ନୀଳବର୍ଣ୍ଣ ରହସ୍ୟ

0

ନିଖିଳାନନ୍ଦ ପାଣିଗ୍ରାହୀ

ଦୈବାତ ଯଦି ଗୋଟିଏ ନୀଳ ବର୍ଣ୍ଣର କୁକୁର ରାସ୍ତାରେ ଦୌଡ଼ି ଯାଉଥିବା ଆମେ ଦେଖୁ, ହୁଏତ ଆମ ମଧ୍ୟରୁ କେତେଜଣ ତାକୁ ଗୋଡ଼ାଇଗୋଡ଼ାଇ ପିଟିବାକୁ ଆଗଭର ହେବେ। ଏହି ପୃଷ୍ଠଭୂମିରେ ସୁପରିଚିତ ‘ନୀଳବର୍ଣ୍ଣ ଶୃଗାଳ’ ଗପଟି ସେମାନଙ୍କର ମନେ ପଡ଼ୁଥିବ। ଥରେ ଏମିତି ଏକ ଘଟଣା ଘଟିଥିଲା, ଯେଉଁଥିରେ ଶୃଗାଳଟି ନୀଳ କୁଣ୍ଡରେ ପଡ଼ିବାରୁ ତା ଶରୀର ନୀଳବର୍ଣ୍ଣ ଧାରଣ କଲା। ଏହାକୁ ଏକ ସୁଯୋଗ ବୋଲି ଭାବି ସେ ବଣର ବାଘ, ସିଂହ, ଭାଲୁ ସମେତ ସବୁ ଜୀବଜନ୍ତୁଙ୍କୁ ଡରାଇ ବଣର ରାଜା ହୋଇଗଲା, କିନ୍ତୁ ଦିନେ ନିଜ ଜାତିର ଶୃଗାଳ ଭାଇଙ୍କ ହୁକେ ହୋ ରାବ ଶୁଣି ସେ ପାଳିଆ ଧରିବାରୁ, ତା’ର ଅସଲ ପରିଚୟ ଜଣାପଡ଼ିଲା ଓ ଭୀଷଣ ମାଡ଼ ଖାଇ ସେ ଦରମରା ହୋଇଗଲା।
ଏଠାରେ କିନ୍ତୁ ମୁମ୍ବଇର ଗୋଟିଏ ରାସ୍ତାରେ ଧାଉଁଥିବା ଯେଉଁ ନୀଳ ରଙ୍ଗର କୁକୁର ବିଷୟରେ ଆମେ ଚର୍ଚ୍ଚା କରୁଛେ, ତାହା ସେ ଦିନର ସେଇ ଶଠ ଶୃଗାଳ ପରି ନୁହେଁ। ତା’ର ଏହି ବର୍ଣ୍ଣାନ୍ତରର କାରଣ ଜାଣିବାକୁ ଜଣେ ପଶୁପ୍ରେମୀ ମନୋନିବେଶ କରିଥିଲେ। ପରିଣାମବଶତଃ ଆଳୁ ଖୋଳୁଖୋଳୁ ମହାଦେବ ଆବିର୍ଭାବ ହେଲେ। ଏହି ମହାଦେବ କିନ୍ତୁ ବରଦାନ ପାଇଁ ନୁହେଁ; ଅଭିଶାପ ଦେବା ସକାଶେ ଆମର ଅପରିଣାମଦର୍ଶିତା ପାଇଁ।
ସ୍କାଇ ନ୍ୟୁଜ (୨୩ ଅଗଷ୍ଟ ୨୦୧୭)ରେ ପ୍ରକାଶିତ ବିବରଣୀ ଅନୁଯାୟୀ ଉପରୋକ୍ତ ପଶୁପ୍ରେମୀ ଆରତି ଚୌହାନ ମୁମ୍ବଇ ସହରତଳି ଅଞ୍ଚଳରେ ଥିବା ତାଲୋଜା ଜିଲା ଗସ୍ତ କଲେ। ସେଠା​‌ରେ ସହସ୍ରାଧିକ ରଂଗ କାରଖାନା ଓ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଅବସ୍ଥିତ। ହିସାବରୁ ଜଣାଯାଏ ଯେ ୭୬,୦୦୦ ବ୍ୟକ୍ତି ସେଠାରେ କାର୍ଯ୍ୟରତ। ଏଇ କାରଖାନା ଯୋଗୁଁ ରପ୍ତାନି ମାଧ୍ୟମରେ ଦେଶ ବହୁ ପରିମାଣର ପାଉଣ୍ଡ ପାଇଥାଏ।
ଏହି ବ୍ୟସ୍ତ ଶିଳ୍ପାଞ୍ଚଳର ଅନ୍ୟ ଦିଗଟି ପ୍ରତି ଆଖିବୁଜି ଦେବା ଯଥାର୍ଥ ନୁହେଁ। ନିକଟରେ ପ୍ରବାହିତ କାସାଡ଼ି ନଦୀରେ ଉକ୍ତ କାରଖାନାଗୁଡ଼ିକର ବର୍ଜ୍ୟବସ୍ତୁମାନ ଅବିଶୋଧିତ ଭାବେ ନିଷ୍କାସନ କରାଯାଉଛି। ଏହି ଜଳର ରାସାୟନିକ ପରୀକ୍ଷାରୁ ସାବ୍ୟସ୍ତ ହୁଏ ଯେ ଏହାର ବିଓଡ଼ି (ବାଇଓ କେମିକାଲ ଅକ୍ସି​‌େ​‌ଜନ ଡିମାଣ୍ଡ) ହେଉଛି ଲିଟର ପିଛା ଅଶୀ ମିଲିଗ୍ରାମ। ମାଛ ଜଳରେ ବଞ୍ଚିବା ପାଇଁ ଏହି ପରିମାଣ ସର୍ବାଧିକ ଛଅ ମିଲିଗ୍ରାମ ହୋଇଥିବାବେଳେ, ମଣିଷର ବ୍ୟବହାର ପାଇଁ ଏହି ସଂଖ୍ୟା ତିନି ମିଲିଗ୍ରାମରେ ସୀମିତ। ଏଥିରୁ ସ୍ପଷ୍ଟ ହୁଏ ଯେ ଦୂଷିତ କାସାଡ଼ି ନଦୀର ଜଳ ଆମ ପାଇଁ କେତେ ବିପଦଜନକ। ବାସ୍ତବିକ କାରଖାନାର କର୍ମଚାରୀମାନେ ପରିପାର୍ଶ୍ବରେ ରହି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ଶିକାର ହେଉଛନ୍ତି। କୁକୁରମାନେ ଏହି ନଦୀ ଜଳରେ ଗାଧେଇଲେ କିମ୍ବା ସେଥିରୁ ଖାଦ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ହେଲେ, ଏହି ବର୍ଜ୍ୟ ନୀଳରଙ୍ଗରେ ରଙ୍ଗିନ ହୋଇଯା’ନ୍ତି। ଏପରିକି ସେମାନଙ୍କ ମଧ୍ୟରୁ କେହିକେହି ଦୃଷ୍ଟିଶକ୍ତି ହରାଇଥିବା ବିଷୟ ଲୋକଲୋଚନକୁ ଆସିଛି। ଆରତି ଚୌହାନ ଏ ସମ୍ପର୍କରେ ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଏମ.ପି.ସି.ବି.) ନିକଟରେ ଅଭିଯୋଗ କରି ପ୍ରତିକାର ପାଇଁ ଦାବି ଜଣାଇଲେ।
ନୀଳ ବର୍ଣ୍ଣର କୁକୁରଟି ଆଖିରେ ପଡ଼ିଲେ ଆମେ ଯେମିତି ସାଧାରଣତଃ ପ୍ରତିକ୍ରିୟା ପ୍ରକଟ କରୁ, ତାହାଠାରୁ ଯଥେଷ୍ଟ ଭିନ୍ନ ମନୋଭାବ ଆରତି ଚୌହାନ ଆପଣେଇ ଅନୁସନ୍ଧାନ କଲେ। ତାହା ପଶୁରାଜ୍ୟର ନୀଳବର୍ଣ୍ଣ ଶୃଗାଳ ହେଉ, କିମ୍ବା ମୁମ୍ବଇର ନୀଳ କୁକୁର, ଏମାନଙ୍କ ପୃଷ୍ଠଭୂମିରେ ଲୁକ୍କାୟିତ ଥିବା ଅସ୍ବାଭାବିକତା ଖୋଜି ବାହାର କରିବା ବିଧେୟ। ବେଳେବେଳେ ଆମେ ଆଶ୍ଚର୍ଯ୍ୟାନ୍ବିତ ହେଉ ଯେ ନିକଟ ଅତୀତରେ ନୀଳବର୍ଣ୍ଣ କିପରି କେତେକ ବିଜ୍ଞ, ଶିକ୍ଷିତ ଆମେରିକୀୟ ବାସିନ୍ଦାଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା। ପରେପରେ କିନ୍ତୁ ସିଦ୍ଧ ହେଲାଯେ ଏହା ସେମାନଙ୍କ ଉପରଠାଉରିଆ ବିଚାର ଏବଂ ତରବରିଆ ଧାରଣା।
୨୭ ଡିସେମ୍ବର ୨୦୧୮ ରାତି। ହଠାତ୍‌ ନ୍ୟୁୟର୍କର ଆକାଶ ଏକ ଆଲୋକରେ ଉଦ୍‌ଭାସିତ ହେଲା। ଏମିତି ଅଲୌକିକ ବିଚିତ୍ର ଦୃଶ୍ୟରେ ସେଠାକାର ଲୋକେ ପ୍ରମାଦ ଗଣିଲେ। ଏହାକୁ ଲକ୍ଷ୍ୟ କରି କେତେକ ବ୍ୟକ୍ତି ଟୁଇଟରରେ ତତ୍‌କ୍ଷଣାତ ସନ୍ଦେଶ ଦେଲେ। ନିଜ ମନୋଭାବକୁ ଜଣାଇ କିଏ ଲେଖିଲା- ‘ମହାକାଶର ଅଜ୍ଞାତ ଜଗତରୁ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାରେ ନିପୁଣ କିଛି ବ୍ୟକ୍ତି (ଆଲିଏନ) ପହଞ୍ଚି ଗଲେଣି। ସେମାନେ ପୃଥିବୀ ଉପରେ ଆକ୍ରମଣ କରିବେ।’ ଅବଶ୍ୟ ସାମାଜିକ ଗଣମାଧ୍ୟମରେ ଅନ୍ୟ କେହିକେହି ବିପରୀତ ଦିଗରେ ପରିଚାଳିତ ହୋଇ ଏହାକୁ ଏକ ମନୋରମ ଦୃଶ୍ୟ ଭାବେ ବର୍ଣ୍ଣନା କଲେ, ‘ଆକାଶ ଯେମିତି ତତ୍‌କ୍ଷଣାତ ରହସ୍ୟଜନକ ଭାବେ ନୀଳରୂପ ଧାରଣ କଲା, ଏହା ଅସ୍ବାଭାବିକ ଓ ବିରଳ। ଏହାଦ୍ବାରା ଆମ ମନରେ ଅତିଶୟ ଆନନ୍ଦର ଲହରି ଖେଳି ଯାଇଛି।’ ତେବେ ଅଧିକାଂଶ ବ୍ୟକ୍ତି ଅତ୍ୟନ୍ତ ଭୀତତ୍ରସ୍ତ ହୋଇ ଟିପ୍‌ପଣୀ ଦେଲେ ଯେ ଏହା ଆସନ୍ନ ମହାପ୍ରଳୟର ସୂଚନା ଏବଂ ସୃଷ୍ଟି ଏବେ ଧ୍ବଂସ ହେବା ଉପରେ। ସେଠାକାର ଏଲ୍‌ଜି ଏୟାରପୋର୍ଟରୁ ଛାଡ଼ିବାକୁ ଥିବା ଅନେକ ବିମାନ ଉଡ଼ାଣ ରଦ୍ଦ କରାଗଲା। ଏହାକୁ ନେଇ ଯେଉଁ ଗୁଜବ ପ୍ରସାରିତ ହେଲା, ଏହା ଲୋକଙ୍କ କୋକୁଆ ଭୟକୁ ଖୋରାକ ଯୋଗାଇଲା।
ଅବଶ୍ୟ କିଛି ସମୟ ଅନ୍ତେ ଲା ଗାର୍ଡ଼ିଆ ବିମାନବନ୍ଦରର କର୍ତ୍ତୃପକ୍ଷ ଟୁଇଟର ସାହାଯ୍ୟରେ ବାର୍ତ୍ତା ଦେଲେ ଯେ, ସେଠାରେ ଘଟିଥିବା ବିମାନ-ଯାତ୍ରାରେ ବିଳମ୍ବ ଏବଂ ଆଂଶିକ ବନ୍ଦ ପଛରେ ପ୍ରକୃତ କାରଣ ହେଉଛି: କୁଇନ୍ସର କନ୍‌ ଏଡ୍‌ରେ ଥିବା ଟ୍ରାନ୍ସଫର୍ମରରେ ଆକସ୍ମିକ ବିସ୍ଫୋରଣ ଘଟିଲା। ଫଳରେ ଏମିତି ନୀଳ ଆଲୋକ ଆକାଶକୁ ଆଚ୍ଛାଦିତ କରିଥିଲା। କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରି ପୁଣି ବିମାନ ଚଳାଚଳ ସ୍ବାଭାବିକ କଲେ। ଏଣିକି ଟ୍ରାନ୍ସଫର୍ମରକୁ ଅଧିକ ଉନ୍ନତି ଓ ନିର୍ଭରଶୀଳ କରିବାକୁ ଏହା ଏକ ଜରୁରୀ ଆହ୍ବାନ ଦେଲା।
ପ୍ରିୟ ପାଠକେ! ଆମେ ଏଠାରେ ନୀଳବର୍ଣ୍ଣର ସାମାନ୍ୟ କେତୋଟି ଦୃଷ୍ଟାନ୍ତ ଉପସ୍ଥାପନ କଲୁ। ଏହି ପୃଷ୍ଠଭୂମିରେ ଉଲ୍ଲେଖଯୋଗ୍ୟ ଯେ ନୀଳବର୍ଣ୍ଣ ସୁଦୂର ଅତୀତରେ ଲୁକ୍କାୟିତ ଭାବେ ରହିଥିଲା। ଏହାର ଯଥାଯଥ ଧର୍ମ ନିର୍ଣ୍ଣୟ ଏକ ଆବଶ୍ୟକତା ଭାବେ ସମ୍ଭବତଃ ଏବେ ବିବେଚନା କରାଯାଉଛି ଏହାର ଉକ୍ତ ସ୍ବାତନ୍ତ୍ର୍ୟ ପାଇଁ।
ବଡ଼ଖେମୁଣ୍ଡି ବଙ୍ଗଳା, ବ୍ରହ୍ମପୁର

Leave A Reply