ଓଡିଆ ଯୁକ୍ତାକ୍ଷରରେ ଅନୁସ୍ବାର-୨

0

ନୀଳକଂଠ ରଥ

ଶା”ର ସଂପାଦକ ଏ ବିଷୟରେ, 16 ଫେବୃଆରୀ, 1914 ସଂଖ୍ୟାରେ, ଏକ ସଂପାଦକୀୟ ଲେଖି ତାଂକ କାର୍ଯ ବୁଝାଇବାକୁ ଚେଷ୍ଟାକଲେ। ସେ ସଂପାଦକୀୟଟି ତଳେ ଉଦ୍ଧୃତ କରାଯାଉଛି।–
“ଯୁକ୍ତ ବର୍ଣ୍ମର ଆଭାବ ?
ବାଲେଶ୍ବରର ସହଯୋଗୀ ‘ସଂବାଦବାହିକା’ ଆମ୍ଭମାନଙ୍କର ଲିପିସଂସ୍କାରରେ ଅସମ୍ମତହୋଇ ଅତି ସଦୟଭାବରେ ଆମ୍ଭମାନଙ୍କୁ ବଖିତ ଉପଦେଶ ଦେଇଅଛନ୍ତି । ତାଂକର ଘୋର ଦୁ:ଖ ଯେ “ଆଶା ସୂତିକା ଗୃହରେ ଘୋର ଯନ୍ତ୍ରଣା ଭୋଗ କରୁ କରୁ” ତାଂକର ସତ୍ ପରାମର୍ଶ ଗ୍ରହଣ କରିବାକୁ ପରାଙ୍ମୁଖ । ‘ଆଶା’ ଅବଶ୍ୟ ବର୍ତ୍ତମାନ ସୂତିକା ଗୃହରେ। ଦାରୁଣଯନ୍ତ୍ରଣା ଭୋଗ କରୁଅଛନ୍ତି କି ନାହିଁ ଏ ବିଷୟର ଜ୍ଞାନ ସମ୍ବାଦବାହିକାଙ୍କର ସର୍ବଜ୍ଞତାର ପ୍ରଭୂତ ପରିଚୟ ଦେଉଛି। ତେବେ ସଂବାଦବାହିକାଙ୍କର ଏତିକି ଜାଣିଥିଲେ ଭଲହୋଇଥାନ୍ତା ଯେ ତନ୍ମଧ୍ୟରେ ପ୍ରତ୍ୟେକ ଶିଶୁକୁ ଦାରୁଣ ଯନ୍ତ୍ରଣାରେ ପଡିବାକୁ ହୁଏନାହିଁ। ‘ଆଶା’ ଶିଶୁ, ତାର ପ୍ରାଣ କୋମଳ; ସହଜରେ ନମନୀୟ। ଏ ଅବସ୍ଥାରେ ସେ ସଦୟ ସହଯୋଗୀଙ୍କ ଔଷଧ ପାଚକ ଫିଙ୍ଗି ଦେଇଅଛି। ପ୍ରବୀଣ, ଦୃଢମତି, ବହୁଦର୍ଶୀ, ଚିନ୍ତାଶୀଳ ପ୍ରୌଢ ସେ ଓଷଧକୁ କିପରି ଆଗ୍ରହ ସହକାରେ ଗ୍ରହଣ କରନ୍ତେ ଏହି ଆଶ୍ବସନାରେ ‘ସଂବାଦବାହିକା’ ସନ୍ତୁଷ୍ଟ ରହି ‘ଆଶା’ର ଧୃଷ୍ଟତା କ୍ଷମ କରିବେ।
ଆମ୍ଭମାନଙ୍କ ‘ଟଂକା’, ‘ପଂଚମ’ ପ୍ରଭୂତିର ବ୍ୟବହାର ସହପାଠୀ “ଭଞ୍ଜକବିଙ୍କଠାରୁ ଆରମ୍ଭକରି ଚଳିତ ଯୁଗର ଉତ୍କଳୀୟ ଲେଖକ ଓ ଲେଖିକା ବର୍ଗଙ୍କ ଲେଖଙ୍କର ଏବଂ ସଂସ୍କୃତ ଗ୍ରନ୍ଥରେ ସୁଦ୍ଧା” ଦେଖିନାହାନ୍ତିବୋଲି ଦୁ:ଖିତ ଅଛନ୍ତି। ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ର ଏମ୍. ଏ. କେତେଦିନପୂର୍ବେ ଆମ୍ଭମାନଙ୍କୁ ବନ୍ଧୁଭାବରେ ଖଣ୍ଡିଏ ପତ୍ର ଲେଖିଥିଲେ। ସମ୍ବାଦବାହିକାଙ୍କ ପାଠ ଓ, ଯଦି ସମ୍ଭବ, ଆଂଶିକ ପରିତୃପ୍ତି ନିମନ୍ତେ ତାହା ପତ୍ରିକାସ୍ଥକଲୁ। ଆଶା କରୁ ତାଙ୍କର ବ୍ୟକ୍ତ ଅନୁମତି ବିନା ତାଙ୍କ ପତ୍ରଖଣ୍ଡି ଛପାଇବା ଦୋଷ ଗୋଦାବରୀଶବାବୁ ମାର୍ଜନା କରିବେ । ସେ ପତ୍ରରେ ଲେଖିଅଛନ୍ତି ଓଡିଆ ଭାଷା ଚିରକାଳ ସଂସ୍କୃତର ଆଶ୍ରୟରେ ବଢିବନାହିଁ। ବିଚ୍ଛିନ୍ନତା ଜଗତରନୀତି। ପ୍ରକୃତିର ଜଡବସ୍ତୁରୁ ଆରମ୍ଭକରି ସୂକ୍ଷ୍ମ ମାନବ ମନ ପର୍ଯ୍ୟଂତ ସର୍ବତ୍ର ବିଚ୍ଛିନ୍ନତା। ଏହା ସମୟର ଫଳ ଓ ଉନ୍ନତିର କାରଣ ଓ ଲକ୍ଷଣ। ସୃଷ୍ଟିର ଉନ୍ନତିସ୍ର୍ରୋତରେ ପୃଥିବୀ ସୂର୍ୟଠାରୁ, ଚନ୍ଦ୍ର ପୃଥିବୀଠାରୁ ବିଚ୍ଛିନ୍ନ ହୋଇଅଛି। ପ୍ରତିଦିନ ସଂସାରରେ କେତେ ବିଚ୍ଛିନ୍ନତା ଚାଲିଅଛି। ବିଚ୍ଛିନ୍ନତା ଯେଉଁଦିନ ବନ୍ଦହେବ ଉନ୍ନତି ସେହିଦିନ ଶେଷ ହେବ ଓ ପୃଥିବୀ ସ୍ଥିର ନିଶ୍ଚଳହୋଇ ରହିଯିବ। ଇତିହାସରେ ଆମ୍ଭେମାନେ ସାମ୍ରାଜ୍ୟର, ଭାଷାର, ଧର୍ମର, ରାଜନୀତି ମତର କେତେ ବିଚ୍ଛିନ୍ନତା ଦେଖିବାକୁପାଉ। ଶୈଶବ ଅବସ୍ଥାରେ ଶିଶୁ ପିତାମାତାଙ୍କ ଆଶ୍ରୟରେ ଥାଏ। କ୍ରମେ ବଢିଗଲେ ଏ ଆଶ୍ରୟ ଉଣାହୋଇଆସେ। ଅବଶେଷରେ ଦିନଆସେ ଯେତେବେଳେ ପିତାମାତା ପୁଣି ପୁତ୍ରର ଆଶ୍ରୟରେ ରହନ୍ତି। ଡାଳ ଗଛର ଅଙ୍ଗ; ପ୍ରଥମରେ ତାହାରି ଆଶ୍ରୟରେ ଆହାର ପାଏ। ପରେ ସେ ଗଛର ଏକ ବିଶିଷ୍ଟ ଉପାଦାନ ହୋଇପଡେ; ଏବଂ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପାରିଲେ ପ୍ରଭୂତ ଉନ୍ନତି କରେ। ଆମ୍ବ, ପଣସ ପ୍ରଭୃତିର କଲମ ଏହାର ଯଥାର୍ଥ ଉଦାହରଣ। ଏସମସ୍ତ ବିଷୟର ବିଚାର ପରେ ଓଡିଆଭାଷା ଯେ ଦିନେ ସଂସ୍କୃତରୁ ବିଚ୍ଛିନ୍ନ ହେବ ଏକଥାରେ ସନ୍ଦେହ କରାଯାଇନପାରେ। ତେବେ “ସଂସ୍କୃତ ଗ୍ରନ୍ଥ” ପ୍ରତି ସହଯୋଗୀଙ୍କର ଏତେ ସ୍ବେଚ୍ଛା ଦାସତ୍ବ ବା ସହାନୁଭୂତି କାହିଁକି ବୁଝାଯାଉନାହିଁ। ଟଂକା ଲେଖିଲେ କଥାଟା ବୁଝିବାରେ କାହାରି କିଛି ଭ୍ରମହେବକି? ତେବେ ବୃଥାରକ୍ଷଣଶୀଳତାରୁ କିଫଳ?
ପୁଣି ଭଞ୍ଜକବିଙ୍କ ସମୟରେ ଉତ୍କଳର ଅବସ୍ଥା ଯାହାଥିଲା ଆଜି ତାହାନୁହେ। ମନୁଷ୍ୟର ବିଶେଷତ୍ବ, ପଶୁପକ୍ଷୀଠାରୁ ବିଭିନ୍ନତା ଏତିକି ଯେ ସେ ନିଜଅନୁସାରେ ତାର ଚତୁସ୍ପାର୍ଶ୍ବକୁ ଗଢିନିଏ। ଭଞ୍ଜ ଯୁଗରେ ସଂବାଦପତ୍ର ଉତ୍କଳରେ ନଥିଲା। ସହଯୋଗୀ ଏପରି ଅବସ୍ଥାରେ ଆପଣାର ଅସ୍ତିତ୍ବକୁ କିପରି ଉଚିତ ବିବେଚନା କରୁଅଛନ୍ତି ? ବର୍ତ୍ତମାନ ଉତ୍କଳ ଇଂରାଜୀ ସମ୍ବାଦପତ୍ରନାହିଁ। ତାହାବୋଲି କଣ କରାଯିବନାହିଁ ? ଅତଏବ “ଭଞ୍ଜକବିଙ୍କଠାରୁ ଆରମ୍ଭକରି ଚଳିତ ଯୁଗର ଉତ୍କଳୀୟ ଲେଖକ ଓ ଲେଖିକା ବର୍ଗଙ୍କ ଲେଖନୀରୁ….” କଥାଗୁଡାକରେ ଯେତେ ମୂଲ୍ୟଥିବାର ସହଯୋଗୀ ଅନୁମାନ କରନ୍ତି ତେତେନାହିଁ।
ମିତବ୍ୟୟ ସଭ୍ୟତାର ଗୋଟିଏ ଅଙ୍ଗ, ସଭ୍ୟ ଯୁଗର ଏହା ପ୍ରଧାନ ନୀତି। ଅଳ୍ପ ବ୍ୟୟରେ ଯେପରି ଅଧିକରେ ଆୟ ହୋଇପାରେ। କୌଣସି ଜାତିର ଜୀବନ ବଡ କ୍ଷଣସ୍ଥାୟୀ। ମନୁଷ୍ୟର ଜୀବନ ତାହା ତୁଳନାରେ ଗୋଟିଏ କ୍ଷୀଣ ବିନ୍ଦୁମାତ୍ର। ମନୁଷ୍ୟର ମସ୍ତିଷ୍କ ବଡ ମୂଲ୍ୟବାନ। ଅତଏବ ମସ୍ତିଷ୍କ ଅଳ୍ପ ବ୍ୟୟରେ, ଜୀବନର ଅଳ୍ପ କ୍ଷୟରେ ଯେପରି ବ୍ୟକ୍ତିଗତ ଉନ୍ନତି ହୋଇପାରେ ସେଥିପ୍ରତି ଦୃଷ୍ଟିରଖିବା ଜାତୀୟ ଉନ୍ନତି ଅଭିଳାଷୀ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ଲିପିର ସଂଖ୍ୟା ଉଣା କରିଦେଲେ ଶିଶୁମାନେ ଅଧିକ ସହଜରେ ଓ ଶିଶୁ ମସ୍ତିଷ୍କର ଅଳ୍ପ ବ୍ୟୟରେ ଶିକ୍ଷା କରିପାରିବେ। ସେହିପରି ହାତର ଲେଖା ସର୍ବତ୍ର ଯେପରି ତୀବ୍ର ଗତିରେ ଟାଇପ୍ ଲେଖାଦ୍ବାରା ବିତାଡିତ ହେଉଅଛି ସେଥିରେ ବାଧାଜନ୍ମାଇବା ସହଜନୁହେ ଏବଂ ଉଚିତ ମଧ୍ୟନୁହେ। ଇଂରାଜୀରେ ଅକ୍ଷର ସଂଖ୍ୟା ଅଳ୍ପବୋଲି ଟାଇପ କରିବାରେ ବଡ ସୁବିଧା। ଓଡିଆରେ ଚାରିଶ ଅଠଚାଳିଶ ଅକ୍ଷର ଘେନି କିପରି ଟାଇପ କରାଯାଇପାରେ ? ଏହାଛଡା ବେଶି ଅକ୍ଷର ଥିବାରୁ ମୁଦ୍ରାଯନ୍ତ୍ରର ସୁବିଧା ମଧ୍ୟ ସମ୍ପୂର୍ଣ ପାଇପାରୁନାହାନ୍ତି। ଛାପାଖାନାରେ ଇଂରାଜୀ ଅକ୍ଷର ନିମନ୍ତେ ୫୩ ଟି ଘରା, ମାତ୍ର ଓଡିଆ ଅକ୍ଷର ନିମନ୍ତେ ୪୫୫ ଘରା ଦରକାର। ଏଥିରେ ପ୍ରଥମତ: କମ୍ପୋଜିଟରମାନଙ୍କ ମସ୍ତିଷ୍କର ବୃଥାବ୍ୟୟ। ଅକ୍ଷର ଉଣା ହୋଇଗଲେ କମ୍ପୋଜ କରିବା ସେମାନେ ସହଜରେ ଶିଖିପାରନ୍ତେ। ପୁଣି ଇଂରାଜୀ ଛପାଇବା ଅପେକ୍ଷା ଓଡିଆ ଛପାଇବାକୁ ଦୁଇଗୁଣରୁ ଅଧିକ ସମୟ ଲାଗେ। ଅତଏବ ଓଡିଆ ମୁଦ୍ରାଯନ୍ତ୍ରର ଦାମ ଅତି ବେଶି ହେଉଅଛି। ଏପରି ଅବସ୍ଥାରେ ଓଡିଆ ମୁଦ୍ରାଳୟ ଇଂରାଜୀ ମୁଦ୍ରାଳୟ ସଙ୍ଗେ ପ୍ରତିଯୋଗିତାରେ କିପରି ପାରିବ ? ଉତ୍କଳ ଦେଶ ବଡ ଦରିଦ୍ର। ମୁଦ୍ରାଯନ୍ତ୍ର ଶସ୍ତା ହେଲେ ସମ୍ବାଦପତ୍ର, ପୁସ୍ତକ ଉତ୍ୟାଦି ଖୁବ୍ ଶସ୍ତାହୋଇଯାଆନ୍ତା। ଦୁ:ଖୀ ଓଡିଆ ଅଣ୍ଟାରୁ ଅଳ୍ପପଇସା କାଢି ଅଧିକ ସୁବିଧା ପାଇପାରନ୍ତେ। ଖାଇବା ଦାନା ଉପରେ ଏତେଗୁଡାଏ ଧୂଳି ପଡନ୍ତାନାହିଁ। ସହଯୋଗୀଙ୍କ ପ୍ରସ୍ତାବିତ “ପଇତ୍ଆ” ଏ ସବୁ ବିବେଚନାରେ କିପରି ସଙ୍ଗତ ବୁଝୁଥିବେ।
ଆମ୍ଭେମାନେ ଅନେକଗୁଡାଏ କଥା କହୁଅଛୁ। ‘ସଂବାଦ ବାହିକା’ଙ୍କ ମନକୁ ନପାଇଲେ କ୍ଷମାକରିବେ। ସଂପାଦକର ଦାୟିତ୍ବ ବଡବେଶି। ସମ୍ବାଦପତ୍ର ହସ୍ତରେ ଦେଶର ଭାଗ୍ୟ ଗଢାହୁଏ। ସଂପାଦକ କେବଳ ସଂପାଦକ ନୁହନ୍ତି – ସେ ଦେଶବାସିଙ୍କର ଶିକ୍ଷକ। ଅତଏବ ସଂପାଦକ ଦେଶର ଭIଗ୍ୟ ବିଷୟରେ ଟିକିଏ ଚିନ୍ତା କରିବା ସର୍ବଦା ଉଚିତ। କାଗଜ ଛପାଇ କେବଳ ‘ଦୁର୍ଗାପୂଜା’ ‘ସମ୍ବର ଦଶମୀ’ କଥା ଲେଖିଲେ ଚଳିବ ନାହି। ସଂପାଦକଙ୍କ କର୍ମଭୂମି ଏଠାରୁ ଦୂରରେ।
ଆମ୍ଭମାନଙ୍କର ଲିପି ସଂସ୍କାର ମଧ୍ୟରେ ‘ପର୍ୟଂତ’ ନଲେଖି ‘ପର୍ୟନ୍ତ’ ଲେଖିଥିଲୁବୋଲି ସହଯୋଗୀ ଦୋଷ ଦେଖାଇଅଛନ୍ତି। ଅଭ୍ୟାସ ବଶରୁ ମନୁଷ୍ୟର ଅନେକ ଭ୍ରମହୁଏ। ଆଶାକରୁ ମନୁଷ୍ୟର ଏ ସ୍ବାଭାବିକ ଦୁର୍ବଳତା ସହଯୋଗୀ କ୍ଷମାକରିବେ। ସେ କହିଛନ୍ତି, ‘ପ୍ରକୃତ ପକ୍ଷରେ ଯୁକ୍ତବର୍ଣ୍ଣ ଅଭାବରୁ ‘ଆଶା’ ବିକୃତାଜିନୀହୋଇ ଆତ୍ମଦୋଷକୁ ଲିପି ସଂସ୍କାର ଅବଗୁଣ୍ଠନରେ ଲୁକ୍କାୟିତ କରିବାକୁ ସଚେଷ୍ଟ’। ତାଙ୍କର ପରିତୃପ୍ତି ନିମନ୍ତେ ଆମେ ଆଶାର ଏ ସଂଖ୍ୟାକୁ ଯୁକ୍ତବର୍ଣ୍ଣରେ ପୂର୍ଣ୍ଣକଲୁ। ସେ ନଜାଣି ନଶୁଣି ଆମ୍ଭମାନଙ୍କ ଉପରେ ଗୋଟାଏ ଦୋଷାରୋପ କରିଅଛନ୍ତି। ଆମ୍ଭମାନଙ୍କ ଛାପଖାନାରେ ଯଥେଷ୍ଟ ୟୁକ୍ତାକ୍ଷର ଅଛି। ବ୍ୟକ୍ତି ବିଶେଷଙ୍କର ଅନୁରୋଧମତେ ଯୁକ୍ତବର୍ଣ୍ଣରେ ଛପାଇଥାଉ। ସମ୍ମିଳନୀର ପୁରୀଠାରେ ଗତ ଅଧିବେଶନସମୟରେ ସହଯୋଗୀ ଯୁକ୍ତବର୍ଣ୍ଣର ଅଭାବ ଅନୁଭବ କରିଥିବେ। ଜଗନ୍ନାଥ ପ୍ରେସରେ କଣ ସେହି ଦରିଦ୍ରତା ? ସହଯୋଗୀ ସଦୟ ହୋଇ ନିଜର ସଂପଦରୁ କିଛି ବିତରଣ କରିବାର ଅଭିଳାଷ ତାଙ୍କର ‘ଲିପିସଂସ୍କାର ଆଶା’ ସମାଲୋଚନାରେ ପ୍ରକାଶ କରିଥିଲେ, ଚତୁର୍ଦିଗରେ ବହୁତ ଆଶାର ସଞ୍ଚାର ହୋଇଥାଆନ୍ତା”।
ଲେଖାର ଢଂଗରୁ ମନେହୁଏ ଏ ସଂପାଦକୀୟ ଗୋପବଂଧୁ ଅବା ଲେଖିଥିବେ।
ମାତ୍ର ଏହାର ଫଳ ହେଲା, ବ୍ୟାସକବି ଫକିରମୋହନ, ‘ସଂବାଦବାହିକା’ ପଠାଇଥିବା ସବୁ ଲେଖାପଢି, ଏକ ନାତିଦୀର୍ଘ ଚିଠିରେ ଏ ପ୍ରକାରର ‘ଚର୍ଚା’ରେ ଘୋର ବିରକ୍ତି ପ୍ରକାଶକରି ଲେଖିଲେ, “….ଉପସ୍ଥିତ ଘଟଣାର ସମସ୍ତ ବିଷୟ ପାଠକରି ବୁଝିଲି ସମ୍ପାଦକ ମହାଶୟମାନେ ଗୋଟାଏ ନିତାନ୍ତ ବିରକ୍ତିକର ବିଷୟରେ ସମୟ ଅପବ୍ୟୟ କରି ପାଠକମାନଙ୍କୁ ଉତ୍ୟକ୍ତ କରୁଛନ୍ତି। ଆଶା ସମ୍ପାଦକ ମହାଶୟ ବିରକ୍ତ ହେବେନାହିଁ। ତାହାଙ୍କୁ ଗୋଟାଏ କଥା ପଚାରିବାକୁ ଇଚ୍ଛାକରେଁ। ଆଛା ତର୍କ କ୍ଷେତ୍ରରେ ସ୍ବୀକାର କରାଯାଉ ଉତ୍କଳ ଅକ୍ଷର – ତଥା ଭାଷାର ଉଚ୍ଚାରଣଟା କଦର୍ଯ୍ୟ ଭାବରେ ଅଛି; ତାହାର ସଂସ୍କାର ଆବଶ୍ୟକ। କାହା ସକାଶ ? ଦେଶ ସକାଶ, ଉତ୍କଳୀୟମାନଙ୍କ ସକାଶ। ନିଶ୍ଚୟ ସେମାନେ କଦର୍ଯ୍ୟ ଅକ୍ଷରରେ ସନ୍ତୁଷ୍ଟ। ସେମାନେ ସଂସ୍କାର ଲୋଡୁନାହାନ୍ତି – ଜବରଦସ୍ତି ସଂସ୍କାରଟା ସେମାନଙ୍କ ବେକରେ ବାନ୍ଧିବାର ଆପଣଙ୍କର କି ଅଧିକାର ଅଛି ? ”
ଓଡିଆ ଯୁକ୍ତାକ୍ଷରରେ ଅନୁସ୍ବାରର ବ୍ୟବହାରର ପ୍ରସ୍ତାବ ଗୋପବଂଧୁ ଦାସ ‘ଆଶା’ ରେ ବିଜ୍ଞାପନ ଜରିଆରେ ଆରଂଭ କଲେ ଓ ତାହାର ଜୋର ସମର୍ଥନ କଲେ ଗୋଦାବରୀଶ ମିଶ୍ରେ। ଦିହେଁ ସତ୍ୟବାଦୀ ସ୍କୁଲର। ତେଣୁ ସମସ୍ତଂକର ଧାରଣା ହେଲା, ସତ୍ୟବାଦୀ ସ୍କୁଲବାଲାଂକର ଏ ପ୍ରସ୍ତାବ। ଏ ଧାରଣା ଦୂର କରିବାପାଇଁ ସତ୍ୟବାଦୀ ସ୍କୁଲର ହେଡ୍ ମାଷ୍ଟର ପଂଡିତ ନୀଳକଂଠ ଦାସ ଏକ ଚିଠି ପତ୍ରିକାରେ ଲେଖି ପ୍ରକାଶ କଲେ। ଚିଠିଟି ହେଲା :-
“ସମ୍ପାଦକ, ଉତ୍କଳ ଦୀପିକା,
2 ମଇ, 1914.
ମହାଶୟ,,
ଓଡିଶାର ପତ୍ରିକାମାନଙ୍କରେ “ଲିପି ସଂସ୍କାର” ଘେନି ଗତ କେତେକ ଦିନ ହେଲା ଯେଉଁ ବାଦବିବାଦ ଚଳୁଅଛି ତହିଁରେ କେହି କେହି ‘ସତ୍ୟବାଦୀ ଦଳ’ କୁ ସଂଶ୍ଳିଷ୍ଟ କରୁଅଛନ୍ତି। ଦଳ କଥା କହୁ ୨ କେହି ୨ ଲେଖକ ମଧ୍ୟ ସ୍କୁଲକୁ କଟାକ୍ଷ କରି ସାରିଲେଣି। ସତ୍ୟବାଦୀରେ କୌଣସି ଦଳନାହିଁ। କେବଳ ଆମେ ଦୁଇଚାରିଜଣ ଏକତ୍ରହୋଇ ଗୋଟିଏ ସ୍କୁଲ ସ୍ଥାପନ ଚେଷ୍ଟାକରି ତହିଁରେ ଅକିଞ୍ଚନ ଭାବରେ କାଳାତିପାତ କରୁଅଛୁଁ। “ଉତ୍କଳବାର୍ତ୍ତା” ଯଥାର୍ଥ ଲେଖିଥିଲେ ଯେ ଆମ୍ଭମାନଙ୍କ ଦେଶରେ ଦୁଇବ୍ୟକ୍ତି ଦଳମଧ୍ୟରେ କୌଣସି ଗୋଟିଏ ବିଷୟରେ ମତାନ୍ତର ହେଲେ ଏକର ଅନ୍ୟ ସମସ୍ତ ସିୟା ଏବଂ ଗୁଣ ଅନ୍ୟର ଚକ୍ଷୁ:ଶୂଳ ଏବଂ ବିରକ୍ତିକର ହୁଏ। ମୁଁ ନିଶ ରଖିଲେ ଯେଉଁଠାରେ ସତ୍ୟବାଦୀ ବିଦ୍ୟାଳୟ ଉପରେ ବିପନୂପାକର ଆଶଙ୍କା ହୁଏ ସେଠାରେ ମୋର ଶ୍ରଦ୍ଧେୟ ସହଯୋଗୀ ଶିକ୍ଷକ ଗୋଦାବରୀଶ ବାବୁ ଲିପି ସଂସ୍କାର ସପକ୍ଷରେ ମତଦେଲେ ସତ୍ୟବାଦୀ ସ୍କୁଲ ଉପରେ କଟାକ୍ଷହେବା ବିଚିତ୍ର ନୁହେ। ସୁତରାଂ ସ୍କୁଲର ହେଡମାଷ୍ଟର ଭାବରେ ମୁଁ ଏ ପତ୍ରଖଣ୍ଡି ଲେଖିବା ଆବଶ୍ୟକ ମଣୁଅଛି। ଆଶାକରେଁ ଆପଣ ଦୟାକରି ପତ୍ରିକାସ୍ଥ କରିବେ। —
ସତ୍ୟବାଦୀର ଶିକ୍ଷକମାନେ ଦଳଗତ ଭାବରେ ଲିପିସଂସ୍କାର ଉଦ୍ୟମରେ ସଂପୃକ୍ତ ନୁହନ୍ତି। ସାଧାରଣଂକ ଦୃଷ୍ଟି ଆକର୍ଷଣ କରିବାଭଳି ଏପର୍ଯ୍ୟନ୍ତ ଯାହା ପ୍ରକାଶିତ ହୋଇଅଛି ତାହା କେବଳ ଗୋଦାବରୀଶ ବାବୁଙ୍କର କେତେଖଣ୍ଡି ପତ୍ର । ବ୍ୟକ୍ତିଗତ ଭାବରେ ମୁଁ ଲିପି ସଂସ୍କାରର ପକ୍ଷପାତୀ ହେଲେହେଁ ଗୋଦାବରୀଶ ବାବୁ ଓ ଆଶାର ସମ୍ପାଦକ ଓ ଅନ୍ୟାନ୍ୟ କେତେକ ସଂସ୍କାର ପ୍ରୟାସୀଙ୍କ ସହିତ ମୋର କେତେକ ବିଷୟରେ ମତଭେଦ ଅଛି। ବିଷୟ ଗୁରୁତର ଏବଂ ଏ ସମ୍ବନ୍ଧେ ଆଜସୁଦ୍ଧା ସନ୍ତୋଷଜନକ ଅନୁଶୀଳନ କରିବାର ସୁଯୋଗ ପାଇ ନ ଥିବାରୁ କୌଣସି ମତ ବ୍ୟକ୍ତ କରିବାକୁ ସାହସୀ ହୋଇନାହିଁ। ଏପରି ସ୍ଥଳରେ ସତ୍ୟବାଦୀରେ ଏହିଦଳ କଳ୍ପନ କରି ଯେଉଁମାନେ ତାକୁ ଓ ତତ୍ ସଂଗେ ସତ୍ୟବାଦୀ ବିଦ୍ୟାଳୟକୁ ମାସିକ ପତ୍ରିକାଠାରୁ ସାପ୍ତାହିକ ପତ୍ରିକା ପର୍ଯ୍ୟଂନ୍ତ ନାନା କାଗଜରେ ଗଦ୍ୟ ପଦ୍ୟାଦିରେ ସୌଜନ୍ୟ ଓ ମର୍ଯ୍ୟାଦାର ସୀମା ଲଂଘନକରି କଟାକ୍ଷ କରୁଅଛନ୍ତି ସେମାନେ ନିଶ୍ଚୟ ଭୁଆ ବୁଲୁଅଛନ୍ତି।
କୌଣସି ଗୁରୁତର ସମସ୍ୟାର ସମାଧାନ ନିମନ୍ତେ ହୃଦୟକୁ ସର୍ବଦା ସରଳ ଓ ଉନ୍ମୁକ୍ତ ରଖିବା ଆବଶ୍ୟକ । ନିଜର ମତରକ୍ଷା ନିମନ୍ତେ ଚେଷ୍ଟାକରିବା ସଙ୍ଗେ ୨ ଅନ୍ୟର ମତପ୍ରତି ଆସ୍ଥା ନକଲେ କୌଣସି ବିଷୟର ସୁସଙ୍ଗତ ମୀମାଂସା ଅସମ୍ଭବ। କିନ୍ତୁ ଦୁ:ଖର କଥା ଆମ୍ଭମାନଙ୍କ ଦେଶରେ ସାଧାରଣ କାର୍ଯ୍ୟକ୍ଷେତ୍ରରେ ଏପରି ଭାବ ବଡ ବିରଳ। ଅତି ଅଳ୍ପକେ ମର୍ଯ୍ୟଦାର ସୀମା ଅନେକେ ଲଙ୍ଘନ କରନ୍ତି। ଅନେକ ସ୍ଥଳରେ ଏପରି ଘଟନା ଆବରଣରେ କେହି ୨ ବ୍ୟକ୍ତିଗତ ବିଦ୍ବେଶ ଚରିତାର୍ଥ କରିବାର ସୁଯୋଗ ପାଇଥାନ୍ତି। ଏକେ ମନୁଷ୍ୟ ଦୁର୍ବଳ। କୌଣସି ବିଷୟର ଆଲୋଚନାବେଳେ ସେ ବ୍ୟକ୍ତିଗତ, ସାମାଜିକ ଇତ୍ୟାଦି ଭାବ ଓ ସଂସ୍କାରଦ୍ବାରା ଚାଳିତ ହେବା ସ୍ବାଭାବିକ। ପୂର୍ବରୁ ଯାହା ହୋଇ ଆସୁଅଛି ତହିଁର (ତିନୋଟି ବର୍ଣ ପଢିହେଉନାହିଁ) ବ୍ୟଲୀହ ପ୍ରସ୍ତାବମାନ ସାଧାରଣ ମନୁଷ୍ୟକୁ ସ୍ବଭାବତ: ବିଚଳିତ କରେ। ସୁତରାଂ ଦୃଢନିଷ୍ଠା, ଆନ୍ତରିକତା ଏବଂ ଆତ୍ମପରୀକ୍ଷାଦ୍ବାରା କେବଳ କୌଣସି ବିଷୟର ସାଧୁ ଗବେଷଣା ସମ୍ଭବପର। ଗାଳି, କଳି, ବ୍ୟଙ୍ଗ, ବିଦ୍ରୂପ, କୁତ୍ସା, କଦର୍ଥ ଯୁକ୍ତି ନୁହେ। ଦୁ:ଖର କଥା ଓଡିଶାରେ ବର୍ତମାନ ଏହି ଶ୍ରେଣୀର ଯୁକ୍ତିର ଆଧିକ୍ୟ। ସେ ଯାହାହେଉ ବ୍ୟକ୍ତିଗତ ଭାବରେ ଗୋଦାବରୀଶ ବାବୁଙ୍କୁ ବା ଆଉ କାହାକୁ ହେଉ ଯେ ଯାହା କହନ୍ତୁ ଆପତ୍ତି ନାହିଁ। ତେବେ ଆମ୍ଭମାନଙ୍କୁ ଗୋଟିଏ ଦଳ ତିୟାରି କରି ଗାଳିଦେବାର ପ୍ରୟୋଜନ କଅଣ ?
ବଶମ୍ବଦ
ନୀଳକଣ୍ଠ ଦାସ”।
ଏ ବିଶଦ ବିବରଣୀରୁ ସ୍ପଷ୍ଟ ଯେ ବୋପବଂଧୁ, ଗୋଦାବରୀଶ ଓ ଶଶୀ ରଥଂକ ମତ ସହିତ ଅଧିକାଂଶ ସେ ସମୟରେ ଅସହମତ ଥିଲେ। ନୀଳକଂଠ ଦାସ ଲିପିସଂସ୍କାରର ପକ୍ଷପାତି ଥିଲେ ବି ସଂସ୍କାର ବିଷୟରେ ତାଂକର ବିଚାର ସ୍ଥିର କରିନଥିଲେ। ପରେ ନୀଳକଂଠ ଦାସ ଅନୁସ୍ବାର ବ୍ୟବହାରର କେବଳ ସମର୍ଥନ କଲେ ନାହିଁ, ନିଜ ମାସିକ ପତ୍ରିକା ନବଭାରତ ଓ ଦୈନିକ ନବଭାରତରେ ମଧ୍ୟ ତାହାର ନିୟମିତ ବ୍ୟବହାର କଲେ। ଗୋପବଂଧୁ ତ 1928 ରେ ଚାଲିଗଲେ। ହେଲେ ସେ ଓ ପଂଡିତ ଗୋଦାବରୀଶ ନିୟମିତ ଭାବରେ ଅଂତତ: ଅନୁସ୍ବାରର ବ୍ୟବହାର କରିଥିବା ଦେଖାଯାଉନାହିଁ। ଅନ୍ୟମାନଂକ ଭିତରୁ କେବଳ ତରୁଣ ସଚ୍ଚିଦାନଂଦ ରାଉତରାୟ ତାଂକର ସବୁ ଲେଖାରେ ଯୁକ୍ତାକ୍ଷରରେ ଅନୁସ୍ବାରର ବ୍ୟବହାର କଲେ। କେବଳ ଗୋଟିଏ ସ ର ବ୍ୟବହାର ସଂପର୍କରେ ପରେ ଗୋଦାବରୀଶଂକ ସହ ଏକମତ ହେଲେ ବି ନୀଳକଂଠ ତାଂକ ପତ୍ରିକା ଇତ୍ୟାଦିରେ ତାହାର ବ୍ୟବହାର କରିନଥିଲେ।
ପଂଡିତ ନୀଳକଂଠଂକ ମୃତ୍ୟୁପରେ ତାଂକ ପୁତ୍ର ଡ. ବିକ୍ରମ ଦାସ, ନବଭାରତ ପ୍ରେସର ଯାହା କିଛି ଥିଲା ତାହା ଆଣି ‘ସମାଜ’ ଅନୁଷ୍ଠାନକୁ ଦେଇଦେଲେ। ତାଂକର ଇଚ୍ଛା ଅନୁସାରେ ‘ସମାଜ’ ଅନେକ କାଳ ପର୍ଯଂତ ରବିବାରର ବିଶେଷାଂକକୁ ‘ନବଭାରତର ନୂତନପ୍ରସ୍ଥ’ ଭାବରେ ପ୍ରକାଶ କଲେ। ମାତ୍ର ତହିଁରେ ନୀଳକଂଠ ଦାସ କଲାଭଳି ବ୍ୟଂଜନ ଯୁକ୍ତାକ୍ଷରରେ ଅନୁସ୍ବାରର ବ୍ୟବହାର କରାଗଲାନାହିଁ। ପଂଡିତ ନୀଳକଂଠଂକ ଅନୁସ୍ବାର ବ୍ୟବହାର ଉପରେ ତାଂକର ଓ ଗୋଦାବରୀଶଂକର ଏକ ସମୟର ଛାତ୍ର ଗୋଦାବରୀଶ ମହାପାତ୍ରେ ତାଂକ ଜଣାଶୁଣା ଶୈଳୀରେ ‘ଅନୁସ୍ବାର ଦେଇ ଲେଖିଲେ ଲୋକେ ପଣ୍ଡିତ ନୀଳକଣ୍ଠ ଜାଗାରେ ଫଡିତ ନୀଳକଂଠ ପଢିବେ’ ବୋଲି ଲେଖି ପ୍ରସ୍ତାବଟା ଉଡାଇଦେଲେ। ଫ ଓ ପଂ ଭିତରର ଫରକ – ଂ ଟା ଫ ରେ ଯୋଡିହୋଇ ଲେଖା ଯାଏ, ଅନୁସ୍ବାର ନୁହେଁ – ଏ କଥାଟା ଜାଣିଶୁଣି ଉଠାଇଲେ ନାହିଁ। ନୀଳକଂଠ ଦାସ ଓ ସଚ୍ଚି ରାଉତରାୟଂକ ପରେ ଆଉ ବିଶିଷ୍ଟ କେହି ଏହାର ପୃଷ୍ଠପୋଷକତା କଲେ ନାହିଁ।
ମାତ୍ର ଯୁକ୍ତିଯୁକ୍ତ କଥାଟା ସହଜରେ ମରେନାହିଁ। ବହୁବର୍ଷପରେ ସୌମ୍ୟରଂଜନ ପଟ୍ଟନାୟକ ତାଂକ ‘ସଂବାଦ’ ଦୈନିକରେ ଅନୁସ୍ବାରର ବ୍ୟବହାର ଆରଂଭ କଲେ। ତା’ ସାଂଗକୁ ସେ ତାଂକ ପ୍ରକାଶନ ସଂସ୍ଥା ‘ଆମ ଓଡିଶା’ ତରଫରୁ ଅଧ୍ୟାପକ ଡ. ଧନେଶ୍ବର ମହାପାତ୍ରଂକୁ ଏକ ଓଡିଆ ଅଭିଧାନ ତିଆରି କରିବାକୁ ଅନୁରୋଧ କଲେ। ଧନେଶ୍ବରବାବୁ ମୂଳ ସଂସ୍କୃତ ବିଦ୍ୟାଳୟର ଛାତ୍ର। ସେଠାରେ ଉଚ୍ଚାଭ୍ୟାସ ପରେ ସେ ଇଂରାଜୀ ସ୍କୁଲ-କଲେଜରେ ପଢି ଭାଷାଶାସ୍ତ୍ରରେ ଡକ୍ଟରେଟ୍ ପାଇଥିଲେ। ସେ ତାଂକ ଅଭିଧାନରେ ପାଂଚ ବ୍ୟଂଜନ ବର୍ଗର ପ୍ରତ୍ୟେକର ଶେଷ ଅକ୍ଷର ସହିତ ପ୍ରଥମ ଚାରି ଅକ୍ଷରର ଯୁକ୍ତ ହେବାବେଳେ ସେଥିପାଇଁ ପ୍ରଚଳିତ ସ୍ବତଂତ୍ର ଲିପି ପରିବର୍ତେ ଅନୁସ୍ବାର ଦେଇ ପିଲାଂକୁ କୋଡିଏଟି ନୂଆ ଅକ୍ଷର ଶିଖିବା କଷ୍ଟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଚଂତି। ‘ସଂବାଦ’ ପତ୍ରିକା ମାତ୍ର ତାଂକ ପ୍ରଦର୍ଶିତ ପଥରେ ଗଲେନାହିଁ। ଶୁଣିବାକୁ ମିଳିଲା, କିଛିକାଳ ସେପରି କଲାରୁ ତାଂକ କାଗଜର ଚାହିଦା କମିଗଲା। ତେଣୁ ଏବେ ଅଧାପଂତରିଆ କରୁଚଂତି।
ମତେ ଲାଗୁଚି, ଏବେ ପୁଣି ଏ ଲିପିସଂସ୍କାର ଆଂଦୋଳନର ପୁନର୍ଜୀବନ ଆବଶ୍ୟକ। ‘ଆଶା’ର ସଂପାଦକୀୟ ଓ ଗୋଦାବରୀଶଂକ ଭାଷାରେ ମିତବ୍ୟୟିତାର ଅବଲଂବନ ହେବା ନିହାତି ଆବଶ୍ୟକ। ଖାଲି ପିଲାଂକୁ ଅଂତତ: କୋଡିଏଟା ନୂଆ ଲିପି ଲେଖି-ପଢି ଜାଣିବାରୁ ମୁକ୍ତି ସାଂଗକୁ କଂପ୍ୟୁଟରରେ ଲେଖିବାପାଇଁ ଲିପି କମ୍ ହେବାପାଇଁ ସଂସ୍କାରର ଆବଶ୍ୟକତା।
ସ, ଶ ଓ ଷ ଜାଗାରେ କେବଳ ସ ରହିବକି ? ଆମ ମତରେ ଏହା ଆମ ପିଲାଂକୁ ଓ ପଂଡିତଂକୁ ଅସୁବିଧାରେ ପକାଇବ। ଏବେ ତିନିଟି ଯାକ ଥାଇ ମଧ୍ୟ ଅଧିକାଂଶ ଓଡିଆ କେବଳ ସ ର ଉଚ୍ଚାରଣ କରୁଚଂତି। ସଂସ୍କୃତ ତଥା ଅନ୍ୟ ଅନେକ ଭାରତୀୟ ଭାଷାରେ କହିଲାବେଳେ, ଏପରିକି ଇଂରାଜୀରେ କହିଲାବେଳେ ଓଡିଆଂକ କଥା କାନକୁ ଠିକଣା ଶୁଭୁନି, ଭୁଲ୍ ମନେ ହୁଏ। ୟା ଠାରୁ ମହତ୍ବର କଥା, ଦକ୍ଷିଣ ଓଡିଶାରେ ଶ ର ବ୍ୟବହାର ଓ ଉଚ୍ଚାରଣ ଅଛି। (ସେଇଥିପାଇଁ ଅଧିକାଂଶ ‘ଗୀତଗୋବିଂଦ’ ଗାଇଲାବାଲା ଓଡିଆଂକ ସଂସ୍କୃତ ଉଚ୍ଚାରଣ କର୍ଣକଟୁ ହୁଏ, ସଂସ୍କୃତ ଜାଣିଥିବା ଅଣଓଡିଆ ଅର୍ଥ କରିପାରଂତି ନାହିଁ। କେବଳ ପାରଳାଖେମୁଂଡିଆ ରଘୁନାଥ ପାଣଗ୍ରାହୀ ଠିକଣାରେ ଗାଉଥିଲେ। ଉର୍ଦୁ କହିଜାଣିବା ଓଡିଆ ଗାୟକ ସଂସ୍କୃତ ଠିକଣାରେ ଉଚ୍ଚାର କରିପାରଂତି)। ଉତ୍ତର ଓଡିଶାରେ – ବାଲେଶ୍ବର ଓ ମୟୁରଭଂଜରେ, ଶ ର ପ୍ରାବଲ୍ୟ – ବଂଗଳାର ପ୍ରଭାବରୁ। ତେଣୁ ଆମେ କେବଳ ସ ର ଲେଖନ ଓ ବ୍ୟବହାର କରିବା ପ୍ରତିଗାମୀ ହେବ।
ର-ଫାର ଲାଗିଲେ ବ୍ୟଂଜନଟା ଦ୍ବୟ ହେବ କି – ଏ ପ୍ରଶ୍ନଟାର ଏବେ ପ୍ରାୟ ସମାଧାନ ହୋଇଯାଇଛି। — ହେବାର ଆବଶ୍ୟକତା ନାହିଁ । ଧର୍ମ୍ମ ଲେଖିବା ଆବଶ୍ୟକ ନାହିଁ, ଧର୍ମ ଲେଖିଲେ ହେଲା।
ଯୁକ୍ତାକ୍ଷରରେ ଆଉ କେତେକ ସଂସ୍କାରର ଆବଶ୍ୟକତା ବିଷୟରେ ଚର୍ଚା ହୋଇ ନିଷ୍ପତ୍ତି ନେବା ଆବଶ୍ୟକ। ଆମ ଯୁକ୍ତାକ୍ଷରର ଅଧିକାଂଶ ଜାଗାରେ ଯେଉଁଠାରେ ବ୍ୟଂଜନର ସ୍ବରହୀନ ଉଚ୍ଚାର ହେବାର, ତାହା ପୂର୍ଣ ଲେଖାହୋଇ ଯାହାର ପୂର୍ଣ ଉଚ୍ଚାର ହେବାର ତାହା ତଳେ, କ୍ଷୁଦ୍ର ଆକାରରେ ଲେଖା ହୁଏ। ଉଚ୍ଚାରଣ ଦୃଷ୍ଟିରୁ ଏହା ବିସଂଗତ। ତା ବାଦ୍ ଛାପିଲାବେଳେ ତଳ ଅକ୍ଷର ଫଳରେ ଦି ଧାଡି ଭିତରେ ଜାଗା ଅଧିକ ଯାଏ। ଉଦାହରଣ – ସ୍ପର୍ଶ । ଏହା ପରିବର୍ତେ ଯଦି ସ ର ଅଧେ ସାଂଗରେ ପୂର୍ଣ ପ ଯୋଡାଯାଂତା ତେବେ ତାହା ଏକା ଧାଡିରେ ହୁଅଂତା ଓ ଶିଖିଲାବାଲା ଜାଣଂତା ତାହାର ଉଚ୍ଚାରଣ କିପରି ହେବ। ଦେବନାଗରୀ ଲିପିରେ ଏହା ବହୁଦିନୁ ଚଳିଆସିଲାଣି। ସଂତୋଷବାବୁ ମତେ କହିଲେ ଯେ ଜଣେ ଲେଖକ ଓ ପ୍ରକାଶକ – ନବକିଶୋର ମହାପାତ୍ର, ସଂପାଦକ ‘ମନପବନ’ — ତାଂକ ପତ୍ରିକାରେ ଏ ପ୍ରକାରର ତଳ-ଉପରର ନହୋଇ ଏକା ଧାଡିର ଯୁକ୍ତାକ୍ଷରର ଲିପି କରି ପ୍ରକାଶକଲେ। ମାତ୍ର ତାହାକୁ ଆଉକେହି ମନକୁ ନେଲେନି, ଏବେ ତାହା ଆଉ ନାହିଁ । ଏ ପ୍ରସ୍ତାବର ଆଲୋଚନା ଆବଶ୍ୟକ।
ଲିପି ବିଷୟରେ ଆଉ ଏକ କଥାର ଉଲ୍ଲେଖ କରୁଚି। ଅଧିକାଂଶ ଓଡିଆ ଲିପିରେ ତଳପଟଟା ହିଁ ଲିପିର ମୂଳଭାଗ। ଉପରେ ଖାଲି ଆମେ ଗୋଲ କରୁଥାଏ। ଏ ଗୋଲ କରିବା ଫଳରେ ଲିପିର ମୋଟ ଉଚ୍ଚତାର ଅଧେରୁ ବେଶିଭାଗ ଏ ଗୋଲରେ ଯାଏ। ତେଣୁ, ଛପାରେ ଓଡିଆଲିପିକୁ ବେଶିଛୋଟ କରିହୁଏନାହିଁ। ଆମେ ଛପାରେ ଅକ୍ଷରର ତଳଭାଗଟା ପୂର୍ଣ ଉଚ୍ଚତାର ଅଂତତ: ଅଧେ ରଖିଲେ ତାହା ଛୋଟ ଭାବରେ ହୋଇପାରଂତା। ମାତ୍ର ସେଥିପାଇଁ ଅକ୍ଷରର ଉପର ଭାଗ ଗୋଲ ନହୋଇ ଚତୁ:ଷ୍କୋଣ ହେଲେ ଉଚ୍ଚତା କମ୍ ହୋଇ ପରିଷ୍କାର ଦିଶଂତା। ମୁଁ ଅନେକ ବର୍ଷ ତଳେ (ସ୍ବ) ରାମକୃଷ୍ଣ ନଂଦଂକ ସହ ଏ ପ୍ରସ୍ତାବର ଆଲୋଚନା କଲାବେଳେ ସେ ଜଣେ ଟାଇପ ଫାଉଂଡରୀ ବାଲାଂକୁ ଡକାଇ ତାଂକଠାରୁ ସେପରି ଲିପିର ଆକାର କାଗଜରେ ତିଆର କରାଇନେଇଥିଲେ। ମାତ୍ର ନଂଦେ ଚାଲିଯିବାରୁ ମୁଁ ଶେଷକୁ ଜଣେ କଂପ୍ୟୁଟରବାଲାଂକୁ ଏ ପ୍ରସ୍ତାବ ଦେଲି। ହେଲେ, ଏଥିପାଇଁ ସୁଲେଖନକାର (calligraphist) ଆବଶ୍ୟକ। ଖବରକାଗଜବାଲେ ଏ ଆଡକୁ ଦୃଷ୍ଟିଦେଇ କାମ କରାଇନେଇ ପାରିଲେ ବହି ଓ କାଗଜର ଖର୍ଚ କମହୋଇ ପଠନୀୟତା ବଢଂତା।
ଅନୁସ୍ବାରର ବ୍ୟବହାର ସର୍ବଜନବିଦିତ ହେବା ଆବଶ୍ୟକ। ମଧୁ ବର୍ଣବୋଧରେ ନହେଲେ ହୋଇପାରିବନାହିଁ ବୋଲି ଅନେକଂକୁ ଲାଗୁଚି। ମାତ୍ର ଆଜିର ଖବରକାଗଜମାନେ ଏହା ଆରଂଭକଲେ ଏହା ଅତିଶୀଘ୍ର ସର୍ବଜନଗ୍ରାହ୍ୟ ହୋଇଯିବବୋଲି ମୋର ବିଶ୍ବାସ। କେରଳୀୟ ଭାଷାରେ ଏ ପ୍ରକାରର ବ୍ୟଂଜନର ୟୁକ୍ତାକ୍ଷର ମଲୟାଲମ୍ ମନୋରମା ଖବରକାଗଜ ତିଆରି କରାଇ ଆରଂଭ କଲା ଓ ତାହା ବର୍ତମାନ ଚଳଂତି ଲିପି।
ଆଜି ‘ସମାଜ’ର ଶହେ ବର୍ଷ ପୂର୍ତୀ ଉପଲକ୍ଷେ ଏ ପ୍ରସ୍ତାବ — ‘ସମାଜ’ ଅଂତତ: ଅନୁସ୍ବାରର ବ୍ୟବହାର ତାଂକ କାଗଜରେ ଆରଂଭ କରଂତୁ – ତାଂକ ସଂସ୍ଥାପକ ଓ ପୂର୍ବପୁରୁଷଂକ ସ୍ମରଣରେ। ଅନ୍ୟ ଓଡିଆ ଖବରକାଗଜମାନେ ରାଜିହେଲେ ଏ କାମ ଅତି ସରଳ ଓ ଶୀଘ୍ର ହୋଇପାରିବ। କିଛିନହେଲା ବେଳକୁ ‘ସମାଜ’ର ରବିବାର ସଂଖ୍ୟାରେ ଅନୁସ୍ବାରର ବ୍ୟବହାର ଓ ଆମଭଳି ଯେଉଁମାନଂକ ଲେଖା ସମାଜ ବେଳେବେଳେ ଛାପୁଛି ସେତେବେଳେ ସେ ଲେଖାରେ ଆମେ ବ୍ୟବହାର କରୁଥିବା ଅନୁସ୍ବାରକୁ ନ ବଦଳାଇ ଛାପିଲେ ଏକ ଭଲ କାମର ଆରଂଭ ହୁଅଂତା। ଓଡିଶାରେ ଶହେ ବର୍ଷତଳେ କେତେକ ତରୁଣ ଶିକ୍ଷିତ ତାଂକଭାଷାର ସଂସ୍କାର ନିମଂତେ ବୈଚାରିକ ପଦକ୍ଷେପ ନେଲେ। ତାହାର ବିରୋଧ ହେବା ଅସ୍ବାଭାବିକ ନୁହେଁ, ସବୁସ୍ଥଳରେ ଏହା ହୁଏ । ମାତ୍ର, ଅନ୍ୟ ଭାଷାଭଳି ସେମାନେ ଜୋର ଲଗାଇପାରିଲେନାହିଁ; ନୀଳକଂଠ-ସଚ୍ଚି ରାଉତରାୟ ଏକା ପଡିଗଲେ। ଏହାହିଁ ଓଡିଶାର, ଓଡିଆର ଦୁର୍ଦଶା। ସେ କାମର ପୁନରାରଂଭ କରିବାର ଏହା ଉପଯୁକ୍ତ ସମୟ ବୋଲି ମୋର ଧାରଣା। ଏଥର ଯେମିତି ଅସଫଳ ନହେବା। (ସମାପ୍ତ)

Leave A Reply