ଆମ ବ୍ୟକ୍ତିସତ୍ତା ଜଡ଼ ଓ ଚେତନାର ସମାହାର ମାତ୍ର; ଅଦ୍ୟାବଧି ସମନ୍ବୟ ନୁହେଁ

0

ପ୍ରଶ୍ନ: ମଣିଷ ମରଣଶୀଳ, ମାତ୍ର ତା’ର ଆତ୍ମାର ମୃତ୍ୟୁ ହୋଇନଥାଏ କାହିଁକି ?
ମନୋରଞ୍ଜନ ସ୍ୱାଇଁ, ତମାଣ୍ଡୋ, ଭୁବନେଶ୍ୱର
ଉତ୍ତର: ସାଧାରଣତଃ ପ୍ରଶ୍ନ ହୋଇଥାଏ: ଆତ୍ମା ଅବିନଶ୍ୱର; ମାତ୍ର ସେହି ଆତ୍ମାର ଧାରକ ମଣିଷର ମୃତ୍ୟୁ ହୋଇଥାଏ କାହିଁକି ? ଆପଣଙ୍କ ପ୍ରଶ୍ନରେ ବେଶ୍ ମୌଳିକତା ରହିଛି। ଆପଣଙ୍କ ଜିଜ୍ଞାସା, ଆତ୍ମାର କାହିଁକି ମୃତ୍ୟୁ ହୁଏନା !
ପ୍ରଥମେ ମୃତ୍ୟୁ ସମ୍ପର୍କରେ ଆମ ଧାରଣାର ଟିକିଏ ସମୀକ୍ଷା କରାଯାଉ। ସଚରାଚର ମୃତ୍ୟୁ ବୋଇଲେ ଗୋଟଏ ଜୀବନ୍ତ ସତ୍ତାର ଶେଷ ବା ବିଲୟ। ଯେଉଁ ଆଦି ମହାଶକ୍ତି ସମଗ୍ର ସୃଷ୍ଟିର ଉତ୍ସ ଏବଂ ବିଶ୍ୱବ୍ରହ୍ମାଣ୍ଡର ଧାରକ, ସେ ନିଶ୍ଚୟ ମୃତ୍ୟୁହୀନ। କାରଣ ତା’ର ମୃତ୍ୟୁ ହେଲେ ସମଗ୍ର ସୃଷ୍ଟିର ମୃତ୍ୟୁ ଅନିବାର୍ଯ୍ୟ। ଆମେ ସଭିଏଁ ସେହି ମୃତ୍ୟୁହୀନ ଶକ୍ତିର ଏକଏକ ପ୍ରକାଶ, ଅତଏବ ତତ୍ତ୍ୱତଃ ଆମେ ମୃତ୍ୟୁହୀନ। ବର୍ତ୍ତମାନ ଆମ ବ୍ୟକ୍ତିସତ୍ତାର ଗଠନ ଉପରେ ଦୃଷ୍ଟି ଦିଆଯାଉ। ଦୁଇ ମୁଖ୍ୟ ଉପାଦାନର ସମାବେଶରେ ଏହି ସତ୍ତା ଗଠିତ: ଜଡ଼ବସ୍ତୁଭିତ୍ତିକ ଦୃଶ୍ୟମାନ ଶରୀର ଏବଂ ଅଦୃଶ୍ୟ ଚେତନା। ଶରୀର ପୁଣି ସୁବିଦିତ ପଞ୍ଚଭୂତ, କ୍ଷିତି-ଅପ୍‌-ତେଜଃ-ମରୁତ୍‌-ବ୍ୟୋମର ସମାବେଶରେ ଗଠିତ। ଚେତନା ଗଠିତ ମୋଟାମୋଟି ତିନିଶକ୍ତିର ସମାବେଶରେ: ସେମାନେ ପ୍ରାଣ, ମନ ଏବଂ ଆତ୍ମା।
ସମାବେଶ ବୋଲି କହୁଛି, ସମନ୍ୱୟ ବୋଲି କହୁ ନାହିଁ; କାରଣ ଏମାନଙ୍କ ଭିତରେ ଅନବରତ ସଙ୍ଘର୍ଷ ଲାଗିରହିଥାଏ। ଦେହ ପ୍ରାୟତଃ ପ୍ରାଣ ବା ମନର ଦାବି ମାନିବାକୁ ଅକ୍ଷମ ହୁଏ। ମୋ ଚେତନାର ଅନ୍ତର୍ଭୁକ୍ତ ମନ ଚାହିଁପାରେ ମୁଁ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେବି; ମୋ ଦେହ କିନ୍ତୁ ଅଧା ରାସ୍ତା ଦୌଡ଼ି ହାଲିଆ ହୋଇଯାଇପାରେ। ପୁଣି ପ୍ରାଣର ଆବେଗ ଓ ଆକାଙ୍‌କ୍ଷାକୁ ବହୁ ସମୟରେ ମନ ତା’ ଓକିଲ ବୁଦ୍ଧିର ପରାମର୍ଶ କ୍ରମେ ଅମାନ୍ୟ କରେ। ସଦ୍ୟ ପ୍ରଶାସନ ସେବା ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ଜଣେ ସୁଗାୟକ ତରୁଣ କହୁଥିଲେ, “ଆବାଲ୍ୟ ମୋର ଆବେଗ ଗୀତ ବୋଲିବି; କିନ୍ତୁ ସେଥିରେ ପ୍ରତିଷ୍ଠା ଲାଭକରି ଉପାର୍ଜନ କରିବାକୁ ବହୁ ବର୍ଷ ଲାଗିଯିବ। ତେଣୁ ଦୀର୍ଘ ନିଃଶ୍ୱାସ ଛାଡ଼ି ଚାକିରି ଆଦରି ନେଉଛି।” ପ୍ରାଣ ସହ ବ୍ୟାବହାରିକ ବୁଦ୍ଧିର ବିବାଦର ଏହା ଏକ ମାମୁଲି ଉଦାହରଣ। ଆମ ନିଜନିଜ ଚେତନା ଭିତରେ ନିରନ୍ତର ଚାଲିଥିବା ଛୋଟବଡ଼ ଅସଂଖ୍ୟ ଦ୍ୱନ୍ଦ୍ୱ ଓ ସଂଘର୍ଷ, ପୁଣି ଚେତନା ସହ ଶରୀରର ବୈଷମ୍ୟ – ଏସବୁ ଜୀବନର ନିୟତ ଅଭିଜ୍ଞତା – ଆମେ ସଚେତ ଥାଉଁ ବା ନ ଥାଉ।
ଏହି ସଂଘର୍ଷ ଓ ବୈଷମ୍ୟଜନିତ ଆଘାତର ଦାଗ ଆମ ଭିତରେ ଗଭୀରରୁ ଗଭୀରତର ହେଉଥାଏ। ଦିନେ ଆମ ବ୍ୟକ୍ତିସତ୍ତା-ରୂପକ ସମାବେଶ ଭୁଶୁଡ଼ି ପଡ଼େ।(ଅବଶ୍ୟ ଏହି ପୁଞ୍ଜିଭୂତ ବୈଷମ୍ୟ ମୃତ୍ୟୁର ଅନ୍ୟତମ କାରଣ, ଏକମାତ୍ର କାରଣ ନୁହେଁ।) ପ୍ରଥମେ ଶରୀର ଓ ଚେତନା ପରସ୍ପର ବିଚ୍ଛିନ୍ନ ହୋଇଯିବା ଉତ୍ତାରୁ ଶରୀରର ପଞ୍ଚ ଉପାଦାନ ନିଜନିଜ ଉତ୍ସକୁ ଲେଉଟିଯାଆନ୍ତି। ତା’ପରେ ଚେତନାର ତିନି ଉପାଦାନ ମଧ୍ୟ ନିଜନିଜ ପୁରକୁ ଚାଲିଯା’ନ୍ତି: ମନ ଯାଏ ମାନସ ଲୋକକୁ, ପ୍ରାଣ କିଛିକାଳ ଏ ବାତାବରଣରେ ରହି (କେବେକେବେ ପ୍ରେତ ବୋଲି ଅପବାଦ ପାଇ !) ପ୍ରାଣଲୋକକୁ ପ୍ରତ୍ୟାବର୍ତ୍ତନ କରେ। ଆତ୍ମା ଯାଇ ଆପଣା ପୁରରେ ଧ୍ୟାନସ୍ଥ-ପ୍ରାୟ ହୋଇରହେ; ପୁନର୍ଜନ୍ମ ଅପେକ୍ଷାରେ।
କିନ୍ତୁ ଏସବୁ ଉପାଦାନ ଭିତରୁ କେଉଁ ଗୋଟିକର ମୃତ୍ୟୁ ହୋଇପାରେ? କ୍ଷିତି ଅର୍ଥାତ୍ ମାଟି, ପାଣି, ପବନ, ଆକାଶ – ଏସବୁ ଭିତରୁ କାହାର ଚିର-ବିଲୟ ଘଟେ? ଯଦି ଏମନ୍ତ ସ୍ଥୂଳ ଉପାଦାନ ସମୂହର ମୃତ୍ୟୁ ନାହିଁ, ଯେଉଁ ଚେତନା ଏକ ସୂକ୍ଷ୍ମଶକ୍ତି, ତା’ର ବା ମୃତ୍ୟୁ ହେବାର ପ୍ରଶ୍ନ କାହିଁ ? ଅର୍ଥାତ୍ ଯାହାକୁ ଆମେ ମୃତ୍ୟୁ ବୋଲି କହୁଁ, ତାହା ଏକ ନିର୍ଦ୍ଦିଷ୍ଟ ସମାବେଶର ପତନ, ଏକତ୍ର ହୋଇଥିବା ଉପାଦାନ ସମୂହର ପୃଥକ୍‌କରଣ।
ଆମ ସତ୍ତାର ସମସ୍ତ ଉପାଦାନ ଅମର – ଯେହେତୁ ଏକ ଅମର ମହାଶକ୍ତି ସବୁର ହିଁ ଉତ୍ସ; କିନ୍ତୁ ସେ ସତ୍ୟ ଟିକକ କେବଳ ମାତ୍ର ଆମର ଆତ୍ମା ବ୍ୟତିରେକେ ଅନ୍ୟ ସବୁ ଉପାଦାନ ବିସ୍ମୃତ ହୋଇଯାଇଥା’ନ୍ତି। ଆତ୍ମା ହିଁ ଜାଣିଥାଏ ଯେ ଆମ ଉତ୍ସ ମହାଶକ୍ତି ହେଲା ପରମାତ୍ମା ଏବଂ ସେ ତାହାରି ଏକ ଅନିର୍ବାଣ ଶିଖା।
ଅତଏବ ଆତ୍ମା ସଚେତନ ଭାବରେ ଅମର; କିନ୍ତୁ ଆମ ସତ୍ତାକୁ ଆତ୍ମା ଶାସନ କରେନାହିଁ; ଶାସନ କରେ ଦେହର ଚାହିଦା, ମନ ବୁଦ୍ଧିର ଚାତୁର୍ଯ୍ୟ, ପ୍ରାଣର ଆବେଗ ପ୍ରବେଗ। ଏମାନେ ଶେଷ ବିଶ୍ଳେଷଣରେ ଅମର ହେଲେ ମଧ୍ୟ ନିଜ ଅଜ୍ଞାନତା ଯୋଗୁଁ ମୃତ୍ୟୁରୂପକ ଭ୍ରାନ୍ତି ପାଖରେ ନିଜନିଜକୁ ସମର୍ପଣ କରନ୍ତି। ଯେଉଁ ବ୍ୟକ୍ତି ନିଜ ଆତ୍ମା ଉପଲବ୍ଧି କରେ, ସେ ଜାଣେ ଯେ ତା’ର ମୃତ୍ୟୁ ନାହିଁ।
ମୃତ୍ୟୁ ହିଁ ଶାଶ୍ୱତ ବାସ୍ତବ, ଆପଣ ଏହି ବିଶ୍ୱାସକୁ ଭିତ୍ତିପ୍ରକଳ୍ପ (ହାଇପୋଥେସିସ୍) ଭାବରେ ଗ୍ରହଣ କରିଥିବାରୁ ଆତ୍ମା କାହିଁକି ଅମର ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ମୃତ୍ୟୁ ନୁହେଁ, ଅମରତା ହିଁ ଶାଶ୍ୱତ ବାସ୍ତବ। ମୃତ୍ୟୁ ଏକ ଭ୍ରାନ୍ତି – ଅଜ୍ଞାନତାର ପ୍ରତିକ୍ରିୟା। ଆଜି କେବଳ ମାତ୍ର ଆତ୍ମା ଉପଲବ୍ଧି କରିଥିବା ବ୍ୟକ୍ତିମାନଙ୍କ ସକାଶେ ମୃତ୍ୟୁ ଅବାସ୍ତବ, ଦିନେ ଯଦି ମଣିଷର ସମଗ୍ର ସତ୍ତା ଆତ୍ମାର ଆଲୋକରେ ଆଲୋକିତ ହେବ, ସେତେବେଳେ ଏଯାବତ୍ ଅନନୁଭୂତ ଦିବ୍ୟଶକ୍ତିର ଆଶୀର୍ବାଦରେ ମଣିଷ ନିଜର ସମଗ୍ର ସତ୍ତା ଅମର ବୋଲି ଉପଲବ୍ଧି କରିବ (ତାହା ଏକ ବୃହତ୍ତର ପ୍ରସଙ୍ଗ)। ଯେଉଁଦିନ ମୁଁ ନିଜର ସ୍ୱରୂପ ଉପଲବ୍ଧି କରିବି ସେହିଦିନ ମୃତ୍ୟୁର ହେବ ମୃତ୍ୟୁ। ସ୍ଫିଙ୍କ୍‌ସ୍ ବା ସିଂହାସୁରୀ କିଂବଦନ୍ତୀଟି ମନେପକାନ୍ତୁ: ହଜାରହଜାର ବର୍ଷ ତଳର କଥା। ପର୍ବତମାଳା ପାଦଦେଶ ଦେଇ ଲମ୍ବିଯାଇଛି ଏକ ଦୀର୍ଘ ନିର୍ଜନ ପଥ। ସେ ପଥର ବିରଳ ପଥିକ ହଠାତ୍ ଶୁଣେ ଏକ ତୀବ୍ର ତଥା ଭୟଙ୍କର କଣ୍ଠସ୍ୱର: “ରହିଯାଅ !” ବିଚରା ରହିଯାଇ ସେ ପର୍ବତ ଶୀର୍ଷକୁ ଅନାଇ ଦେଖେ ତହିଁ ଆସୀନ ଏକ ବିଚିତ୍ର ପ୍ରାଣୀ: ଦେହ ତା’ର ସିଂହ ଭଳି, ବଦନ କିନ୍ତୁ ମାନବୀର, ଶ୍ୱାନ-ସୁଲଭ ପଞ୍ଝା; ପୁଚ୍ଛ ଗୋଟିକ ଏକ ସର୍ପ। ବଜ୍ରନିଭ କଣ୍ଠରେ କହେ ସେ ପ୍ରାଣୀ: “ସୂର୍ଯ୍ୟାସ୍ତ ପୂର୍ବରୁ ଦେବାକୁ ହେବ ମୋର ଏକ ପ୍ରଶ୍ନର ଉତ୍ତର। ନ ହେଲେ ବାଜ୍ୟାପ୍ତ ହେବ ତୁମ ପ୍ରାଣ। ପ୍ରଶ୍ନ ହେଲା, କିଏ ସେ ପ୍ରାଣୀ ଯିଏ ପ୍ରଭାତରେ ଚାଲେ ଚାରି ଗୋଡ଼ରେ, ବେଳ ବଢ଼ିଲେ ଚାଲେ ଦୁଇ ଗୋଡ଼ରେ, ସନ୍ଧ୍ୟାରେ ଚାଲେ ତିନି ଗୋଡ଼ରେ ?”
ସବୁ ପଥିକ ରହନ୍ତି ନିରୁତ୍ତର। ସୂର୍ଯ୍ୟାସ୍ତ ସଙ୍ଗେସଙ୍ଗେ ସିଂହାସୁରୀ ଅସହାୟ ଯାତ୍ରୀ ଉପରକୁ ଲମ୍ଫ ଦେଇ ହରଣ କରେ ତା’ର ପ୍ରାଣ।
ଦିନେ ସେ ପଥରେ ଯାତ୍ରା କରୁଥିଲେ ବୀର ଇଡିପାସ୍। ତାଙ୍କୁ ବି ସିଂହାସୁରୀର ପ୍ରହେଳିକାପୂର୍ଣ ପ୍ରଶ୍ନ ସାମ୍ନା କରିବାକୁ ହେଲା। ସେ ତତ୍‌କ୍ଷଣାତ୍ ଶୁଣାଇଦେଲେ: “ମୁଁ ସ୍ୱୟଂ ତୁମ ପ୍ରଶ୍ନର ଉତ୍ତର; ମୁଁ, ଅର୍ଥାତ୍ ମଣିଷ। ଜୀବନ-ପ୍ରଭାତରେ ଶିଶୁ ଦୁଇ ଗୋଡ଼ ଓ ଦୁଇ ହାତ ସାହାଯ୍ୟରେ ଚାଲି ଶିଖେ। ବେଳ ବଢ଼ିଲେ, ଅର୍ଥାତ୍ ବୟସ ବଢ଼ିଲେ ଚାଲେ ଦୁଇ ଗୋଡ଼ରେ। ଜୀବନ-ସନ୍ଧ୍ୟାରେ, ଅର୍ଥାତ୍ ବାର୍ଦ୍ଧକ୍ୟରେ ସେ ଯଷ୍ଟି ବା ତୃତୀୟ ଗୋଡ଼ର ସାହାଯ୍ୟ ନିଏ।”
ପଥିକ ତା’ଙ୍କ ଉତ୍ତର ଦାନ ଶେଷ କରିବା ମାତ୍ରେ ସିଂହାସୁରୀ ନିଜେ ପର୍ବତ ଉପରୁ ଡେଇଁପଡ଼ି ପ୍ରାଣ ହାରିଲା।
କହିବା ବାହୁଲ୍ୟ, ସିଂହାସୁରୀ – ଯାହାର ଗଠନ ହିଁ ଅବାସ୍ତବ – ସେ ମୃତ୍ୟୁ ରୂପକ ଅଳୀକତା। ମଣିଷ ନିଜକୁ ଜାଣିବା ମାତ୍ରେ ସେ ହରାଏ ତା’ର ଅସ୍ତିତ୍ବ।
ମୋକ୍ଷ ମାର୍ଗର ସନ୍ଧାନ

ପ୍ରଶ୍ନ : ମୋକ୍ଷ ପାଇବାର ସରଳ ମାର୍ଗ କ’ଣ ?
ଶୁଭମ୍ ବିଶ୍ୱାଳ, ଶରଣକୁଳ, ନୟାଗଡ଼
ଉତ୍ତର: ସେ ଦିଗରେ ବ୍ୟକ୍ତିଗତ ଅଭିଜ୍ଞତା-ବିହୀନ ଏ ଲେଖକ ଏକାଧିକ ମୋକ୍ଷପ୍ରାପ୍ତଙ୍କ ସାନ୍ନିଧ୍ୟ ଲାଭକରିଛି ମାତ୍ର। ପ୍ରଶ୍ନଟିର ଉତ୍ତର ସେ ନିଜର ଯତ୍୍‌ସାମାନ୍ୟ ଜ୍ଞାନ କିନ୍ତୁ ପୂର୍ଣ୍ଣବିଶ୍ବାସ ଭିତ୍ତିରେ ଦେଉଛି। “ସରଳ” ମାର୍ଗର ସନ୍ଧାନ ନିମନ୍ତେ ଏକଦା ଏ ଲେଖକ ମଧ୍ୟ ଆଗ୍ରହୀ ଥିଲା। ପ୍ରଥମେ ସେ ହତାଶ ହେଲା; ତା’ପରେ ବୁଝିଲା ଯେ ହତାଶ ହେବା ଏକ ପ୍ରକାର ଅଜ୍ଞାନତା। କାରଣ ପ୍ରତ୍ୟେକ ମଣିଷ ଭିତରେ ମୋକ୍ଷପ୍ରାପ୍ତି ଶକ୍ତି ରହିଛି, କାହା ଭିତରେ ସୁପ୍ତ ଭାବରେ, କାହା ଭିତରେ ବା ଜାଗ୍ରତ ଭାବରେ। ମୋକ୍ଷର ଅର୍ଥ ସମ୍ପର୍କରେ ଆପଣଙ୍କର ଧାରଣା କ’ଣ ଜାଣେନା। ଆଶାକରେ ସାଧାରଣତଃ ଗୃହୀତ ଅର୍ଥରେ ହିଁ ଆପଣ ଏହା ବ୍ୟବହାର କରୁଛନ୍ତି। ବୌଦ୍ଧ-ନିର୍ବାଣ ଅଥବା ଅଦ୍ୱୈତ, ବୈଦାନ୍ତିକ ମୋକ୍ଷ ଇତ୍ୟାଦି ଭିତରେ ଥିବା ତାତ୍ତ୍ୱିକ ପାର୍ଥକ୍ୟ ଏଠାରେ ଆଲୋଚ୍ୟ ନୁହେଁ।
ମୋକ୍ଷର ସାଧାରଣ ଅର୍ଥ ହେଲା ସମସ୍ତ ଆସକ୍ତିରୁ ଚେତନାର ମୁକ୍ତି। ଏହା ଦୁରୂହ ସାଧନା-ସାପେକ୍ଷ। ମାର୍ଗ ସୁଗମ କରିବା ନିମନ୍ତେ ଆଗ୍ରହୀମାନେ ସଂସାରଠାରୁ ଦୂରେଇଯାଇ ରହନ୍ତି। ନିର୍ଜନ ନିବାସରେ ଆସକ୍ତ ହେବା ଭଳି କିଛି ଆକର୍ଷଣ ନ ଥିବା ଯୋଗୁଁ ସେଥିରୁ ମୁକ୍ତି ମିଳିବାର ଧାରଣା ସୃଷ୍ଟି ହୁଏ; କିନ୍ତୁ ତାହା ଭ୍ରାନ୍ତଧାରଣା। ସଂସାର ଭିତରେ ରହି ଯଦି ବିନା ବିଜ୍ଞାପନରେ, ସମ୍ପୂର୍ଣ୍ଣ ନିରବରେ, ନିଜ କର୍ତ୍ତବ୍ୟ କର୍ମ ଯଥାବିଧ ସମାହିତ କରି ମଧ୍ୟ ଜଣେ କର୍ମ ବା କର୍ମଫଳ ପ୍ରତିଆସକ୍ତି ଉପରେ ବିଜୟ ଲାଭ କରିପାରିବ, ପ୍ରଶଂସାରେ ନୁହେଁ କି ନିନ୍ଦାରେ ମଧ୍ୟ କୌଣସି ପ୍ରତିକ୍ରିୟା ଅନୁଭବ କରିବ ନାହିଁ, କୌଣସି ସ୍ଥୂଳ ବସ୍ତୁ ବା ବିଶେଷ ପରିବେଶ ପ୍ରତି ଲାଳାୟିତ ହେବ ନାହିଁ କି ସେମିତି କିଛି ଆପଣାଛାଏଁ ମିଳିଲେ ତା’କୁ ବର୍ଜନ କରିବା ନିମନ୍ତେ ବ୍ୟଗ୍ରହେବ ନାହିଁ, ସେତେବେଳେ ସେ ଅହଂମୁକ୍ତ ଏବଂ ମୋକ୍ଷପ୍ରାପ୍ତିର ଯୋଗ୍ୟ। (ଆସକ୍ତିରୁ ମୁକ୍ତିର ଅର୍ଥ କିନ୍ତୁ ବିତୃଷ୍ଣା ନୁହେଁ।) ସମସ୍ତ ଆସକ୍ତି ତ୍ୟାଗ କରିବା ସତ୍ତ୍ୱେ ସେ କୌଣସି ଅଭାବ ଅନୁଭବ କରୁନଥିବ, ସ୍ଥୂଳ ପରିସ୍ଥିତି ବା ସଂସର୍ଗରୁ ଆନନ୍ଦ ଆହରଣ କରୁ ନ ଥିଲେ ମଧ୍ୟ ସେ ନିଜ ଭିତରେ ଆନନ୍ଦରେ ହିଁ ରହୁଥିବ। ପୁନର୍ଜନ୍ମ ମୋକ୍ଷପ୍ରାପ୍ତ ବ୍ୟକ୍ତିର ଇଚ୍ଛାସାପେକ୍ଷ। ଜନ୍ମ ହେବା ପରେ ସେ ଅନ୍ତର୍ଚେତନାରେ ମୋକ୍ଷସ୍ଥିତ ରହିଥିବା ସତ୍ତ୍ୱେ ବହିର୍ଚେତନାରେ ସେ ସମ୍ପର୍କରେ ଅଧିକାଂଶ ସମୟରେ ବିସ୍ମୃତ ରହିପାରେ।
“ସରଳ” ଏକ ଆପେକ୍ଷିକ ଅଭିବ୍ୟକ୍ତି। ଜଣକ ଜୀବନରେ ସେଭଳି ଆସ୍ପୃହା ସଦ୍ୟ ଜାଗରିତ ହୋଇଥାଇପାରେ, ଅନ୍ୟ ଜଣକ ଜୀବନରେ ତାହା ତା’ ପୂର୍ବଜନ୍ମର ଆସ୍ପୃହାର ପୁନରୁଜ୍ଜୀବନ ହୋଇପାରେ, ଜଣକର ଆନ୍ତରିକତା ତୀବ୍ର ହୋଇପାରେ, ଆଉ ଜଣକର ନ ହୋଇପାରେ – ଏଭଳି ପ୍ରଶ୍ନସବୁ ଉପରେ ମୋକ୍ଷ ଦିଗରେ ଯାତ୍ରାପଥ କେଡ଼େ ସରଳ ହେବ ତାହା ନିର୍ଭର କରେ; କିନ୍ତୁ ପ୍ରଥମରୁ ସରଳମାର୍ଗ ସକାଶେ ବ୍ୟଗ୍ରତାକୁ ଆମର କେହି ଦିଗ୍‌ଦର୍ଶକ ଅନୁମୋଦନ କରିବେନାହିଁ।
queriesandresponses@gmail.com

Leave A Reply