୨୦୧୯ ନିର୍ବାଚନ ଓ ‘ଟିନା’

0

ଅବସର ବେଉରିଆ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ନାଟକୀୟ ପରିସ୍ଥିତିରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ କୁମାରସ୍ୱାମୀଙ୍କୁ ଗାଦିନସୀନ କରାଇବାରେ ସଫଳହେବା ଏବଂ ଶପଥ ଗ୍ରହଣ ଉତ୍ସବରେ ଗୋଟିଏ ପ୍ଲାଟଫର୍ମରେ ବିଜେପି ବିରୋଧୀ ରାଜନୈତିକ ଦଳ ମୁଖ୍ୟଙ୍କର ସମାଗମ ଏକ ଅଭୂତପୂର୍ବ ଘଟଣା। ସୋନିଆ ଗାନ୍ଧୀଙ୍କ ସହିତ ମମତା, ଅଖିଳେଶଙ୍କ ସହିତ ମାୟାବତୀ, ଶରଦ ପୱାର, ଶରଦ ଯାଦବ, ଚନ୍ଦ୍ରବାବୁ ନାଇଡୁ ବାମପନ୍ଥୀ ଦଳର ଉପସ୍ଥିତି ବିରୋଧୀ ମେଣ୍ଟର ମୋଦୀମୁକ୍ତ ଅଭିଯାନର ଅୟମାରମ୍ଭ ମନେ ହେଉଥିଲା। ଅବଶ୍ୟ ଏହା ପୂର୍ବରୁ ଗୁଜରାଟ୍‍ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମଥର ପାଇଁ ହୃଦୟଙ୍ଗମ କଲେ ଯେ ରାହୁଲ ଗାନ୍ଧୀ ‘ପପ୍ପୁ’ ନୁହନ୍ତି, ଜଣେ ପରିପକ୍ୱ ରାଜନେତା। ଏକାକୀ ଗୁଜରାଟର ତରୁଣ ନେତୃତ୍ୱଙ୍କ ସହଯୋଗରେ ଶାସକ ଦଳ ନେତୃବୃନ୍ଦଙ୍କ ନିଦ ହଜାଇ ଦେବାର କିଛି ଶ୍ରେୟ ପାଇବାର ସେ ହକ୍‍ଦାର। କାରଣ ଗୁଜରାଟରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପିର ସଫଳତା ସୁନିଶ୍ଚିତ ନଥିଲା। ଉତ୍ତର ପ୍ରଦେଶର ଉପନିର୍ବାଚନର ଫଳାଫଳ ମଧ୍ୟ ଥିଲା ଅପମାନଜନକ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିଜ ଗଡ଼ରେ ତାଙ୍କ ସମର୍ଥକ ପ୍ରାର୍ଥୀଙ୍କ ପରାଜୟ ଥିଲା ଶକ୍ତ ଧକ୍କା। ଏସବୁର ଉତ୍ସାହଜନକ ଦୃଶ୍ୟକ୍ରମ ସ‌‌‌ତ୍ତ୍ବେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକତ୍ର ହୋଇ ଆସନ ବୁଝାମଣା କରିବାରେ ବିଫଳ ହେବାରେ, ବିଶେଷ କରି ମାୟାବତୀଙ୍କ ନିର୍ଦିଷ୍ଟ ମନୋଭାବ ହିଁ ଦାୟୀ। ପରବର୍ତ୍ତୀ କାଳରେ ଗଣମାଧ୍ୟମରେ ପ୍ରକାଶ ପାଇଲା ଅଖିଳେଶ-ମାୟାବତୀ ଆଗାମୀ ନିର୍ବାଚନରେ ଉତ୍ତର ପ୍ରଦେଶରେ ମେଣ୍ଟ କରିବା ପାଇଁ ଆଗ୍ରହୀ, କିନ୍ତୁ ତାହା ହେବ କଂଗ୍ରେସବିହୀନ ମେଣ୍ଟ। ଏଭଳି ଏକ ଅସ୍ପଷ୍ଟ ରାଜନୈତିକ ଚିତ୍ର ମଧ୍ୟରେ ପୁଣି ଦେଖାଗଲା ଆଶାର କିରଣ –କୃଷକଙ୍କ ଦିଲ୍ଲୀ ରାଲିରେ ଯେଉଁଥିରେ କୃଷକମାନଙ୍କ ଦାବିକୁ ସମର୍ଥନ ଜଣାଇ ସବୁ ବିରୋଧୀ ରାଜନୈତିକ ଦଳ ଏକାଠି ହୋଇଥିଲେ। ଘଟଣାବଳୀର ଖିଅରୁ ଚନ୍ଦ୍ରବାବୁ ନାଇଡୁ ପୁଣିଥରେ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରାଇବାର ପ୍ରୟାସରେ ଅଛନ୍ତି। ତାଙ୍କର ନିମନ୍ତ୍ରଣ କ୍ରମେ ପ୍ରାୟ ୨୧ଟି ବିରୋଧୀ ଦଳର ପ୍ରତିନିଧି ଦିଲ୍ଲୀରେ ଏକତ୍ରିତ ହୋଇ ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ବିଚାରବିମର୍ଶ କରିଥିଲେ, କିନ୍ତୁ ସେଥିରେ ଅଖିଳେଶ୍, ମାୟାବତୀଙ୍କ ଅନୁପସ୍ଥିତି ଏକ ଭିନ୍ନ ବାର୍ତ୍ତା ଦେଲା। ନିର୍ବାଚନରେ ବିଜୟୀ ହେବା ପରେ ଉଭୟ କଂଗ୍ରେସ, ବିଜେପି ବିପକ୍ଷ ବିରୋଧୀ ରାଜନୀତିର ନେତୃତ୍ୱ ନେବା ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ସି.ଏସ୍‍.ଆର ଜାତୀୟ ରାଜନୀତିରେ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ବର୍ତ୍ତମାନ ସଂଗଠିତ ରାଜନୈତିକ ଗୋଷ୍ଠୀ ସନ୍ଧାନରେ, ନବୀନ-ମମତା ଓ ଅନ୍ୟାନ୍ୟଙ୍କ ସହିତ ଆଲୋଚନାରତ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜନୈତିକ ପାଣିପାଗ ଦେଖି କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱର ସ୍ଲୋଗାନ୍‍ ଦେଇ ଆସୁଛନ୍ତି। ତେବେ ବାସ୍ତବରେ ଆଲୋଚ୍ୟ ବିଷୟବସ୍ତୁଭିତ୍ତିକ ସମର୍ଥନ ହିଁ ତାଙ୍କର ରଣକୌଶଳ ଯାହା ଆଦର୍ଶ ବା ନୀତିଭିତ୍ତିକ ନୁହେଁ। ବିରୋଧୀ ଦଳଗୁଡ଼ିକର ଅସୁବିଧା ହେଉଛି ବହୁ ଉଚ୍ଚାଭିଳାଷୀ ନେତାଙ୍କୁ ରାଜି କରାଇ ମୋଦୀଙ୍କର ବିକଳ୍ପ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଜନସାଧାରଣଙ୍କ ପାଖରେ ପେସ୍‌ କରାଇବା।
କଂଗ୍ରେସରହିତ ବିରୋଧୀ ମେଣ୍ଟର ପରିକଳ୍ପନା ବାସ୍ତବଧର୍ମୀ ନୁହେଁ। ବିଭିନ୍ନ ପ୍ରଦେଶରେ ପରିସ୍ଥିତି ଅନୁଯାୟୀ ବିରୋଧୀ ଦଳଗୁଡ଼ିକ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବୁଝାମଣା କରି ପ୍ରାର୍ଥୀ ଛିଡ଼ା କରାଇପାରିଲେ ଭୋଟ୍‍ ଖଣ୍ଡବିଖଣ୍ଡିତ ନହୋଇ ବିଜେପି ବିରୋଧୀ ଭୋଟଦାନରେ ସଂଗଠିତ ପ୍ରତିବାଦ ହୋଇପାରିବ, କିନ୍ତୁ ବିଗତ ଦିନଗୁଡ଼ିକର ଅନୁଭୂତି ଭିତ୍ତିରେ ମନେହେବ ଏହା ଦିବା ସ୍ୱପ୍ନ। ଏକଥା ବି ମନେ ରଖିବାକୁ ପଡ଼ିବ ମେଣ୍ଟ ସରକାର ଯେ ସବୁବେଳେ ଦୁର୍ବଳ, ନିଷ୍କ୍ରିୟ ଏବଂ ଅସ୍ଥାୟୀ, ଏକଥା ସତ୍ୟ ଉପରେ ଆଧାରିତ ନୁହେଁ। ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କ ମେଣ୍ଟ ସରକାରଙ୍କର କାର୍ଯ୍ୟକଳାପର ଯଦି ସଠିକ୍‍ ମୂଲ୍ୟାଙ୍କନ କରାଯାଏ ତେବେ ଜଣାଯିବ ଯେ ଦେଶ ପାଇଁ ବହୁ ସାହସିକ ପଦକ୍ଷେପ, ଯାହାର ସୁଦୂରପ୍ରସାରୀ/ପରିଣାମ ଥିବା ନିଷ୍ପତ୍ତି ନେବାକୁ ସେମାନେ କୁଣ୍ଠାବୋଧ କରିନଥିଲେ। ଅର୍ଥନୈତିକ ଉଦାରୀକରଣ, ପରମାଣୁ ପରୀକ୍ଷା, ଜାତୀୟ ରାଜପଥ ମାଧ୍ୟମରେ ସାରା ଦେଶକୁ ସଂଯୋଗ କରିବାର ସୁଫଳ ଆମେ ବର୍ତ୍ତମାନ ଭୋଗ କରୁଛେ। ସବୁ ନିର୍ଭର କରେ ନେତୃତ୍ୱ ଉପରେ, ନେତାଙ୍କର ଦେଶ ପାଇଁ ଭବିଷ୍ୟ ଦୃଷ୍ଟିକୋଣ ଉପରେ, ମେଣ୍ଟ ସରକାର ପରିଚାଳନା କରିବାର ପାରଙ୍ଗମତା ଉପରେ, ସହଯୋଗ ଓ ସମର୍ଥନ ଉପରେ। ବିହାରରେ ଆସନ ବୁଝାମଣାରୁ ସ୍ପଷ୍ଟ ହୋଇଛି ଯେ ବିଜେପି ୨୦୧୯ ନିର୍ବାଚନ ପରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଜୟଲାଭର ଆଶା କ୍ଷୀଣ। ତେଣୁ ବହୁ ରାଜ୍ୟରେ ଋଣ କୌଶଳ ପରିସ୍ଥିତିକୁ ଦେଖି ରଚନା କରିବ। ଆଗାମୀ ଦିନଗୁଡ଼ିକରେ ଏ ଚିତ୍ରରେ କିଛି ସ୍ପଷ୍ଟତା ଆସିପାରେ। ରାଜନୈତିକ ସମୀକରଣ ହେଲେ ମଧ୍ୟ ତିନୋଟି ରାଜ୍ୟ, ଯଥା- ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କଲାପରେ କଂଗ୍ରେସକୁ ଉପେକ୍ଷା କରି ବିରୋଧୀ ମେଣ୍ଟର ପରିକଳ୍ପନା କରିହୁଏନା। ଏସବୁ ସ​‌େ​‌ତ୍ତ୍ବ ପ୍ରଶ୍ନ ଉଠେ ଯେ ଜନସାଧାରଣଙ୍କ ସାମନାରେ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କିଏ? ତାଙ୍କର ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି। ସାଧାରଣ ଭୋଟର ଭାବନାରେ ସେ ଜଣେ ଦକ୍ଷ ଶାସକ ଓ କୁଶଳୀ ରାଜନେତା। ଆସନ୍ତା ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳମାନଙ୍କର ଗୁରୁତ୍ୱ ଆହୁରି ବଢ଼ିବାର ସମ୍ଭାବନା ରହିଛି। ବିଜେପି ଅଥବା କଂଗ୍ରେସ ଆଞ୍ଚଳିକ ଦଳ ସମର୍ଥନ ବିନା କେନ୍ଦ୍ର ସରକାର ଗଠନ କରିବା ଦୁରୂହ ହୋଇପାରେ।
୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କର ଦୁଇଟି ସ୍ଲୋଗାନ୍‍ ଭୋଟରମାନଙ୍କୁ ଆକର୍ଷିତ କରିଥିଲା। ପ୍ରଥମଟି “ଅଚ୍ଛେଦିନ ଆଏଗା” ଓ ଦ୍ୱିତୀୟଟି “ମିନିମମ୍‍ ଗଭର୍ଣ୍ଣମେଣ୍ଟ ଓ ମାକ୍ସିମମ୍‍ ଗଭର୍ଣ୍ଣାନ୍‌ସ୍‌”। ୨୦୧୯ରେ ଭୋଟର ରାଜନୈତିକ ଦଳ “ଅଚ୍ଛେଦିନ ଆଏଗା”ର ସମୀକ୍ଷା କରିବେ। ଅତୀତ ଅପେକ୍ଷା ଜଣେ ଭୋଟରର ପରିସ୍ଥିତିରେ ସୁଧାର ଆସିଛି କି ନାହିଁ ନିଜେ ଭୋଟର ସ୍ଥିର କରିବ ଓ ତଦନୁଯାୟୀ ମନ ସ୍ଥିର କରିବ କାହାକୁ ଭୋଟ ଦେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନଧନ, ମୁଦ୍ରା, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ମେକ୍‍ ଇନ୍‍ ଇଣ୍ଡିଆ, ମହିଳା ସଶକ୍ତୀକରଣ, ସ୍ୱଚ୍ଛ ଭାରତ ପ୍ରଭୃତି ଯୋଜନା “ଅଛେ ଦିନ” ପାଇଁ ଗୋଟିଏ ଆଧାର ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସରକାରଙ୍କର ସବୁଠାରୁ ବଡ଼ ଅସୁବିଧା ହେଉଛି ସେଗୁଡ଼ିକର ତଦାରଖ, ମନିଟରିଂ ଏବଂ ଫଳାଫଳର ସାମୟିକ ମୂଲ୍ୟାଙ୍କନ ହେଉନାହିଁ। କାର୍ଯ୍ୟକ୍ରମର ସଫଳତାଗୁଡ଼ିକ ସ୍ଲୋଗାନରେ ସୀମିତ ହୋଇ ରହିଯାଉଛି। ନରେନ୍ଦ୍ର ମୋଦୀ ଜଣେ “ପ୍ରାଇମ୍‍ ମିନିଷ୍ଟର ଇନ୍‍ ଏ ହରି”। ସବୁକଥା ବ୍ୟଗ୍ରର ସହିତ କରିବାକୁ ଚାହାନ୍ତି। ପ୍ରାଚୀନ ସଭ୍ୟତା, ବିବିଧତାପୂର୍ଣ୍ଣ ଜନବହୁଳ ଥିବା ଗଣତନ୍ତ୍ରରେ ବେଳେବେଳେ ଗତି ମନ୍ଥର ହୁଏ। ସେ ସବୁକୁ ହୃଦୟଙ୍ଗମ କରି ସମସ୍ତଙ୍କୁ ସଂପୃକ୍ତ କରାଇ ଉଚିତ୍‍ ପଦକ୍ଷେପରେ ହିଁ କାର୍ଯ୍ୟ ତ୍ୱରାନ୍ବିତ କରିହୁଏ। ବିମୁଦ୍ରାୟନ ଘୋଷିତ ଲକ୍ଷ୍ୟ ସାଧନରେ ବିଫଳ ହୋଇଛି। କଳାଧନ, ଆତଙ୍କବାଦ, ଜାଲ ନୋଟର ସମାପ୍ତି କେବଳ ଘୋଷଣାରେ ରହିଯାଇଛି। ସରକାର ଓ ଅରୁଣ ଜେଟ୍‍ଲୀ ବିମୁଦ୍ରାୟନର ଯଥାର୍ଥତା ଯେତେ ବିଚକ୍ଷଣ ଓ ଆଳଙ୍କାରିକ ଶବ୍ଦ ପ୍ରୟୋଗରେ କଲେ ମଧ୍ୟ ବାସ୍ତବ ପରିସ୍ଥିତି ତୃଣମୂଳ ସ୍ତରରେ ଅଲଗା। ସାଧାରଣ ଭୋଟର ବହୁ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହୋଇଛି। ଜିଏସ୍‍ଟି ଗୋଟିଏ ଉତ୍ତମ ନୀତି ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ, କିନ୍ତୁ କାର୍ଯ୍ୟକାରୀ କରିବାର ସୁଚିନ୍ତିତ ନିର୍ଦେଶାବଳୀ, କାର୍ଯ୍ୟକ୍ରମ ଅଭାବରେ ଏ ପର୍ଯ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଏ ଦୁଇଟି ନୀତିର କାର୍ଯ୍ୟକାରିତାର ଫଳାଫଳ ହେଉଛି ଯେ ବର୍ତ୍ତମାନ ମାକ୍ସିମମ୍‍ ‘ଗଭର୍ଣ୍ଣମେଣ୍ଟ ଓ ମିନିମମ୍‍ ଗଭର୍ଣ୍ଣାନସ୍‌’। ଏଗୁଡ଼ିକର ଉତ୍ତର ପ୍ରଧାନମନ୍ତ୍ରୀଙ୍କୁ ଭୋଟରଙ୍କୁ ଦେବାକୁ ପଡ଼ିବ। ଅର୍ଥନୀତିରେ କିଛି ସୁଧାରର ଆବଶ୍ୟକତା ରହିଛି। କୃଷି ଓ କୃଷକର ଦୁଃଖଦାୟକ ପରିସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଏବଂ ଗ୍ରାମାଞ୍ଚଳରେ ସ୍ପନ୍ଦିତ ପରିବର୍ତ୍ତନ ଦରକାର। ଆଶାୟିତ ଯୁବପିଢ଼ିର ନିଯୁକ୍ତିର ସୁଯୋଗ ବୃଦ୍ଧିର ଆବଶ୍ୟକତା ଅଛି। ଏହାଠାରୁ ବେଶୀ ପ୍ରୟୋଜନ ଗୋରକ୍ଷକ ଗୋଷ୍ଠୀଗୁଡ଼ିକ ଉପରେ ଅଙ୍କୁଶ। ଶାସକ ଦଳର କିଛି ନେତା, ବିଧାୟକ, ସାଂସଦଙ୍କ ଉପରେ ନିୟନ୍ତ୍ରଣ। ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସରକାରଙ୍କ ପାଇଁ ଲଜ୍ଜିତ ଓ ଅପ୍ରତିଭ ପରିସ୍ଥିତି ସୃଷ୍ଟି କରାଉଛି।
ଭାରତୀୟ ଭୋଟର ଯେତେବେଳେ ବିଚାର କରିବ, ତୁଳନା କରିବ; ତା ସାମନାରେ ରହିବ ବିରୋଧୀ ଦଳର ନାନା ମୁନି ନାନା ମତର ଚିତ୍ର, ପ୍ରଧାନମନ୍ତ୍ରୀ ପଦ ପାଇଁ ଅସମ୍ମତିର ଅନିଶ୍ଚିତତା ଏବଂ ମୋଦୀଙ୍କ ପାଇଁ ବିକଳ୍ପର ଅନୁପସ୍ଥିତି ଯାହାକୁ ଇଂରାଜୀରେ କୁହାଯାଏ ‘ଟିନା’ (ଦେୟାର ଇଜ୍‍ ନୋ ଅଲଟର୍‍ନେଟିଭ)।
୨୦୧୪ର ସାଧାରଣ ନିର୍ବାଚନ ପ୍ରଚାର ଶୈଳୀର ରୂପରେଖ ଭିନ୍ନ ଥିଲା। ନରେନ୍ଦ୍ର ମୋଦୀ ଏହାକୁ ଆମେରିକା ଭଳି ରାଷ୍ଟ୍ରପତିପ୍ରଧାନ ପ୍ରଚାର କଲେ ଯାହା ଅତୀତର ପାର୍ଲ୍ୟାମେଣ୍ଟାରି ବା ସଂସଦୀୟ ପ୍ରଚାର ଢ଼ାଞ୍ଚାରୁ ଭିନ୍ନ ଥିଲା। ତେଣୁ ସେ ଏଥର ମଧ୍ୟ ତା’ର ପୁନରାବୃତ୍ତି କରିବେ। ଏଭଳି ଋଣ କୌଶଳ ବିରୋଧୀ ଦଳଙ୍କୁ ଅଡୁଆରେ ପକାଇବ ଜଣେ ବିକଳ୍ପ ପେସ୍‍ କରାଇବାର ବିଫଳତାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନୀତିରେ ଜଣେ ବ୍ୟତିକ୍ରମ। ବିଜେପି ସଂଗଠନର ପଦାଧିକାରୀରୁ ସିଧା ମୁଖ୍ୟମନ୍ତ୍ରୀ ଏବଂ ପ୍ରଥମଥର ପାଇଁ ନିର୍ବାଚିତ ସାଂସଦ ହୋଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାର ସମାନ୍ତରାଳ ନାହିଁ। ତେବେ ନୀତିନ୍‍ ଗଡକରୀ ପରିସ୍ଥିତିର ଆକଳନ କରି କହିଛନ୍ତି ଯେ ୨୦୧୪ ନିର୍ବାଚନରେ ଭୋଟ ପାଇବା ପାଇଁ ବହୁ ମିଛ ପ୍ରତିଶ୍ରୁତିର ନକାରାତ୍ମକ ଫଳାଫଳ ଏବେ ଦେଖିବାକୁ ମିଳୁଛି। ଡି.ଏମ୍‍.କେ ଭଳି କେତେକ ଦଳ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିତ୍ୱ ପାଇଁ ଯୁକ୍ତି ବାଢ଼ୁଥିଲେ ମଧ୍ୟ ଅନ୍ୟମାନଙ୍କ ପାଇଁ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ବିରୋଧୀ ଦଳଗୁଡ଼ିକ ଏକତ୍ର କରାଇବାରେ ଘାତକ ହେବାର ଆଶଙ୍କା କରନ୍ତି। ବେଳେବେଳେ ମନେ ହୁଏ ରାହୁଲ ଗାନ୍ଧୀ ଜଣେ ସଂଗଠନ ବ୍ୟକ୍ତି। ତାଙ୍କର କାର୍ଯ୍ୟଶୈଳୀରେ ସଂଗଠନ ସୁଧାର ଓ ସୁଦୃଢ଼ କରିବାର ନିଷ୍ଠାପର ଆଗ୍ରହ। ୟୁପିଏ (୨)ରେ ରାହୁଲ ଗାନ୍ଧୀଙ୍କୁ କିଛି ଦିନ ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ ସେ ଶାସନର ଅନୁଭୂତି ଆଘ୍ରାଣ କରିଥାନ୍ତେ ଏବଂ ତାଙ୍କର ଶାସନରେ ରୁଚି ମଧ୍ୟ ଜଣାଯାଇଥାନ୍ତା। ଏଭଳି ଏକ ସ୍ପଷ୍ଟତାବିହୀନ କୁହୁଡ଼ି ଭରା ବର୍ତ୍ତମାନର ବିରୋଧୀ ରାଜନୀତି ସମ୍ମୁଖୀନ ହେବ ଜଣେ ବାଗ୍ମୀ, ଚତୁର ନେତା। ଭୋଟରଙ୍କ ପାଇଁ ରହିବ – ‘ଟିନା’ (ଦେୟାର ଇଜ୍‍ ନୋ ଅଲଟର୍‍ନେଟିଭ)।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜନୀତିର ରଙ୍ଗ କିଛି ଭିନ୍ନ ଚିତ୍ର ଦିଏ।
ବିଜେପୁର ଉପନିର୍ବାଚନ ଫଳାଫଳ ଏବଂ ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳର ପ୍ରାର୍ଥୀ ମନୋନୟନ ଘୋଷଣା ପରେ ମନେ ହେଲା କିଛି ନୂତନତ୍ୱର ଆଭାସ। ଦୁଇ ଦଶନ୍ଧିର ଚିରାଚରିତ ପ୍ରକ୍ରିୟାଠାରୁ ସାମାନ୍ୟ ଭିନ୍ନ ଗତି। ଗୋଟିଏ କଥା ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଅକ୍ଷୁଣ୍ଣ ଏବଂ କ୍ଷମତା ରାଜନୀତି ଓ ନିର୍ବାଚନ ରଣକୌଶଳରେ ସେ ଅନ୍ୟମାନଙ୍କଠାରୁ ବେଶୀ ଧୁରନ୍ଧର। ସମୟୋପଯୋଗୀ ପଦକ୍ଷେପ ନେବାରେ ପାରଙ୍ଗମ। କାରଣ ଧୈର୍ଯ୍ୟର ସହିତ ପରିସ୍ଥିତିର ଆକଳନ କରି ବିଜୟ ଲାଭ କରିବା ପାଇଁ ସବୁ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଛାନ୍ତି ନାହିଁ। ବିଜେପୁରରେ ପ୍ରାର୍ଥୀ ମନୋନୟନ ହିଁ ନିର୍ଣ୍ଣାୟକ ଥିଲା ବୋଲି ମନେହୁଏ। ୨୦୧୯ ନିର୍ବାଚନ ପ୍ରସ୍ତୁତି ପାଇଁ ବିଜେପୁର ବିଜୟ ଥିଲା ଅପରିହାର୍ଯ୍ୟ। ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାତ୍ରିଯାପନ ଇଙ୍ଗିତ କରୁଥିଲା ଏହାର ଗୁରୁତ୍ୱ। ତେବେ ଆଜିକାଲି ଅର୍ଥ, ବାହୁବଳ ବିନା ନିର୍ବାଚନ ଜିତିବା ସହଜ ସାଧ୍ୟ ନୁହେଁ। ବିଜେପୁର ନିର୍ବାଚନରେ ତାହା ହିଁ ଘଟିଥିଲା। ବିଶୃଙ୍ଖଳିତ କଂଗ୍ରେସର ବିଳମ୍ବିତ ନିଷ୍ପତ୍ତି ମଧ୍ୟ ବିଜେପୁରରେ ଥିବା ଦଳର ତୃଣମୂଳ ସ୍ତରର ଶକ୍ତି ଓ ଭୋଟ୍‍ ବ୍ୟାଙ୍କ ଓ ସଦିଚ୍ଛା ହରାଇଛି। ବେଶୀ ସମୟ କ୍ଷମତାରୁ ଦୂରରେ ରହିଲେ କର୍ମୀମାନଙ୍କୁ ବାନ୍ଧି ରଖି ଆନୁଗତ୍ୟ ଆଶା କରିବା ମଧ୍ୟ ବାସ୍ତବଧର୍ମୀ ଚିନ୍ତା ନୁହେଁ।
ମୁଖ୍ୟମନ୍ତ୍ରୀଙ୍କ ଋଣକୌଶଳ ବର୍ତ୍ତମାନ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି “ଆମ ଗାଁ, ଆମ ବିକାଶ’’ ମାଧ୍ୟମରେ ପଂଚାୟତ ସମସ୍ୟାର ତତ୍କାଳ ସମାଧାନ ଏବଂ ସର୍ବୋଚ୍ଚସ୍ତରରୁ ଭିଡ଼ିଓ କନ୍‍ଫରେନ୍‌ସିଂ ମାଧ୍ୟମରେ ପଞ୍ଚାୟତଗୁଡ଼ିକର ଅଭାବ ଅସୁବିଧା ଦୂର କରିବାର ନୂତନ ପ୍ରଣାଳୀ ଏକ ଅଭିନବ ଉଦ୍ୟମ ହେଲେ ହେଁ କେତେଦୂର ବାଞ୍ଛନୀୟ କିଛି ବର୍ଷ ପରେ ମୂଲ୍ୟାଙ୍କନ କଲା ପରେ ଜଣାଯିବ। ତେବେ କଥା ହେଉଛି ପ୍ରଦେଶ ଓ ଜିଲାସ୍ତରରେ ଥିବା ସାମଗ୍ରିକ ବିକାଶ ଯୋଜନାର ଏଗୁଡ଼ିକ ଅଙ୍ଗ ବିଶେଷ ହେବା ଦରକାର। ପ୍ରାକ୍‍ ନିର୍ବାଚନୀ ବହୁ ଘୋଷଣା ଓ ପ୍ରତିଶ୍ରୃତି କେବଳ ସାମୟିକ ଲାଭ ପାଇଁ କିନ୍ତୁ ତା’ର କାର୍ଯ୍ୟକାରିତା ପ୍ରତି କାହାର ନିଘା ନାହିଁ। କର୍ତ୍ତୃତ୍ୱବିହୀନ ମନ୍ତ୍ରୀମାନଙ୍କର ଅସହାୟତା ମଧ୍ୟ ସେବା ପ୍ରଦାନ ପ୍ରକ୍ରିୟାକୁ ଜଟିଳ କରୁଛି। ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିବା ପରେ ଓଡ଼ିଶା କଂଗ୍ରେସର କର୍ମୀଙ୍କର ଉତ୍ସାହ, ଉନ୍ମାଦନା ବୃଦ୍ଧି ପାଇଛି। ତେବେ ନେତୃତ୍ୱ ମଧ୍ୟରେ ଅନ୍ତଃକଳହର ନିଆଁ ଏବେ ବି ନିର୍ବାପିତ ହୋଇ ନାହିଁ। କଂଗ୍ରେସ ଭୋଟ ପ୍ରତିଶତରେ ବୃଦ୍ଧି ହେଲେ ମଧ୍ୟ ବହୁ ସଂଖ୍ୟାରେ ବିଜୟ ଲାଭର ସମ୍ଭାବନା ସେତେ ଉଜ୍ଜ୍ୱଳ ନୁହେଁ। ବିଜେପି ଗତ ଚାରି ବର୍ଷ ତୃଣମୂଳ ସ୍ତରରେ ନିଜର ଶକ୍ତି ବୃଦ୍ଧି କରିବାର ପ୍ରୟାସରତ। ମାନିବାକୁ ହେବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉଦ୍ୟମ ଯୋଗୁ ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ବ୍ୟୁରୋକ୍ରାଟ୍‍ଙ୍କ ଘନଘନ ଆଗମନ ଫଳରେ ଓଡ଼ିଶାର ସମସ୍ୟା ବିଷୟରେ କେନ୍ଦ୍ର ସରକାର ସଚେତନ ବହୁ ବଡ଼ବଡ଼ ପ୍ରକଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ଓଡ଼ିଶା ସରକାରୀ ବିଭାଗଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛନ୍ତି। ତେବେ ପ୍ରଦେଶ ବିଜେପି ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳରୁ ମୁକ୍ତ ନୁହେଁ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ଲଢ଼େଇ ଚାଲିଥିଲା ଦୁଇ ଜାତୀୟ ଦଳର। ଓଡ଼ିଶାରେ କିନ୍ତୁ ହେବ ତ୍ରିକୋଣୀୟ ଲଢ଼େଇ। ଦୁଇ ଜାତୀୟ ରାଜନୈତିକ ଦଳ ଏବଂ ଅନ୍ୟଟି ଆଞ୍ଚଳିକ ଦଳ। ରାଜ୍ୟରେ ତ୍ରିକୋଣୀୟ ନିର୍ବାଚନ ଲଢ଼େଇରେ ପୂର୍ବାନୁମାନ କରିବା କଷ୍ଟ। ଆସନ୍ତା କିଛି ମାସ ଭିତରେ ଅନେକ କିଛି ଘଟିପାରେ; ପରିବର୍ତ୍ତନ ହୋଇପାରେ, କିନ୍ତୁ ଆପାତତଃ ବର୍ତ୍ତମାନର ପରିସ୍ଥିତିରେ କୌଣସି ହାୱା ବା ୱେଭ୍‍ ନହେଲେ, ଜାତୀୟ ଓ ପ୍ରାଦେଶିକ ସ୍ତରରେ ଭୋଟର ପାଖେ ପସନ୍ଦର ପସରା ସୀମିତ– ଟିନା (ଦେୟାର ଇଜ୍‍ ନୋ ଅଲଟର୍‍ନେଟିଭ)। ପରିବର୍ତ୍ତନ ପାଇଁ ବିକଳ୍ପର ଅଭାବ, କ୍ଷମତାସୀନ ଦଳ ବିରୁଦ୍ଧରେ ଅସନ୍ତୋଷ ସତ୍ତ୍ବେ।
ଏ ୧୬୫, ସହିଦନଗର, ଭୁବନେଶ୍ୱର – ୭୫୧୦୦୭

Leave A Reply