ସରକାର ଶିକ୍ଷା ବ୍ୟବସାୟ ବନ୍ଦ କରିପାରିବେ ତ ?

0

ଜନାର୍ଦ୍ଦନ ମିଶ୍ର

ପାଠପଢ଼ା ନାମରେ ଶିକ୍ଷାର ବ୍ୟବସାୟୀକରଣ ଚାଲିଛି। ସରକାରଙ୍କଠାରୁ ଶିକ୍ଷାନୁଷ୍ଠାନ ଖୋଲିବା ସକାଶେ ଆବଶ୍ୟକ ଅନୁମୋଦନ ନନେଇ ଛତୁ ଫୁଟିଲା ଭଳି ଖୋଲିଚାଲିଛି ଅନେକ ଘରୋଇ ବିଦ୍ୟାଳୟ। ଉଚ୍ଚମାନର ଶିକ୍ଷାଦାନ ଆଳରେ ଅଭିଭାବକଙ୍କୁ ଶିଖାଇ, ଫୁସୁଲାଇ ହେଉଛି ଆର୍ଥିକ ଶୋଷଣ। ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତିଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପୋଷାକ, ପାଠ୍ୟ ଉପକରଣ ଏବଂ ଖାଦ୍ୟପେୟ ନାମରେ ଆର୍ଥିକ ଶୋଷଣ ଚାଲିଛି। ତେବେ ବହୁତ ଦିନ ପରେ ଏବେ ସରକାର ଏନ୍‍ଓସି ନଥିବା ବିଦ୍ୟାଳୟରେ ପିଲାମାନଙ୍କୁ ନପଢ଼େଇବାକୁ କହି ଘଣାରେ ପକାଇଛନ୍ତି ଘରୋଇ ବିଦ୍ୟାଳୟଗୁଡ଼ିକୁ। ଏନ୍‍ଓସି ନନେଇ, ଶିକ୍ଷା ବ୍ୟବସାୟୀମାନେ ଶିକ୍ଷାନୁଷ୍ଠାନ ଖୋଲିବା ଦ୍ୱାରା ଆମ ସମାଜରେ ଯାହା କିଛି କ୍ଷତି କରୁଛନ୍ତି, ତାହା ଆଲୋଚନାଯୋଗ୍ୟ।
ପ୍ରାଥମିକ ତଥା ମାଧ୍ୟମିକ ସରକାରୀ ଶିକ୍ଷା ମୁକ୍ତ ଓ ସୁଲଭ ହୋଇଥିଲେ ମଧ୍ୟ ସମାଜର ମଧ୍ୟମ ବର୍ଗର ଅଭିଭାବକମାନେ ଏହାକୁ ଆପଣେଇବାକୁ ଚାହାନ୍ତିନି। ଏହାର ଯଥେଷ୍ଟ କାରଣ ମଧ୍ୟ ରହିଛି। ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ୍‍ ହେବା ପରେ ଓ ଏପ୍ରିଲ୍‍ ୧, ୨୦୧୦ରେ ଏହା ସାରା ଦେଶରେ ଲାଗୁ ହେବା ପରେ ସରକାରୀ ସ୍ତରରେ ଛଅରୁ ଚଉଦ ବର୍ଷ ପିଲାମାନଙ୍କୁ ବାଧ୍ୟତାମୂଳକ ଭାବରେ ମୁକ୍ତ ଶିକ୍ଷା ପ୍ରଦାନ କରିବାକୁ ପ୍ରବଳ ପ୍ରଚେଷ୍ଟା ବଳବତ୍ତର ହେଉଛି, କିନ୍ତୁ ତାହା ସମ୍ଭବ ହୋଇ ପାରିନାହିଁ। ନାହିଁ ନାହିଁରେ ଚାଲିଥିବା ସରକାରୀ ବିଦ୍ୟାଳୟରେ ଅନେକ ସମସ୍ୟା। ଶିକ୍ଷକ ବିକ୍ଷୋଭ, ଶିକ୍ଷକ ଅଭାବ, ତ୍ରୁଟିପୂର୍ଣ୍ଣ ମଧ୍ୟାହ୍ନଭୋଜନ କଥା ପ୍ରାୟ ସବୁଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିବାବେଳେ ଅଭିଭାବକଙ୍କୁ ଆକର୍ଷିତ କରେ ସେହି ଖବରକାଗଜରେ, ସେହି ଅଞ୍ଚଳର ନୂଆକରି ଗଢ଼ି ଉଠିଥିବା ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କର ରଙ୍ଗିନ୍‍ ବିଜ୍ଞାପନ। ପ୍ରଚଳିତ, ପାରମ୍ପରିକ ଶିକ୍ଷା ବ୍ୟବସ୍ଥାର ଦୋଷତ୍ରୁଟି ମଧ୍ୟରୁ ଜନ୍ମ ନେଇଥିବା ଏହିସବୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କୁ ଆପ୍ୟାୟିତ କରିବାରେ କୌଣସି ତ୍ରୁଟି କରନ୍ତି ନାହିଁ। ଏହା ଛଡ଼ା ଓଡ଼ିଆ ମାଧ୍ୟମ, ଅର୍ଥାତ୍‍ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ସାଧାରଣତଃ ପାଞ୍ଚ ବର୍ଷ ବୟସରୁ ପାଠ ଆରମ୍ଭ କରୁଥିବାବେଳେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ଦୁଇରୁ ତିନିବର୍ଷର ଶିଶୁମାନଙ୍କୁ ନେଇ ପାଠପଢ଼ା ଆରମ୍ଭ ହେଉଛି। ପାଞ୍ଚବର୍ଷ ବୟସ ହେଲାବେଳକୁ ଏହି ଶିଶୁମାନେ ଇଂରାଜୀ, ହିନ୍ଦୀ ଏବଂ ସ୍ଥାନେସ୍ଥାନେ ଓଡ଼ିଆରେ ମଧ୍ୟ ପଢ଼ିବା ଓ ଲେଖିବା ଶିଖିଯାଉଛନ୍ତି ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ସେଥିପାଇଁ ଶିଶୁ ମାତ୍ର ଦୁଇ ବର୍ଷ ପୂରଣ ହେବା ପରେ ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର ଘୋଡ଼ାଦୌଡ଼ ଆରମ୍ଭ ହୋଇଯାଏ। ଦଶ କୋଡ଼ିଏ ହଜାର ଟଙ୍କାକୁ ଖାତିର ନକରି ଏମାନେ ଅତି ସନ୍ତର୍ପଣରେ ଶିଶୁମାନଙ୍କୁ ଛାଡ଼ି ଆସନ୍ତି ସେହି ବିଦ୍ୟାଳୟରେ ଯେଉଁ ବିଦ୍ୟାଳୟର ପ୍ରତିଷ୍ଠା ପଛରେ ଥାଏ ଏକ ବିରଳ ବ୍ୟାବସାୟିକ ମନୋବୃତ୍ତି। ଜୋତାଠାରୁ ଛତା ପର୍ଯ୍ୟନ୍ତ ସବୁଥିରେ ଥାଏ ବେପରୁଆ ବ୍ୟବସାୟର ବ୍ୟଭିଚାର। ବାସ୍‍, ଆରମ୍ଭ ହୋଇଯାଏ ଅଜ୍ଞ ଅଭିଭାବକମାନଙ୍କର ଶୋଷଣ।
ତିନି ଚାରିବର୍ଷର କୋମଳମତି ଶିଶୁମାନଙ୍କ ପିଠିରେ ପାଞ୍ଚ ଦଶ କିଲୋର ବସ୍ତାନି ଲଦି ଦିଆଯାଇ ଶିକ୍ଷିତ କରିବାକୁ ଅଭିଭାବକମାନଙ୍କର ଯେଉଁ ନିଆରା ପ୍ରୟାସ ତାହାହିଁ ସେମାନଙ୍କୁ ଅଜ୍ଞ ବୋଲି ପ୍ରମାଣ କରେ। ପିଲାମାନଙ୍କୁ ଅତି ଶୀଘ୍ର ଶିକ୍ଷିତ, ମାର୍ଜିତ ତଥା ଆଧୁନିକ ରୁଚି ସମ୍ପନ୍ନ କରିବା ପ୍ରଚେଷ୍ଟାରେ ଏମାନେ କେବଳ ଯେ ସେମାନଙ୍କ ଶୈଶବକୁ ନଷ୍ଟ କରନ୍ତି ତାହା ନୁହେଁ, ବରଂ ସରକାରଙ୍କର ସ୍ୱପ୍ନ ଓ ନୀତିକୁ ଅତି ଦୟନୀୟ ଭାବରେ ଭଗ୍ନ କରନ୍ତି। ତଥାପି ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ନିଜର ଶିଶୁମାନଙ୍କୁ ପଠାଇଦେଇ ନିଜକୁ ଧନ୍ୟ ମନେକରୁଥିବା ଅଭିଭାବକମାନେ କେବଳ ଶିକ୍ଷା ବ୍ୟବସାୟୀମାନଙ୍କର ବହପ ବଢ଼ାଇବାରେ ସହାୟକ ହୁଅନ୍ତି ନାହିଁ, ବରଂ ସେମାନଙ୍କ ହାତରେ ନିଜର ଶିଶୁମାନଙ୍କର ଭବିଷ୍ୟତକୁ ମଧ୍ୟ ଟେକି ଦିଅନ୍ତି।
କୁହାଯାଏ ଫମ୍ପା ମାଠିଆର ଶବଦ ବେଶୀ। ବିଦ୍ୟାଳୟ ବ୍ୟବସାୟୀମାନଙ୍କର ଭିନ୍ନ ଏକ ବ୍ୟବସାୟୀ ବୁଦ୍ଧିକୁ ଅଜ୍ଞ ଅଭିଭାବକମାନେ ସହଜରେ ବୁଝିପାରନ୍ତି ନାହିଁ। ତାହା ହେଉଛି ସିବିଏସ୍‍ଇ ଓ ଆଇସିଏସ୍‍ଇ ଭେଳିକି। ସତ କଥା ହେଉଛି ଏସବୁ ବୋର୍ଡ଼ ସହିତ ବିଦ୍ୟାଳୟର ସହବନ୍ଧନ ଆବଶ୍ୟକ ପଡ଼େ ନବମ ଶ୍ରେଣୀରେ। ସେଥିପାଇଁ ଉଭୟ ବୋର୍ଡ଼ ନବମ ଶ୍ରେଣୀରୁ ହିଁ ସ୍ୱତନ୍ତ୍ର ପାଠ୍ୟ ପୁସ୍ତକ ଓ ପାଠ୍ୟଖସଡ଼ା ଓ ପରୀକ୍ଷାର ବ୍ୟବସ୍ଥାମାନ କରିଛନ୍ତି। ଯଦିଓ ବିଦ୍ୟାଳୟ ଚାହିଁଲେ ପ୍ରଥମ ଶ୍ରେଣୀରୁ ମଧ୍ୟ ଉକ୍ତ ବୋର୍ଡ଼ମାନଙ୍କ ସହ ସହବନ୍ଧିତ ହୋଇପାରିବ, ସେପରି ବିଦ୍ୟାଳୟ ସଂଖ୍ୟା ନଗଣ୍ୟ। ବରଂ ବିଦ୍ୟାଳୟ ଚଳାଇବାକୁ ଆବଶ୍ୟକ ପଡ଼ୁଥିବା ଏନ୍‍ଓସି ବା ଆପତ୍ତି ରହିତ ପ୍ରମାଣପତ୍ର ମଧ୍ୟ ଏମାନଙ୍କ ନିକଟରେ ନଥାଏ। ଏହି ପ୍ରମାଣପତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଏ। ଦୁଃଖର ବିଷୟ ଓଡ଼ିଶାର ଅଧିକାଂଶ ଘରୋଇ ବିଦ୍ୟାଳୟମାନଙ୍କର ଏହି ଏନ୍‍ଓସି ନାହିଁ। ତଥାପି ସେମାନେ ବିନା ଦ୍ୱିଧାରେ, ସତମିଛ କହି ଅଭିଭାବକମାନଙ୍କୁ ଶୋଷଣ କରିଚାଲିଛନ୍ତି। ଆଇସିଏସ୍‍ଇ ବୋର୍ଡ଼ ସହବନ୍ଧିତ ବିଦ୍ୟାଳୟମାନଙ୍କ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ପାଠ୍ୟ ପୁସ୍ତକ କିମ୍ବା ପାଠ୍ୟଖସଡ଼ାର ବ୍ୟବସ୍ଥା ନଥିବାବେଳେ, ଅଧିକାଂଶ ସିବିଏସ୍‍ଇ ସହବନ୍ଧିତ ବିଦ୍ୟାଳୟ ଏନ୍‌ସିଇଆର୍‌ଟି ପ୍ରକାଶ କରୁଥିବା ବହିଗୁଡ଼ିକୁ ପ୍ରଚଳନ କରିବାର ନିୟମ ଅଛି, କିନ୍ତୁ ନିଜକୁ ସିବିଏସ୍‍ଇ ବିଦ୍ୟାଳୟ କହି ଗର୍ବ କରୁଥିବା ବିଦ୍ୟାଳୟର କର୍ମକର୍ତ୍ତା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ବେସରକାରୀ ବହିର ପ୍ରଚଳନ ଉପରେ ଗୁରୁତ୍ୱ ଦିଅନ୍ତି। କାରଣ ପ୍ରକାଶକମାନଙ୍କ ନିକଟରୁ ସେମାନଙ୍କୁ ଯାହା ମିଳେ ତାହା ସରକାରୀ ବହିରୁ ମିଳିବ ନାହିଁ। ପ୍ରତି ବର୍ଷ ନୂଆ ବହି; ନୂଆ ବହିର ପୂର୍ବ ବର୍ଷ ବହି ସହିତ କୌଣସି ସମ୍ପର୍କ ନାହିଁ। ବିଚରା ଅଭିଭାବକମାନେ ବିଦ୍ୟାଳୟ ମନୋନୟନ କରିଥିବା ବେସରକାରୀ ପ୍ରକାଶକମାନଙ୍କର ବହିକୁ ଚଢ଼ା ମୂଲ୍ୟରେ କିଣିବାକୁ ହିଁ ଶ୍ରେୟ ମଣନ୍ତି।
ସରକାରୀ ବିଦ୍ୟାଳୟଗୁଡ଼ିକୁ ପରିଚାଳନା କରିବା ପାଇଁ ଯେମିତି ସରକାରୀ ନିୟମମାନ ନିର୍ଦ୍ଧାରଣ କରାଯାଇଛି, ସେହିପରି ଘରୋଇ ବିଦ୍ୟାଳୟ ପାଇଁ ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ ନୁହେଁ କି ? ଅଭିଭାବକଙ୍କ ଅସଚେତନତା ହିଁ ଶିକ୍ଷା ବ୍ୟବସାୟୀଙ୍କର ପୁଞ୍ଜି। ସୁଖର ବିଷୟ ଏହିକିଯେ ଏବେ ସରକାର ଏନ୍‍ଓସି ନପାଇ ଚାଲିଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ଚିନ୍ତା କରିବା ଆରମ୍ଭ କରିଛନ୍ତି। ସମୟ କହିବ ପ୍ରକୃତରେ ସରକାର ଶିକ୍ଷା ବ୍ୟବସାୟ ବନ୍ଦ କରିବାରେ କେତେ ସଫଳ ହେଉଛନ୍ତି।
janardanmishra1976@gmail.com

Leave A Reply