ଜିଏମ୍‌ ବିବାଦ

0

ଗତ ମାସରେ ‘କରେଣ୍ଟ ସାଇନ୍ସ’ ନାମକ ପତ୍ରିକାରେ ହରିତ୍‌ କ୍ରାନ୍ତିର ଜନକ ଏମ୍‌ଏସ୍ ସ୍ବାମୀନାଥନ ଓ ବୈଜ୍ଞାନିକ ପିସି କେଶବନ ଏକ ଲେଖା ଲେଖି ଜିନ୍‌ଗତ ପରିବର୍ତ୍ତିତ (ଜିଏମ୍‌) ଫସଲର ସମାଲୋଚନା କରିଥିଲେ। ଏହା ପ୍ରକାଶ ପାଇବା ପରେ ଭାରତରେ ଏହାକୁ ନେଇ ବେଶ୍ ଚର୍ଚା ଚାଲିଛି। କେତେକ ବିଶେଷଜ୍ଞ ଏହି ଲେଖା ଉପରେ ଆପତ୍ତି କରି କହିଛନ୍ତି ଯେ ଏଥିରେ ମହତ୍ତ୍ବପୂର୍ଣ୍ଣ ବୈଜ୍ଞାନିକ ତଥ୍ୟକୁ ସ୍ଥାନିତ କରାଯାଇନାହିଁ। ଆପତ୍ତିକାରୀଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ବିଜୟ ରାଘବନ ମଧ୍ୟ ରହିଛନ୍ତି। ବିରୋଧ ପରେ ଅବଶ୍ୟ ଉକ୍ତ ଲେଖାକୁ ହଟାଇ ନିଆଯାଇଛି, କିନ୍ତୁ ଅସଲ ପ୍ରଶ୍ନ ଏବେ ବି ଅସମାହିତ।
ପ୍ରକୃତରେ ବର୍ଷବର୍ଷ ଧରି ଭାରତ ସମେତ ସାରା ପୃଥିବୀରେ ଜିଏମ୍‌ ଫସଲ ନେଇ ବିବାଦ ଲାଗିରହିଛି। ଜୈବପ୍ରଯୁକ୍ତି ମାଧ୍ୟମରେ ବୀଜର ସଂରଚନାରେ ପରିବର୍ତ୍ତନ କରି ଅଧିକ ଉତ୍ପାଦନ ସପକ୍ଷରେ ଥିବା ଲୋକ ଓ ଏଭଳି ପ୍ରୟାସ ମାଟି, ପରିବେଶ ଓ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଯୁକ୍ତି କରୁଥିବା ଲୋକଙ୍କ ମଧ୍ୟରେ ତର୍କବିତର୍କ ବନ୍ଦ ହେଉନାହିଁ। ଜୈବପ୍ରଯୁକ୍ତି ବୀଜର ଡିଏନ୍‌ଏ ସଂରଚନାରେ ପରିବର୍ତ୍ତନ କରି ଏଭଳି କ୍ଷମତା ଭରିଦିଏ ଯେ ତା’ ଉପରେ କୌଣସି କୀଟ, ରୋଗ ଓ ପରିବେଶର ପ୍ରଭାବ ପଡ଼ିନଥାଏ। ଏଥିପାଇଁ ପୃଥିବୀର କେତେକ ଦେଶରେ ଭିନ୍ନଭିନ୍ନ ଆଇନ ପ୍ରଣୟନ କରାଯାଇଛି। ଭାରତରେ ଜିଏମ୍‌ କପା ବ୍ୟତୀତ ଏ ପର୍ଯ୍ୟନ୍ତ ବ୍ୟାବସାୟିକ ଉତ୍ପାଦନ ପାଇଁ ଅନ୍ୟ କୌଣସି ଫସଲକୁ ଅନୁମତି ମିଳିନଥିବାବେଳେ ବାଇଗଣ ଓ ସୋରିଷକୁ ସୀମିତ ଅନୁମତି ଦିଆଯାଇଛି।
ନିକଟ ଅତୀତରେ ଭାରତରେ କପା ଉତ୍ପାଦନ ପାଇଁ ଜିଏମ୍ ବିହନ ବହୁଳ ପରିମାଣରେ ବ୍ୟବହାର କରାଯାଉଥିଲା ଏବଂ ଉତ୍ପାଦନ ବଢ଼ିଥିଲା ମଧ୍ୟ, କିନ୍ତୁ ଏଥିଯୋଗୁଁ ଚାଷୀମାନେ ଅନ୍ୟାନ୍ୟ ନୂଆ ସମସ୍ୟାର ସମ୍ମୁଖୀନ ହେବାପରେ ଏ ନେଇ ଯାଞ୍ଚ ଚାଲିଛି। ଦୁଃଖର କଥା ଯେ ସରକାର ଦୀର୍ଘଦିନ ପରେ ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହାନ୍ତି। ଜିଏମ୍‌ ବୀଜର ମୂଲ୍ୟ ବହୁତ ଅଧିକ ଏବଂ ଥରେ ଯଦି ଫସଲ ହେଲାନାହିଁ, ତେବେ ଛୋଟଚାଷୀର ଅଣ୍ଟା ଭାଙ୍ଗିଯିବା ନିଶ୍ଚିତ। ଏହିଭଳି ଅବସ୍ଥା ହେବାପରେ ବର୍ତ୍ତମାନ ଚାଷୀମାନେ ଆଉ ଜିଏମ୍‌ କପା କରିବାକୁ କୁଣ୍ଠିତ ହେଉଛନ୍ତି। ଏବେ ପୁଣିଥରେ ପାରମ୍ପରିକ ବ୍ୟବସ୍ଥା ଆପଣାଇବାକୁ କପାଚାଷୀଙ୍କୁ କୁହାଯାଉଛି। ଅନ୍ୟପକ୍ଷରେ ଜିଏମ୍‌ ଖାଦ୍ୟପଦାର୍ଥ ଆମଦାନୀ ଉପରେ ପ୍ରତିବନ୍ଧକ ଥିଲେ ହେଁ ଆମ ଦେଶରେ ଏପରି ଜିନିଷ ବିକ୍ରି ହେଉଥିବା ସରକାର ଗତବର୍ଷ ସ୍ବୀକାର କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଏ ନେଇ ଆବଶ୍ୟକ ଆଇନ ବର୍ତ୍ତମାନ ସୁଦ୍ଧା ନାହିଁ। ସରକାର ଏ ନେଇ କିଛି ଠୋସ୍ ନିଷ୍ପତ୍ତି ନେବା ସହ ନିର୍ଦିଷ୍ଟ ଆଇନ ପ୍ରଣୟନ କରିବା ଜରୁରୀ ହୋଇପଡ଼ିଛି। ସର୍ବୋପରି, ବୈଜ୍ଞାନିକ ସ୍ବାମୀନାଥନଙ୍କ ପରାମର୍ଶ ‘ପ୍ରଯୁକ୍ତି ବ୍ୟବହାର ପୂର୍ବରୁ ତା’ର ଲାଭକ୍ଷତିର ହିସାବ କରାଯାଉ’କୁ ସରକାର ଗୁରୁତ୍ବର ସହ ଗ୍ରହଣ କରିବା ଆବଶ୍ୟକ।

Leave A Reply