ଧର୍ମଘଟ: ସରକାରଙ୍କ ବିରୋଧରେ ଅନାସ୍ଥା

0

ଅଭୟ କୁମାର ଦାସ

ଧର୍ମଘଟ ଶ୍ରମିକ ଶ୍ରେଣୀର ଅନ୍ତିମ ଗଣତାନ୍ତ୍ରିକ ଆୟୁଧ। ଧର୍ମଘଟରେ ଯେହେତୁ ମଜୁରି ଓ ଛୁଟି ହରାଇବାକୁ ପଡ଼ିଥାଏ ଓ କର୍ତ୍ତୃପକ୍ଷଙ୍କ ବିଭିନ୍ନ ରୋଷର ଶିକାର ହେବାକୁ ପଡ଼ିଥାଏ, ତେଣୁ ଶ୍ରମିକ ଖୁସିରେ ଧର୍ମଘଟକୁ ଓହ୍ଲାଇ ନଥାଏ। ଶ୍ରମିକ ସଂଗଠନ କର୍ତ୍ତୃପକ୍ଷ/ସରକାରଙ୍କ ନିକଟରେ ପ୍ରଥମେ ନିଜର ଦାବି ଉତ୍ଥାପନ କରେ, ହାରି-ଗୁହାରି କରେ, ତଥ୍ୟ ସମ୍ବଳିତ ଯୁକ୍ତି ରଖେ ଓ ଆବଶ୍ୟକ ପଡ଼ିଲେ ବିକ୍ଷୋଭ ପ୍ରଦର୍ଶନ କରେ, କିନ୍ତୁ ଯେତେବେଳେ ସମସ୍ତ ଗଣତାନ୍ତ୍ରିକ ରାସ୍ତା ବିଫଳ ହୁଏ ନିରୁପାୟ ହୋଇ ଶ୍ରମିକ ଧର୍ମଘଟ ରାସ୍ତାକୁ ବାଛି ନେଇଥାଏ। ଏଭଳି ପରିସ୍ଥିତି ଉପୁଜିବା ଯୋଗୁଁ ଦେଶର ୧୧ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମଧ୍ୟରୁ ଭାରତୀୟ ମଜଦୁର ସଂଘ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶ୍ରମିକ ସଙ୍ଗଠନ)କୁ ବାଦ୍‌ଦେଇ ୧୦ଟି ଶ୍ରମିକ ସଙ୍ଗଠନ ମୋଦୀ ସରକାରଙ୍କ ବିରୋଧରେ ୧୨ ଦଫା ଦାବି ନେଇ ଜାନୁଆରୀ ୮ ଓ ୯ରେ ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ସହିତ ରାଷ୍ଟ୍ରାୟତ୍ତ ବୀମା, ବ୍ୟାଙ୍କ୍, ଟେଲିକମ୍, ଡାକ, ଔଷଧ ଶିଳ୍ପ, ଖଣିଜଭିତ୍ତିକ ଶିଳ୍ପ, ତୈଳ, କୋଇଲା, ବିଦ୍ୟୁତ୍, ସାମରିକ ବିଭାଗର ସ୍ୱାଧୀନ ସଂଗଠନ/ଫେଡେରେସନ ଧର୍ମଘଟକୁ ସମର୍ଥନ କରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖଣି-ଖାଦାନ, କୃଷକ, କ୍ଷେତ-ମଜୁରିଆ, ସଡ଼କ ପରିବହନ ତଥା ସ୍କିମ ୱାର୍କର ଭଳି ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ସଂଗଠନ ଏହି ଧର୍ମଘଟରେ ସାମିଲ ହେବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଦେଶର ୧୮ କୋଟି ଶ୍ରମିକ-କର୍ମଚାରୀ ଯୋଗ ଦେଇପାରନ୍ତି।
୧୨ ଦଫା ଦାବି ମଧ୍ୟରୁ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ମୂଲ୍ୟବୃଦ୍ଧି ପ୍ରାଥମିକତା ବହନ କରେ। ବିଗତ କିଛି ବର୍ଷ ହେବ ଏକ ବିରୋଧାତ୍ମକ ଘଟଣା ପରିଲକ୍ଷିତ ହେଉଛି। ଗୋଟିଏପଟେ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଥିବାବେଳେ ଅନ୍ୟପଟେ କୃଷକ କୃଷିକାର୍ଯ୍ୟ ଛାଡ଼ି ଦାଦନ ଖଟୁଛି କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଏହା ପଛର କାରଣ ହେଉଛି ଖୁଚୁରା ବ୍ୟବସାୟରେ ପୁଞ୍ଜିପତିଙ୍କ ଆଧିପତ୍ୟ ଯୋଗୁଁ ଖାଦ୍ୟଶସ୍ୟରେ ଆଗୁଆ ବେପାର (ଫରୱାର୍ଡ ଟ୍ରେଡିଂ) ଓ ଭବିଷ୍ୟ ବେପାର (ଫ୍ୟୁଚର ଟ୍ରେଡିଂ) ଲଗାମହୀନ ଭାବେ ବୃଦ୍ଧିପାଇ ଚାଲିଛି। ଆଉ ଏକ କାରଣ ହେଲା ଚାଷ ପାଇଁ ଆବଶ୍ୟକ ଜମି, ଜଳ, ସାର, ବିହନ, ଶୀତଳ ଭଣ୍ଡାର, ଆନୁଷ୍ଠାନିକ ଋଣ ଆଦି ଉପଲବ୍ଧ ହେବାରେ ସରକାରଙ୍କ ବିଶେଷ ସହଯୋଗ ନାହିଁ। ଟିକେ ବିସ୍ତାରିତ କଲେ ଦେଖାଯାଏ, ଜାତୀୟ ସାମ୍ପଲ୍ ସର୍ଭେ ସଂସ୍ଥାର ତଥ୍ୟ ଅନୁଯାୟୀ ଆମ ଦେଶର ସମୁଦାୟ ଜମିର ୪୭% ହେଉଛି ଚାଷଜମି। ଦୁଃଖର ବିଷୟ, ଦେଶର ୬୦ ଶତାଂଶ ଲୋକଙ୍କ ନିୟନ୍ତ୍ରଣରେ ରହିଛି ମାତ୍ର ୫% ଚାଷଜମି; ଅର୍ଥାତ୍ ଦେଶର ଅଧିକାଂଶ କ୍ଷୁଦ୍ର-ମଧ୍ୟମ ବର୍ଗର ଚାଷୀଙ୍କ ନିଜସ୍ୱ ଜମି ନଥିବାରୁ ସେମାନଙ୍କୁ ଭାଗଚାଷ ଉପରେ ନିର୍ଭର କରିବାକୁ ପଡିଥାଏ। ଫଳରେ ପଶ୍ଚିମବଙ୍ଗ ଓ କେରଳ ବ୍ୟତୀତ କୌଣସି ରାଜ୍ୟର ଭାଗଚାଷୀଙ୍କୁ ଆନୁଷ୍ଠାନିକ ଋଣ ମିଳିପାରୁନାହିଁ।
୨୦୧୫ରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ସରକାର ତଥ୍ୟ ପ୍ରଦାନ କରିଛନ୍ତି ଯେ ଦେଶରେ ବର୍ଷକୁ ୧୨,୦୦୦ରୁ ଊର୍ଦ୍ଧ୍ବ ଆତ୍ମହତ୍ୟା କରୁଛନ୍ତି; ଅର୍ଥାତ୍ ଦିନକୁ ୪୦ ଜଣ। ଏହାକୁ ନେଇ ତର୍ଜମା ବଢ଼ିବାରୁ, ପରିତାପର ବିଷୟ ୨୦୧୬ ପରର ତଥ୍ୟ ମଗାଯିବାରୁ ସଂସଦରେ ଖୋଦ୍ କୃଷିମନ୍ତ୍ରୀ ରାଧାମୋହନ ସିଂହ ସ୍ୱୀକାର କରିଥିଲେ ଯେ ଚାଷୀ ଆତ୍ମହତ୍ୟାକୁ ରେକର୍ଡ ନ କରିବାକୁ ‘ଜାତୀୟ ଅପରାଧ ପଞ୍ଜୀକରଣ ବ୍ୟୁରୋ’କୁ ନିର୍ଦେଶ ଦିଆଯାଇଛି। ସେ ଯାହାହେଉ, ଚାଷର ଖର୍ଚ୍ଚକୁ ବିଚାର କରି ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିରହେବା ସହ ଚାଷୀ ନିର୍ଭର କରୁଥିବା ପଶୁସମ୍ପଦର ବୀମା ସରକାର କରିବା ଜରୁରୀ।
ସରକାର ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଯେଉଁ ନାରା ଦେଇଥିଲେ ତାହା ଧୂଆଁବାଣ ପ୍ରମାଣିତ ହୋଇଛି। ବେକାରୀ ଏଭଳି ଭୟଙ୍କର ରୂପ ଧାରଣ କରିଛି ଯେ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟର ରିପୋର୍ଟ ‘ଷ୍ଟେଟ୍ ଅଫ୍ ୱାର୍କିଂ ଇଣ୍ଡିଆ’ କହିଛି, ଆଜିର ବେକାରୀ ବିଗତ ୨୦ ବର୍ଷ ମଧ୍ୟରେ ସର୍ବାପେକ୍ଷା ଉତ୍କଟ। ଗୋଟିଏ ଉଦାହରଣରୁ ବୁଝିବା ସହଜ ହେବ ଯେ ସେପ୍ଟେମ୍ବର ମାସରେ ପ୍ରକାଶିତ ରେଳବାଇର ୬୩,୦୦୦ ଗ୍ରୁପ୍-ଡି ପଦପାଇଁ ୧.୯ କୋଟି ଓ ଉତ୍ତରପ୍ରଦେଶରେ ୪୦୦ ପିଅନ ପଦପାଇଁ ୨୩ ଲକ୍ଷ ଆବେଦନପତ୍ର ପଡ଼ିଛି, ଯେଉଁଥିରେ ଏମ୍.ବି.ଏ., ଏମ୍.ସି.ଏ., ଇଞ୍ଜିନିୟରିଂ, ସ୍ନାତକୋତ୍ତର ଭଳି ଡିଗ୍ରୀଧାରୀଙ୍କ ଭିଡ଼ ବେଶି। ଗୋଟିଏ ପଟରେ ନିଯୁକ୍ତି ପାଇଁ ଯୁବକଯୁବତୀ ପାଗଳପ୍ରାୟ ବୁଲୁଥିବାବେଳେ, ଅନ୍ୟପଟରେ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଉପସ୍ଥିତ ଶ୍ରମିକ-କର୍ମଚାରୀ ଜୀବିକା ହରାଇ ନୂତନ ବେକାର ବାହିନୀରେ ସାମିଲ ହେଉଛନ୍ତି। ‘ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି’ର ତଥ୍ୟ ଅନୁଯାୟୀ ବିମୁଦ୍ରାୟନ ଯୋଗୁଁ ଛୋଟମୋଟ କାରଖାନାର ୩୫ ଲକ୍ଷ ଶ୍ରମିକ ଜୀବିକା ହରାଇଛନ୍ତି। ସରକାର ଏଥିପ୍ରତି ସାମାନ୍ୟ ନିଘା ନଦେଇ ସହଜରେ ବ୍ୟବସାୟ ପାଇଁ (ଇଜି ଅଫ୍ ଡୁଇଂ ବିଜିନେସ୍) ପୁଞ୍ଜିପତିଙ୍କ ସପକ୍ଷରେ ଆଇନ ପରିବର୍ତ୍ତନ କରୁଛନ୍ତି; ଫଳରେ ପ୍ରତିଦିନ ଶ୍ରମିକ ତା’ର ଜୀବିକା ହରାଉଛି। କେତେକ ରାଜ୍ୟରେ ଶ୍ରମିକ ସଙ୍ଗଠନକୁ ଭାଙ୍ଗି ଶ୍ରମ ଆଇନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସେହି ଢ଼ାଞ୍ଚାରେ କେନ୍ଦ୍ର ସରକାର ଏକ ବିଲ୍ ଲୋକସଭାରେ ମଧ୍ୟ ଆଗତ କରିଛନ୍ତିି।
ଇତିମଧ୍ୟରେ କେନ୍ଦ୍ର ସରକାର ଫିକ୍ସଡ଼ ଟର୍ମ ଏମ୍ପ୍ଲଏମେଣ୍ଟ ଆଇନରେ ପରିଣତ କରିଦେଇଛନ୍ତି, ଯାହାକୁ ଆଧୁନିକ କ୍ରୀତଦାସ ବ୍ୟବସ୍ଥା ବୋଲି ବିବେଚନା କରାଯାଉଛି। ଫଳରେ ଯେକୌଣସି ନିଯୁକ୍ତିଦାତା ଜଣେ କର୍ମଚାରୀ ସହ ଏକ ବର୍ଷ ପାଇଁ ଚୁକ୍ତି କରିବେ ଓ ଆବଶ୍ୟକ ହେଲେ ତା’ର ନବୀକରଣ କରିପାରନ୍ତି। ତେଣୁ ଆଉଟସୋର୍ସିଂ, ଠିକା ନିଯୁକ୍ତି, ଅସ୍ଥାୟୀ ନିଯୁକ୍ତିକୁ ପ୍ରତ୍ୟାହାର କରିବା ସହିତ ସମାନ କାମକୁ ସମାନ ମଜୁରି ଦାବି ଉଠିଛି। ଏହି ଧର୍ମଘଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ହେଉଛି ଅଙ୍ଗନବାଡି, ଆଶା, ମଧ୍ୟାହ୍ନ ଭୋଜନ ପାଚିକା, ସର୍ବଶିକ୍ଷା ଅଭିଯାନ ଆଦି କ୍ଷେତ୍ରରେ କାମ କରୁଥିବା କୋଟି କୋଟି ସ୍ୱେଚ୍ଛାକର୍ମୀଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉ; ଫଳରେ ସେମାନେ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ପରିସର ମଧ୍ୟକୁ ଆସିପାରିବେ।
ଆଜି ଦିନ ଦ୍ୱିପହରେ ସରକାରୀ ଓ ରାଷ୍ଟ୍ରାୟତ୍ତ ସଂସ୍ଥାର ପୁଞ୍ଜି ବିଲଗ୍ନୀକରଣ ସହିତ ଘରୋଇକରଣ କରାଯାଉଛି। ୧୯୯୧ରୁ ଆରମ୍ଭ ହୋଇଥିବା ନବ୍ୟ ଆର୍ଥିକ ନୀତି ପ୍ରଣୟନ ଦିନଠୁ ଆଜିଯାଏ ୩,୬୨,୬୮୬ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ହୋଇଥିବାବେଳେ ତନ୍ମଧ୍ୟରୁ ଗତ ୪ ବର୍ଷରେ ହୋଇଛି ୨,୦୯,୮୯୬ କୋଟି ଟଙ୍କା। ୪ ବର୍ଷ ତଳେ ବ୍ୟାଙ୍କର ଅନାଦାୟ ଋଣ ଯାହା ୨.୧୬ ଲକ୍ଷ କୋଟି ଟଙ୍କା ଥିଲା ତାହା ବୃଦ୍ଧିଘଟି ଆଜି ୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅନେକ ପୁଞ୍ଜିପତି ଋଣ ପରିଶୋଧ ନକରି ଦେଶଛାଡ଼ି ବିଦେଶରେ ଅୟସ୍ କରୁଛନ୍ତି। ଗତ ୪ ବର୍ଷରେ ପୁଞ୍ଜିପତିଙ୍କୁ ୩.୫୦ ଲକ୍ଷ କୋଟି ଟଙ୍କା ଋଣ ସଂପୂର୍ଣ୍ଣ ଛାଡ଼ କରାଯାଇଛି।
ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେଉଛି ଆଉ ଏକ ପ୍ରକାର ଆକ୍ରମଣ। ବିଗତ ୪ ବର୍ଷରେ ସରକାର ବହୁ ସ୍ବାୟତ୍ତ ସଂସ୍ଥାର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିଛନ୍ତି। ସାଧାରଣତଃ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସେ, କିନ୍ତୁ ଏହି ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଜରିଆରେ ଶ୍ରମିକ ଶ୍ରେଣୀ ସଡ଼କ ଉପରେ ଅନାସ୍ଥା ଆଣିବେ।
ସାଧାରଣ ସମ୍ପାଦକ, କଟକ ଡିଭିଜନ ବୀମା କର୍ମଚାରୀ ସଂଘ

Leave A Reply