ମନ୍ଦିରବୁଲା ଓ ଧର୍ମବକ

0

ଲାବଣ୍ୟଚନ୍ଦ୍ର ସାହୁ

ଭାରତର ପ୍ରାଚୀନ ସମୁନ୍ନତ ପରମ୍ପରା ଓ ଧାର୍ମିକ-ସଂାସ୍କୃତିକ ଜୀବନଧାରା, ଏକଦା ସମଗ୍ର ବିଶ୍ବକୁ ଚମତ୍କୃତ କରିଥିଲା। ଏହାର ଆଧ୍ୟାତ୍ମିକ ଦର୍ଶନବାର୍ତ୍ତାକୁ ଏବେ ମଧ୍ୟ ବଡ଼ବଡ଼ ରାଷ୍ଟ୍ରରେ ସଂସ୍ଥାପିତ ମଠ-ପୀଠ-ମିଶନ୍‌ (ରାମକୃଷ୍ଣ ମିଶନ୍‌, ଇସ୍‌କନ୍‌ ଇତ୍ୟାଦି) ପ୍ରଚାର କରୁଅଛି ଓ ଏହାର ଆଦୃତି ଅଛି। ବିଦେଶୀ ସଦସ୍ୟ ସଂଖ୍ୟା ବଢ଼ୁଛି। ମାତ୍ର ଖୋଦ୍‌ ଭାରତରେ ସମ୍ବିଧାନ ଧର୍ମନିରପେକ୍ଷତାର ମୋହର ମାରିଛି। ଭାରତୀୟଙ୍କ ଭଳି ଗ୍ରୀକ୍‌ ଏକ ପ୍ରାଚୀନ ଜାତି। ଗ୍ରୀକ୍‌ମାନଙ୍କ ବିଶ୍ବାସ ବିଜ୍ଞାନ ବିନା ମାନବ ସମାଜ ତିଷ୍ଠିପାରିବ, ମାତ୍ର ବିନା ଧର୍ମରେ ମାନବସମାଜ ତିଷ୍ଠିପାରିବ ନାହିଁ। କାରଣ ଧର୍ମ ହେଉଛି ନୈତିକତାର ଉତ୍ସ, ଏକତାର ରଜ୍ଜୁ। ଏହା ସାମାଜିକ ନିୟନ୍ତ୍ରଣର ମାଧ୍ୟମ। ଏହା ବ୍ୟକ୍ତିର ମାନସିକ ଦ୍ବନ୍ଦ୍ବ ପ୍ରଶମିତ କରିଥାଏ। ଧର୍ମ, ମଣିଷକୁ ଆସ୍ଥା ଓ ବିଶ୍ବାସ ଆଡ଼କୁ ମୁହାଇଁଦିଏ। ‘ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁଦୂର’ ସମ୍ଭବତଃ ଏହି ବିଶ୍ବାସକୁ ଦୃଢ଼ୀଭୂତ କରିଛି। ଆମ ସମାଜରେ ଭକ୍ତି ଓ ବିଶ୍ବାସର ଚେର ରସାତଳକୁ ଭେଦ କରିଛି। ମଣିଷର ଅନ୍ତର୍ବୃତ୍ତି ହେଲା- ଭକ୍ତି କରିବା; ବଡମାନଙ୍କୁ, ଗୁରୁଜନମାନଙ୍କୁ ସମ୍ମାନ କରିବା, ଲଘୁଜନଙ୍କୁ ଆଶୀର୍ବାଦ କରିବା। ମାତ୍ର ଧର୍ମରେ ବିଶ୍ବାସ ରଖି, କର୍ମକାଣ୍ଡରେ ମସ୍ତ ବ୍ୟକ୍ତି ଧାର୍ମିକ ମନଠାରୁ ଭିନ୍ନ। ଧାର୍ମିକ ମନ ଏପରି ଏକ ସ୍ଥିତି, ଯେଉଁଥିରେ ଡରଭୟ ନ’ଥାଏ। େସ ସତ୍ୟବାଦୀ ଓ ନିରହଙ୍କାରୀ ହୋଇଥିବାରୁ ମୁଣ୍ଡଟେକି ଚାଲେ। ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ। ଚଳେଇ ନିଏ। ଜଣେ ବ୍ରାହ୍ମ କବି ମଧୁସୂଦନ କହିଥିଲେ- ମନ୍ଦିର ଯିବାର ଆବଶ୍ୟକତା ନାହିଁ। କାରଣ ନିଜଠାରେ ଶ୍ରଦ୍ଧା, ଭକ୍ତି, ପ୍ରୀତି, ଦୟା, ଶୁଭାକାଂକ୍ଷା ଭଳି ଦିବ୍ୟଗୁଣଗୁଡ଼ିକ ସମାବେଶ କରିପାରିଲେ, ସେଥିରେ ଈଶ୍ବର ବିଦ୍ୟମାନ। ତାଙ୍କ ଦର୍ଶନ ପାଇପାରିବ।
ଆଜିର ମଣିଷ ଏକ ଫମ୍ପାମଣିଷ। ସମାଜ ନୀତିହୀନ, ରୁଚିହୀନ, ସତ୍ୟହୀନ ଭୂଇଁ ପାଲଟିଯାଇଛି। ଗୌତମବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ, ଶିବାନନ୍ଦ, ରାମକୃଷ୍ଣ, ବିବେକାନନ୍ଦଙ୍କ ଭଳି ଯୋଗୀ-ସନ୍ନ୍ୟାସୀଙ୍କ ପ୍ରତିଷ୍ଠିତ ମଠ-ପୀଠ ରହିଛି। ମାତ୍ର ଧର୍ମର ଠିକାଦାରି ଓ ନକଲି ଉପଦେଶ ବାଣ୍ଟୁଥିବା ବାବାମାନେ ବଳାତ୍କାର, ହତ୍ୟାକାଣ୍ଡ ଆଦି ହେତୁ ଜେଲ ଯିବାର ଦେଖୁଛୁ। ହୋମର ଧର୍ମରୁ ମନ୍ତ୍ର-ତନ୍ତ୍ର ହେତୁ ତତ୍ତ୍ବ ନିର୍ମୂଳ କରି ବିଚାରର ବୀଜ ବୁଣିଲେ। ଏବେ ବିଚାର ​‌େ​‌କ୍ଷତ୍ରରେ ମାରଣା ଷଣ୍ଢ ପଶିଗଲା। ରାୟର ପୁନର୍ବିଚାର ବୀଜ ବୁଣିଲେ। ଏବେ ବିଚାର ତର୍ଜମା ହେଉଛି। ତଳକୋର୍ଟର ରାୟକୁ ଉଚ୍ଚକୋର୍ଟ ଓ ତା’ଉପରେ ଉପରକୋର୍ଟ ଖାରଜକରି ପୁନଃ ରାୟ ଦେବାର ଦେଖାଯାଏ। ସାମାଜିକ ବିପ୍ଳବ ପରେ ଯେଉଁଠାରେ ବାମପନ୍ଥୀ ଚିନ୍ତାଧାରା ଜନ୍ମନେଲା; ସେଠାରେ ଧର୍ମକୁ କୁହାଗଲା ‘ଅଫିମ ନିଶା’। ପଛକୁ ଚାହିଁଲେ ଆମ ଆଗରେ ପୁରାତନ ସମାଜର ମୁହଁ ଦେଖାଯାଏ। ପୁରାତନ ସମାଜ ଅଧ୍ୟାତ୍ମଶୀଳ ହେଲେ ମଧ୍ୟ ଏହାକୁ ଏକ ପ୍ରକାର ଭାଗ୍ୟବାଦୀ ସମାଜ ଥିଲା ବୋଲି କୁହାଯାଏ। ବୈଦିକ ସଂସ୍କୃତିରେ ଦୈବୀ-ଦୁର୍ବିପାକ ବିନାଶପାଇଁ ଓ ବୃକ୍ଷ ବନସ୍ପତି ସମ୍ପନ୍ନ ପାଇଁ ଯାଗ-ଯଜ୍ଞରେ ଦେବଶକ୍ତିକୁ ଆବାହନ କରାଯାଇ, ସେମାନଙ୍କ ଉଦ୍ଦେଶ୍ୟରେ ଆହୂତି (ହବି) ପ୍ରଦାନ କରାଯାଇଥିଲା। ଏବେ ତାଙ୍କୁ ଚାପିଦେଇ ଅସଂଖ୍ୟ ଧାର୍ମିକ ଗୁରୁ ନିଜର ଆସ୍ଥାନ ଜାହିର କଲେଣି। ‘‘ମୁଁ ଅଜନ୍ମା, ବ୍ରହ୍ମଚାରୀ, ତୁମର ହର୍ତ୍ତାକର୍ତ୍ତା ଭାଗ୍ୟବିଧାତା’ ମୋ ପାଖରେ ଆତ୍ମସମର୍ପଣ କର। ତୁମର ବେଦନାକୁ ଶୋଷାଡ଼ି ତୁମକୁ ସମସ୍ତ ଦୁର୍ଗତିରୁ ମୁକ୍ତ କରିବି।’’ ଏଭଳି ଆଶ୍ବାସନାରେ ସମସ୍ୟା ଜର୍ଜରିତ ଭୟାତୁର ମଣିଷ, ଲାଞ୍ଛିତା, ନିର୍ଯାତିତା ନାରୀ ନିଜର ସର୍ବସ୍ବ ସମର୍ପଣ କରି ଅନାଗତ ଭବିଷ୍ୟତକୁ ଚାହିଁ ବସନ୍ତି।
ଆଜି ଧର୍ମର ଅନ୍ତର୍ଗୁଣ ମିଳେଇ ଯାଇଛି। ଏହା ଧନ୍ଦା ଓ ଫନ୍ଦାରେ ପରିଣତ ହୋଇଛି। ଯେଉଁମାନେ ଶାସନ ଗାଦିରେ ଥିଲେ, ଯେଉଁମାନେ ଏବେ ଶାସନ ଗାଦିନସୀନ ଅଛନ୍ତି ଓ ଯେଉଁମାନେ ଶାସନଗାଦିରେ ବସିବାକୁ ବାରପେଞ୍ଚରେ ଅଛନ୍ତି, ସମସ୍ତେ ଧର୍ମବକକୁ ପାଣିରେ ଏକଗୋଡ଼ିଆ ଠିଆ କରାଇ ଖୁଚୁରା କେରାଣ୍ଡି, ପୋହଳା ଯୋଗାଉଛନ୍ତି। ଆଶା, ଏମିତି ମଠ, ମନ୍ଦିର, ପୀଠ ବୁଲି, ଚନ୍ଦନ-ସିନ୍ଦୂର ମାଖି, ମଠ-ମନ୍ଦିରକୁ ଯାଉଥିବା ଭକ୍ତଙ୍କ ହୃଦୟଜିଣି, କ୍ଷମତାକୁ ଆସିଯିବାର ସ୍ବପ୍ନ ଦେଖନ୍ତି। ସଦାଚାର ଓ ବିବେକଶୀଳତାଠାରୁ ବଳି ଧର୍ମ ନାହିଁ।
୩୫,ବସନ୍ତବିହାର, ଭୁବନେଶ୍ବର-୧୮

Leave A Reply