କେଉଁ ନାମ ଧରି ଡାକିବି ତୁମକୁ

0

ଚିନ୍ମୟ କୁମାର ହୋତା

ଗୋଲାପକୁ ଯେଉଁ ନାମରେ ଡାକିଲେ ବି ତା’ର ମହକ ରହିଥିବ ସମାନ- ଲେଖିଥିଲେ ପ୍ରଖ୍ୟାତ କବି ଓ ନାଟ୍ୟକାର ସେକ୍ସପିଅର। ଗତ ଚାରିଶହ ବର୍ଷ ଧରି ଉକ୍ତିଟି ତା’ର ସତ୍ୟତା ପ୍ରତିପାଦିତ କରି ଚାଲିଛି। ଆଉ ସେଇ ସମୟ ଭିତରେ ମଣିଷ ନାମକୁ ନେଇ କେତେ ପରୀକ୍ଷାନିରୀକ୍ଷା ଓ ନାମର କେତେ ଅଦଳବଦଳ କରି ଚାଲିଛି ତା’ର ଇୟତ୍ତା ନାହିଁ। ନିଜର ସାଙ୍ଗିଆ ହେଉ କି କୌଣସି ସ୍ଥାନ, ନାମ ବଦଳାଇବା ଏ ଦୁନିଆରେ କିଛି ନୂଆ କଥା ନୁହେଁ। କେଉଁଠି ଲେଖକଟିଏ ଅସଲ ନାଁ ପରିବର୍ତ୍ତେ ନୂଆ ନାଁ ବ୍ୟବହାର କରି ପ୍ରସିଦ୍ଧି ଲାଭ କଲାଣି ତ ଆଉ କେଉଁଠି ନୂଆ ଅଭିନେତାଟି ମନମତାଣିଆ ଛଦ୍ମ ନାମ ଆପଣେଇ ନିଜର ଭାଗ୍ୟ ପରୀକ୍ଷା କଲାଣି।
ନାମ ପରିବର୍ତ୍ତନର ଏହି ପ୍ରଥା କିନ୍ତୁ ଏବେ ଆମ ସମାଜରେ ବେଶ ଚର୍ଚ୍ଚାର ବିଷୟ ହୋଇ ଉଠିଛି। ଉତ୍ତର ପ୍ରଦେଶରେ ବୃହତ ନଗରୀ ଆଲ୍ଲାହବାଦର ନାମ ବଦଳାଇ ରଖା ହୋଇଛି ପ୍ରୟାଗରାଜ। ସେମିତି ମୋଗଲସରାଇ ରେଳ ଜଙ୍କସନ ଓ ସହର ଏବେ ନାମିତ ହୋଇଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ। ପୁଣି ଶୁଣିବାକୁ ମିଳୁଛି ଫଇଜାବାଦ ର ନାମ ସାକେତ, ଅଲିଗଡର ନାମ ହରିଗଡ ଓ ଲକ୍ଷ୍ନୌର ନାମ ଲଖନପୁରୀ ରଖାଯିବାର ମସୁଧା ଚାଲିଛି। ସେମିତି ଗୁଜରାଟର ରାଜଧାନୀ ଅହମ୍ମଦାବାଦର ନାମ କର୍ଣ୍ଣାବତିକୁ ବଦଳାଇବାକୁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି।
ନାମ ବଦଳ କ୍ଷେତ୍ରରେ ସଂବାଦ ଶିରୋନାମା ସୃଷ୍ଟି କରିଥିବା ଏହି କେତୋଟି ଦୃଷ୍ଟାନ୍ତ ବାଦ ଦେଲେ ଆମେ ଦେଖିବା ଯେ ଭାରତର ଅଧିକାଂଶ ରାଜ୍ୟରେ ଅନେକ ସ୍ଥାନ, ରାସ୍ତାଘାଟ ବା ଇଲାକା ତଥା ସଂସ୍ଥାନଗୁଡିକର ନାମ ରୀତିମତ ବଦଳାଯାଉଛି କିମ୍ବା ଏଥିପାଇଁ ଜନସାଧାରଣଙ୍କ ଦାବି ରହିଛି। ଆମ ରାଜ୍ୟ ଓଡିଶାର ଇଂରାଜୀ ବନାନ ମଧ୍ୟ କିଛି ବର୍ଷ ତଳେ ବଦଳାଯାଇଛି। ସେହି ନ୍ୟାୟରେ ଆହୁରି କେତୋଟି ସ୍ଥାନ ଯେମିତି କଟକ, ବାଲେଶ୍ବର, ଆଳି ଆଦିର ଇଂରାଜୀ ବନାନ ବଦଳାଇବା ପାଇଁ ଦାବି ହେଉଛି। ଇଂରେଜମାନେ ଭାରତରେ ଶାସନ କରୁଥିବାବେଳେ ଏଠିକାର ନାମଗୁଡିକୁ ତାଙ୍କ ଜିଭ ଯେମିତି ଲେଉଟିଲା ସେହି ଅନୁସାରେ ଉଚ୍ଚାରଣ କଲେ ଓ ବନାନ ନିରୂପଣ କଲେ। ରାସ୍ତାଘାଟ ବା ଇଲାକା ତଥା ସଂସ୍ଥାନଗୁଡିକର ନାମ ସେମାନେ ଇଂରେଜ ବ୍ୟକ୍ତିମାନଙ୍କ ନାମରେ ଦେଉଥିଲେ, ଯେମିତି କି କନ୍ନଟ ସର୍କସ ବା କିଙ୍ଗ ଜର୍ଜ ମେଡିକାଲ କଲେଜ ଇତ୍ୟାଦି। ସ୍ବାଧୀନତାର କିଛି ବର୍ଷ ଭିତରେ ଏହି ଇଂରାଜୀ ନାମଗୁଡିକ ଧୀରେଧୀରେ ବଦଳିବାରେ ଲାଗିଲା। ଇଂରେଜ ବଡଲାଟମାନଙ୍କର ନାମକୁ ବଦଳାଇ ସ୍ବାଧୀନତା ସଂଗ୍ରାମୀମାନଙ୍କର ନାମରେ ନାମିତ କରାଗଲା, ଯାହାର ସିଂହ ଭାଗ ଗଲା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାଁରେ। ସେଇଥି ପାଇଁ ତ ଆଜି ଭାରତର ପ୍ରାୟତଃ ସବୁ ସହରରେ ଦେଖିବାକୁ ମିଳେ ମହାତ୍ମା ଗାନ୍ଧୀ ମାର୍ଗ ବା ଏମ୍‌ ଜି ରୋଡ।
ଇଂରେଜମାନଙ୍କ ପ୍ରଦତ୍ତ ନାମଗୁଡିକୁ ବଦଳାଇବାରେ କୌଣସି ଅସୁବିଧା ନଥିଲା। କାରଣ ଇଂରେଜମାନେ ଓ ତାଙ୍କ ପୂର୍ବରୁ ଅନ୍ୟ ଇଉରୋପୀୟ ଉପନିବେଶବାଦୀ ଜାତିଗୁଡିକ ଏ ଦେଶରେ ତାଙ୍କ କାମ ସାରିବା ପରେ ସ୍ବଦେଶକୁ ବାହୁଡି ଯାଇଥିଲେ, ଏଠି ତାଙ୍କ ପରମ୍ପରା ଓ ଐତିହ୍ୟର ବାନା ଉଡାଇବା ପାଇଁ କୌଣସି ଦାୟାଦ ଛାଡିଯାଇ ନଥିଲେ। ତେଣୁ ତାଙ୍କ ସମ୍ରାଟ, ସମ୍ରାଜ୍ଞୀ ଓ ବଡଲାଟମାନଙ୍କ ନାମକୁ ମୂଳପୋଛ କରିବା ବେଳେ କୌଣସି ରାଜନୈତିକ ଗୁଞ୍ଜରଣ ସୃଷ୍ଟି ହୋଇ ନଥିଲା। ଏବେ କିନ୍ତୁ ଯେଉଁ ସବୁ ନଗର ଓ ପ୍ରାନ୍ତର ନାମ ବଦଳା ଯାଉଛି ସେସବୁ ଭାରତରେ ରାଜତ୍ବ କରୁଥିବା ମୁସଲମାନ ଶାସକମାନଙ୍କ ଦ୍ବାରା ପ୍ରଦତ୍ତ। ଇତିହାସବର୍ଣ୍ଣିତ ମଧ୍ୟଯୁଗର ଏହି ସୁଲତାନ ଓ ସମ୍ରାଟମାନେ କିନ୍ତୁ ଭାରତକୁ ଶାସନ କରିବା ସାଙ୍ଗରେ ଏହି ଦେଶକୁ ନିଜର ଘର କରି ନେଇଥିଲେ, ନିଜନିଜ ଦେଶକୁ ଫେରି ଯାଇ ନଥିଲେ। ସାମ୍ରାଜ୍ୟ ବିସ୍ତାର କରିବା ସାଙ୍ଗେସାଙ୍ଗେ ଦେଶରେ ନୂଆ ସହର ବସାଉଥିଲେ କିମ୍ବା ପୁରୁଣା ସହରକୁ ନିଜ ଧର୍ମ ଓ ରୁଚି ଅନୁସାରେ ରୂପ ଦେଇ ନିଜନିଜ ନାମରେ କିମ୍ବା ଇସଲାମ ଧର୍ମାନୁସାରେ ନାମିତ କରୁଥିଲେ। ଏହି କ୍ରମରେ ଆଲ୍ଲାହବାଦ, ଅହମ୍ମଦାବାଦ, ଶାହାଜାହାନାବାଦ ଓ ଆହୁରି ଅସଂଖ୍ୟ ସହର ମୁସଲମାନ ମୂଳର ନାମ ବହନ କରିଛନ୍ତି।
ବର୍ତ୍ତମାନ ବଦଳାଯାଉଥିବା ନାମଗୁଡିକ ଯେହେତୁ ଇସଲାମ ସଂସ୍କୃତି ସହ ସଂଶ୍ଳିଷ୍ଟ, ଏହି ଘଟନା ସେହି ସଂପ୍ରଦାୟ ପାଇଁ ଅସନ୍ତୋଷର କାରଣ ହୋଇ ଉଠିଛି। ଶହଶହ ବର୍ଷର ମୁସଲମାନ ଶାସନର ଇତିହାସକୁ ଭାରତୀୟ ଇତିହାସରୁ ବିଲୁପ୍ତ କରିବା ପାଇଁ ଏହା ଏକ ପ୍ରଚେଷ୍ଟା ବୋଲି ବିଚାର କରାଯାଉଛି। ନାମ ବଦଳ କାର୍ଯ୍ୟକ୍ରମ ସପକ୍ଷରେ ଏହି ଯୁକ୍ତି ବଢାଯାଉଛି ଯେ ମୁସଲମାନ ନାମକରଣର ଅନେକ କାଳ ପୂର୍ବରୁ ସ୍ଥାନଗୁଡିକର ଯାହା ନାମ ଥିଲା ତାହାହିଁ ସେମାନଙ୍କର ଅସଲ ପରିଚୟ, ତେଣୁ ପୁରୁଣା ପରିଚୟ ପୁନଃସ୍ଥାପନ କରିବା କିଛି ଅଯୁକ୍ତିକର କଥା ନୁହେଁ। ତେବେ ଏହି ଯୁକ୍ତି ଭିତରେ କିନ୍ତୁ “କେଉଁ ନାମ ଧରି ଡାକିବି ତୁମକୁ”ର ଉତ୍ତର ଅସମାହିତ ରହିଯାଉଛି। ମୋ ମତରେ, ମଧ୍ୟଯୁଗରେ ନିଜର ପ୍ରତିଷ୍ଠା ଜାହିର କରିବା ପାଇଁ ଓ ପ୍ରତିପତ୍ତି ବଢାଇବା ପାଇଁ ଜଣେ ଯୁଦ୍ଧଖୋର ସମ୍ରାଟ ନିଜ ଅକ୍ତିଆରକୁ ଆଣିଥିବା ସହରଟିର ନାମ ବଦଳାଇବାରେ ଅସ୍ତିତ୍ବବାଦୀ ଚାପ ଥାଇପାରେ, କିନ୍ତୁ ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେ ବାଧ୍ୟବାଧକତା ନାହିଁ। ବାଂଲାଦେଶ ଭଳି ମୁସଲମାନ ବହୁଳ ଦେଶରେ ଅାଜିବି କେତୋଟି ଗ୍ରାମ ରହିଛି ଯେଉଁଗୁଡିକର ନାମରେ ‘ଜଗନ୍ନାଥ’ ଅନ୍ତର୍ଭୁକ୍ତ।
ସୌଭାଗ୍ୟ ନଗର, ଭୁବନେଶ୍ବର

Comments
Loading...