ଅମଣିଆ ଦାମୁଡ଼ିର ଡିଆଁ

0

ସବୁ କାମ ହାସଲରେ ମାନସିକ ଶକ୍ତି ଓ ଶାରୀରିକ ବଳ ବଳି ପଡ଼ିଥାଏ। ଏ ଦୁଇ ବଳ ଯେତେ ଅଧିକ ଝିଙ୍କା ଖାଆନ୍ତି, କାମଟି ସେତେ ଜଟିଳ ଓ ଦୁରୂହ ହୋଇଥାଏ। ସବୁଠି ଶରୀର ବଳ କାମ ଦିଏନି, ‘ବୁଦ୍ଧି’ ଏକ ମାନସିକ ବଳ। ୟେ ସେଠି ସହାୟ ହୋଇଥାଏ। କୁହାଯାଇଛି, “ବୁଦ୍ଧିଃ ଯସ୍ୟ ବଳଂ ତସ୍ୟ।” ଆଉରଙ୍ଗଜେବ୍‌ ଶିବାଜିଙ୍କୁ ବନ୍ଦୀ କରିନେଲେ। ଆଜାନୁଲମ୍ବିତ ବାହୁ, ଲଢ଼ୁଆ ଶିବାଜିଙ୍କ ବଳ ଏଠି କି କାମ କରିବ ? ମିଠେଇ ହାଣ୍ଡି ଭିତରେ ପଶି, ଆଉରଙ୍ଗଜେବଙ୍କୁ ଭୁଆଁ ବୁଲାଇ ଖସି ଆସିଲେ। ୟେ ତ ଇତିହାସର କଥା। ସେମିତି ଆଫଜଲ ଖାଁଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପ୍ରସ୍ତାବକୁ ଗ୍ରହଣ କରି ଶିବାଜି ଏକାକୀ ଯାଇଥିଲେ ଭେଟିବାକୁ; ମାତ୍ର ଏ ‘ବନ୍ଧୁତ୍ୱ’ ବାହାନା ଥିଲା। ଶିବାଜିଙ୍କୁ ଏକାକୀ ପାଇ ହଠାତ୍‌ ସେ ଆକ୍ରମଣ କଲେ। ମରି ତ ଯାଇଥାନ୍ତେ ସେ; ମାତ୍ର ଗୁରୁ ଓ ମାତୃକୃପାରେ ବଳୀୟାନ୍‌ ଶିବଙ୍କ ଅବତାର ଶିବାଜିଙ୍କୁ, ବିରାଡ଼ି ମାଛ ବାସ୍ନା ଠଉରେଇ ପାରିବା ପରି ଏ ମୋଗଲର ବିଶ୍ୱାସଘାତକତା ଜଣାପଡ଼ିଯାଇଥିଲା। ସେ ବି ‘ବାଘନଖ’ ଅସ୍ତ୍ର ହାତରେ ନେଇ ଯାଇଥିଲେ। ବିଶ୍ୱାସଘାତକର ଖେଳ ସେଇଠି ଖତମ୍‌ ହୋଇଗଲା; ମାତ୍ର ବନ୍ଧୁତା ବିଶ୍ୱାସରେ ଏକାକୀ ବା​‌େ​‌ଟଇ ଦେବାକୁ ଯାଇ ହିନ୍ଦୁରାଜା ପୃଥ୍ୱୀରାଜ ମୋଗଲ ରାଜା ହାତରେ ହଣା ଖାଇବା ଘଟଣା ବି ଇତିହାସର କଥା। ସରଳତା ଓ ବିଶ୍ୱାସବୋଧ ଅନେକ ସମୟରେ ନିର୍ବୋଧତାର କାରଣ ହୋଇଥାଏ। ଦୁର୍ଜନଗୁଡ଼ା ଚିକ୍‌କଣ କଥା କହନ୍ତି; ମାତ୍ର ଭିତରଟା ହଳାହଳ ବିଷ। ଚାଣକ୍ୟ ତ ଲେଖିଲେ, “ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦୟେତୁ ହଳାହଳମ୍‌।” ଆଉ ବି କୁହାଗଲା, “ସର୍ପକ୍ରୂରଃ ଖଳକ୍ରୂରଃ ସର୍ପାତ୍‌ କ୍ରୂରତରଃ ଖଳଃ, ମନ୍ତ୍ରୌଷଧିବଶଃ ସର୍ପଃ, ଖଳଃ କେନ ନିବାର୍ଯ୍ୟତେ ?” ସାପକୁ ମନ୍ତ୍ରରେ ବଶକରି ହେଉଛି; ମାତ୍ର ଖଳ କେମିତି ବଶ ହୋଇପାରିବ ? ମକୁଟ ବୁଦ୍ଧିର ଓ ଖଣ୍ଡା ଶରୀର ବଳର ସ୍ମାରକୀ, ପରିଚିତି। ଏ ଦୁଇଟି ଶକ୍ତି ସମନ୍ୱିତ ଥିବାରୁ ଜଣେ ତ ରାଜା ବନିଥାଏ, ବାକିଗୁଡ଼ା ପ୍ରବଣତାରେ, ଦୁର୍ବଳତାରେ ଛନ୍ଦି ହୋଇ ଅଧାବାଟରେ ଆଣ୍ଠେଇ ପଡ଼ନ୍ତି। ମହାଭାରତ ଯୁଦ୍ଧରେ ଖାଲି ବଳ ନୁହଁ; ବୁଦ୍ଧିର ବି ଢେର ଖେଳ ହୋଇଥିଲା। ଏକୁ ପରାଜିତମାନେ କପଟ ବୋଲି ବି ଆକ୍ଷେପ କରିଥାନ୍ତି। ଯୁଧିଷ୍ଠିରଙ୍କ ମୁରବିପଣିଆରେ ତ ପଶା ଖେଳି ଭାର୍ଯ୍ୟାକୁ ବାଜି ପକେଇ, ରାଜ୍ୟ ହାରି ବଣରେ ପାଞ୍ଚଭାଇ ବୁଲିଲେ। ସତ୍ୟ, ସରଳତା, କୁଟିଳତା ଓ ଜଟିଳତାକୁ ସିଧାସଳଖ ଜାଣିପାରେନାହିଁ। ରାମକୃଷ୍ଣ ତ କହିଲେ, “ସବୁଠି ହରି ପ୍ରକାଶ, ଯିବୁକି ତେଣୁ ତୁ ସଭିଙ୍କ ପାଶ, ମୋ ବାଇଧନ, ଗଲେ ହେବୁଟି ନିରାଶ। ବାଘ ମଧ୍ୟେ ହରିଛନ୍ତି, ଯିବୁକି ତେଣୁ ତୁ ବାଘର କତି ମୋ ବାଇଧନ କୁସଙ୍ଗ ଜାଣ ସେମିତି।” ସଂସାର ଚଳାଇବାରେ ତେଣୁ ମାନସିକ ପଟୁତା ଢେର ଗୁରୁତ୍ୱପୂର୍ଣ୍ଣ। ନର ମାୟା ତ ନାରାୟଣଙ୍କୁ ଅଗୋଚର; ମାତ୍ର ବୁଦ୍ଧିଆ ଲୋକଟେ, ତା’ର ଆଚରଣକୁ ନିରେଖିନିରେଖି, ଭିତର ଅଳିଆର ଟେର ପାଇଯାଏ। କେତେ ଛଳନା ଓ ଛଳ ଏମିତି ଧରାପଡ଼ିଯାଇଛି। ସତିଆ ସତିଆ ବୋଲାଉଥିବା ଯୁଧିଷ୍ଠିର ଶେଷକୁ ତ କହିଲେ, “ନରେ ବା ଗୁଞ୍ଜରେ ଅଶ୍ୱତ୍‌ଥାମା ହତଃ”। ତାଙ୍କ ସତ ସହ ସେ ସ୍ୱର୍ଗକୁ ସିନା ଗଲେ; ଭାଇଗୁଡ଼ାଙ୍କୁ, ବନ୍ଧୁଗୁଡ଼ାଙ୍କୁ ଢେର ଝୁଣ୍ଟାର ସମ୍ମୁଖୀନ କରାଇଲେ। ସେମାନେ ସ୍ୱର୍ଗ କିନ୍ତୁ ଯାଇପାରିଲେନି। ସେ ହିସାବ ଅବଶ୍ୟ ଭିନ୍ନ। ସେ ଯାହାହେଉ ଜଣଙ୍କର ବୁଦ୍ଧି ଓ ବଳ ଉପରେ ତା’ର ନୁହେଁ, ତା ଉପରେ ନିର୍ଭରଶୀଳଙ୍କ ସୁଖ ଓ ବିକାଶ ନିର୍ଭରଶୀଳ। ଯେମିତି ରାଜାନୁଗତ ଧର୍ମ, ରାଜା ଅନୁସାରେ ରାଇଜ ଚଳେ। ଏବେ ଗଣତନ୍ତ୍ରରେ ବି ସେଇ ଧାରା ରହିଛି ଓ ରହିବ ମଧ୍ୟ। ତେଣୁ କୌଣସି ରାଷ୍ଟ୍ର ବା ରାଜ୍ୟର କେହି ମୁଖିଆ ବନିଗଲେ ତା ରୁଚି, ନୀତି ଉପରେ ଢେର ଟିପ୍ପଣୀ ଚାଲେ। ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ବନିଯିବା ପରେ ତାଙ୍କ ଉଗ୍ରବାଦ ଓ ଭାବକୁ ନେଇ ପୃଥିବୀରେ ଚହଳ ପଡ଼ିଗଲା। ସେମିତି ନରେନ୍ଦ୍ର ମୋଦୀ ଏ ଦେଶର ପ୍ରଧାନମନ୍ତ୍ରୀ ବନିଲାବେଳେ ସେମିତି ଏକ ହଲଚଲିଆ ଭାବ ପୃଥିବୀରେ ସୃଷ୍ଟି ହୋଇଥିଲା। ମୋଦିଜୀ ଜଣେ ସାଧକ ଓ ତପସ୍ୱୀର ଭାବ ନେଇ ତାଙ୍କ ରାଜନୈତିକ ଜୀବନକୁ ଅନୁପ୍ରାଣିତ କରିଥିଲେ। ତାଙ୍କ ହିନ୍ଦୁତ୍ୱବୋଧ, ଭାରତମାତା ଭାବ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମ୍ପୃକ୍ତି ତାଙ୍କୁ ମୌଳବାଦୀ ପକ୍ଷର ବୋଲି ପାକିସ୍ତାନ କେବଳ ନୁହେଁ, ଏ ଦେଶର କେତେକ ରାଜନୀତିଆ ଚିଲେଇଲେ। ସେ ହିମାଳୟ ଯାଇ ଯୌବନର କେତେବର୍ଷ ସାଧନାରେ କଟାଇଥିଲେ। ପରିସ୍ଥିତିରେ ପଡ଼ି ବିବାହ କରିଥିଲେ ବି ଏ ଜୀବନରୁ ସେ ଅଲଗା ହୋଇଯାଇ ବ୍ରହ୍ମଚାରୀର ଜୀବନ ବିତାଇଥିଲେ। ସବୁଠୁ ଅସାଧାରଣ କଥା ହେଲା ତାଙ୍କ ସ୍ତ୍ରୀ ତାଙ୍କର ଏ ନିଷ୍ପତ୍ତିକୁ ଗ୍ରହଣ କରିନେଇଥିଲେ। ମୋଦିଜୀ ବଡ଼ ହେବାରେ ସେ ତାଙ୍କର ଏ ଅମଙ୍ଗ ସ୍ୱାମୀର ସ୍ତ୍ରୀ ପରିଚିତି ମଧ୍ୟ ଦାବି କରି ନ ଥିଲେ। ତା ବି ତାଙ୍କୁ ଅସାଧାରଣ ପ୍ରମାଣ କରିଛି। ଗାନ୍ଧୀ ଅଠେଇଶ ବର୍ଷ ବୟସରେ ବ୍ରହ୍ମଚର୍ଯ୍ୟ ବ୍ରତ ଆରମ୍ଭ ବେଳେ ବି ସେଇ ପରିସ୍ଥିତି ଉପୁଜିଥିଲା। ନିଜ ସ୍ତ୍ରୀ ଉପରେ ଏହା ଲଦିବାକୁ ଗାନ୍ଧୀ ଚାହୁଁନଥିଲେ। ଏପରି ନିଷ୍ପତ୍ତି ତ ତାଙ୍କ ଅହିଂସାର ବିରୋଧୀ। ମାତ୍ର ଗାନ୍ଧୀଙ୍କ ଏ ନିଷ୍ପତ୍ତି ସେ ଯେତେବେଳେ କସ୍ତୁରବାଙ୍କୁ ଶୁଣାଇଲେ, ସେ କେବଳ ମୁରୁକି ହସଟିଏ ଦେଇ, ପରୋକ୍ଷରେ ଗାନ୍ଧୀଙ୍କ ଦୃଢ଼ତା ଉପରେ ପ୍ରଶ୍ନ ଉଠାଇଥିଲେ। ଗାନ୍ଧୀ ମଧ୍ୟ ତାଙ୍କ ଆତ୍ମଜୀବନୀରେ କସ୍ତୁରବାଙ୍କ ଏ ନିଷ୍ପତ୍ତିରେ ଅବିଚଳିତ ଭାବ ବିଷୟରେ ଲେଖିଛନ୍ତି, “She was never the temptress”। ସାଧନା, ତପସ୍ୟା ଓ ବ୍ରହ୍ମଚର୍ଯ୍ୟ ବଳରେ, ଖେଳରେ ନିଜ ଜୀବନକୁ ଆମୋଦିତ କରିଥିବା ମୋଦିଜୀ ରାଜନୀତିକୁ ଦେଶମାତୃକାର ସେବା ଭାବେ ଗ୍ରହଣ କରି ପ୍ରତିପକ୍ଷଙ୍କଠାରେ ଭୟ ସୃଷ୍ଟି କରିଥିଲେ। ସେମିତି ଆଜି ଘଟିଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଉଥିବା କ୍ରିକେଟ ଖେଳାଳି ଇମ୍ରାନ ଖାଁଙ୍କ ନିର୍ବାଚନରେ। ତାଙ୍କର ବୈବାହିକ ଓ ଦାମ୍ପତ୍ୟ ଜୀବନ ଢେର ବିଲିବିଲା। ତିନିତିନିଟା ସ୍ତ୍ରୀ ସେ ବଦଳାଇଛନ୍ତି। ତେର ବର୍ଷର କୈଶୋରରୁ ପାକଳ ଯୌବନ ସମୂହକୁ ସେ କ୍ରିକେଟ ଖେଳରେ ଜୁଡୁବୁଡୁ କରି ଶହଶହ କୋଟି ଟଙ୍କାର ମାଲିକ ହୋଇଛନ୍ତି। କ୍ରିକେଟ ବଲ ଓ ବ୍ୟାଟ ପରି ସେ ନିଜ ଗୁଣକୁ, ପ୍ରବଣତାକୁ ଖେଳନା ବନାଇ ଜୀବନସଙ୍ଗିନୀକୁ ବଦଳାବଦଳି କରିବାର ବେପରବାୟ ଭାବର ପରିଚିତି ଦେଉଛନ୍ତି, ତେବେ ନିଜ ମା’ଙ୍କ ସ୍ମୃତିରେ ଡାକ୍ତରଖାନା କରି ରୋଗୀସେବା ପ୍ରତି ନିଜର ଅମାନିଆ ପ୍ରବଣତାର ସ୍ରୋତକୁ ବୁହାଇଦେଇ, ତାଙ୍କ ବ୍ୟକ୍ତିତ୍ୱରେ ହଠାତ୍‌ ଭିନ୍ନ ଏକ ପରିଚିତି, ଆଭିମୁଖ୍ୟ ସୃଷ୍ଟି କରିଛନ୍ତି। ମା’ ଆଶୀର୍ବାଦ ତ ଅମୋଘ ଶକ୍ତିର ସୂତ୍ର। ତା’ ସେ ବୋଧେ ପାଇଛନ୍ତି। ଅତୀତରେ ଭାରତ ବିରୋଧୀ ତାଙ୍କ ତୀବ୍ର ଆଭିମୁଖ୍ୟରେ କେତେକ ତାଙ୍କ ପ୍ରଧାନମନ୍ତ୍ରିତ୍ୱ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଅବନତି ହେବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ମାତ୍ର ଭାରତ ପାକିସ୍ତାନ ସମ୍ପର୍କ ବିଷୟରେ କାଶ୍ମୀର ଏକମାତ୍ର ସମସ୍ୟା ବୋଲି ସେ ଦୋହରାଇ ଭାରତ ଏକପାଦ ଆସିଲେ ସେ ଦୁଇପାଦ ଆଗେଇବେ ବୋଲି କହିଥିବା କଥା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ। ପୂର୍ବ ସ୍ୱରରେ କିଛିଟା ନରମତା ନେସି ହେଲାପରି ଲାଗେ। ପାକିସ୍ତାନ ସନ୍ତ୍ରାସବାଦୀଙ୍କ ଆଶ୍ରୟସ୍ଥଳର ଅଭିଯୋଗକୁ ସେ ଅସ୍ୱୀକାର କରିବା ଏକ ରାଜନୈତିକ ଉତ୍ତର ବୋଲି କୁହାଯାଇପାରେ। ତେବେ ଭାରତର ପ୍ରଧାନମନ୍ତ୍ରୀ ଓ ଜନତା ତାଙ୍କୁ ସ୍ୱାଗତ କରିଛି ଓ ସବୁବେଳେ ପାକିସ୍ତାନ ସହ ବନ୍ଧୁତା ବାନ୍ଧିବାକୁ ଆଶାବାଦୀ। ସେ ଯେତେ ତୀବ୍ର ଅତୀତରେ ଥିଲେ ବି କ୍ଷମତା ଗାଦି ସମ୍ଭାଳିବାକୁ ମାଡ଼ିମକଚି ହେବାକୁ ବାଧ୍ୟ ହେବେ। ୟେ ତ କୂଟନୀତି। ସେ ଯାହାହେଉ ଯୁଆଳି ପଡ଼ି ନ ଥିବା ଦାମୁଡ଼ିର ଡିଆଁ ଦେଖି, ଚମକିବା ମୂର୍ଖତା। ଯୁଆଳି ପଡ଼ିଗଲେ ଯେଡେ ଅମଙ୍ଗ ଦାମୁଡ଼ି ବି ଆଣ୍ଠେଇବ, ବାଟେଇବ। ‘ଡିଆଁ’ଟା ବିନା ମଣର ଭାବ, ଅବସ୍ଥା, ଯୁଆଳି ପଡ଼ି ବି ଡେଉଁଥିବା ଦାମୁଡ଼ି ଗୋଡ଼ ଭାଙ୍ଗିବ, ଥୋମଣି ଫାଟିବ। ଏଠି ତ ପ୍ରଧାନମନ୍ତ୍ରୀ ନାରୀ ପ୍ରେମରେ ଥରକୁ ଥର ସଂସାର ଭାଙ୍ଗି ନାହାନ୍ତି; ବରଂ ନାରୀ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତଥାପି ବି ତ ଆଚ୍ଛେଦିନ ଆତା ନେହିଁ, ଆଉଙ୍କ କଥାରେ କମ୍ପ କିଆଁ?

Leave A Reply