ତ୍ରୁଟିପୂର୍ଣ୍ଣ ଅଧ୍ୟାପକ ମନୋନୟନ ନୀତି

0

ନିକଟ ଅତୀତରେ ଖଲିକୋଟ ବିଶ୍ବବିଦ୍ୟାଳୟର ଅଧ୍ୟାପକ ମନୋନୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ପ୍ରାଶାସନିକ ତଦନ୍ତ ହେଉଥିବାର ସମ୍ବାଦ ପ୍ରକାଶ ପାଇଥିଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ମେଧାବୀ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡାକିନଥିବାର ଅଭିଯୋଗକରି ବଞ୍ଚିତ ପ୍ରାର୍ଥୀମାନେ କୁଳାଧିପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତର ଫଳାଫଳ କ’ଣ ହେଲା ଜଣାପଡ଼ିନାହିଁ, କିନ୍ତୁ ବିଶ୍ବବିଦ୍ୟାଳୟଗୁଡ଼ିକ​‌େ​‌ର ଅନୁସୃତ ଅଧ୍ୟାପକ ମନୋନୟନ ନୀତି ଯେ ତ୍ରୁଟିପୂର୍ଣ୍ଣ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କର ସ୍ବାର୍ଥର ପରିପନ୍ଥୀ ଏଥିରେ ସନ୍ଦେହ ନାହିଁ। ଏହି ନୀତି ଅଧ୍ୟାପନା କ୍ଷେତ୍ରକୁ ମେଧାବୀ ବ୍ୟକ୍ତିଙ୍କର ପ୍ରବେଶ ପଥରେ ଅନ୍ତରାୟ ସୃ‌ଷ୍ଟି କରୁଥିବାବେଳେ ଅସଦ୍‌ ଉପାୟରେ ଅଧ୍ୟାପକ ପଦ ପ୍ରାପ୍ତି ପାଇଁ ପ୍ରୋତ୍ସାହିତ କରୁଥିବା ଜଣାଯାଏ।
ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଓ ପଦୋନ୍ନତି ପାଇଁ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ପ୍ରଦାନ କରିଥାନ୍ତି। ତଦନୁଯାୟୀ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜର ନିଯୁକ୍ତି ନୀତି ନିର୍ଦ୍ଧାରଣ କରନ୍ତି। ପ୍ରଚଳିତ ନିୟମ ଅନୁସାରେ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ (ଆସିଷ୍ଟାଣ୍ଟ ପ୍ରଫେସର) ହେବାପାଇଁ ନିମ୍ନଲିଖିତ ଯୋଗ୍ୟତା ଆବଶ୍ୟକ।
୧- ସଂପୃକ୍ତ ବିଷୟରେ ଅନ୍ୟୂନ ଶତକଡ଼ା ପଞ୍ଚାବନ ନମ୍ବର ରଖି ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥି‌େ​‌ବ। ୨- ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ୍‌) କିମ୍ବା ରାଜ୍ୟ ଯୋଗ୍ୟତା ପରୀକ୍ଷା (ସ୍ଲେଟ୍‌)ରେ ଉତ୍ତୀର୍ଣ୍ଣ ହୋଇଥିବେ। ଯେଉଁମାନେ ପିଏଚଡି ଡିଗ୍ରୀ ହାସଲ କରିଥିବେ ସେମାନଙ୍କୁ ଜାତୀୟ/ରାଜ୍ୟ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଆବଶ୍ୟକତା ନାହିଁ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରତିବର୍ଷ ୟୁଜିସି କିମ୍ବା ବୈଜ୍ଞାନିକ ଓ ଔ‌େ​‌ଦ୍ୟାଗିକ ଗବେଷଣା, ପରିଷଦ ଏବଂ କେତେକ ରାଜ୍ୟସରକାର ଅଧ୍ୟାପକ ବୃତ୍ତି ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କର ଏକ ଯୋଗ୍ୟତା ନିର୍ଦ୍ଧାରଣ ପରୀକ୍ଷା କରିଥାନ୍ତି। ପ୍ରକୃତ ମନୋନୟନ ସମୟରେ ଏହି ଯୋଗ୍ୟତା ସହିତ ଅନ୍ୟ କେତେଗୁଡ଼ିଏ ବିଷୟ ବିଚାରକୁ ନିଆଯାଏ। ଅଧ୍ୟାପକ ମନୋନୟନ ପାଇଁ ଉଦ୍ଦିଷ୍ଟ ଏକଶତ ନମ୍ବରକୁ ବିଭିନ୍ନ ପରୀକ୍ଷା ଓ ଅନ୍ୟାନ୍ୟ କୃତିତ୍ବ ମଧ୍ୟରେ ନିମ୍ନମତେ ବଣ୍ଟା ହୁଏ।
ସ୍ନାତକ ପରୀକ୍ଷାରେ ଶତକଡ଼ା ଅଶୀ କିମ୍ବା ତଦୂର୍ଦ୍ଧ୍ବ ନମ୍ବର ପାଇଁ ୧୫ ନମ୍ବର, ଶତକଡ଼ା ଷାଠିଏରୁ ଅଣାଅଶୀ ପର୍ଯ୍ୟନ୍ତ ନମ୍ବର ପାଇଁ ୧୩ ନମ୍ବର, ଶତକଡ଼ା ପଞ୍ଚାବନରୁ ଅଣଷଠି ନମ୍ବର ପର୍ଯ୍ୟନ୍ତ ୧୦ ନମ୍ବର ଓ ଶତକଡ଼ା ପଇଁଚାଳିଶରୁ ଚଉବନ ନମ୍ବର ପର୍ଯ୍ୟନ୍ତ ୫ ନମ୍ବର ଦିଆଯାଏ। ସ୍ନାତକୋତ୍ତର ପରୀକ୍ଷାରେ ଉପରୋକ୍ତ ପ୍ରଥମ ତିନିଟି ସୋପାନ ଯଥା ଶତକଡ଼ା ଅଶୀ କିମ୍ବା ତଦୂର୍ଦ୍ଧ୍ବ, ଶତକଡ଼ା ଷାଠିଏରୁ ଅଣାଅଶୀ ଓ ଶତକଡ଼ା ପଞ୍ଚାବନରୁ ଅଣଷଠି ନମ୍ବର ପାଇଁ ଯଥାକ୍ରମେ ୨୫, ୨୩ ଓ ୨୦ ନମ୍ବର ଦିଆଯାଏ। କେବଳ ଏମଫିଲ୍‌ ପରୀକ୍ଷାରେ ଶତକଡ଼ା ଷାଠିଏ ଓ ତଦୂର୍ଦ୍ଧ୍ବ ନମ୍ବର ପାଇଁ ୭ନମ୍ବର ଏବଂ ଶତକଡ଼ା ଷାଠିଏରୁ କମ୍‌ ନମ୍ବର ପାଇଁ ୫ନମ୍ବର। ସେହିପରି ପିଏଚଡି ପାଇଁ ୩୦ ନମ୍ବର ଦିଆଯାଇଥାଏ। କିନ୍ତୁ ଜଣେ ଉଭୟ ଏମ୍‌ଫିଲ ଓ ପିଏଚଡି କରିଥିଲେ ମୋଟ ୩୦ ନମ୍ବର ପାଏ। ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ୫ ନମ୍ବର ଓ କନିଷ୍ଠ ଗବେଷଣା ବୃତ୍ତି ପାଇଥିଲେ ଆଉ ୨ ନମ୍ବର ଦିଆଯାଏ। ରାଜ୍ୟ ଯୋଗ୍ୟତା ପରୀକ୍ଷା ପାଇଁ ୩ ନମ୍ବର। ଗବେଷଣାମୂଳକ ପ୍ରବନ୍ଧ ୟୁଜିସି ସ୍ବୀକୃତିପ୍ରାପ୍ତ ପତ୍ରିକାରେ ପ୍ରକାଶ ପାଇଥିଲେ ପ୍ରବନ୍ଧପିଛା ୨ନମ୍ବର ହିସାବରେ ସର୍ବାଧିକ ମୋଟ ଦଶ ନମ୍ବର। ଅଧ୍ୟାପନା ଅଭିଜ୍ଞତା ପାଇଁ ପ୍ରତ୍ୟେକ ପୂର୍ଣ୍ଣ ବର୍ଷ ପାଇଁ ଦୁଇନମ୍ବର ହାରରେ ସର୍ବାଧିକ ଦଶ ନମ୍ବର। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ପୁରସ୍କାର ପାଇଁ ଯଥାକ୍ରମେ ୩ ଓ ୨ ନମ୍ବର।
ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଛାତ୍ରଜୀବନର ଦୁଇଟି ପରୀକ୍ଷା ପାଇଁ ୪୦ ନମ୍ବର ଗବେଷଣା ପାଇଁ ୪୦ ନମ୍ବର, ଅଭିଜ୍ଞତା ପାଇଁ ୧୦ନମ୍ବର, ଯୋଗ୍ୟତା ପରୀକ୍ଷା ପାଇଁ ୫ ନମ୍ବର ଓ ପୁରସ୍କାରପାଇଁ ୫ନମ୍ବର ଏହିଭଳି ଶହେନମ୍ବରକୁ ବଣ୍ଟାଯାଇଛି। ଯେଉଁମାନେ ଏହି ନୀତି ନିର୍ଦ୍ଧାରଣ କରିଛନ୍ତି ଓ ଯେଉଁମାନେ ତାକୁ ଗ୍ରହଣ ବା ଅନୁସରଣ କରୁଛନ୍ତି ବାସ୍ତବ ମନୋନୟନ ସମୟରେ ଏହାର ଯେ କି ପ୍ରକାର ଦୁରୁପଯୋଗ ହେଉଛି, କିମ୍ବା ଏହି ନୀତି କିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକ ହେବାରୁ ବଞ୍ଚିତ କରୁଛି ତାହା ସେମାନେ ଜାଣିବାପାଇଁ ଯତ୍ନବାନ ନୁହନ୍ତି।
ଅଧ୍ୟାପନା ବୃତ୍ତିରେ ପ୍ରବେଶ ସମୟରେ ଗବେଷଣାକୁ ଏତେ ଗୁରୁତ୍ବ ଦେବାପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ଜଣେ ମେଧାବୀ ବ୍ୟକ୍ତି ଅଧ୍ୟାପକ ଭାବେ ଯୋଗଦେଲାପରେ ଗବେଷଣା କରିବାପାଇଁ ଯଥେଷ୍ଟ ସୁବିଧା ଓ ସୁଯୋଗ ପାଇଥାଏ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଅଧ୍ୟାପକ ବୃତ୍ତି ବ୍ୟତୀତ ସାଧାରଣତଃ ଅନ୍ୟ କୌଣସି ବୃତ୍ତି ପାଇଁ ଏମ୍‌ଫିଲ କିମ୍ବା ପିଏଚଡି ଡିଗ୍ରୀର ଆବଶ୍ୟକତା ନଥାଏ। ଗବେଷଣା ଅନୁଷ୍ଠାନରେ ଚାକିରିପାଇଁ ତାହା ପ୍ରାସଙ୍ଗିକ ହୋଇପାରେ। ତେଣୁ ଅଧ୍ୟାପକ ହେବାପାଇଁ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ମେଧାବୀ ଛାତ୍ରଛାତ୍ରୀମାନେ ଏମଫିଲ୍‌ କିମ୍ବା ପିଏଚଡି କରିବା କ୍ବଚିତ ଦୃଷ୍ଟିଗୋଚର ହୁଏ। ଏଥିପାଇଁ ଅନ୍ୟୂନ ପାଞ୍ଚବର୍ଷ ସମୟ ଲାଗିଥାଏ। ପିଏଚଡି କରୁଥବା ବ୍ୟକ୍ତିଙ୍କୁ ଅନ୍ୟାନ୍ୟ ପରୀକ୍ଷା ଭଳି ପ୍ରତିଯୋଗିତାମୂଳକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େନାହିଁ। ଅପରପକ୍ଷରେ ଲକ୍ଷଲକ୍ଷ ପିଲାଙ୍କ ସଙ୍ଗେ ପରୀକ୍ଷାଦେଇ ଉଚ୍ଚସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନଙ୍କର କୃତିତ୍ବକୁ ଉପେକ୍ଷା କରାଯାଇ ପିଏଚଡିକୁ ଅଧିକ ଗୁରୁତ୍ବ ଦେବାଫଳରେ ମେଧାବୀ ପିଲାମାନେ ଅନ୍ୟାନ୍ୟ ବୃତ୍ତିରେ ଯୋଗଦେବାକୁ ଚାଲିଯାଉଛନ୍ତି। ସେହିଭଳି ଗବେଷଣାମୂଳକ ପ୍ରବନ୍ଧ ପ୍ରକୃତରେ କିଏ ଲେଖି କାହା ନାଁରେ ଛାପିଛି ତାହା ନିର୍ଣ୍ଣୟ କରିବାର କୌଣସି ଉପାୟ ନଥାଏ। ଅନାମଧେୟ ମହାବିଦ୍ୟାଳୟରେ ଚାକିରିର ପ୍ରକୃତ ଅଭିଜ୍ଞତା କିମ୍ବା ମିଥ୍ୟା ଅଭିଜ୍ଞତାର ପ୍ରମାଣପତ୍ର ପାଇଁ ଦଶନମ୍ବର ଦେବା ମଧ୍ୟ ଏକ ମେଧାମାରଣ ନୀତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତୀତରେ ଆମ ରାଜ୍ୟରେ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ବିଦ୍ୟାର୍ଥୀମାନଙ୍କୁ ଅସ୍ଥାୟୀ ଅଧ୍ୟାପକ ପଦରେ ନିଯୁକ୍ତି ଦିଆଯାଉଥିଲା। ଏ କଥା ସତ ଯେ ସେମାନଙ୍କ ମଧ୍ୟରୁ ଅନେକ ପ୍ରଶାସନିକ ସେବାରେ ଯୋଗଦେବାପାଇଁ ଚାଲିଯାଇଥିଲେ। କିନ୍ତୁ ସେହି ଶୂନ୍ୟସ୍ଥାନ ଅନୁରୂପ ମେଧାବୀ ବ୍ୟକ୍ତିଙ୍କ ଦ୍ବାରା ପୂରଣ କରାଯାଉଥିଲା। ଫଳରେ ଛାତ୍ରଛାତ୍ରୀମାନେ ମେଧାବୀ ବ୍ୟକ୍ତିଙ୍କର ଅଧ୍ୟାପନା ନିରନ୍ତର ଉପଭୋଗ କରୁଥିଲେ ଏବଂ ଶିକ୍ଷାନୁଷ୍ଠାନରେ ସେମାନଙ୍କର ଉପସ୍ଥିତି ଛାତ୍ରଛାତ୍ରୀଙ୍କୁ ବହୁଭାବେ ପ୍ରଭାବିତ କରୁଥିଲା। କେଉଁ ବିଜ୍ଞବ୍ୟକ୍ତିମାନେ ଏ ପ୍ରଥାକୁ କ’ଣ ପାଇଁ ବନ୍ଦ କରିଦେଲେ ତାହା କହିହେବ ନାହିଁ।
ସରକାରୀ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକ ମନୋନୟନ ଓଡ଼ିଶା ଲୋକସେବା ଆୟୋଗଦ୍ବାରା କରାଯାଇଥାଏ। ଆୟୋଗ କେବଳ ଦଶମ, ଦ୍ବାଦଶ, ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାର ଫଳ ଭିତ୍ତିରେ ମନୋନୟନ କରନ୍ତି। ଗବେଷଣା ପାଇଁ କୌଣସି ନମ୍ବର ଦିଆଯାଏ ନାହିଁ। ବିଶ୍ବବିଦ୍ୟାଳୟର ଅଧ୍ୟାପକ ମନୋନୟନ ପ୍ରକ୍ରିୟାରେ ଦଶମ ଓ ଦ୍ବାଦଶ ପରୀକ୍ଷାର କୃତିତ୍ବକୁ ଗୁରୁତ୍ବ ନ ଦେବା ଦୁଃଖର ବିଷୟ। ଏହି ପରୀକ୍ଷା ଦ୍ବୟରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିଥାନ୍ତି। ସେମାନଙ୍କର ଶିକ୍ଷଣ ପ୍ରବୃତ୍ତି, ଶିକ୍ଷଣ ଦକ୍ଷତା, ଭାଷାଜ୍ଞାନ ବୃଦ୍ଧି ଓ ମାର୍ଜିତ କରିବାରେ ଏହି ଦୁଇଟି ପରୀକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଶୈକ୍ଷିକ କୃତିର ସାମଗ୍ରିକ ଆକଳନ ପାଇଁ ଏହି ପରୀକ୍ଷାର ଫଳାଫଳକୁ ବିଚାରକୁ ନନେବା ଏକ ଗୁରୁତର ତ୍ରୁଟି।
ଏବେ ଆସନ୍ତୁ ଦେଖିବା ଏଭଳି ବିଚାରଶୂନ୍ୟ ବ୍ୟବସ୍ଥାରେ ମେଧାବୀ ପିଲାଟିର ଭାଗ୍ୟ କିପରି ନିର୍ଣ୍ଣୟ ହେଉଛି। ଜଣେ ଛାତ୍ର ଯଦି ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ଶତକଡ଼ା ଅଶୀଭାଗରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥାଏ ଏବଂ ଜାତୀୟ ଯୋଗ୍ୟତା ପରୀକ୍ଷାରେ ସଫଳ ହୋଇଥାଏ ତେବେ ମନୋନୟନ ସମୟରେ ତାକୁ ୨୫+୧୫+୫=୪୫ ନମ୍ବର ମିଳିବ। ଅପରପକ୍ଷରେ ଯଦି ଜଣେ ସ୍ନାତକ ପରୀକ୍ଷାରେ ଶତକଡ଼ା ୪୫ନମ୍ବର ଓ ସ୍ନାତକତ୍ତୋର ପରୀକ୍ଷାରେ ଶତକଡ଼ା ୫୫ନମ୍ବର ରଖିଥାଏ ଅର୍ଥାତ ସର୍ବନିମ୍ନ ଯୋଗ୍ୟତା ହାସଲ କରିଥାଏ କିନ୍ତୁୁ ପିଏଚଡି କରି କୌଣସି ଅନାମଧେୟ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ଥାଇ ଅନ୍ୟ କାହାଦ୍ବାରା ପ୍ରବନ୍ଧ ଲେଖାଇ ନିଜ ନାମରେ ଛାପିଥାଏ, ତାହାହେଲେ ସେ ଶୈକ୍ଷିକ କୃତିପାଇଁ ମାତ୍ର ୧୦+୫= ୧୫ ନମ୍ବର ପାଇଲାବେଳେ ପିଏଚଡି, ପ୍ରବନ୍ଧ ଓ ଅଧ୍ୟାପନା ପାଇଁ ୩୦+୧୦+୧୦= ୫୦ ନମ୍ବର ପାଇ ମୋଟ ୫୦+୧୫=୬୫ ନମ୍ବର ପାଏ ଏବଂ ଉପରୋକ୍ତ ମେଧାବୀ ଛାତ୍ର, ଯେ କି ଛାତ୍ରଜୀବନରେ ଶତକଡ଼ା ଅଶୀ ନମ୍ବରରୁ କେବେ କମ ରଖିନାହିଁ ତାକୁ ପଦାଘାତ କରି ଅଧ୍ୟାପକ ହୁଏ। ଏହା ହେଲା ଆମର ବ୍ୟବସ୍ଥା। ଏହି ବ୍ୟବସ୍ଥା ଶିକାର ହୋଇଥିବା ଜଣେ ମେଧାବୀ ଛାତ୍ରର କାହାଣୀ ଉଲ୍ଲେଖକରି ପ୍ରବନ୍ଧଟିକୁ ସମାପ୍ତ କରିବି।
ପିଲାଟି କେନ୍ଦ୍ରୀୟ ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଶତକଡ଼ା ୯୬ ଓ ଦ୍ବାଦଶ ପରୀକ୍ଷାରେ ଶତକଡ଼ା ୯୬.୪ ନମ୍ବର ରଖି ସମଗ୍ର ଓଡ଼ିଶାରେ ପ୍ରଥମସ୍ଥାନ ଅଧିକାର କରିଥିଲା। ଦିଲ୍ଲୀର ମର୍ଯ୍ୟାଦାଜନକ ସେଣ୍ଟ ଷ୍ଟିଫେନ୍ସ ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମହୋଇ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଗୌରବଲାଭ କରିଥିଲା। ସେହିପରି ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ପ୍ରଥମ ଶ୍ରେଣୀରେ ତୃତୀୟ ହୋଇ ଏମଏ ପାସ ପରେ ଜାତୀୟ ଯୋଗ୍ୟତା ପରୀକ୍ଷା ମଧ୍ୟ କୃତିତ୍ବର ସହ ପାସ୍‌ କରିଥିଲା। ୟୁଜିସି ସ୍ବୀକୃତି ପ୍ରାପ୍ତ ପତ୍ରିକାଗୁଡ଼ିକରେ ତା’ର କିଛି ଗବେଷଣାମୂଳକ ପ୍ରବନ୍ଧ ପ୍ରକାଶିତ ହୋଇଥିଲା କିନ୍ତୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ହେଉଥିବା ସାକ୍ଷାତ୍‌କାର ପରୀକ୍ଷା ପାଇଁ ମଧ୍ୟ ତାକୁ ବଛାଗଲା ନାହିଁ। ଯେଉଁ ନିୟମ ଏଭଳି ଏକ ଉଜ୍ବଳ ଛାତ୍ରକୁ ଅଧ୍ୟାପକ ହେବାରୁ ବଞ୍ଚିତ କଲା ସେ ନୀତି ବା ନିୟମ ବିଶ୍ବବିଦ୍ୟାଳୟର ଶୈକ୍ଷିକ ଅଭିବୃଦ୍ଧି ପାଇଁ କେତେ ସହାୟକ ହେବ ତାହା ବିଚାର୍ଯ୍ୟ।
କୁଳପତିମାନେ ମାତ୍ର ତିନିବର୍ଷ ପାଇଁ ନିଯୁକ୍ତି ପାଇଥାନ୍ତି। ସେହି ସମୟ ଭିତରେ ଅଧ୍ୟାପକ ନିଯୁକ୍ତି ପାଇଁ ଯେଉଁ ବୋର୍ଡ ଗଠନ କରାଯାଏ ସେଥିରେ କୁଳପତିଙ୍କର ଅଖଣ୍ଡ କ୍ଷମତା ଥାଏ। ତାଙ୍କର ସାଧୁତା ଓ ନିରପେକ୍ଷତାରେ ସାମାନ୍ୟ ଅଭାବ ଥିଲେ ସାକ୍ଷାତ୍‌କାର କେବଳ ଏକ ଔପଚାରିକତା ହୋଇଥାଏ। ନିଯୁକ୍ତି ପ୍ରକ୍ରିୟାରେ ଜଣେ ବ୍ୟକ୍ତିଙ୍କୁ ଏପରି କ୍ଷମତା ପ୍ରଦାନ କରିବା ଉଚିତ ନୁହେଁ ସେ ବିଷୟରେ ତର୍ଜମା ଆବଶ୍ୟକ।
ବିଶ୍ବବିଦ୍ୟାଳୟଗୁଡ଼ିକ ଜ୍ଞାନର ଗନ୍ତାଘର ବୋଲି କୁହାଯାଏ। ଏହିଠାରେ ସୃଷ୍ଟିହୁଏ ନୂତନ ଜ୍ଞାନ ବିଜ୍ଞାନ। ଆମ ରାଜ୍ୟର ପ୍ରାତଃ ସ୍ମରଣୀୟ ବହୁ ବିଦ୍ବାନଙ୍କର ପ୍ରଜ୍ଞାର ଏହି ସଂଗମସ୍ଥଳୀରୁ ଉତ୍ପନ୍ନ ଜ୍ଞାନ ମନ୍ଦାକିନୀର ସ୍ରୋତ ଆଜି କ୍ଷୀଣରୁ କ୍ଷୀଣତର ହୋଇଚାଲିଛି। କିଏ ଜାଣେ, ଏହା କାଲି ହୁଏତ ବିଲୁପ୍ତ ହୋଇଯାଇପାରେ। ଯେଉଁମାନେ ଏ ଅବକ୍ଷୟକୁ ରୋକିପାରିବେ ସେମାନଙ୍କର ଏଥିପ୍ରତି ଦୃଷ୍ଟିଥିଲା ଭଳି ମନେହୁଏ ନାହିଁ।

Leave A Reply