ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ ଓ ଆମ ସରକାର

0

ବିଶ୍ବଭୂଷଣ ହରିଚନ୍ଦନ

ଓଡ଼ିଶାର ରାଜନୀତି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ କୃଷକମାନଙ୍କର ଏକ ବଡ଼ ଭୂମିକା ରହିଛି। ରାଜ୍ୟର ପ୍ରାୟ ୭୦ ଭାଗ ଲୋକ ତାଙ୍କର ଜୀବିକା ନିର୍ବାହ କରିବାପାଇଁ ଚାଷ ଉପରେ ନିର୍ଭର କରନ୍ତି। ସେମାନେ ସବୁବେଳେ ସମସ୍ତ ପ୍ରକାର ଅବହେଳାର ଶିକାର ହୁଅନ୍ତି। ତା’ର ମୁଖ୍ୟ କାରଣ ହେଲା ଯେ ସେମାନେ ସଂଗଠିତ ନୁହନ୍ତି। ତା’ର ଅର୍ଥ ନୁହେଁ ଯେ କୃଷକମାନଙ୍କର କୌଣସି ସଂଗଠନ ନାହିଁ କିମ୍ବା ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ସେମାନେ କେବେ ଆନ୍ଦୋଳନ କରିନାହାନ୍ତି। ବିଭିନ୍ନ ସମୟରେ ଓଡ଼ିଶାର ଭିନ୍ନଭିନ୍ନ ପ୍ରାନ୍ତରେ ଚାଷୀ ଆନ୍ଦୋଳନ ହୋଇଛି, କିନ୍ତୁ ତାହା ବିଶେଷ ପ୍ରଭାବଶାଳୀ ହୋଇ ନଥିବାରୁ ସରକାର ତା ପ୍ରତି ଅବଜ୍ଞା ପ୍ରଦର୍ଶନ କରିଛନ୍ତି। ଏବେ ପାଞ୍ଚ ଛଅ ବର୍ଷ ହେଲା ନବ ନିର୍ମାଣ କୃଷକ ସଂଗଠନ ଅକ୍ଷୟ କୁମାରଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃଷକ ସମସ୍ୟାବଳୀକୁ ନେଇ ଆନ୍ଦୋଳନ କରୁଛି। କୃଷକମାନଙ୍କ ବିଭିନ୍ନ ସମସ୍ୟା ସହିତ ସେମାନଙ୍କର ମୁଖ୍ୟ ଦାବିଗୁଡିକ ଉପରେ ସମ୍ୟକ ଆଲୋକପାତ କରିବା ହୁଏତ ସମୀଚୀନ ହେବ। ପ୍ରଥମ ଦାବି ହେଉଛି ପ୍ରାଇସ୍‌। କେନ୍ଦ୍ର ସରକାର ଧାନର ଯେଉଁ ସର୍ବନିମ୍ନ ସହାୟକ ଦର ନିର୍ଦ୍ଧାରଣ କରିଛନ୍ତି, ସେଥିରେ ଚାଷୀର ବିଶେଷ ଲାଭ ହେଉନାହିଁ ଓ ଏହାକୁ ବୃଦ୍ଧି କରିବାକୁ ସେମାନେ ଦାବି କରୁଛନ୍ତି। ଧାନ, ଗହମ, ମକା ଇତ୍ୟାଦି ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର ସ୍ଥିର କରିବାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ କମିଟି, ଫସଲ ଉତ୍ପାଦନପାଇଁ ଚାଷୀ ଯେଉଁ ବିଭିନ୍ନ ପ୍ରକାର ଖର୍ଚ୍ଚ କରେ ତାକୁ ହିସାବକୁ ନେଇ ଏ ସବୁ ଶସ୍ୟର ସହାୟକ ଦର ପ୍ରତିବର୍ଷ ନିର୍ଦ୍ଧାରଣ କରନ୍ତି। ଓଡ଼ିଶାର ମୁଖ୍ୟ ଫସଲ ଧାନ ହୋଇଥିବାରୁ, ତା’ର ସହାୟକ ଦର ବଢ଼ାଇବାକୁ ‘ଆମ ଓଡ଼ିଶା’ ତରଫରୁ ସବୁବେଳେ ଦାବି କରାଯାଇଛି। ବହୁ ବର୍ଷ ଧରି ଧାନ କୁଇଣ୍ଟାଲ ଦର ପ୍ରତିବର୍ଷ ୧୦୦ଟଙ୍କା ବୃଦ୍ଧି ପାଇବା ଆମେ ଦେଖିଆସୁଛୁ। ଗତବର୍ଷର ସହାୟକ ଦର ୧୫୫୦ ଟଙ୍କା ଉପରେ ଆଉ ୨୦୦ଟଙ୍କା ବଢ଼ାଇ ଏ ବର୍ଷ ୧୭୫୦ ଟଙ୍କା ରଖାଯାଇଛି। ଧାନ ଦରକୁ ଆହୁରି ବଢ଼ାଇବାର ଯଥାର୍ଥତା ରହିଛି, କିନ୍ତୁ ଏହା କେତେ କରାଯିବ? ଆମ ରାଜ୍ୟ ସରକାର ଓ ତାଙ୍କର ବିଜେଡ଼ି ଏଥିପାଇଁ ତୁହାକୁ ତୁହା ଆନ୍ଦୋଳନ କରିଚାଲିଛି। ଧାନ କୁଇଣ୍ଟାଲର ସହାୟକ ଦର ୨୯୫୦ ଟଙ୍କା କରିବାକୁ ଆମ ରାଜ୍ୟ ସରକାର ଦାବି କରୁଛନ୍ତି। ଏହା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର କରିବାର କଥା। ଏହାକୁ ଗ୍ରହଣ କଲେ ବଜାରରେ ଚାଉଳ କିଲୋ ହୁଏତ ୪୫/୫୦ଟଙ୍କା ହେବ। ସାଧାରଣ ଖାଉଟିଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ। ଖାଦ୍ୟ ସୁରକ୍ଷା ଆଇନ ବଳରେ ଚାଉଳ କିଲୋ ଯେଭଳି ୩ଟଙ୍କାରେ ଏବଂ ଓଡ଼ିଶାରେ ଏକ ଟଙ୍କାରେ ଯୋଗାଯାଉଛି ତାହା ସମ୍ଭବ ହେବନାହିଁ। ଏ ସମ୍ପର୍କରେ ସବୁ କଥାକୁ ହିସାବକୁ ନେଇ ଧାନ ଉତ୍ପାଦନ ପାଇଁ ପ୍ରକୃତରେ କେତେ ଖର୍ଚ୍ଚ ହେଉଛି ଓ ଚାଷୀମାନେ ଧାନ କୁଇଣ୍ଟାଲ ପିଛା କେତେ ଟଙ୍କା ପାଉଛନ୍ତି, ତା’ଉପରେ ସରକାର ଏକ ​‌େ​‌ଶ୍ବତପତ୍ର ପ୍ରକାଶ କଲେ ଭଲ ହୁଅନ୍ତା। କେବଳ ନିଜ ଦଳକୁ ନେଇ ଆନ୍ଦୋଳନ ନକରି ସବୁ ରାଜନୈତିକ ଦଳ ଓ ରାଜ୍ୟରେ ଥିବା ପ୍ରମୁଖ କୃଷକ ସଂଗଠନଗୁଡ଼ିକୁ ନେଇ ରାଜ୍ୟର ଦାବି କେନ୍ଦ୍ର ସରକାର ପାଖରେ ଉପସ୍ଥାପନ କଲେ ହୁଏତ ତାଙ୍କର ଦାବି ଗ୍ରହଣଯୋଗ୍ୟ ହୁଅନ୍ତା। ସେଥିପାଇଁ ସରକାର ଖୋଲା ମନରେ ବିରୋଧୀ ରାଜନୈତିକ ଦଳ ଓ କୃଷକ ସଂଗଠନଗୁୁଡ଼ିକ ସହ ଆଲୋଚନା କରିବା ଆବଶ୍ୟକ। କୃଷିଜାତ ପଦାର୍ଥର ସହାୟକ ମୂଲ୍ୟ ନିର୍ଦ୍ଧାରଣ ବା ବୃଦ୍ଧି କେବଳ ଓଡ଼ିଶାର ସମସ୍ୟା ନୁହେଁ। ଏହା ଏକ ଜାତୀୟ ସମସ୍ୟା। ଦେଶର ସବୁ ଧାନ ଉତ୍ପାଦନକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆମ ମୁଖ୍ୟମନ୍ତ୍ରୀ ଆଲୋଚନା କରି କେନ୍ଦ୍ର ପାଖରେ ସେମାନେ ଦାବି ଉପସ୍ଥାପନ କଲେ ଏହାର ଗୁରୁତ୍ବ ନିଶ୍ଚୟ ରହିବ। ମୁଖ୍ୟମନ୍ତ୍ରୀ ସେଥିପାଇଁ ଧ୍ୟାନଦେବା ଦରକାର।
କେବଳ କେନ୍ଦ୍ର ସରକାର ନୁହନ୍ତି, ରାଜ୍ୟର ମଧ୍ୟ ଏ କ୍ଷେତ୍ରରେ ବହୁ ଦାୟିତ୍ବ ରହିଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ଆଉ କେତେକ ରାଜ୍ୟ କେନ୍ଦ୍ର ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ଦର ସହିତ ଚାଷୀକୁୁ ପ୍ରତି କୁଇଣ୍ଟାଲ ଧାନରେ ୨୦୦-୩୦୦ଟଙ୍କା ଲେଖାଁ ବୋନସ୍‌ ଭାବେ ଦେଉଛନ୍ତି। ଆମ ମୁଖ୍ୟମନ୍ତ୍ରୀ ବରଗଡ଼ର ଏକ ବିରାଟ ଚାଷୀ ସମାବେଶ​‌େ​‌ର ପ୍ରତି ଧାନ କୁଇଣ୍ଟାଲରେ ରାଜ୍ୟ ସରକାର ଶହେଟଙ୍କା ବୋନସ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ରାଜ୍ୟରେ ଧାନର ଅଭାବୀ ବିକ୍ରି ଚାଲିିଛି। ଏବେ ଧାନର ସହାୟକ ମୂଲ୍ୟ ୧୭୫୦ ଟଙ୍କା ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ଚାଷୀମାନଙ୍କଠାରୁ ଧାନ କିଣିବାରେ ଟାଳଟୁଳ ନୀତି ଗ୍ରହଣ କରିଥିବାରୁ ଚାଷୀ ବାଧ୍ୟ ହୋଇ ୧୩୦୦/୧୪୦୦ ଟଙ୍କାରେ ଧାନ କୁଇଣ୍ଟାଲ ବିକ୍ରି କରୁଛି। କୃଷକ ସଂଗଠନର ଅନ୍ୟତମ ଦାବି ହେଉଛି ଚାଷୀକୁ ପେନସନ୍‌ ଦିଆଯାଉ। ସବୁ ଦୃଷ୍ଟିରୁ ବିଚାର କରି ସରକାର ଏହା
ଉପରେ ନିଷ୍ପତ୍ତି ନେବା ଉଚିତ।
ସରକାର ଭାବନ୍ତି ଚାଷୀର ଗୋଟେ ପ୍ରେଷ୍ଟିଜ କ’ଣ! ସେ ତ ଗାଁ ଗହଳର ମଳିମୁଣ୍ଡିଆ ଚାଷୀ। ବର୍ଷ ସାରା ଖରାବର୍ଷା ସହି, ପାଣିକାଦୁଅରେ ଘାଣ୍ଟି ହୋଇ ଯେ ଚାଷ କରୁଛି ତା’ର ପ୍ରେଷ୍ଟିଜ ବା ସମ୍ମାନ କ’ଣ? ସେ କ’ଣ ଆମ ସରକାରୀ ବଡ଼ଲୋକ, ମନ୍ତ୍ରୀ, ବିଧାୟକ, ସାଂସଦ କିମ୍ବା ଅଫିସରମାନଙ୍କ ସମକକ୍ଷ ହୋଇପାରିବ ନା ତାଙ୍କ ପାଖରେ ଭରସିକରି କଥା କହିପାରିବ? ଆମେ ସବୁ ହେଲୁ ହାକିମ, ​‌େ​‌ସମାନେ ଆମ ପ୍ରଜା। ରାଜା ବା ଶାସକଙ୍କର ସମ୍ମାନକୁ ରକ୍ଷାକରିବା ସେମାନଙ୍କର କାମ। ସେମାନଙ୍କର ଗୋଟେ ସମ୍ମାନ ଆସିଲା କୁଆଡ଼ୁ! ସେଇ ଚାଷୀଟିର ପିଲା ହାକିମ ହୋଇଗଲେ, ତା ମୁହଁରୁ ମଧ୍ୟ ଏଭଳି ଭାଷା ବାହାରୁଛି ଓ ତା’ର ବ୍ୟବହାର ପରିବର୍ତ୍ତନ ଦେଖାଦେଉଛି। ଏଥିରେ ଦୋଷ କାହାର! ଦୀର୍ଘ ଦେଢ଼ଶହ ବର୍ଷ ନିଜର ସ୍ବାଧୀନତା ହରାଇ ଇଂରେଜମାନଙ୍କର ପ୍ରଜା ହୋଇ ରହିଥିବାରୁ, ଆମ ଦେଶୀ ସାହେବମାନଙ୍କୁ ଏଭଳି ମାନସିକତା ଗ୍ରାସ କରିଛି। ଦାସ ମନୋବୃତ୍ତିର ଶିକାର ହୋଇଯାଇଛନ୍ତି ସେମାନେ। ଭୁଲିଯାଉଛନ୍ତି ସେମାନେ ଯେ ଚାଷୀ ହେଉଛି ଜମିର ମାଲିକ। ଅତୀତରେ ଦିଗ୍‌ବିଜୟୀ ଓଡ଼ିଆ ଜାତିର ସେ ଥିଲା କୃଷକ ସେନା। ଚାଷ କରି ସେ ଫସଲ ଉଠାଏ, ନିଜ ପରିବାରର ଭରଣପୋଷଣ କରେ ଓ ଜାତି ମୁହଁରେ ଦାନା ଦିଏ। ରାଜ୍ୟ ଉପରେ ବିପଦ ପଡ଼ିଲେ, କିମ୍ବା ଦିଗ୍‌ବିଜୟର ଆବଶ୍ୟକତା ହେଲେ ସେ ବୀର ସୈନିକ ସାଜି ଏ ରାଜ୍ୟ ପାଇଁ ଯୁଦ୍ଧକରେ। ଏ ଜାତିକୁ ଯେ ଦାନା ଦିଏ ଓ ଶହଶହ ବର୍ଷ ଧରି ଯେଉଁମାନେ ତାଙ୍କୁ ସୁରକ୍ଷା ଦେଇ ଆସୁଥିଲେ ସେମାନଙ୍କ ସମ୍ମାନ ତ ସବୁଠାରୁ ଉଚ୍ଚରେ। ଆମ ଏ ଯୁଗର ହାକିମମାନେ ତାହା ବୁଝିବା ଦରକାର।
ଉପରୋକ୍ତ ତିନିଟି ପ୍ରସଙ୍ଗକୁୁ ନେଇ ନବନିର୍ମାଣ କୃଷକ ସଂଗଠନ ଦୀର୍ଘଦିନ ଧରି ତା’ର ଆନ୍ଦୋଳନ ଜାରି ରଖିଛି। ଗତ ବର୍ଷ ରାଜଧାନୀ ଭୁବନେଶ୍ବରରେ ଏକ ବିଶାଳ ସମାବେଶ କରିବାକୁ ଆସୁଥିବା କୃଷକମାନଙ୍କୁ ସରକାର ବାଟରେ ଓ ଭୁବନେଶ୍ବର ଉପକଣ୍ଠରେ ଅଟକାଇଲେ। ଏ ବର୍ଷ ମଧ୍ୟ ସରକାରଙ୍କର ସେଭଳି ଆଭିମୁଖ୍ୟର କୌଣସି ପରିବର୍ତ୍ତନ ହେଲନାହିଁ। ଚାଷୀମାନେ ସଂଗଠିତ ହୋଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ରାଜଧାନୀ ଭୁବନେଶ୍ବରରେ ତାଙ୍କର ସମାବେଶକୁ ଆସିଲାବେଳେ ସେମାନଙ୍କୁ ରେଳଷ୍ଟେସନ, ବସଷ୍ଟାଣ୍ଡ, ଏପରିକି ରାସ୍ତାରେ ପୁଲିସ ଲଗାଇ ଅଟକାଇ ଦିଆଗଲା। ତା’ସତ୍ତ୍ବେ ହଜାରହଜାର ଚାଷୀ ଭୁବନେଶ୍ବରର ଉପକଣ୍ଠରେ ଆସି ପହଞ୍ଚିଲେ। ଜାତୀୟ ରାଜପଥରେ କଟକ ପଟୁ ଆସୁଥିବା ଚାଷୀମାନଙ୍କୁ ହଂସପାଳଠାରେ ଓ ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ଼ ପଟୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋଠାରେ ପୁଲିସ ଅଟକାଇଲେ। ହଂସପାଳଠାରେ ତ ପୁଲିସ ଲାଠିଚାର୍ଜ ହେଲା। ସେମାନେ ଭୁବନେଶ୍ବରରେ ପଶି ପାରିବେ ନାହିଁ ବୋଲି ଧମକ ଦିଆଗଲା ଓ ସରକାରଙ୍କ ତରଫରୁ ଶକ୍ତିପ୍ରୟୋଗ କରି ସେମାନଙ୍କୁ ଭୁବନେଶ୍ବରରେ ପ୍ରବେଶ କରାଇ ଦିଆଗଲାନାହିଁ।
ରାଜ୍ୟସରକାରଙ୍କର ଚାଷୀମାନଙ୍କ ପ୍ରତି ଏଭଳି ଆଭିମୁଖ୍ୟକୁ ଆମେ ନାପସନ୍ଦ କରୁଛୁ। ଚାଷୀମାନଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରକୁ ଏହା ଦ୍ବାରା ହତ୍ୟା କରାଗଲା। ସମ୍ବିଧାନର ଧାରା ୧୯ରେ ଥିବା କଥା କହିବା ଓ ମୁକ୍ତ ଭାବରେ ନିଜର ମତ ପ୍ରକାଶ କରିବାର ଅଧିକାରକୁ ଅପହରଣ କରାଗଲା। ସମ୍ବିଧାନର ଧାରା ୨୧ରେ ଥିବା, ଜୀବନ ଓ ଜୀବନର ନିରାପତ୍ତା ପାଇଁ ଥିବା ଅଧିକାରର ମଧ୍ୟ ନଗ୍ନ ଉଲ୍ଲଙ୍ଘନ କରାଗଲା। ଦେଶର ଜନସାଧାରଣଙ୍କର ସାମ୍ବିଧାନିକ ଅଧିକାରକୁ ସଂକୁଚିତ କରିବା କିମ୍ବା ଅପହରଣ କରିବା କେବେହେଲେ ଗ୍ରହଣୀୟ ନୁହେଁ। ସରକାର ଶକ୍ତି ପ୍ରୟୋଗ କରି ନବନିର୍ମାଣ କୃଷକ ସଂଗଠନକୁ ରାଜଧାନୀରେ ପ୍ରବେଶ କରିବାକୁ ନଦେବାରୁ ସେମାନେ ଉଗ୍ର ହୋଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ତାଙ୍କର ଆନ୍ଦୋଳନ ଚଳାଇ ରଖିଛନ୍ତି। ‘ଚାଷୀମାନଙ୍କୁ ଯଦି ତାଙ୍କର ରାଜଧାନୀ ମନା, ନେତାମାନଙ୍କୁ ସେଭଳି ଗାଁକୁ ଯିବା ମନା’ କହି ଆନ୍ଦୋଳନ କରୁଛନ୍ତି। ଗଣତନ୍ତ୍ର ପ୍ରତି ଏହା ଶୁଭଙ୍କର ନୁହେଁ। ଚାଷୀମାନେ ତ ପ୍ରକୃତରେ ଏ ମାଟିର, ଏ ରାଜ୍ୟର ମାଲିକ। ସେମାନଙ୍କୁ ତାଙ୍କ ରାଜ୍ୟର ରାଜଧାନୀକୁ ଆସି ଆନ୍ଦୋଳନ କରିବାର ଅଧିକାରରୁ ବଞ୍ଚିତ କରିବା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ। ସରକାର ନବ ନିର୍ମାଣ କୃଷକ ସଂଗଠନ ସହିତ ଆଲୋଚନା କରି ଏ ସମସ୍ୟାର ସମ୍ମାନଜନକ ସମାଧାନ କରିବା ଆବଶ୍ୟକ।

Leave A Reply