ମୋକ୍ଷ ମାର୍ଗ

0

ଜଙ୍ଗଲ ମଧ୍ୟରେ ଥାଏ ତପୋବନ। ସନ୍ଧ୍ୟା ସମୟରେ ତପୋବନରେ ସାଧନାରତ ଥାଆନ୍ତି ଜଣେ ତପସ୍ବୀ। ତପସ୍ବୀ ଏକନିଷ୍ଠ ଭାବେ ସାଧନାରତ ଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ ସାଧନାରେ ବିଘ୍ନ ଘଟାଇବାକୁ ପ୍ରୟାସ କରିଥିଲେ। ପ୍ରଥମେପ୍ରଥମେ ତପସ୍ବୀ ସେମାନଙ୍କୁ ଉପେକ୍ଷା କରିଥିଲେ। ହେଲେ ସେମାନଙ୍କର ଦୌରାତ୍ମ୍ୟ ଅତ୍ୟଧିକ ହେବାରୁ କ୍ରୋଧର ଆବେଶରେ ତପସ୍ବୀ ଆଶ୍ରମ ପରିସରରୁ ସେମାନଙ୍କୁ ତଡ଼ିବାକୁ ଧାଇଁଥିଲେ, ହାତରେ ଥିଲା ଯଷ୍ଟି। ସାୟଂକାଳରେ ଜଙ୍ଗଲଭିତରେ ବସ୍ତୁର ସ୍ଥିତି ଭଲଭାବରେ ଜଣାପଡ଼ୁନଥିଲା। କ୍ରୋଧବଶତଃ ଦୌଡ଼ୁଥିବା ସମୟରେ ଏକ ଖମ୍ବସହ ଜୋର ଧକ୍କା ଖାଇ ତପସ୍ବୀ କାଳକବଳିତ ହୋଇଥିଲେ। ତପୋବଳ ନଷ୍ଟ ହୋଇନଥିଲା। ତେଣୁ ମୃତ୍ୟୁପରେ ମଧ୍ୟ ଆଶ୍ରମର ମୋହବଶତଃ ପୁନଃ ସେହି ଆଶ୍ରମ​‌େ​‌ର ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହାର ମୁଖ୍ୟ ହୋଇଥିଲେ। ତାଙ୍କର ନାମ ଥିଲା ଚଣ୍ଡକୌଶିକ। ତପସ୍ବୀଙ୍କର ତପସ୍ୟାଲବ୍ଧ ଗୁଣ ତ ଥିଲା। ହେଲେ ଏ ଜନ୍ମରେ ମଧ୍ୟ କ୍ରୋଧରୂପୀ ଦୁର୍ଗୁଣ ଦୂର ହୋଇ ନଥିଲା।
ମଧ୍ୟାହ୍ନ ସମୟରେ ନିକଟସ୍ଥ ବସ୍ତିର କିଛି ଛୋଟପିଲା ଖେଳିବା ଭିତରେ ଆଶ୍ରମରେ ପ୍ରବେଶ କରି ଫୁଲଫଳ ଛିଣ୍ଡାଇବାକୁ ଲାଗିଲେ। ସ୍ବଭାବବଶତଃ କ୍ରୋଧୀ ଥିବା ତପସ୍ବୀ ସେମାନଙ୍କୁ ଘଉଡ଼ାଇବାକୁ ଚିତ୍କାର କଲେ। ହେଲେ ପିଲାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏଥିରେ ଚଣ୍ଡକୌଶିକ ଉତ୍ତେଜିତ ହୋଇ ସେମାନଙ୍କୁ ମାରିବାପାଇଁ ଦୌଡ଼ିଲେ। ତପୋବନ, ଜଙ୍ଗଲ ପାର ହୋଇ ଦୁଷ୍ଟ ପିଲାଗୁଡ଼ିକ ବସ୍ତିଆଡ଼େ ଦୌଡ଼ିଲେ, ପଛେପଛେ କ୍ରୋଧାନ୍ଧ ଚଣ୍ଡକୌଶିକ। ପିଲାମାନେ ବସ୍ତିର ଗଳିରାସ୍ତା ସମ୍ପର୍କରେ ଅବଗତ ଥିବାରୁ ଖୁବ୍‌ ସହଜରେ ଦୌଡ଼ି ପଳାଇଗଲେ। ହେଲେ ସେମାନଙ୍କ ପଶ୍ଚାତ୍‌ଧାବନ କରୁଥିବା ଚଣ୍ଡକୌଶିକ ଅଜ୍ଞଥିବା କାରଣରୁ ଏକ ମୁକୁଳା କୂଅ ଭିତରେ ଗଳିପଡ଼ି ପଞ୍ଚତ୍ବପ୍ରାପ୍ତି ହେଲେ।
ଚଣ୍ଡକୌଶିକ ପୁନଃ ଉକ୍ତ ଆଶ୍ରମ ନିକଟରେ ଜନ୍ମହେଲେ। ହେଲେ ପାପକର୍ମର ବୃଦ୍ଧି କାରଣରୁ ସେ ଏଥର ବିଷଧର ସର୍ପଯୋନିରେ ଜାତ ହୋଇ ଜଙ୍ଗଲରେ ରହିଥାନ୍ତି। ହିଂସ୍ର ସ୍ବଭାବରୁ ତାଙ୍କୁ ନେଇ ବନବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଭୟବଶତଃ ବସ୍ତିଲୋ​‌େ​‌କ ସେ ରହୁଥିବା ଇଲାକାକୁ ଆସିବା ବନ୍ଦ କରିଦେଇଥିଲେ।
ଏକଦା ତୀର୍ଥଙ୍କର ମହାବୀର ସେଇ ଜଙ୍ଗଲ ରାସ୍ତାଦେଇ ଯାଉଥାନ୍ତି। ବସ୍ତିବାସିନ୍ଦାମାନେ ତାଙ୍କୁ ଜଙ୍ଗଲର ସେହି ରାସ୍ତା ଦେଇ ଯିିବାକୁ ବାରଣ କରିଥିଲେ। ମହାବୀର କିନ୍ତୁ ବାରଣ ନମାନି ଯାଇଥିଲେ। ଚଣ୍ଡକୌଶିକ ମହାବୀରଙ୍କୁ ଦେଖୁଦେଖୁ ସ୍ବଭାବବଶତଃ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ମହାବୀରଙ୍କୁ ପ୍ରତିକ୍ରିୟାହୀନ ଦେଖି ଦଂଶନ କରିଥିଲା, ହେଲେ ପାଦରୁ ରକ୍ତ ପରିବର୍ତ୍ତେ ଦୁଗ୍ଧ ଧାର ବହିଥିଲା। ଏବେ ଚଣ୍ଡକୌଶିକଙ୍କର ଧାରଣା ହେଲା ଯେ ସେ ସ୍ବୟଂ ଭଗବାନଙ୍କୁ ଦଂଶନ କରିଛି। ତା’ଠାରେ ପ୍ରତିକ୍ରିୟା ସୃଷ୍ଟିହେଲା। ମହାବୀର ବୁଝାଇ ଦେଇଥିଲେ- ‘ଏବେ ଚିନ୍ତାକର ତୁମେ କ’ଣ ଥିଲ, ଏବେ କ’ଣ ହୋଇଛ। ଆବେଗର ପ୍ରତିକ୍ରିୟା ପ୍ରଦର୍ଶନରେ ନୁହେଁ, ସହନଶୀଳତା ଅବଲମ୍ବନ ହିଁ ବିବେକସମ୍ମତ। ପ୍ରତିକୂଳତାକୁ ଧୈର୍ଯ୍ୟ ଓ ସହନଶୀଳତା ବଳରେ କାଏମ ରଖିବାକୁ ପ୍ରଯତ୍ନ କର।’ ଚଣ୍ଡକୌଶିକ ମୋକ୍ଷଲାଭ ଆଶାରେ ଆପଣାର ହିଂସକ ପ୍ରକୃତି ପରିହାର କରି ପୂର୍ବକୃତ ଦୁଷ୍କର୍ମର ପ୍ରାୟଶ୍ଚିତ୍ତ କରିଥିଲେ ଓ ପରବର୍ତ୍ତୀ ସମୟରେ ମନୁଷ୍ୟ ଜନ୍ମଲାଭ ପାଇଥିଲେ। ମନୁଷ୍ୟ ଜନ୍ମରେ ନିଷ୍କାମ ତପସ୍ୟା କରି ମୋକ୍ଷଲାଭ କରିଥିଲେ ଚଣ୍ଡକୌଶିକ।

Leave A Reply