ହନୁମାନଙ୍କ ଗୋତ୍ର ଖୋଜା

0

କୁହାଯାଏ ରାଜନୀତି ଶ୍ରେଷ୍ଠନୀତି ଓ ଏହା ଏକ ଗୁରୁତ୍ବପୂର୍ଣ୍ଣ ବ୍ୟାପାର। ଏବେ କିନ୍ତୁ ଯାହା ଦେଖାଯାଉଛି ରାଜନୀତି ଆଉ ଶ୍ରେଷ୍ଠନୀତି ହୋଇ ରହିନାହିଁ। ଏହା ତୁଚ୍ଛନୀତିରେ ପରିଣତ ହୋଇଛି। ଆମ ନେତାମାନେ ଏହାକୁ ଯେତେ ଗୁରୁତ୍ବର ସହ ନେବାକଥା ତାହା ନ’କରି ଅନେକ ସମୟରେ ମାଙ୍କଡ଼ାମି କରି ଏହି ଶ୍ରେଷ୍ଠନୀତିର ମର୍ଯ୍ୟାଦାହାନି କରୁଛନ୍ତି। ହନୁମାନ ଆମ ଧାର୍ମିକ ବିଚାର ଓ ବିଶ୍ବାସରେ ଏକ ଗୁରୁତ୍ବପୂର୍ଣ୍ଣ ତଥା ମହନୀୟ ସ୍ଥାନ ପାଇଆସିଛନ୍ତି। ଚାରି ଯୁଗରେ ସେ ବିିଭିନ୍ନ ରୂପରେ ପ୍ରକଟିତ ହୋଇ କାଳଜୟୀ ଅକ୍ଷୟଧାରାର ବାହକ ବୋଲି ବିଚାର କରାଯାଏ। ଏବେ କିନ୍ତୁ ଭୋଟ ରାଜନୀତିରେ ହନୁମାନଙ୍କର ଜାତି, ଧର୍ମ ଓ ଗୋତ୍ର ଖୋଜାଗଲାଣି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଦଳିତ ବୋଲି କହିବାରୁ ବିବାଦ ସୃଷ୍ଟି ହୋଇଛି। ତାଙ୍କଦଳ ବିଜେପିର ଆଉଜଣେ ମନ୍ତ୍ରୀ ହନୁମାନଙ୍କୁ ବନବାସୀ ଓ ଆଉଜଣେ ଆର୍ଯ୍ୟ ବୋଲି ଦାବି କଲେଣି। ଏପରିକି ସେହିଦଳର ଆଉ କେତେକ ନେତା ହନୁମାନଙ୍କ ଗୋତ୍ର ଉପସ୍ଥାପନ କରିବାକୁ ପଛେଇ ନାହାନ୍ତି। ନିର୍ବାଚନ ପ୍ରଚାର ସଭାରେ ହନୁମାନଙ୍କୁ ଟାଣିଓଟାରି ପ୍ରସଙ୍ଗ କରିବାର ଉଦ୍ଦେଶ୍ୟ କ’ଣ? କୌଣସି ଏକ ନିର୍ଦିଷ୍ଟ ବର୍ଗ, ଜାତି ବା ସଂପ୍ରଦାୟକୁ ଖୁସି କରାଇବା ପାଇଁ ଏଭଳି ଉଚ୍ଚାରଣ ବିଜେପିର ନେତାମାନେ ହୁଏତ କରିପାରିଥାଆନ୍ତି; କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଯେ ଧାର୍ମିକ ଓ ସତ୍‌ ନୁହେଁ, ଏହା ସ୍ପଷ୍ଟ। ଏହାପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁ ଇଣ୍ଡିଆର ସ୍ଲୋଗାନ ଦେଇ ଭାରତକୁ ବିଶ୍ବର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ଦଳର ନେତାମାନେ ଏଭଳି ଯେଉଁ ବିଚିତ୍ର ଆଚରଣ- ଉଚ୍ଚାରଣ କରୁଛନ୍ତି ତାହା ଦେଖିଲେ ମନେହୁଏ ଦଳର ନେତାମାନେ ଶୃଙ୍ଖଳା ଓ ଅନୁଶାସନର ଲକ୍ଷ୍ମଣରେଖା ଟପି ଦେଶକୁ ବିପରୀତ ଦିଗରେ ମୁହାଁଇବାକୁ ଉଦ୍ୟମ କରୁଛନ୍ତି। ସରକାର ବିଜ୍ଞାନଭିତ୍ତିକ ଚେତନାର ବିକାଶ ଉପରେ ଗୁରୁତ୍ବ ଦେଉଥିବାବେଳେ ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂହ ତ ଏକଦା ଡାରୱିନଙ୍କ ବିବର୍ତ୍ତନବାଦକୁ ଭୁଲ ବୋଲି କହି ମଣିଷ ମାଙ୍କଡ଼ଠାରୁ ସୃଷ୍ଟି ବୋଲି ଦାବି କରିଛନ୍ତି। ମାଙ୍କଡ଼ଠାରୁ ମଣିଷ ଯେ ସୃଷ୍ଟି ହୋଇନାହିଁ, ଏହି ବୈଜ୍ଞାନିକ ତଥ୍ୟକୁ ସେ ଗ୍ରହଣ କରିବାକୁ ନାରାଜ। ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ-୨ ସରକାର କେତେକ ଧାର୍ମିକ ପ୍ରସଙ୍ଗରେ ନିଜସ୍ବ ମତ ରଖି ଯେପରି ଅବାସ୍ତବ କାଳ୍ପନିକ ତଥ୍ୟମାନ ଉପସ୍ଥାପନ କରୁଛନ୍ତି ତାହା କେବଳ ନାଟକୀୟ ନୁହେଁ, ଉଦ୍ଭଟ ମଧ୍ୟ। ସେଥିପାଇଁ ପୁଣି ସରକାରୀ ସ୍ତରରେ ଗବେଷଣାର ପ୍ରୟାସ ହେଉଛି। ଆମେ ଆମ ଦେବଦେବୀ ବା ପୌରାଣିକ ନାୟକନାୟିକାଙ୍କୁ ତାଙ୍କ ଜାତିଗୋତ୍ର ପାଇଁ ନୁହେଁ, ସେମାନଙ୍କ ଦେବତ୍ବ ଓ ବୀରତ୍ବ ପାଇଁ ପୂଜା କରୁ। ସେମାନେ ଆମ ସାଧାରଣ ମଣିଷ ବିଚାରରେ ଜାତି, ଧର୍ମ ଓ ବର୍ଣ୍ଣ ମଧ୍ୟରେ ସୀମିତ ନୁହନ୍ତି।
ହନୁମାନଙ୍କ ଜାତିଗୋତ୍ର ନିର୍ଦ୍ଧାରଣ ପାଇଁ ଏହି ମରଣଶୀଳ ମଣିଷମାନେ ଯେପରି ବିକଳ ହେଉଛନ୍ତି ସେଥିରୁ ସନ୍ଦେଶ ମିଳୁଛି ଯେ ଭାରତୀୟ ରାଜନୈତିକ ମାଟିରେ ଜାତି ଓ ସଂପ୍ରଦାୟ ପରିଚୟର ଚେରମୂଳ କେତେ ଗଭୀରକୁ ଯାଇଛି ତାହା ଠାବ କରିବାକୁ ଆମ ନେତାମାନେ ବେଶୀ ତତ୍ପର। ଏହାକୁ ଆଶ୍ରାକରି ସେମାନେ ପରିଚୟ ରାଜନୀତି, କରିବାସହ ତୁଷ୍ଟିକରଣ, ଧ୍ରୁବୀକରଣ ଓ ଜାତିଗତ ସମୀକରଣର ଅଙ୍କ କଷିବା ଚାଲୁରଖିଛନ୍ତି। ବିଜେପି ଧର୍ମକୁ ଆଧାର କରି ରାଜନୀତି କରୁଥିବାରୁ କଂଗ୍ରେସର ତରୁଣ ସଭାପତି ରାହୁଳ ଗାନ୍ଧୀ ନିଜ ଦଳର ପରମ୍ପରା ଓ ଐତିହ୍ୟକୁ ଭୁଲି କାନ୍ଧରେ ଉପବୀତ ଓ ବେକରେ ରୁଦ୍ରାକ୍ଷ ପକାଇ ଚିତାଚଇତନ ମାରି ମନ୍ଦିର ଯାଉଛନ୍ତି ଏବଂ ନିଜର ଗୋତ୍ର ପ୍ରକାଶ କରି ନିଜକୁ ବ୍ରାହ୍ମଣ ବୋଲି ଦାବି କରୁଛନ୍ତି। ଭୋଟ ରାଜନୀତିରେ ଜାତି, ବର୍ଣ୍ଣ, ଧର୍ମ ଓ ସଂପ୍ରଦାୟର ସ୍ଥାନ ନଥିଲେ ମଧ୍ୟ ଆମ ନେତାଏ ନାନା ଉପାୟରେ ତାହାକୁ ଉଲ୍ଲଙ୍ଘନ କରୁଛନ୍ତି। ତଥାକଥିତ ଦଳିତଙ୍କୁ ଆମେ ମହାଦଳିତ, ଅତି ଦଳିତ ଭାବେ ଭାଗଭାଗ କରୁଛୁ। ଏପରିକି ଇସଲାମ, ଖ୍ରୀଷ୍ଟିୟାନ ଭଳି ଧର୍ମରେ ଯେଉଁଠି ଜାତିଭେଦ ନାହିଁ ସେ ଧର୍ମରେ ଦୀକ୍ଷିତ ବ୍ୟକ୍ତିବିଶେଷ ପୂର୍ବପୁରୁଷ କେଉଁ ଜାତିର ତାହା ମଧ୍ୟ ନିର୍ଣ୍ଣୟ କରିବାକୁ ବ୍ୟବସ୍ଥା କରୁଛୁ।
ପ୍ରାୟ ସବୁଦଳ ଧର୍ମ, ସଂପ୍ରଦାୟ ଓ ଜାତି ଆଧାରରେ ରାଜନୀତି କରୁଛନ୍ତି। ଫଳରେ ଗଣତନ୍ତ୍ରରେ ନିଜକୁ ଜାହିର କରିବା ପାଇଁ ଜାତି ଓ ସମୁଦାୟର ପରିଚୟ ଏକ ନୂଆ ଆୟୁଧ ହୋଇଥିବାରୁ ସମାଜ ଜାତି, ବର୍ଣ୍ଣ ଓ ସଂପ୍ରଦାୟ ଭିତ୍ତିରେ ଭାଗଭାଗ ହୋଇଯାଉଛି। ଏହି ପ୍ରକ୍ରିୟାରେ ଆମେ ହନୁମାନଙ୍କୁ ଜାତିଆଣ ରଙ୍ଗରେ ଦେଖୁଛୁ, କାଲି ଅନ୍ୟ ଦେବଦେବୀଙ୍କୁ ମଧ୍ୟ ଦେଖିବୁ। ଏହା କେବଳ ଗଣତନ୍ତ୍ର ନୁହେଁ, ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ସମାଜ ପାଇଁ ଶୁଭଙ୍କର ନୁହେଁ। ଏ ମାଙ୍କଡ଼ାମିର ଅବସାନ ଘଟିବ କେବେ?

Leave A Reply