ଆଇନଗତ ଭିତ୍ତି ଓ ଅମଲାତନ୍ତ୍ର

0

ଶ୍ରୀକାନ୍ତ ଚାଟାର୍ଜୀ

ଆମେ ଗତ ପ୍ରବନ୍ଧରେ ସିବିଆଇ ସଂସ୍ଥାର ଆଇନଗତ ଭିତ୍ତି ନଥିବା କଥା ଆଲୋଚନା କରିଥିଲୁୁ। ଏ ପ୍ରବନ୍ଧରେ ଆଇନଗତ ଭିତ୍ତି ଓ ସାମଗ୍ରିକ ଭାବେ ପ୍ରଶାସନିକ ବ୍ୟବସ୍ଥା ଉପରେ କିଛି ଆଲୋଚନା କରିବା।
ସରକାରଙ୍କ ପ୍ରାୟ ସବୁତକ ନିଷ୍ପତ୍ତି କାର୍ଯ୍ୟାନ୍ବିତ ହୁଏ ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ। ଏଣୁ ଦେଶରେ ଏକ ବିଶାଳ ସରକାରୀ କଳ ଅଛି। ଏହାକୁ ମୋଟ ଉପରେ ଅମଲାତନ୍ତ୍ର (ସିଭିଲ୍‌ ସର୍ଭିସ ବା ବ୍ୟୁରୋକ୍ରାସି) କହନ୍ତି। ବିଶେଷତଃ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅମଲାତନ୍ତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ। ବ୍ୟବସ୍ଥାପିକା ଦ୍ବାରା ସ୍ବୀକୃତ ଆଇନ, ନ୍ୟାୟପାଳିକାଙ୍କ ନିର୍ଦେଶ, ରାଜନୈତିକ କାର୍ଯ୍ୟପାଳିକା (ପଲିଟିକାଲ୍‌ ଏକ୍‌ଜିକ୍ୟୁଟିଭ)ଙ୍କ ନିଷ୍ପତ୍ତି ଆଦିକୁ ସୁଚାରୁ ରୂପେ ପାଳନ କରିବାର ଦାୟିତ୍ବ ହେଲା ଅମଲାତନ୍ତ୍ରର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ସରକାରୀ କର୍ମଚାରୀମାନେ କାମ କରନ୍ତି।
ଏତେବଡ଼ ସରକାରୀ କଳ ପରିଚାଳିତ ହୁଏ କେମିତି? ଏହା ଏକ ସ୍ବାଭାବିକ ପ୍ରଶ୍ନ। ଅମଲାତନ୍ତ୍ର ପରିଚାଳନା ପାଇଁ ଅନେକ ରୁଲ ଅଛି। ସାଧାରଣତଃ, ଯେ କୌଣସି ବିଷୟରେ ପ୍ରଥମେ ଆଇନ ପ୍ରଣୟନ ହୁଏ। ଆଇନ ତିଆରି କରିବାର ଦାୟିତ୍ବ ହେଲା ସଂସଦ (ଏବଂ ବିଧାନସଭା)ର । ଏ ସଂକ୍ରାନ୍ତ ବିଲ ସଂସଦରେ ପାସ୍‌ ହେଲା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଏ। ଏହି ଭାବରେ ଆଇନ ତିଆରି ହୁଏ। ଏହି ଆଇନକୁ କାର୍ଯ୍ୟାନ୍ବିତ କରିବାପାଇଁ ଯେଉଁ ନୀତି, ନିୟମ, କାଗଜପତ୍ର ଆଦି କାର୍ଯ୍ୟପଦ୍ଧତି ଆବଶ୍ୟକ ହୁଏ, ସେ ସବୁ ସାଧାରଣତଃ ରୁଲ୍‌ ବହିରେ ଲେଖା ହୋଇଥାଏ। ସେହି ଆଇନରେ ହିଁ ଲେଖା ହୋଇଥାଏ ରୁଲ୍‌ କିଏ ତିଆରି କରିବେ। ସେହି ଅଧିକୃତ ସଂସ୍ଥା ହିଁ ରୁଲ୍‌ ଲେଖି ପାରିବେ। ରୁଲ୍‌ ସଂସଦରେ ପାସ୍‌ ହୁଏ ନାହିଁ। ତେବେ ରୁଲ୍‌ ନ୍ୟାୟସଂଗତ ହେବା ଉଚିତ। ଏଥିପାଇଁ ଆଇନ ବିଭାଗର ମତ ନିଆଯାଏ। ଅର୍ଥାତ୍‌ ଆଇନର ଦୁଇ ଭାଗ ଥାଏ। ମୂଳଟି ହେଲା ବାସ୍ତବ ଆଇନ୍‌ (ସବ୍ସଣ୍ଟାଣ୍ଟିଭ୍‌ ଲ’) ଯାହା ବ୍ୟବସ୍ଥାପିକା ମାଧ୍ୟମରେ ତିଆରି ହୋଇଥାଏ ଏବଂ ଦ୍ବିତୀୟଟି ହେଲା କାର୍ଯ୍ୟପଦ୍ଧତିଗତ ଆଇନ୍‌ (ପ୍ରୋସିଜ୍ୟୋରାଲ୍‌ ଲ) ଯାହା ଅଧିକୃତ ସଂସ୍ଥା ତିଆରି କରନ୍ତି। ପ୍ରଥମ ଓ ଦ୍ବିତୀୟ ଆଇନର କୌଣସି ନିର୍ଦିଷ୍ଟ ଧାରା/ରୁଲ୍‌ ମଧ୍ୟରେ ମତପାର୍ଥକ୍ୟ ହେଲେ ପ୍ରଥମ ଆଇନର କଥା ରହିବ। କହିବା ବାହୁଲ୍ୟ, ରୁଲ ଯଦିଓ ଆଇନ୍‌ସଂଗତ, କିନ୍ତୁ ଏହା ମୁଖ୍ୟ ଆଇନ ନୁହେଁ। ଏହା ଏକ ଗୌଣ ଆଇନ। ଆଇନର ଭାଷାରେ ରୁଲ ହେଲା ସବ୍‌ ଅର୍ଡ଼ିନେଟ୍‌ ଲେଜିସଲେସନ।
ଆମେ ଗତ ପ୍ରବନ୍ଧରେ ଲକ୍ଷ୍ୟ କରିଥିଲୁ ଯେ ସିବିଆଇ, ଆଇବି, ର’ ଭଳି ସଂସ୍ଥାମାନ କୌଣସି ଆଇନ ଜରିଆରେ ନୁହେଁ, ସରକାରୀ ଆଦେଶ (ଏକଜିକ୍ୟୁଟିଭ୍‌ ଅର୍ଡର) ଜରିଆରେ ତିଆରି ହୋଇଛନ୍ତି। ଏଣୁ ଏ ସଂସ୍ଥାମାନଙ୍କର ନ୍ୟାୟିକ ଭିିତ୍ତି ଉପରେ ଏକ ପ୍ରଶ୍ନଚିହ୍ନ ରହିଥାଏ। ଏହି ପୃଷ୍ଠଭୂମିରେ ଆମେ ସିବିଆଇ କ୍ଷେତ୍ରର ଗୌହାଟୀ ହାଇକୋର୍ଟଙ୍କ ରାୟ, ତାହା
ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଏବଂ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ଉପରେ ଆଲୋଚନା କରିଥିଲୁ। ତେବେ ସରକାରୀ ଆଦେଶ ଏକ ଅଲଗା ପ୍ରସଙ୍ଗ। ଏହି ପ୍ରବନ୍ଧରେ ଆମେ ଆଇନ ଏବଂ ରୁଲ୍‌ ବିଷୟରେ ଆଲୋଚନା କରୁଛୁ। ଆମେ ଦେଖିଲୁ ଯେ, ରୁଲ୍‌ର ନିଜସ୍ବ ଅସ୍ତିତ୍ବ ନାହିଁ। ପ୍ରଥମେ ଆଇନ ତିଆରି ହୁଏ ଏବଂ ପରେ ସେହି ଆଇନ ଅଧୀନରେ ସେହି ଆଇନ୍‌ ପାଇଁ ରୁଲ୍‌ ତିଆରି ହୁଏ। ଅର୍ଥାତ୍‌ ଆଇନ ଅଧୀନରେ ରୁଲ୍‌। ଏଣେ ଆମେ ଉପରେ ଉଲ୍ଲେଖ କରିଛୁ ଯେ ଅମଲାତନ୍ତ୍ରର ପରିଚାଳନା ପାଇଁ ରୁଲ ସବୁ ରହିଛି। ଏ ସବୁ ରୁଲ ୍‌ କ’ଣ? ଏଥିପାଇଁ ଆଇନ୍‌ କ’ଣ? ଏ ସବୁ ମୌଳିକ ପ୍ରଶ୍ନ।
ଅମଲାତନ୍ତ୍ରର ପରିଚାଳନା ପାଇଁ ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନତା ପରେ ଲେଖାହୋଇଥିବା ଅନେକ ରୁଲ୍‌ ଅଛି। ସ୍ବାଧୀନତା ପୂର୍ବର ଦୁଇ ପ୍ରମୁଖ ରୁଲ୍‌ ହେଲା ଫଣ୍ଡାମେଣ୍ଟାଲ ରୁଲ୍‌ ୧୯୨୨ ଏବଂ ସପ୍ଲିମେଣ୍ଟାରୀ ରୁଲ୍‌ ୧୯୨୨। ଅମଲାତନ୍ତ୍ର ପାଇଁ ଏ ଦୁଇ ହେଲେ ମୂଳ ଆଇନ୍। ସ୍ବାଧୀନତା ପରେ କେନ୍ଦ୍ରସରକାରୀ କର୍ମଚାରୀଙ୍କ ପାଇଁ ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ (ସିସିଏସ) କଣ୍ଡକ୍ଟରୁଲ୍‌, ୧୯୬୪, ସିସିଏ ରୁଲ୍‌, ୧୯୬୫, ଲିଭ ରୁଲ୍ସ, ୧୯୭୨ ଭଳି ଅନେକ ରୁଲ୍‌ ତିଆରି ହୋଇଛି। ଏସବୁ ରୁଲ ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଆଚାର ସଂହିତା, ତାଙ୍କ ପାଇଁ ଦଣ୍ଡାଦେଶର ପ୍ରକ୍ରିୟା, ଛୁଟି ପାଇଁ ରୁଲ୍‌ ଇତ୍ୟାଦି। ରାଜ୍ୟ ସରକାରଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ରୁଲ୍‌ ସବୁ ଅଛି। ଏଣୁ ପ୍ରଶ୍ନ ହେଲା ଏସବୁ ରୁଲ୍‌ର ଆଇନ କ’ଣ?
ଏ ପରିପ୍ରେକ୍ଷୀରେ ସମ୍ବିଧାନର ଧାରା ୩୦୯ ବିଚାରଯୋଗ୍ୟ। ଏହି ଧାରାର ଶୀର୍ଷକ ହେଲା- ‘ରିକ୍ରୁଟ୍‌ମେଣ୍ଟ ଆଣ୍ଡ୍‌ କଣ୍ଡିସନସ୍‌ ଅଫ୍‌ ସର୍ଭିସ୍‌ ଅଫ୍‌ ପର୍ସନ୍ସ ସର୍ଭିଙ୍ଗ୍‌ ଦି ୟୁନିୟନ ଅର୍‌ ଏ ଷ୍ଟେଟ୍‌’- କେନ୍ଦ୍ର ବା କୌଣସି ରାଜ୍ୟ ଅଧୀନରେ ସେବାରତ ବ୍ୟକ୍ତିମାନଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳି। ଏହି ଧାରାରେ ଲେଖା ହୋଇଛି ଯେ କେନ୍ଦ୍ର ପାଇଁ ସଂସଦ (ରାଜ୍ୟ ପାଇଁ, ବିଧାନସଭା) ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳି ସଂକ୍ରାନ୍ତ ଆଇନ ପ୍ରଣୟନ କରିବେ। ଏଭଳି ଆଇନ ତିଅାରି ନ ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନ କର୍ମଚାରୀଙ୍କ ପାଇଁ ରାଷ୍ଟ୍ରପତି (ରାଜ୍ୟ ପାଇଁଁ, ରାଜ୍ୟପାଳ) ରୁଲ୍‌ ତିଆରି କରିବେ ଏବଂ ଏହି ରୁଲ୍‌ ଆଇନର କ୍ଷମତା ବହନ କରିବ। ଅର୍ଥାତ୍‌ ଅମଲାତନ୍ତ୍ର ପାଇଁ ଆଇନ ତିଆରି ହେବା କଥା। ଆଇନର ଅବର୍ତ୍ତମାନରେ ‘ରୁଲ୍‌’ ତିଅାରି ହୋଇ ପାରିବ। ଏହି ‘ରୁଲ୍‌’ର କ୍ଷମତା ‘ଆଇନ୍‌’ର କ୍ଷମତା ସହିତ ସମାନ। ଏହି ସାମ୍ବିଧାନିକ ବ୍ୟବସ୍ଥା ବଳରେ ଏସବୁ ସେବା ରୁଲ୍‌ ତିଆରି ହୋଇଛି। ସ୍ପଷ୍ଟତଃ, ଏସବୁ ରୁଲ୍‌ ସିଧା ସମ୍ବିଧାନରୁ କ୍ଷମତା ଗ୍ରହଣ କରନ୍ତି। ପ୍ରକୃତରେ, ସମ୍ବିଧାନର ନିର୍ଦେଶ ଅନୁସାରେ ଆଇନ୍‌ ତିଆରି ହେବା କଥା ଏବଂ ସେହି ଆଇନର କାର୍ଯ୍ୟପଦ୍ଧତି ପାଇଁ ରୁଲ୍‌ ତିଆରି ହେବା କଥା, କିନ୍ତୁ ସମ୍ବିଧାନରେ ନିର୍ଦିଷ୍ଟ ଉଲ୍ଲେଖ ସତ୍ତ୍ବେ ଅମଲାତନ୍ତ୍ର ପାଇଁ ଆଇନ ତିଆରି ହୋଇପାରିଲା ନାହିଁ। ଆଇନ ଜାଗାରେ ରୁଲ୍‌ ମାଧ୍ୟମରେ ଅମଲାତନ୍ତ୍ର ଚାଲିଛି।
ଆମ ଦେଶରେ ସାମ୍ବିଧାନିକ ଗଣତନ୍ତ୍ର ବ୍ୟବସ୍ଥା ଥିବାରୁ ଆଇନ୍‌ର ଶାସନ (ରୁଲ୍‌ ଅଫ୍‌ ଲ’) ଚାଲେ। ଇଂଲଣ୍ଡରେ ଲିଖିତ ସମ୍ବିଧାନ ନାହିଁ; ପ୍ରଥମେପ୍ରଥମେ ଲିଖିତ ଆଇନ୍‌ ବି ନଥିଲା। ସେଠି କନ୍‌ଭେନସନ୍ (ପରମ୍ପରା), ଜ୍ୟୁରିସ୍‌ପ୍ରୁଡେସନ୍ସ (ଆଇନତତ୍ତ୍ବ) ପୂର୍ବ ମାମଲାର ଉଦାହରଣ (ପ୍ରିସିଡେଣ୍ଟ) ଆଦି ମାଧ୍ୟମରେ ଆଇନ ନିରୂପଣ ହୁଏ। ଅବଶ୍ୟ ପରବର୍ତ୍ତୀ କାଳରେ ସଂସଦୀୟ ପ୍ରଣାଳୀ ଜରିଆରେ ଆଇନ ତିଆରି ହେଉଛି। ତେବେ, ଭାରତକୁୁ ଆସି ଇଂରେଜମାନେ ଆଇନକୁ ‘କୋଡ଼ିଫାଏ’ (ଲିପିବଦ୍ଧ) କରିବାକୁ ଲାଗିଲେ। ଏଣୁ ଭାରତରେ ପ୍ରାୟ ସବୁ ବିଷୟରେ ଆଇନ ଅଛି। ରହିବା ଉଚିତ ମଧ୍ୟ। ଆମେ ଲକ୍ଷ୍ୟ କଲୁ ଯେ ଅମଲାତନ୍ତ୍ର ପାଇଁ ପ୍ରକୃତରେ ‘ଆଇନ’ ନାହିଁ। ଆଇନ ରୂପକ ‘ରୁଲ୍‌’ ଅଛି। ଆଇନ ରୂପକ ରୁଲ୍‌ର ପ୍ରଚଳନରେ କେତେକ ଦୁର୍ବଳତା ଦେଖାଦିଏ। ପ୍ରଥମତଃ ହେଲା, ଯେହେତୁ ସଂସଦୀୟ ପ୍ରଣାଳୀ ନେଇ ଗତି କରେନାହିଁ, ଏ ରୁଲ୍‌ ସବୁର ପ୍ରଣୟନ ମୁଖ୍ୟତଃ ପ୍ରଶାସନିକ ଅଧିକାରୀମାନେ କରନ୍ତି। ଅର୍ଥାତ୍‌ ପ୍ରଶାସନିକ ବ୍ୟବସ୍ଥା ପାଇଁ ପ୍ରଶାସକମାନେ ହିଁ ‘ଆଇନ’ ତିଆରି କରୁଛନ୍ତି। ଦ୍ବିତୀୟତଃ, ସଂସଦୀୟ ପ୍ରକ୍ରିୟାନେଇ ଗତି କରିନଥିବା ହେତୁ ସେବା ରୁଲ୍‌ରେ ସଂଶୋଧନ ଅପେକ୍ଷାକୃତ ସହଜ। ଉଭୟ ପ୍ରଣୟନ ଏବଂ ସଂଶୋଧନ କ୍ଷେତ୍ରରେ ପ୍ରକୃତ ଅର୍ଥରେ ଆଇନ ହୋଇଥିଲେ ସଂସଦରେ ପ୍ରସ୍ତାବ ଆସିଥାଆନ୍ତା, ତା’ ଉପରେ ଆଲୋଚନା ହୋଇଥାନ୍ତା ଏବଂ ଏକ ବ୍ୟାପକ ସହମତି ସୃଷ୍ଟି ହୋଇପାରନ୍ତା। ଏଣୁ ଆଇନ ପ୍ରଣୟନ ତଥା ସଂଶୋଧନ ସହଜ ହୋଇ ନଥା’ନ୍ତା। ବର୍ତ୍ତମାନର ଅବସ୍ଥାରେ କ୍ଷମତାସୀନ ଦଳ ନିଜ ସୁବିଧା ଅନୁସାରେ ପରିବର୍ତ୍ତନ କରିପାରନ୍ତି। ଗୋଟିଏ ଉଦାହରଣ ନେବା। ପ୍ରଥମେ ନିୟମ ଥିଲା ଯେ ସରକାରୀ କର୍ମଚାରୀମାନେ ସରକାରୀ କାର୍ଯ୍ୟକଳାପର କୌଣସି ତଥ୍ୟ କାହାକୁ ଦେଇ ପାରିବେ ନାହିଁ। କାରଣ ଥିଲା ଅଫିସିଆଲ ସିକ୍ରେଟ୍ସ ଆକ୍ଟ ୧୯୨୯- ସରକାରୀ ଗୁପ୍ତତଥ୍ୟ ଆଇନ୍‌,୧୯୨୯। ଏଣୁ ସିସିଏସ କଣ୍ଡକ୍ଟ ରୁଲ୍‌ (ଧାରା ୧୧)ରେ ଏମିତି ତଥ୍ୟ ଦେବା ମନା ଥିଲା। ପରେ ଏକ ବଡ଼ ଧରଣର ଆନ୍ଦୋଳନ ହେଲା ଓ ରାଇଟ୍‌ ଟୁ ଇନ୍‌ଫରମେସନ ଆକ୍ଟ ୨୦୦୫ (ସୂଚନା ଅଧିକାର ଆଇନ୍‌ ୨୦୦୫) ନାମକ ଏକ ଆଇନ ଆସିଲା। କଣ୍ଡକ୍ଟ ରୁଲ୍‌ରେ ପରିବର୍ତ୍ତନ ପାଇଁ କୌଣସି ଆନ୍ଦୋଳନ ବା ଆଲୋଚନାର ଆବଶ୍ୟକତା ପଡ଼ିଲା ନାହିଁ। ଧାରା ୧୧ରେ ସଂଶୋଧନ କରି ଦିଆଗଲା। କଣ୍ଡକ୍ଟ ‘ରୁଲ୍‌’ ଜାଗାରେ ଆଇନ୍‌ ଥିଲେ ସେଥିପାଇଁ ମଧ୍ୟ ବିଚାର ବିମର୍ଶ ହୋଇଥାଆନ୍ତା। ଏକ ବିପରୀତ ଉଦାହରଣ ନିଅନ୍ତୁ। ଲୋକପାଳ ଆଇନ ଅନୁସାରେ ସରକାରୀ କର୍ମଚାରୀମାନେ ନିଜସ୍ବ ସମ୍ପତ୍ତି ତାଲିକା ବ୍ୟତିରେକେ ନିଜର ପତି/ପତ୍ନୀଙ୍କ ସମ୍ପତ୍ତି ତାଲିକା ନିୟମିତ ଦାଖଲ କରିବାର ନିୟମ ଅଛି। ଏଣୁ ଏ କ୍ଷେତ୍ରରେ ଲୋକପାଳ ଆଇନ ଲାଗୁ ହୋଇପାରିନାହିଁ। କହିବା ବାହୁଲ୍ୟ, ଆଚାର ସଂହିତା ପ୍ରକୃତ ଅର୍ଥରେ ଏକ ଆଇନ ହୋଇଥିଲେ ତହିଁରେ ସଂଶୋଧନ ଏକ ସ୍ବଚ୍ଛ ଓ ବ୍ୟାପକ ପ୍ରକ୍ରିୟା ହୋଇଥା’ନ୍ତା।
ଉପସଂହାରକୁ ଆସିବା। ଅମଲାତନ୍ତ୍ର ଦେଶ ଶାସନର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହି ଗୁରୁତ୍ବପୂର୍ଣ୍ଣ ଅଙ୍ଗର ସୁପରିଚାଳନା ନିମନ୍ତେ ଉପଯୁକ୍ତ ଆଇନ ରହିବା ଏକାନ୍ତ କାମ୍ୟ। ଏଥିପାଇଁ ସାମ୍ବିଧାନିକ ନିର୍ଦେଶ ଅଛି। ସେଇ ରୁଲ୍‌ ମାଧ୍ୟମରେ ସରକାରୀ କଳର ପରିଚାଳନା ଏକ ସ୍ବଳ୍ପମିଆଦୀ ପଦକ୍ଷେପ ହୋଇପାରେ। ଶେଷକୁ ଆଇନ ପ୍ରଣୟନ ହେବା ଜରୁରୀ। ଏ ଦିଗରେ ସୁଚିନ୍ତିତ ଓ ବ୍ୟାପକ ଆଲୋଚନା ହେବା ଆବଶ୍ୟକ।

Leave A Reply