ସର୍ତ୍ତର ଉପହାର

0

ଚିନ୍ମୟ କୁମାର ହୋତା

ବଜାରରେ ଯୁଆଡେ ଦେଖିଲେ ସିଆଡେ ରିଆତିର ବର୍ଷା। ଶତକଡା ପାଞ୍ଚରୁ ଆରମ୍ଭ କରି ଅନେଶତ ପର୍ଯ୍ୟନ୍ତ ସବୁ ଦରର ରିଆତି ଦେବା ପାଇଁ ଦୋକାନୀମାନେ ପ୍ରସ୍ତୁତ। ଖବରକାଗଜ ହେଉ ବା ରାସ୍ତା କଡର ହୋର୍ଡିଙ୍ଗ, ଟିଭିର ଝକମକିଆ ବିଜ୍ଞାପନ ହେଉ ବା ମୋବାଇଲର ଅଯାଚିତ ମେସେଜ, ସବୁଠି ରହିଛି ଗ୍ରାହକଙ୍କ ପାଇଁ କିଛି ନା କିଛି ପ୍ରଲୋଭନ। ଦରରେ ଜୋରଦାର ଛାଡ ବ୍ୟତୀତ ପୁଣି ରହିଛି ଆଜୀବନ ୱାରେଣ୍ଟି, ମାଗଣା ମରାମତି, ଗୋଟିଏ ସାଙ୍ଗରେ ଗୋଟିଏ ଫ୍ରି, ବିନା ସୁଧରେ କିସ୍ତି ଦେୟ ଇତ୍ୟାଦି ଇତ୍ୟାଦି କେତେ ଆକର୍ଷଣୀୟ ଉପହାର। ଆପଣଙ୍କ ଦିନଗୁଡିକୁ ଉତ୍ସବ ମୁଖରିତ କରିବା ପାଇଁ ସତେ ଯେମିତି କମ୍ପାନୀ ଓ ଦୋକାନୀ ବାପୁଡାମାନେ ବଦ୍ଧପରିକର। ରଙ୍ଗରଙ୍ଗିଆ ଓ ଆଖିଦୃଶିଆ ଏହି କିସମକିସମର ପ୍ରୀତି ଉପହାର ଭିତରେ କିନ୍ତୁ ଗୋଟିଏ ଜିନିଷ ଆପଣ ନିଶ୍ଚୟ ପଢିବାକୁ ପାଇବେ, ତାହା ହେଲା “ସର୍ତ୍ତାବଳୀ ଲାଗୁ ହେବ।’’ ସର୍ତ୍ତ ବିଷୟରେ ଗ୍ରାହକଙ୍କୁ ସତର୍କ କରୁଥିବା ପାଦଟୀକା ଏତେ ମିଞ୍ଜିମିଞ୍ଜିଆ ଅକ୍ଷରରେ ଲେଖା ହେଇଥିବ ଯେ ଅନେକେ ଏହାକୁ ପଢିପାରିବେ ନାହିଁ।
ଯିଏ ପଢିପାରିଲା ଓ ସର୍ତ୍ତ ସବୁ କଣ ସେ ବିଷୟରେ ଅନୁସନ୍ଧାନ କଲା ସେ ଜାଣିବାକୁ ପାଇବ ଯେ ଏକ ନିର୍ଦିଷ୍ଟ ପରିମାଣ ଉପରକୁ ଖର୍ଚ୍ଚ କଲେ ଯାଇଁ ଗ୍ରାହକ ଏ ସବୁ ରିଆତି ବା ପ୍ରୀତି ଉପହାରର ହକଦାର ହେବେ, ନ ହେଲେ ନାଇଁ। ଆପଣ ପଚାରିବେ, ହଇଓ ବାବୁ, ମୋତେ ଏତେ ମନମତାଣିଆ ବିଜ୍ଞାପନ ସବୁ ଦେଖେଇ, ମୋବାଇଲକୁ ସନ୍ଦେଶ ପଠେଇ, ଦୋକାନ ଆଗରେ ସ୍ବାଗତଂର ରଙ୍ଗିନ ତୋରଣ ଲଗେଇ ରିଆତିର ଥୋପ ଗିଳେଇଲ, ଏବେ କଣ କହୁଛ ନା ଅଧିକ ଖର୍ଚ୍ଚ କର, ନ ହେଲେ ଆଗ ଦୋକାନ ଦେଖ?ଏ କି ପ୍ରକାର ଅତିଥିପରାୟଣତା? ଏ କି ପ୍ରକାର ଉପହାର? ପଚାରିଲେ କହୁଛ କଣ ନା ଆମେ ତ ସବୁ ଲେଖିଥିଲୁ, ଆପଣ ପୂରା ପଢି ଆସିବାର ଥିଲା।
ଆଜ୍ଞା,ଏବେ ଆସନ୍ତୁ ଅସଲ କଥାକୁ ଆସିବା। ବ୍ୟବସାୟର ଦୁନିଆ ଆଉ ଆଗ ଭଳି ସରଳ ହୋଇ ନାହିଁ। ଗ୍ରାହକର ଦୃଷ୍ଟି ଆକର୍ଷଣ କରିବାର ତୀବ୍ର ପ୍ରତିଯୋଗିତା ଭିତରେ ହଜି ଯାଇଛି ସ୍ପଷ୍ଟବାଦିତା ଓ ସିଧାକଥା। ବ୍ୟବସାୟର ପରିସର ଭିତରକୁ ପଶିଆସିଛି ଶଠତା ଓ ପ୍ରବଞ୍ଚନା। ଅର୍ଦ୍ଧସତ୍ୟ, ଉହାଡରେ ଛପି ଥିବା ସତ୍ୟ ବା ଫାଇନ ପ୍ରିଣ୍ଟ ଇତ୍ୟାଦି ଆଜି ବିଜ୍ଞାପନ ଗୁଡିକର ପରିଭାଷାକୁ କବଳିତ କରିସାରିଲେଣି। ଏହି ବିଜ୍ଞାପନ ତିଆରି କରିବା ପଛରେ ଥାଏ ଖୁବ ବିଚକ୍ଷଣ, ଚତୁର ଓ ମଣିଷର ମନ ଓ ଚରିତ୍ରକୁ ଠିକ ବୁଝିଥିବା ବିଶାରଦମାନଙ୍କର ହାତ। ଗୋଟିଏଗୋଟିଏ ବିଜ୍ଞାପନ ତିଆରି କରିବା ପାଇଁ ଓ ସେଗୁଡିକୁ ଗ୍ରାହକ ସାମନାକୁ ଆଣିବା ପାଇଁ ଲାଗିଥାଏ ଅଜସ୍ର ଟଙ୍କା, ଯାହାର ଭରଣା କରେ ଶେଷରେ ସେହି ଗ୍ରାହକ। ବିଜ୍ଞାପନଗୁଡିକର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଲା କେମିତି ଅଧିକରୁ ଅଧିକ ଗ୍ରାହକଙ୍କୁ ଦୋକାନର ଦ୍ବାରଦେଶରେ ପହଞ୍ଚାଇବ। ଏହି ଲକ୍ଷ୍ୟ ସାଧନ ପାଇଁ ଯେତେ ସବୁ ଛାଡ, ରିଆତି, ପୁରସ୍କାର ଓ ଉପହାର ଯୋଜନା। ଏ ସବୁର ଲୋଭରେ ଆକର୍ଷିତ ହୋଇ ଦୋକାନରେ ପହଞ୍ଚିଥିବା ଗ୍ରାହକଙ୍କ ଭିତରୁ ଅନେକେ ଖାଲି ହାତରେ ଫେରିଯିବା ଅପେକ୍ଷା କିଛି କିଣି ନେବା ଶ୍ରେୟସ୍କର ମଣନ୍ତି,ସର୍ତ୍ତାବଳୀ ଯେତେ ଦୁରୂହ ହୋଇଥାଉ ପଛେ। ଅନାଗ୍ରହୀ ଆଗନ୍ତୁକଟିକୁ ଗ୍ରାହକରେ ପରିଣତ କରିବା ହିଁ ବିଜ୍ଞାପନର ସାଫଲ୍ୟ। ଏହି କାରଣରୁ ଆଜିର ବ୍ୟବସାୟ ବିଜ୍ଞାପନ ଉପରେ ବିଶେଷ ଭାବରେ ନିର୍ଭରଶୀଳ।
ମଣିଷର ମନସ୍ତତ୍ତ୍ବ ଏମିତି ଯେ ନିଜକୁ ସୁହାଇଲା ଭଳି ଜିନିଷ ତା ଆଖିରେ ଜଳଜଳ ହୋଇ ଦେଖାଯାଏ, କିନ୍ତୁ ଅସୁବିଧା ଜିନିଷ ତାର ଦୃଷ୍ଟି ଆଢୁଆଳକୁ ଚାଲିଯାଏ। ଏହି ପ୍ରବୃତ୍ତିର ଫାଇଦା ଉଠାଇ ବିଜ୍ଞାପନ ପ୍ରଣେତାମାନେ ରିଆତି ବା ମାଗଣା ଇତ୍ୟାଦିର ସୂଚନା ଖୁବ ପରିପାଟୀର ସହ ଦେଇଥାନ୍ତି, ଅଥଚ ସର୍ତ୍ତାବଳୀଗୁଡିକୁ ଏମିତି ଲେଖିଥାନ୍ତି ଯେମିତି ସେ ଆଡକୁ ସହଜରେ ଧ୍ୟାନ ନ ଯିବ। ଏଣୁ ସେ ବିଜ୍ଞାପନ ପଢି ବା ଦେଖି ଗ୍ରାହକ ଦୋକାନରେ ପହଞ୍ଚିବା ସମ୍ଭାବନା ବଢିଯାଏ, ଆଉ ରିଆତି ବା ଅଫର ଆଳରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚ କରାଇନେବା ସହଜ ହୋଇ ଥାଏ। ଏହି ପ୍ରକ୍ରିୟା ବାସ୍ତବ କ୍ଷେତ୍ରରେ କେମିତି ସଂଘଟିତ ହୋଇଥାଏ ତା’ର ନମୁନା ନିମ୍ନରେ ଦେଲି।
କିଛି ଦିନ ତଳେ ଜଣେ ସାଙ୍ଗ ଘରକୁ ବୁଲି ଯାଇଥିବା ବେଳେ ଦେଖିଲି ଘରର ଗୋଟିଏ କୋଣରେ ଥାକମରା ହୋଇ ଅନେକ ପ୍ଲାଷ୍ଟିକ ବାଲଟି ଥୁଆ ହୋଇଛି। ହସିହସି ପଚାରିଲି, “ପ୍ଲାଷ୍ଟିକ ଦୋକାନ ଖୋଲିଛ ନା କ’ଣ? ବନ୍ଧୁ ତାଙ୍କ ପତ୍ନୀଙ୍କ ଆଡେ ଇଙ୍ଗିତ କରି କହିଲେ, ଦୁଇ କେଜି ଦାମିକା ଲୁଗାଧୁଆ ପାଉଡର ସାଙ୍ଗରେ ଗୋଟିଏ ବାଲଟି ମାଗଣା ଅଫର ଚାଲିଥିଲା ତ, ୟାଙ୍କୁ ଭଲ ଲାଗିଲା ବୋଲି ଗତ ଦୁଇ ମାସ ଧରି ଏ ସବୁ ସଂଗ୍ରହ କରିଛନ୍ତି।’’ ମୁଁ କହିଲି, ‘ଭଲ କଥା, ତେବେ ଲୁଗାଧୁଆ ପାଉଡର ବି କୋଉଠି ଥାକମରା ହୋଇଥିବ’। ଆମ କଥା ଶୁଣୁଥିବା ବନ୍ଧୁପତ୍ନୀ ଉତ୍ସାହ ସହକାରେ ସେଠାକୁ ଚାଲି ଆସି ଗୋଟିଏ ଆଲମାରିର କବାଟ ଖୋଲି ଦେଇ କହିଲେ, ହଁ, ଏଇଠି ଅଛି। ମୁଁ ଦେଖିଲି ପାଉଡର ପ୍ୟାକେଟ ଆଲମାରିରୁ ଉଛୁଳିବା ଉପରେ। ଫେରିବା ବେଳେ ବନ୍ଧୁ ଓ ବନ୍ଧୁପତ୍ନୀ ପ୍ରାୟ ଜବରଦସ୍ତି ମୋ ହାତରେ ଦୁଇଟି ପ୍ଲାଷ୍ଟିକ ବାଲଟି ଓ ଦୁଇ ପ୍ୟାକେଟ ପାଉଡର ଗୁଞ୍ଜି ଦେଲେ,ବିନା ମୂଲ୍ୟରେ।
ସୌଭାଗ୍ୟ ନଗର, ଭୁବନେଶ୍ବର

Leave A Reply