‘​‌ୟେତି’, ‘ନେସି’ ଓ ‘ସାଧାରଣ ମଣିଷ’

0

ଆମ ସମୟର ଦୁଇଟି ‘ପ୍ରହେଳିକା’ର ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନାହିଁ। ପ୍ରଥମଟି ହେଲା, ହିମାଳୟର ସୁଉଚ୍ଚ ବରଫାବୃତ ଅଞ୍ଚଳରେ ରହୁଥିବା ତୁଷାର ମାନବ ‘ୟେତି’। ତା’ର ବିଶାଳ ଲୋମଶ ଶରୀର, ଏବଂ ଆପାତତଃ ନିରୀହ, ଅହିଂସ୍ର ସ୍ବଭାବ ସମ୍ବନ୍ଧରେ କାହାଣୀ ଏବଂ କେତେକ ଅସ୍ପଷ୍ଟ ଚିତ୍ର ଆମଲାଗି ଆଶ୍ଚର୍ଯ୍ୟଜନକ ମନେ ହେଉଛି। ସବୁ ଅନୁସନ୍ଧାନ ପରେ ଏ ପର୍ଯ୍ୟନ୍ତ କୌଣସି ବିଶ୍ବାସଯୋଗ୍ୟ ତଥ୍ୟ ‘ୟେତି’ର ଉପସ୍ଥିତିକୁ ପ୍ରମାଣିତ କରିପାରିନାହିଁ। ଦ୍ବିତୀୟ ପ୍ରହେଳିକାଟି ହେଉଛି ‘ନେସି’। ବିଶ୍ବାସ କରାଯାଏ, ଏହି ଅତିକାୟ ଜଳଦାନବ ସ୍କଟଲାଣ୍ଡର ‘ନେସ’ ହ୍ରଦର ଗଭୀର ଜଳରେ ଲୁଚି ରହିଛି। ସାମୟିକ ଭାବରେ ‘ନେସି’ ସମ୍ବନ୍ଧରେ ବହୁ ବିଚିତ୍ର ଚିତ୍ର, କାହାଣୀ, ପ୍ରକାଶିତ ହୁଏ; କିନ୍ତୁ ‘ୟେତି’ଭଳି ‘ନେସି’ର ଅସ୍ତିତ୍ବ ସମ୍ବନ୍ଧରେ କୌଣସି ନିଶ୍ଚିତ ପ୍ରମାଣ ଏଯାବତ୍‌ ମିଳିନାହିଁ। ଅନୁସନ୍ଧାନ ଏପର୍ଯ୍ୟନ୍ତ ଜାରି ରହିଛି ଅବଶ୍ୟ। ତେଣୁ ‘ୟେତି’ ଓ ‘ନେସି’ଙ୍କୁ ଦୁଇଟି ରହସ୍ୟମୟ, ପ୍ରହେଳିକାର ଚରିତ୍ର ବୋଲି ଧରି ନିଆଯାଇଛି।
ଏହି ‘ତୁଷାର ମାନବ’ ଓ ‘ଜଳ ଦାନବ’ ଦୁଇ ପ୍ରହେଳିକା ସହ ସ୍ବାଧୀନ ଭାରତର ଗୁରୁତ୍ବପୂର୍ଣ୍ଣ ପ୍ରହେଳିକା ‘କମନ୍‌ମ୍ୟାନ’ ବା ‘ସାଧାରଣ ମଣିଷକୁ ମଧ୍ୟ ସଂଯୁକ୍ତ କରାଯାଇପାରେ। କାରଣ ‘ୟେତି’ ଓ ‘ନେସି’ ଭଳି ‘ସାଧାରଣ ମଣିଷ’ର ଗୂଢ଼ ରହସ୍ୟ ସଦାସର୍ବଦା ଭାରତୀୟ ଲୋକଙ୍କୁ ଅଗୋଚର ରହିଆସିଛି ବୋଲି ଆଶଙ୍କା ହୁଏ। ଯଦିଓ ଦଳ, ମତ, ନିର୍ବିଶେଷରେ ଗଢ଼ାଯାଉଥିବା ଲୋକପ୍ରିୟ ସରକାର ଏବଂ ସମୁଦାୟ ସରକାରୀ ସଂସ୍ଥାରେ କର୍ମରତ, ମୂଳରୁ ଚୂଳ ଯାଏ ସବୁ ବର୍ଗର କର୍ମଚାରୀଗଣ ଏହି ସାଧାରଣ ମଣିଷ ସମ୍ବନ୍ଧରେ ସବିଶେଷ ଜ୍ଞାନର ଅଧିକାରୀ ବୋଲି କୁହାଯାଇଥାଏ। ସେଇମାନେ ହିଁ ବହୁ ଚମକପ୍ରଦ ତଥ୍ୟର ପ୍ରଚାର ଓ ପ୍ରସାର କରିଥାଆନ୍ତି। ଯଥା- ସାଧାରଣ ମଣିଷର ସଂଜ୍ଞା ସ୍ବରୂପ ଇତ୍ୟାଦି ସଂପୂର୍ଣ୍ଣ ଓ ଅକ୍ଷୁଣ୍ଣ ଭାବରେ ନିରୂପିତ ହୋଇସାରିଛି। ବିଚରା ସାଧାରଣ ମଣିଷଟି ସ୍ବାଧୀନତା ପରଠାରୁ ଦାରିଦ୍ର୍ୟ ସୀମାରେଖାରୁ ନିମ୍ନରେ ପଡ଼ିରହିଛି। (ଏହାର ଅର୍ଥ ବୁଝିବା ନିରର୍ଥକ)। ତେଣୁ ‘ଗରିବୀ ହଟାଓ’, ‘ଅମୁକକୁ ଲାଓ, ଦେଶ ବଚାଓ,’ ଇତ୍ୟାଦି ପଦ୍ଧତିର ପ୍ରୟୋଗ ଦ୍ବାରା ତାକୁ ‘ଅଚ୍ଛେଦିନ’ ଦେଖାଇବାକୁ ‘ସ୍ବଚ୍ଛ ଭାରତ’ରେ ବସବାସ କରାଇବାକୁ ଦୃଢ଼ ସଂକଳ୍ପ ଗ୍ରହଣ କରିଛୁ। ତେଣୁ ଆମର ସବୁକିଛି, ଯଥା- ଧନ, ଜନ, ମନ, ବିଧାନ, ବ୍ୟବସ୍ଥା, କଳ, ବଳ, କୌଶଳ, ନୀତି ଓ ଯୋଜନା ସେହି ସାଧାରଣ ମଣିଷର ଉଦ୍ଧାର ପ୍ରକଳ୍ପରେ ନିୟୋଜିତ। ଏହାବାଦ୍‌ ବହୁ ଘର ପରିବାର, ପଣ ଅଜା ଅମଳରୁ ପଣନାତି ଅମଳରୁ ପର୍ଯ୍ୟନ୍ତ ଏହି ସଂକଳ୍ପ ନେଇ ଜୀବନ ଉତ୍ସର୍ଗ କରିଛନ୍ତି ବୋଲି ବାଇଦବାଜଣା ଶୁଣାଯାଏ। ତେଣୁ ‘ଇୟେ’ ନହେଲେ ‘ସିୟେ’, ଆଜି ନହେଲେ ଆସନ୍ତାକାଲି ଏ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। କାରଣ ଆମେ ଅତୁଲ୍ୟ ଭାରତର ଅଧିବାସୀ। ‘ୟେତି’, ‘ନେସି’ ପ୍ରହେଳିକା ଶେଷ ନହୋଇପାରେ, କିନ୍ତୁ ସାଧାରଣ ମଣିଷର ସଂପୂର୍ଣ୍ଣ ଉଦ୍ଧାର ହାତପାଆନ୍ତାରେ ବୋଲି ଧରି ନିଆଯାଇପାରେ।
ବାସ୍ତବ କ୍ଷେତ୍ରରେ ପ୍ରତିଶ୍ରୁତିର ମାୟାଜାଲ, ଶବ୍ଦର ଭୋଜବାଜି, ଆଶ୍ବାସନାର ଇନ୍ଦ୍ରଧନୁ ଭିତରେ ସାଧାରଣ ମଣିଷଟି ‘ୟେତି’ ‘ନେସି’ ଭଳି ରହସ୍ୟ ଘେରରେ କଏଦୀ ପାଲଟି ଯାଇଛି। ଦାରିଦ୍ର୍ୟ, କୁସଂସ୍କାର, ଶୋଷଣ ଓ ଅନଗ୍ରସରତା ଭିତରୁ ଏଯାବତ୍‌ ମୁକୁଳି ପାରିନାହିଁ। ମାନବିକ ଓ ଆତ୍ମିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ନିରନ୍ତର ଘଟିଚାଲିଛି। ଗୁଣୀଲୋକେ ଦେଶାନ୍ତରୀ ହେଉଛନ୍ତି, ତସ୍କରମାନେ ଦେଶକୁ ଲୁଟିବାପରେ ଖସିଯାଇ ପାରୁଛନ୍ତି। ଆମ ଦେଶର ସ୍ଥାନ ‘ହାପିନେସ୍‌ ଇଣ୍ଡେକ୍ସ’ରେ (ସୁଖୀ ଜୀବନ ବଞ୍ଚିବାର ମାନବ/ମାପଦଣ୍ଡ) ରସାତଳକୁ ଗଲାଣି। ଆମେ ତଥାପି ‘ଐତିହ୍ୟ’ ‘ଅତୀତ’ ‘ଆଧ୍ୟାତ୍ମିକତା’ ‘ସଂସ୍କୃତି’ ‘ଧାର୍ମିକ ଉଦାରତା’ ଭଳି ଶବ୍ଦର ଫଟାଢୋଲ ପିଟି ନିଜକୁ ପ୍ରଶଂସା କରି ଚାଲିଛୁ। ଲୋକକଥାରେ ଯାହା କୁହାଯାଇଛି- ‘ଘର ବୁଡ଼ି ପାଣି ଆଣ୍ଠୁଏ ନା ମଣି କହୁଛି, ମେଘ ଦୁଲୁକୁଛି’!! ଜାତି, ଧର୍ମ, ବର୍ଣ୍ଣ, ପ୍ରାନ୍ତ ଓ ବିତ୍ତଭିତ୍ତିକ ଭେଦାଭେଦଠାରୁ ଊର୍ଦ୍ଧ୍ବରେ, ପରିକଳ୍ପିତ ସାଧାରଣ ମଣିଷ ପର୍ଯ୍ୟାୟକୁ ଅନାୟାସରେ ଉନ୍ନୀତ ହେବାଲାଗି ଆମ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ କେତେକ ଏକାନ୍ତ ଅପରିବର୍ତ୍ତନୀୟ ‘ମୌଳିକ’ ଅଧିକାର ପ୍ରଦାନ କରିଛି। ସୁଯୋଗ ଓ ସୁବିଧାରେ ସମାନତା, ଚିନ୍ତନ ଓ ଅଭିବ୍ୟକ୍ତିର ପ୍ରକାଶ, ଧର୍ମ ଓ କର୍ମ ଗ୍ରହଣ, କରିବାର ସ୍ବାଧୀନତା, ସାରା ଦେଶରେ ଅବାଧ ଗମନାଗମନ ଓ ବସବାସ କରିବାର ଅଧିକାର, ଜୀବନଧାରଣ ନିମିତ୍ତି ନ୍ୟାୟସମ୍ମତ ଜୀବିକା ଗ୍ରହଣ, ଶୋଷଣ ଓ ପାତରଅନ୍ତର ବିରୋଧରେ ପ୍ରତିବାଦ ଏବଂ ଏହା ବିରୋଧରେ ପ୍ରତିରକ୍ଷା ଦାବି କରିବାର ଅଧିକାର, ଶିକ୍ଷା ସଂସ୍କୃତି କ୍ଷେତ୍ରରେ ସ୍ବାଧୀନତା ଇତ୍ୟାଦି ଏହି ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ।
ଏ ସବୁ ସୁବିଧା ଅଧିକାର ଓ ଉଦ୍ୟମ ସତ୍ତ୍ବେ, ‘ସାଧାରଣ ମଣିଷ’ର ସ୍ବରୂପ ପାଗଳ କବିର ସ୍ବପ୍ନିଳ ପରିକଳ୍ପନା ସ୍ତରରେ ରହିଯାଇଛି। ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର ଆର.କେ.ଲକ୍ଷ୍ମଣ ଭାରତୀୟ ପରିସ୍ଥିତିରେ ଯେଉଁ ଚିତ୍ରମାନ ସୃଷ୍ଟିକରି ଯାଇଛନ୍ତିି, ସେଥିରେ ବିଚରା ‘ସାଧାରଣ ମଣିଷ’ଟି ଏକାନ୍ତ ଭାବରେ ଦୁଃସ୍ଥ, ସଦା ଭାଷାଶୂନ୍ୟ, ପ୍ରତିବାଦରହିତ, ଅଧିକାର ବିବର୍ଜିତ, ତଥାପି ସର୍ବଂସହା ଚରିତ୍ର ଭାବରେ ଚିତ୍ରିତ। ଶାସନର ବିଧିବ୍ୟବସ୍ଥାର ସୁଫଳ ତା’ର ପରିସ୍ଥିତିରେ ଖୁବ୍‌ କିଛି ଉନ୍ନତି ଆଣି ପାରିଛି ବୋଲି ମନେହୁଏ ନାହିଁ। ତେଣୁ ‘ସାଧାରଣ ମଣିଷ’ ଆଜି ମଧ୍ୟ ‘ୟେତି’ ବା ‘ନେସି’ ସ୍ତରର ‘ପ୍ରହେଳିକା’ ବୋଲି କୁହାଯାଇ ପାରିବ।
ଏହି ପ୍ରସଙ୍ଗରେ କିଛି ଭିନ୍ନ ଦେଶ, ଅନ୍ୟ ମଣିଷମାନଙ୍କର ଜୀବନଶୈଳୀର ଉଦାହରଣର ଉପସ୍ଥାପନା କରାଯାଇପାରେ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ତାଙ୍କର ରାଷ୍ଟ୍ରୀୟ ଅତିଥି, ଚୀନର ରାଷ୍ଟ୍ରପତିଙ୍କୁ ଲଣ୍ଡନର ଏକ ‘ପବ୍‌’କୁ ନେଇପାରନ୍ତି। ପବ୍‌ରେ ମୃଦୁ ପାନୀୟ ଓ ସାମାନ୍ୟ ଜଳପାନର ବ୍ୟବସ୍ଥା ଥାଏ ଏବଂ ଏହା ସର୍ବସାଧାରଣଙ୍କ ଲାଗି ସଦାସର୍ବଦା ମୁକ୍ତ ଓ ଅବାରିତ। ସରକାରୀ ପଦରୁ ଅବ୍ୟାହତି ନେଲାପରେ, ଯଥାଶୀଘ୍ର ନିଜ ପେଡ଼ିପୁଟୁଳି ନିଜ ହାତରେ, ନିଜ ଗାଡ଼ିରେ ନିଜେ ଲଦି, ପିଲାଛୁଆଙ୍କୁ ଧରି ନିଜେ ଗାଡ଼ିଚଳାଇ ଯଥାଶୀଘ୍ର ୧୦ ଡାଉନିଂ ଷ୍ଟ୍ରୀଟ୍‌ରୁ ପ୍ରସ୍ଥାନ କରନ୍ତି।
ଆମେରିକାର ରାଷ୍ଟ୍ରପତି, ଚର୍ଚ୍ଚରେ ସାଧାରଣ ଲୋକଙ୍କ ଗହଣରେ ଠିଆହୋଇ ଈଶ୍ବରଙ୍କୁ ପ୍ରାର୍ଥନା କରିପାରନ୍ତି। ବାଇବେଲ୍‌ର ନିର୍ଦିଷ୍ଟ ଅଧ୍ୟାୟ ପାଠ କରିପାରନ୍ତି। କାନାଡ଼ାର ପ୍ରଧାନମନ୍ତ୍ରୀ ସ୍ତ୍ରୀଙ୍କସହ, ପିଲାଛୁଆଙ୍କୁ କାଖରେ, କୋଳରେ ଧରି ରାସ୍ତାରେ ନିଃସଙ୍କୋଚରେ ଯା’ଆସ କରିପାରନ୍ତି। ଇଟାଲୀର ନିର୍ବାଚିତ ପ୍ରଧାନମନ୍ତ୍ରୀ ଏକାଏକା ଟାକ୍ସିରେ ଆସି, ଭଡ଼ା ପଇସା ତୁଟାଇ, ନିଜେ ଦ୍ବାର ଖୋଲି ରାଷ୍ଟ୍ରପତି ଭବନକୁ ନିଜ ପରିଚୟ ପତ୍ର ପ୍ରଦାନ କରିବାକୁ ସହଜରେ ଯାଇପାରନ୍ତି। ସ୍ବିଡେନ, ଡେନମାର୍କ ଭଳି ଦେଶରେ ରାଜାରାଣୀ, ସାଧାରଣ ଭାବରେ ସାଇକଲ ଚଢ଼ି ରାସ୍ତାରେ ବିନା ଦ୍ବିଧାରେ ଯା’ଆସ କରିପାରନ୍ତି। ନିକଟରେ ବିଶ୍ବ ଫୁଟବଲ ପ୍ରତିଯୋଗିତାକୁ କ୍ରୋଏସିଆର ରାଷ୍ଟ୍ରପତି ନିଜ ଖର୍ଚ୍ଚରେ ମସ୍କୋ ଆସି, ଦର୍ଶକ ଗ୍ୟାଲେରୀରେ ତାଙ୍କ ଦେଶର ଜର୍ସି ପିନ୍ଧି ବସିଲେ। ତାଙ୍କ ଖେଳାଳିଙ୍କୁ ଧରି ବିଜୟରେ ନାଚିଲେ। ପରାଜୟରେ କାନ୍ଦିଲେ, ଉତ୍ସାହିତ କଲେ। ସାଂତ୍ବନା ଦେଲେ। ଯେଉଁ କେତେଦିନ ​‌େ‌ଖଳ ଦେଖିବାକୁ ଆସିଲେ ସେ ସମୟର ଦରମା ନେବାକୁ ମନା କଲେ। ମନେ ରଖିବାର କଥା ଯେ ସେ ରାଷ୍ଟ୍ରମୁଖ୍ୟ ଓ ଜଣେ ଅତ୍ୟନ୍ତ ବିଦୂଷୀ ମହିଳା। ବହୁ ଭାଷାରେ ପ୍ରବୀଣା, ଆମେରିକାର ଦୁଇଟି ପ୍ରସିଦ୍ଧ ବିଶ୍ବବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ, ସୈନ୍ୟବାହିନୀରେ ଜଣେ ଖ୍ୟାତିସଂପନ୍ନ କମାଣ୍ଡୋ ଏବଂ ଅବ୍ୟର୍ଥ ଲକ୍ଷ୍ୟଭେଦୀ ବନ୍ଧୁକ ଚାଳନାରେ ଅଦ୍ବିତୀୟା। ରାଷ୍ଟ୍ରପତି ପଦରେ ରହିବା ପୂର୍ବରୁ ସେ ଆମେରିକାରେ ତାଙ୍କ ଦେଶର ରାଷ୍ଟ୍ରଦୂତ ଥିଲେ। ଏଥି ଉତ୍ତାରେ ଯେ କୌଣସି ସଂଭ୍ରାନ୍ତ ଆଧୁନିକ ମହିଳାଙ୍କ ଭଳି ପ୍ରସାଧନ, ପରିଚର୍ଯ୍ୟା ଓ ପରିଧାନ ବିଷୟରେ ସେ ଅତ୍ୟନ୍ତ ରୁଚିସଂପନ୍ନ।
‘ନେସି’ର ଦେଶ ସ୍କଟ୍‌ଲ୍ୟାଣ୍ଡରେ ଆକ୍‌ମେଲଭିକ୍‌ ଏକ ଛୋଟସହର ଓ ମାଛଧରା ବନ୍ଦର। ସମୁଦ୍ରକୂଳରେ ଅନେକ କାରାଭାନ୍‌, ପାହାଡ଼ର ଘେରା ସମତଳ ଉପତ୍ୟକା ଅଞ୍ଚଳରେ, ସୁନ୍ଦରସୁନ୍ଦର କାଠଘର। ଏଠାରେ ଚିତ୍ରକରଙ୍କଠାରୁ ଆରମ୍ଭ କରି ମାଛଧରାଳି, ଫୁଲଚାଷୀ, ପଶୁ ସଂପଦ ବ୍ୟବସାୟୀ, ଖ୍ୟାତନାମା ଶିକ୍ଷାବିତ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକେ ବସବାସ କରନ୍ତି। କାହାରି ଘରେ କୋଲପ ଲାଗିଥିବା ଦେଖିବାକୁ ମିଳେନାହିଁ। ସୁନ୍ଦର ସହରରେ ଥିବା ପୁଲିସ ଥାନାରେ କିନ୍ତୁ ବହୁବର୍ଷ ଧରି ବଡ଼ ତାଲାଟିଏ ପଡ଼ିଛି। ପଚାରିବାରୁ ଉତ୍ତର ମିଳିଲା ସେଠାରେ କୌଣସି ଅପରାଧ ବହୁବର୍ଷଧରି ଘଟିନାହିଁ। ମନେହେଲା ସ୍ବାଧୀନ, ମୁକ୍ତ ଜୀବନର ଅର୍ଥ ଯେମିତି ଏଠାକାର ଅଧିବାସୀମାନେହିଁ ବୁଝି ପାରିଛନ୍ତି।
ଏହି ଉଦାହରଣ ଭୌଗୋଳିକ ଦୃଷ୍ଟିରୁ ଭିନ୍ନ ମନେହୋଇପାରେ, କିନ୍ତୁ ଏଗୁଡ଼ିକ ଗୋଟିଏ ଗୁଣସୂତ୍ରରେ ସଂଯୁକ୍ତ ହୋଇଛନ୍ତି। ତାହା ହେଉଛି, ସାଧାରଣ ମଣିଷର ଅସାଧାରଣ ଜୀବନଚର୍ଯ୍ୟା ପ୍ରଣାଳୀ ଯାହା ଅତ୍ୟନ୍ତ ସରଳ, ସାବଲୀଳ ଓ ମାନବିକ, ନୈତିକ ମୂଲ୍ୟବୋଧରେ ଋଦ୍ଧିମନ୍ତ। ଏମାନଙ୍କ କ୍ଷେତ୍ରରେ ‘ସାଧାରଣ ମଣିଷ’, ‘ୟେତି’ ବା ‘ନେସି’ ଭଳି କୌଣସି ପ୍ରହେଳିକା ନୁହେଁ। ଏହା ତାଙ୍କର ଗଭୀର ଜୀବନବୋଧ ଓ ପରିପୂର୍ଣ୍ଣ ଜୀବନ ବଞ୍ଚିବାର ସରଳ ଅଭିବ୍ୟକ୍ତି ମାତ୍ର।
ନିଶ୍ଚିତ ଭାବରେ ସେ ବିଷୟରେ କିଛି ଚିନ୍ତା କରାଯାଇପାରେ।

Leave A Reply