରେ ଗଠିତ ନ୍ୟାୟମୂର୍ତ୍ତି ଶ୍ରୀକୃଷ୍ଣ କମିଟି ଦେଇଥିବା ରିପୋର୍ଟରେ ମଧ୍ୟ ପ୍ରତିଫଳିତ ହୋଇଛି। କମିଟି ତା’ର ୨୧୩ ପୃଷ୍ଠାର ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛି। ସେଥିରୁ କେତୋଟି ହେଲା: ଆଧାର ମାଧ୍ୟମରେ ପରିଚୟର ସତ୍ୟତା ପୁଷ୍ଟ କରିବାର ଅଧିକାର କେବଳ ୟୁଆଇଡିଏଆଇ ଦ୍ବାରା ମାନ୍ୟତାପ୍ରାପ୍ତ ସଂସ୍ଥା ବା ଆଇନଗତ ଅଧିକାରପ୍ରାପ୍ତ ସଂସ୍ଥାକୁ ଦିଆଯାଉ, ଯେପରିିକି ଲୋକଙ୍କର ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିହେବ; ୟୁଆଇଡିଏଆଇକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରାଯାଉ, ଯେପରିକି ଏହା ପାଖରେ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଜୋରିମାନା ଲଗାଇବାର କ୍ଷମତା ରହିବ; ସର୍ବୋପରି ଆଧାର ଆଇନରେ ସଂଶୋଧନ ନିହାତି ଜରୁରୀ।
ଏସବୁ ସୁପାରିସ ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ଆଧାର ଦ୍ବାରା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଙ୍ଘନ ଅଭିଯୋଗ ନେଇ ବିଚାର ଚାଲିଛି। ଯେଉଁଠି ଆଧାର ନମ୍ବର ସହ ପଡ଼ିକାର୍ଡ ସଂଯୋଗ ହୋଇନଥିବାରୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଖାଦ୍ୟଶସ୍ୟ ନପାଇ ଲୋକେ ଅନାହାର ମୃତ୍ୟୁମୁଖରେ ପଡ଼ନ୍ତି, ଅର୍ଥାତ ମଣିଷର ଜୀବନ ଅସୁରକ୍ଷିତ, ସେଇଠି ସରକାର ତଥ୍ୟର ସୁରକ୍ଷା କରିପାରିବେ ବୋଲି ବିଶ୍ବାସ କରିବା ସହଜ ନୁହେଁ। ସରକାର ନିଜର ଭ୍ରମ ଦୂର କରନ୍ତୁ ଓ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାରୁ ମଧ୍ୟ କ୍ଷାନ୍ତ ହୁଅନ୍ତୁ। ବାସ୍ତବତାକୁ ସ୍ବୀକାର କରି ଉଚିତ ପଦକ୍ଷେପ ନିଅନ୍ତୁ।

Leave A Reply