ନଦୀକୂଳ ବନୀକରଣ

0

ବିପର୍ଯ୍ୟସ୍ତ ପର୍ଯ୍ୟାବରଣର ପୁନରୁଦ୍ଧାର କେବଳ ବନୀକରଣରେ ସୀମିତ ନୁହେଁଁ। ପ୍ରକୃତି ବିଭିନ୍ନ ପ୍ରକାର ମାନବିକ ଓ ପ୍ରାକୃତିକ ପ୍ରକ୍ରିୟାଦ୍ବାରା ତାହାର ସବୁଜିମା ଓ ପରିବେଶ ହରାଇଥାଏ। ତେଣୁ ମାନବିକ ପ୍ରୟାସରେ କୃତ୍ରିମ ବ୍ୟବସ୍ଥାରେ ନୂଆ ଜଙ୍ଗଲ ସୃଷ୍ଟି ଓ ସବୁଜିମାର ପୁନରୁଦ୍ଧାର ଏକ ସର୍ବାଙ୍ଗୀଣ ପ୍ରକ୍ରିୟା ନ’ହେଲେ ମଧ୍ୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏବେ ଓଡ଼ିଶାର ବୃହତ୍ତମ ନଦୀ ଓ ରାଜ୍ୟର ଜୀବନନାଟିକା ବିବେଚିତ ମହାନଦୀକୁ ଜଳାଭାବଜନିତ ସଂକଟରୁ ରକ୍ଷା କରିବାପାଇଁ ଏହାର ଦୁଇପାର୍ଶ୍ବରେ ସରକାର ବନୀକରଣ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ପାଞ୍ଚବର୍ଷ ମଧ୍ୟରେ ନଦୀର ଦୁଇକୂଳରେ ୪୧ହଜାର ହେକ୍ଟର ଜମିରେ ପାଞ୍ଚବର୍ଷ ମଧ୍ୟରେ ପାଞ୍ଚକୋଟି ଗଛ ଲଗାଇବାପାଇଁ ୫୦୦୦କୋଟି ଟଙ୍କା ଖର୍ଚ୍ଚପଡ଼ିବ। ହିସାବ କଲେ ଏହି ସମୟରେ କୋଟିଏ ଗଛ ପାଇଁ ଏକହଜାର କୋଟି ଟଙ୍କା ଖର୍ଚ୍ଚ ପଡ଼ିବ। ଚାରା ରୋପଣ ଅପେକ୍ଷା ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ। ସେଥିପ୍ରତି ନଜର ନ’ଦେଲେ ବନୀକରଣ ପ୍ରୟାସ ଭଣ୍ଡୁର ହୋଇପାରେ। ଦ୍ବିତୀୟ କଥା ହେଲା ମହାନଦୀର ନିମ୍ନ ଅବବାହିକାର ପରିସର ଓ ବ୍ୟାପକତା ଦୃଷ୍ଟିରୁ ଏହି ପାଞ୍ଚବର୍ଷିଆ ଯୋଜନା ଏକ କ୍ଷୁଦ୍ର ପ୍ରୟାସ ମନେହେଉଛି। ତଥାପି ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରି ସରକାର ଭବିଷ୍ୟତ ସଂପ୍ରସାରଣ ପାଇଁ ଯଥେଷ୍ଟ ଅନୁଭୂତି ଅର୍ଜନ କରିପାରିବେ। ସଂପ୍ରତି ରୁଗ୍‌ଣ ଗଙ୍ଗାନଦୀକୁ ସ୍ବାଭାବିକ ଓ ସୁନାବ୍ୟା କରିବାକୁ ଗଙ୍ଗା ବିକାଶ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ନଦୀର ଦୁଇପାର୍ଶ୍ବରେ ବ୍ୟାପକ ବନୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି। ସେଠାକାର କୌଶଳ ଓ ପଦ୍ଧତି ମହାନଦୀ ପାଇଁ ବ୍ୟବହାର କରାଗଲେ ଭଲ ହେବ।
ପ୍ରଥମରୁ କହିଛୁ ଯେ ନଦୀକୂଳ ବନୀକରଣ ନଦୀ ସୁରକ୍ଷାର ଏକମାତ୍ର ବାଟ ନୁହେଁ। ମହାନଦୀର ଜଳାଗମ କ୍ଷେତ୍ର, ବିଶେଷକରି ଏହାର ଉପରମୁଣ୍ଡର ନଦୀ, ଝରଣା ଓ ଉପନଦୀର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ, ପରିବେଶ ଏବଂ ପ୍ରାକୃତିକ ଜୈବବିବିଧତାର ସଂରକ୍ଷଣ, ସୁରକ୍ଷା ପ୍ରତି ମଧ୍ୟ ଅନୁରୂପ ଧ୍ୟାନ ଦିଆଯିବା ଆବଶ୍ୟକ। ଓଡ଼ିଶାରେ କୋଇଲା, ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ଖନନରେ ଯେତେ ଜଙ୍ଗଲ ନଷ୍ଟ ହେଉଛି ତାହାର ଭରଣା ବନୀକରଣ ବ୍ୟବସ୍ଥା ସତ୍ତ୍ବେ ହୋଇପାରୁନାହିଁ। ତେଣୁ ଏହାର ସିଧାସଳଖ କୁପ୍ରଭାବ ସଂପୃକ୍ତ ଅଞ୍ଚଳର ନଦୀଝରଣା ଉପରେ ପଡ଼ୁଛି। ଖଣିଜ ସଂପଦସବୁ ମୁଖ୍ୟତଃ ଜଙ୍ଗଲାଞ୍ଚଳରେ ରହିଥିବାରୁ ତାହାର ମାତ୍ରାଧିକ ଉତ୍ପାଦନ ପରିବେଶକୁ ବିଗାଡ଼ୁଛି। ଅତଏବ ଖଣିଜ ଉତ୍ତୋଳନ ଉପରେ ମଧ୍ୟ କିଛି କଟକଣା ରହିବା ଆବଶ୍ୟକ। ବ୍ରାହ୍ମଣୀ ଓ ବୈତରଣୀ ଉପତ୍ୟକା ଏହା ଯୋଗୁଁ ପରିବେଶ ଦୃଷ୍ଟିରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଥିପ୍ରତି ମଧ୍ୟ ନଜର ରଖିବାକୁ ହେବ। ସବୁଠୁ ବଡ଼କଥା ହେଲା ବିଭିନ୍ନ ପ୍ରକାର ଫଳ ଓ ଅର୍ଥକରୀ ବୃକ୍ଷ ଲଗାଇ ଏଥିରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ପଡ଼ିବ। ତା’ ନହେଲେ ଏ ପ୍ରୟାସ ସଫଳ ହୋଇ ନ ପାରେ।
ଶେଷକଥା ହେଲା ଏକ ମହଦାକାଙ୍‌କ୍ଷୀ ଯୋଜନାରେ ବିପୁଳ ଅର୍ଥ ବିନିଯୋଗର ବ୍ୟବସ୍ଥା ହୁଏ। ଅପଚୟ, ବାଟମାରଣା ଓ ତଦାରଖ ଅଭାବରୁ ଅର୍ଥଶ୍ରାଦ୍ଧ ହୁଏ ସତ, କିନ୍ତୁ ଯୋଜନା ବିଫଳ ହୋଇଥାଏ। ଜଗନ୍ନାଥ ବନପ୍ରକଳ୍ପରୁ ଆମକୁ ଯଥେଷ୍ଟ କିଛି ଶିକ୍ଷା ମିଳିଛି। ଆଶା ଏହି ନୂଆ ପ୍ରକଳ୍ପ ସେଭଳି ନ’ହେଉ। ରାଜ୍ୟ ସେଥିପାଇଁ କେତେ ଅର୍ଥ ବରାଦ କରିପାରିବ ଏବଂ ନିଷ୍ଠାର ସହିତ କେତେ କାମ କରିବ ତା’ ଉପରେ ଅନେକ କିଛି ନିର୍ଭର କରେ। ଏହି ଯୋଜନାଟିର ଉଦ୍ଦେଶ୍ୟ ନିଶ୍ଚିତ ମହତ୍‌। ଏଥିରେ ସରକାରୀ ଅଙ୍ଗୀକାର ରହୁ ଓ ନିଷ୍ଠା ପ୍ରକାଶ ପାଉ।

Leave A Reply