ସଫଳତା ଓ ବିଫଳତା

0

ଡ. ଦେବୀଲାଲ ମିଶ୍ର

ଆମ ଭିତରୁ ପ୍ରାୟ ସମସ୍ତେ ସବୁବେଳେ ନିଜନିଜ ଲକ୍ଷ୍ୟ ହାସଲରେ ସଫଳ ହେବାକୁ ବ୍ୟଗ୍ର। ସଫଳତା ନିଶ୍ଚିତଭାବେ ସମସ୍ତଙ୍କୁ ଖୁସି ଦେଇଥାଏ। କେହି କେତେବେଳେ ବିଫଳ ହେବାକୁ ଚାହାନ୍ତି ନାହିଁ। ଆଜିକାଲି ଅନେକ ଲୋକ ତ ବିନା ପ୍ରୟାସରେ ସଫଳ ହେବାକୁ ସ୍ବପ୍ନ ଦେଖୁଛନ୍ତି, କିନ୍ତୁ ଏଇ ସଫଳତା ପ୍ରକୃତରେ କ’ଣ? ଖାଲି କ’ଣ ଗୋଟିଏ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିପାରିଲେ ଜଣେ ସଫଳ ମଣିଷ ହୋଇପାରିବ? ସେମିତି ଦେଖିଲେ ଜଣକର ଲକ୍ଷ୍ୟ ନକାରାତ୍ମକ ବି ହୋଇପାରେ। ତା’ହେଲେ ଆମେ କ’ଣ ବଡ଼ବଡ଼ ଚୋର, ଠକ ଓ ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ସଫଳ ମଣିଷବୋଲି କହିପାରିବା? ନା, କେବେ ନୁହେଁ, କାରଣ ସଫଳତା ଏକ ସକାରାତ୍ମକ ଅନୁଭୂତି।
ସଫଳତା ଏବଂ ବିଫଳତା ଏ ଦୁଇଟି ଭିନ୍ନଭିନ୍ନ ମାନସିକ ସ୍ଥିତି। ପ୍ର​‌େ​‌ତ୍ୟକ ମଣିଷର ମାନସିକ ସ୍ଥିତି ସ୍ବତନ୍ତ୍ର। ଏହି ସ୍ବତନ୍ତ୍ର ମନସ୍ତତ୍ତ୍ବ ସ୍ବତନ୍ତ୍ର ବ୍ୟବହାରକୁ ଜନ୍ମ ଦେଇଥାଏ ଏବଂ ଏହି ସ୍ବତନ୍ତ୍ର ବ୍ୟବହାର ଜଣକ ପାଇଁ ଏକ ସ୍ବତନ୍ତ୍ର ପରିସ୍ଥିତି ଓ ସ୍ଥିତି ସୃଷ୍ଟି କରିଥାଏ। ଦେଖିବାକୁ ଗଲେ ଜୀବନରେ ବିଫଳତା ବୋଲି କିଛି ନାହିଁ। କୌଣସି ଏକ ଲକ୍ଷ୍ୟକୁ ହାସଲ କରିପାରିଲେ ଯେ ଜଣେ ସଫଳ ଓ ନ କରିପାରିଲେ ବିଫଳ ବୋଲି ଭାବିବା ଭୁଲ। କାରଣ ବହୁ ଲୋକ ଛୋଟିଆ ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇ ବହୁତ ବଡ଼ ଜାଗାରେ ପହଞ୍ଚି ପାରିଛନ୍ତି। ତା’ହେଲେ ସେମାନଙ୍କୁ କ’ଣ ଆମେ ବିଫଳ ବୋଲି କହିବା? ପ୍ରତ୍ୟେକ ମଣିଷ ଭିତରେ ଅସୀମ ସମ୍ଭାବନା ରହିଛି। ନିଜ ସାମର୍ଥ୍ୟର ଅନ୍ବେଷଣ କରିବା ଉଚିତ୍‌। କେବେ କୌଣସି ଲକ୍ଷ୍ୟ ଆମ ସାମର୍ଥ୍ୟଠାରୁ ବଡ଼ ନୁହେଁ। ଗୋଟିଏ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେଲେ ଆମେ ଯେ ଜୀବନରେ ସଫଳ ହୋଇପାରିବା ନାହିଁ ଏ ଧାରଣା ନିଶ୍ଚିତ ଭାବେ ଭ୍ରମାତ୍ମକ। ବହୁ ଅଭିଭାବକ ନିଜ ପିଲାମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ ଥାନ୍ତି। ପିଲା କ’ଣ ପଢ଼ିବ, କ’ଣ କରିବ- ଏମତି ଅନେକ ପ୍ରଶ୍ନ ସେମାନଙ୍କୁ ଆନ୍ଦୋଳିତ କରେ। ଯଦି ଗୋଟିଏ ପିଲା ତା ଲକ୍ଷ୍ୟ ହାସଲ କରିନପାରେ ତେବେ ସେ ଅସହାୟ ଅନୁଭବ କରେ। କୌଣସି ବୃତ୍ତିକୁ ନିଜ ଜୀବନର ଲକ୍ଷ୍ୟ ନକରି, ଜୀବନକୁ ନିଜ ଲକ୍ଷ୍ୟ କରିବା ଦରକାର। ଆମର କେଉଁ ଭଳି ଜୀବନ ଦରକାର ତାହା ଆମେ ନିଜେ ନିର୍ଦ୍ଧାରିତ କରିପାରିବା। ବୃତ୍ତି ତ ଏକ ମାଧ୍ୟମ। ଯଦି ଗୋଟିଏ ବୃତ୍ତି ଆମକୁ ସେ ଜୀବନ ନଦେଇ ପାରିଲା, ତେବେ ଅସଂଖ୍ୟ ମାର୍ଗ ରହିଛି ସେଇ ଜୀବନକୁ ବଞ୍ଚିବା ପାଇଁ। ସଫଳତା ପାଇଁ ଦରକାର ଚାରିତ୍ରିକ ସ୍ଥିରତା, ନିଜ ଉପରେ ଅଖଣ୍ଡ ବିଶ୍ବାସ, ପ୍ରେମ, ଧୈର୍ଯ୍ୟ ଓ ଅଧ୍ୟବସାୟ। ଖାଲି ଜଣେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ସଫଳ ହୋଇଯାଏନା। ବ୍ୟକ୍ତିର ବ୍ୟବହାର ହିଁ ତା’ର ସଫଳତାର ମାପକାଠି। ଯଦି ଗୋଟିଏ ଲୋକ ବହୁତ ବଡ଼ ପୁରସ୍କାର ପାଇଥାଏ, କିନ୍ତୁ ତା’ର ପରିବାର ଏବଂ ଲୋକମାନଙ୍କ ପ୍ରତି ତା’ର କର୍ତ୍ତବ୍ୟକୁ ଭୁଲିଯାଏ, ତାକୁ କେବେ ସଫଳ ବ୍ୟକ୍ତି ବୋଲି କୁହାଯିବ ନାହିଁ।
ସଫଳତା କେବେ ଏକ ସଙ୍କୁଚିତ ଶବ୍ଦ ନୁହେଁ, ଅପିତୁ ଏହା ଏକ ଉନ୍ମୁକ୍ତ, ସମ୍ପ୍ରସାରିତ ମାନସିକତାକୁ ଜନ୍ମ ଦେଇଥାଏ। ପ୍ରକୃତ ସଫଳତା ପାଇବାକୁ ହେଲେ ଆମକୁ ଭଲ ମଣିଷଟିଏ ହେବା ନିହାତି ଦରକାର ଏବଂ ସେଥିପାଇଁ ଆମର ଚାରିତ୍ରିକ ବିକାଶ ଅପରିହାର୍ଯ୍ୟ। ଏ ଦୁନିଆରେ କୌଣସି ବି ଜିନିଷ ଅସମ୍ଭବ ନୁହେଁ ଯଦି ଆମ ପାଖରେ ସତ୍ୟ, ପ୍ରେମ ଓ ବିଶ୍ବାସ ରହିଛି। ପ୍ରକୃତରେ ଦେଖିବାକୁ ଗଲେ ଆମେ ଯାହାକୁ ବିଫଳତା ବୋଲି କହୁ, ତାହା ଏକ ଦୁର୍ବଳ ମାନସିକତା ମାତ୍ର। କୌଣସିି ଜିନିଷ ପାଇଁ ଆମ ପ୍ରୟାସ ସଫଳ ହେଲେ ଆମ ଦୃଷ୍ଟିରେ ତାହା ସଫଳତା ଅଟେ ଏବଂ ଯଦି ପ୍ରୟାସ ବିଫଳ ହୁଏ ଆମ ଦୃଷ୍ଟିରେ ତାହା ବିଫଳତା ଅଟେ। ତେଣୁ ଉଭୟ ସଫଳତା ଓ ବିଫଳତାରେ ପ୍ରୟାସ ବା ଉଦ୍ୟମ ଲୁଚିରହିଥାଏ। ଆମକୁ ଏଇଠି ଗୋଟିଏ କଥା ମନେ ରଖିବାକୁ ହେବ ଯେ କୌଣସି କାର୍ଯ୍ୟପାଇଁ ଆ​‌େ​‌ମ କରିଥିବା କୌଣସି ପ୍ରୟାସ କେବେବି ବୃଥା ଯାଏ ନାହିଁ। ହୃଦୟରୁ କରାଯାଇଥିବା ପ୍ରତ୍ୟେକ ପ୍ରୟାସ ଆମକୁ କୌଣସି ନା କୌଣସି କାର୍ଯ୍ୟରେ ବା ଲକ୍ଷ୍ୟ ହାସଲରେ ସାହାଯ୍ୟ କରେ। ପ୍ର​‌େ​‌ତ୍ୟକ ବିଫଳ ପ୍ରୟାସ ମଧ୍ୟରେ ଏକ ସଫଳ ଶିକ୍ଷା ଓ ଅଭିଜ୍ଞତା ଲୁଚି ରହିଥାଏ। ପ୍ରକୃତରେ ଦେଖିବାକୁ ଗଲେ ଜିତିବାରେ ବା ହାରିବାରେ କୌଣସି ମୂଲ୍ୟ ନଥାଏ। ପ୍ରକୃତ ମୂଲ୍ୟ ଥାଏ ଶିଖିବାରେ ଏବଂ ସେ ଶିକ୍ଷା ସହ ଆଗକୁ ବଢ଼ିବାରେ। ବେଳେବେଳେ ଜୀବନରେ ଜିତିବାଠାରୁ ହାରିବା ବେଶି ଗୁରୁତ୍ବପୂର୍ଣ୍ଣ ପାଲଟିଥାଏ, ଯଦି ସେ ହାରିବାରୁ ଏକ ଉନ୍ନତ ଚରିତ୍ର ଏବଂ ନିଜକୁ ଆବିଷ୍କାର କରିବାର ଉଦ୍ୟମର ଜନ୍ମ ହୋଇପାରେ। ସ୍ବାମୀ ବିବେକାନନ୍ଦଙ୍କ ଭାଷା​‌େ​‌ର ଆମେ ନିଜେ ହିଁ ନିଜର ଭାଗ୍ୟବିଧାତା। ଆମର କୌଣସି ବି ପରିସ୍ଥିତି ପାଇଁ ଆମେ କାହାକୁ ଦୋଷ ଦେବା ଅନୁଚିତ। ପବିତ୍ରତା, ଅଧ୍ୟବସାୟ, ଅନୁରାଗ, ପ୍ରେମ ଓ ଧୈର୍ଯ୍ୟ ସଫଳତାର ମୂଳ କାରଣ। ପ୍ରକୃତ ସଫଳତା ଏକ ବିଫଳ ପରିସ୍ଥିତିରୁ ହିଁ ଜନ୍ମ ନେଇଥାଏ। ବିଫଳତା ବିନା ସଫଳତାକୁ ଅନୁଭବ କରାଯାଇ ନପାରେ। ତେଣୁ ବିଫଳତାରେ ବ୍ୟତିବ୍ୟସ୍ତ ନହୋଇ ଏକ ନୂତନ ସଫଳତାର ସନ୍ଧାନ କରିବା ଆମର କର୍ତ୍ତବ୍ୟ ହେବା ଦରକାର। ତା’ହେଲେ ଯାଇ ଆମେ ଜୀବନରେ ପ୍ରକୃତ ସଫଳତାର ଆନନ୍ଦ ପାଇପାରିବା।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ,
debilalmishra@gmail.com

Leave A Reply