ଆଉ ଏକ ୨୬/୧୧ ମୁକାବିଲା ପାଇଁ ଦେଶ ପ୍ରସ୍ତୁତ କି?

0

ଶରତ କୁମାର ମହାପାତ୍ର

୨୬/୧୧ ମୁମ୍ବଇ ଆକ୍ରମଣ ‘୯/୧୧’ ଆମେରିକା ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ସହ ତୁଳନୀୟ। ୨୬/୧୧ ଆତଙ୍କବାଦୀଙ୍କ ଦ୍ବାରା ହୋଇଥିବା ଆକ୍ରମଣର ମର୍ମନ୍ତୁଦ କାହାଣୀ କେବେବି ଭୁଲି ହେବନାହିଁ। ଲିଭିବ ନାହିଁ ସେହି କ୍ଷତ ଚିହ୍ନ। ନଭେମ୍ବର ୨୬ ଆତଙ୍କବାଦୀଙ୍କ ମୁମ୍ବଇ ଆକ୍ରମଣର ଏକ ଦଶନ୍ଧି ପୂର୍ତ୍ତି ଅବସରରେ ସମଗ୍ର ଦେଶ ମନେ ପକାଉଛି ସେହି ରକ୍ତ-ହୋରିଖେଳର ବିଭୀଷିକା। ୨୨ଜଣ ବିଦେଶୀ ନାଗରିକଙ୍କ ସମେତ ୧୮୩ ଜଣ ନିରୀହଙ୍କ ଜୀବନଦୀପ ଅକାଳରେ ଲିଭିଯାଇଥିଲା। ଭାରତର ଅର୍ଥନୈତିକ ପ୍ରାଣକେନ୍ଦ୍ର ମୁୁମ୍ବଇରେ ଘଟିଥିବା ଲୋମହର୍ଷଣକାରୀ ତାଣ୍ଡବକୁ ଟିଭି ପରଦାରେ ଦେଖିଥିବା ଦେଶବାସୀ ସେହି ହୃଦୟବିଦାରକ, ହୀନ, ଜଘନ୍ୟ, ଦୃଶ୍ୟକୁ ମନେ ପକାଇ ଏବେ ମଧ୍ୟ ଶିହରି ଉଠନ୍ତି। ଇସ୍ରାଏଲୀ ବାଳକ ମୋସେ ହୋଲଜବର୍ଗ- ୨୬/୧୧ ଆତଙ୍କର ହୋଲିରେ ରକ୍ତସ୍ନାତ ମୁମ୍ବଇର ‘ନରିମନ ହାଉସ’ରେ ହୋଇଥିଲେ ଅନାଥ। ୨୦୧୮ ଜାନୁଆରୀରେ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରତିନିଧି ମଣ୍ଡଳର ଅଂଶବିଶେଷ ଭାବେ ମୋଶେ ମୁମ୍ବଇ ଆସି ନରିମନ ହାଉସରେ ନିର୍ମିତ ସ୍ମାରକକୁ ଉଦ୍‌ଘାଟନ କରିବାସହ ନିଜ ପିତାମାତାଙ୍କୁ ହରାଇଥିବା ସ୍ଥାନରେ କିଛି ସମୟ ନିରବ ପ୍ରାର୍ଥନା କରିଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଭାରତ ଓ ଇସ୍ରାଏଲ ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢ଼ାଇ ଜାରି ରଖିବାକୁ ଦେଇଥିଲେ ଆହ୍ବାନ।
୨୬/୧୧ ମୁମ୍ବଇ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀମାନେ ପାକିସ୍ତାନର କରାଚୀ ବନ୍ଦରରୁ ଏକ ବିଦେଶୀ ଜାହାଜରେ ପ୍ରାୟ ୫୮୨ ନଟିକାଲ ମାଇଲ ଅତିକ୍ରମ କରି ମୁମ୍ବଇ ଉପକୂଳରୁ ଅଳ୍ପ କିଛି ଦୂରରେ ମାଛଧରା ବୋଟ ଓ ସ୍ପିଡ ବୋଟରେ ଆସି ନିଜର ଆସ୍ଥାନ ଜମାଇଥିଲେ। ଆକ୍ରମଣ ପୂର୍ବରୁ ସମସ୍ତ ଯୋଜନାର ଟିକିନିଖି ରୂପ ଦେଇଥିଲେ। ସେହି ସମୟରେ ମୁମ୍ବଇ ଉପକୂଳରେ କିଛି ସମୟ ଅତିବାହିତ କରିଥିଲେ ମଧ୍ୟ ଆମ ଗୁଇନ୍ଦା ସଂସ୍ଥା କୌଣସି ସୁରାକ ପାଇ ପାରିନଥିଲା। ଏହାଥିଲା ଦୁର୍ଭାଗ୍ୟଜନକ। ୨୬/୧୧ ମୁମ୍ବଇ ଆକ୍ରମଣରେ କେବଳ ଜଣେ ମାତ୍ର ପାକିସ୍ତାନୀ ଆତଙ୍କବାଦୀ ‘କସାବ’ ଜୀବିତାବସ୍ଥାରେ ଧରାପଡ଼ିଥିଲା, ଯାହାକୁ ଦୀର୍ଘବର୍ଷ ବିଚାର ପରେ ଫାଶୀ ଦିଆଯାଇଛି। ୨୦୧୮ ଅକ୍ଟୋବର ୨୭ରେ ଲଣ୍ଡନର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ଓ ଷ୍ଟାଟେଜିକ୍‌ ଫୋରସାଇଟ୍ ଗ୍ରୁପ ଦ୍ବାରା ପ୍ରସ୍ତୁତ ‘ହ୍ୟୁମାନିଟି ଆଟ୍‌ ରିସ୍କ ଗ୍ଲୋବାଲ ଟେରର ଥ୍ରେଟ୍’ ନାମକ ମିଳିତ ରିପୋର୍ଟରେ ସର୍ବାଧିକ ଆତଙ୍କବାଦୀ ଶିବିର, ଆତଙ୍କବାଦୀଙ୍କୁ ଆଶ୍ରୟ ଓ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକର ତାଲିକାରେ ପାକିସ୍ତାନକୁ ଶୀର୍ଷରେ ରଖାଯାଇଛି।
ପାକିସ୍ତାନ ଭୂମିରୁ, ପାକିସ୍ତାନ ସାହାଯ୍ୟରେ, ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ରପଥରେ ଆସି ମୁମ୍ବଇରେ ଯେଉଁ ନରସଂହାର, ତାଣ୍ଡବଲୀଳା ସୃଷ୍ଟି କଲେ ଦେଶ ପାଞ୍ଚହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହେଲା। ସୁତରାଂ ଗୋଟିଏ ଦେଶର ସ୍ଥିତିକୁ ଦୋହଲାଇଦେବାରେ ଆତଙ୍କବାଦ କିପରି ଭୂମିକା ଗ୍ରହଣ କରୁଛି ତାହା ସୁସ୍ପଷ୍ଟ। ବାହ୍ୟଶକ୍ତି ସହାୟତାରେ ଆତଙ୍କବାଦୀମାନେ ପୁଣି ସେମାନଙ୍କ ଲକ୍ଷ୍ୟରେ ନିରନ୍ତର ନିମଜ୍ଜିତ ରହିଥିବାରୁ ମୁମ୍ବଇ-ଭଳି-ଆକ୍ରମଣ ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନାକୁ କେବେ ଏଡ଼ାଇ ଦିଆଯାଇପାରିବ କି? ଅତିକ୍ରାନ୍ତ ହୋଇଛି ସମୟ ହେଲେ ଏବେ ବି ଶୁଭୁଛି ଆତଙ୍କବାଦର ପଦଧ୍ବନି। କେତେବେଳେ ହାଇଆଲର୍ଟ ଜାରି ହେଉଛି, ଆଉ କେତେବେଳେ ଗୁଇନ୍ଦା ରିପୋର୍ଟକୁ ନେଇ ସୃଷ୍ଟି ହେଉଛି ଆଶଙ୍କା। ଆମେ କେତେ ସଜାଗ ଏହିଭଳି ଆତଙ୍କବାଦୀଙ୍କୁ ମୁକାବିଲା କରିବାରେ? ଆମେ କେତେ ସମର୍ଥ ହେବୁ ଆତଙ୍କବାଦୀଙ୍କ ଏହିଭଳି ଅଭିସନ୍ଧିକୁ ବ୍ୟର୍ଥ କରିବାରେ?
ଭାରତୀୟ ଭୂଖଣ୍ଡ ପାର୍ଶ୍ବରେ ରହିଛି ବିସ୍ତୀର୍ଣ୍ଣ ଜଳରାଶି- ଆରବସାଗର, ବଙ୍ଗୋପସାଗର ଓ ଭାରତ ମହାସାଗର। ୭୫୧୬ କି.ମି. ଦୀର୍ଘ ସାମୁଦ୍ରିକ ତଟ, ୨୦ଲକ୍ଷ ବର୍ଗମାଇଲ ସାମୁଦ୍ରିକ ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ପରିବେଶ ପାଇଁ ଯେତିକି ଲାଭଦାୟକ, ଆତଙ୍କବାଦୀଙ୍କ ପାଇଁ ସମୁଦ୍ରପଥରେ ଦେଶ ଭିତରକୁ ଅନୁପ୍ରବେଶ ସେତିକି ସୁଗମ। ୨୬/୧୧ ମୁମ୍ବଇ ଆକ୍ରମଣ ପରେ ଉପକୂଳ ସୁରକ୍ଷାର ଗୁରୁତ୍ବ ଉପଲବ୍ଧି କରାଯାଇ ବିଭିନ୍ନ ବ୍ୟବସ୍ଥା ଗ୍ରହଣ ପାଇଁ ପଦକ୍ଷେପ ନିଆଯାଇଛି। ସାମୁଦ୍ରିକ ତଟରୁ ଗଭୀର ସମୁଦ୍ର ଅଞ୍ଚଳର ସୁରକ୍ଷା ଦାୟିତ୍ବକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଛି। ପ୍ରଥମତଃ ଉପକୂଳ ସୁରକ୍ଷା ଦାୟିତ୍ବ ସ୍ଥାନୀୟ ପୁଲିସ ଉପରେ ନ୍ୟସ୍ତ। ଦ୍ବିତୀୟରେ କୋଷ୍ଟାଲ ଗାର୍ଡସ୍‌ ବା ତଟରକ୍ଷୀ ବାହିନୀକୁ ଉପକୂଳର ୧୦ ନଟିକାଲ ମାଇଲଠାରୁ ୩୦ ନଟିକାଲ ମାଇଲ ଏବଂ ତୃତୀୟରେ ସୁଦୀର୍ଘ ଗଭୀର ସମୁଦ୍ର ଅଞ୍ଚଳ ଭାରତୀୟ ନୌବାହିନୀ ଉପରେ ନ୍ୟସ୍ତ। ଉପକୂଳ ସୁରକ୍ଷା ବଳୟ ମଧ୍ୟରେ ୧୩ଟି ସଂସ୍ଥା ଊଣାଅଧିକେ ସୁରକ୍ଷା ଦାୟିତ୍ବସହ ଜଡ଼ିତ ଯାହାକି ସବୁଠୁ ଚିନ୍ତାର କାରଣ ସାଜିଛି। ସେହି ସଂସ୍ଥାଗୁଡ଼ିକ: ନୌବାହିନୀ, ତଟରକ୍ଷା ବାହିନୀ, ତଟରକ୍ଷା ପୁଲିସବାହିନୀ, ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ, ବନ୍ଦର କର୍ତ୍ତୃପକ୍ଷ, ହାରବର ଡିଫେନ୍ସ କ​‌େ​‌ଣ୍ଟ୍ରାଲ ସେଣ୍ଟର, ଆଡ଼ଭାନ୍ସ ଅଫସୋର ଡିଫେନ୍ସ ଏଡ଼ଭାଇଜରୀ ଗ୍ରୁପ୍‌, ପେଟ୍ରୋଲିୟମ ମନ୍ତ୍ରଣାଳୟ, ଜାହାଜ ଓ ଯୋଗାଯୋଗ ମନ୍ତ୍ରଣାଳୟ, କମିଶନରେଟ୍‌ ପୁଲିସ ଓ ରାଜ୍ୟ ପୁଲିସ ବିଭାଗ ପ୍ରମୁଖ ଅଟନ୍ତି। ଏମାନଙ୍କ ମଧ୍ୟରେ ସମନ୍ବୟ ଓ ସହଯୋଗର ଅଭାବ କାରଣରୁ ଏହି ସୁରକ୍ଷାବଳୟ ଏବେମଧ୍ୟ ସୁରକ୍ଷା ପ୍ରଦାନରେ ସଂପୂର୍ଣ୍ଣ ସମର୍ଥ ନୁହେଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ, ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା ନିମନ୍ତେ ‘ସାମୁଦ୍ରିକ ଉପଦେଷ୍ଟା କମିଟି’ର ନିର୍ଦେଶାବଳୀ କାର୍ଯ୍ୟକ୍ଷମ ନହୋଇ ପାରିବା ଦୁର୍ଭାଗ୍ୟପୂର୍ଣ୍ଣ।
ବର୍ତ୍ତମାନ ପରିସ୍ଥିତିରେ ଅଧିକ ମାରିଟାଇମ ରିକନସେନସ୍‌ ଏଆରକ୍ରାଫ୍ଟ, ମଲଟିମିଶନ ଏଆରକ୍ରାଫ୍ଟ (ପି-୮୧) ଉଚ୍ଚ କ୍ଷମତା ସଂପନ୍ନ ରାଡାର, ପର୍ଯ୍ୟବେକ୍ଷଣ ଯନ୍ତ୍ର ଓ ଶକ୍ତିଶାଳୀ କ୍ୟାମେରା ଯୋଗାଇଦେବାର ଆବଶ୍ୟକତା ଅପରିହାର୍ଯ୍ୟ। ଗୁଇନ୍ଦା ତଥ୍ୟ ସଂଗ୍ରହ ବିମାନ, ଆୱାକସ୍‌ ଓ ୟୁଏଭି ନିର୍ମାଣ, ଆହରଣ ଓ ନିୟୋଜନ ଜରୁରୀ ହୋଇପଡ଼ିଛି। ବିସ୍ତୀର୍ଣ୍ଣ ଜଳରାଶିରେ ଆତଙ୍କବାଦୀଙ୍କୁ ମୁକାବିଲା କରିବାକୁ ଆମକୁ ଅଧିକ ଗତିଶୀଳ ସ୍ପିଡବୋଟ ଆବଶ୍ୟକ। ବିସ୍ତୀର୍ଣ୍ଣ ଜଳରାଶି ଅଞ୍ଚଳରେ ନିୟୋଜିତ ତଟରକ୍ଷୀବାହିନୀ ନିକଟରେ ରହିଛି ୧୩୬ଟି ବିଭିନ୍ନ କିସମର ଜାହାଜ, ୬୨ ସଂଖ୍ୟକ ବିଭିନ୍ନ କିସମର ବିମାନ ଓ ୬୦ଟି ସରଫେସ୍‌ ପ୍ଲାଟଫର୍ମ (ଜେଟି)। ତଟରକ୍ଷୀ ବାହିନୀର ଅନୁମୋଦିତ ସଦସ୍ୟଙ୍କ ସଂଖ୍ୟା ୧୫୭୧୪ ଥିବାବେଳେ ୩୧୨୯ ଅର୍ଥାତ ପ୍ରାୟ ୨୦ ପ୍ରତିଶତ ପୋଷ୍ଟ ଖାଲି ପଡ଼ିଥିବା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ଭାମରେ ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। ୨୬/୧୧ ଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ତଟରକ୍ଷା ବାହିନୀକୁ ଅଧିକ ଶକ୍ତିଶାଳୀ କରାଯିବା ଉଚିତ।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପକୂଳ ନିରାପତ୍ତା ଉପରେ ଗୁରୁତ୍ବାରୋପ କରୁଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅର୍ଥବ୍ୟବସ୍ଥା ହେଉ ନଥିବାରୁ ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ଉପକୂଳରେ ସାମୁଦ୍ରିକ ଥାନାଗୁଡ଼ିକର ପ୍ରତିଷ୍ଠାରେ ବହୁ ବିଳମ୍ବ ଦେଖାଦେଇଛି। ମତ୍ସ୍ୟଜୀବୀଙ୍କୁ ପରିଚୟପତ୍ର ପ୍ରଦାନ, ମାଛଧରା ବୋଟଗୁଡ଼ିକର ପଞ୍ଜୀକରଣ ଓ ଏହାର ତନଖି ଠିକ୍‌ଭାବେ ହେଉନଥିବାରୁ ସମସ୍ୟା ସୃଷ୍ଟି ହେଉଛି। ସାମୁଦ୍ରିକ ଥାନାଗୁଡ଼ିକର ନିର୍ମାଣ ପାଇଁ ଭିତ୍ତିଭୂମି, ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ନିୟୋଜନ, ବୋଟ ଯୋଗାଣ, ଆବଶ୍ୟକ ଇନ୍ଧନ, ଟ୍ରେନିଂ ପ୍ରଦାନରେ ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ଉପକୂଳ ସୁରକ୍ଷା ବ୍ୟବସ୍ଥା ଆଶାନୁରୂପ ଫଳପ୍ରଦ ହୋଇପାରିନାହିଁ। ଆମେ ବର୍ତ୍ତମାନ ପୁଲିସ, ତଟରକ୍ଷାବାହିନୀ ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ମଧ୍ୟରୁ ‘ନେସନାଲ ସିକ୍ୟୁରିଟିଗାର୍ଡ଼’ ଉପରେ ଅଧିକ ଭରସା ରଖିଛୁଁ। ଏନଏସଜି କମାଣ୍ଡୋଙ୍କୁ ମୁମ୍ବଇ ଓ ଅନ୍ୟ କେତେକ ମେଟ୍ରୋରେ ସ୍ଥାପିତ କରି ନିର୍ଭୟରେ ରହିବା ଉଚିତ ହେବ କି? ଯେଉଁ ସହର ବା ଅଞ୍ଚଳରେ ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ସ୍ଥାପିତ କରାଯାଇନାହିଁ, ଉକ୍ତ ସହର ଯଦି ଆତଙ୍କବାଦୀଙ୍କ ୨୬/୧୧ ଭଳି ଟାର୍ଗେଟର ସମ୍ମୁଖୀନ ହୁଏ ତେବେ ମୁକାବିଲା କରିବାକୁ ଆମର ବିକଳ୍ପ ବ୍ୟବସ୍ଥା ଜରୁରୀ। ଆମ ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ, ସହଯୋଗ, ଖବର ପ୍ରଦାନରେ ତ୍ରୁଟି ଓ ଅଭାବ ପରିଲକ୍ଷିତ ହୁଏ। ଇଣ୍ଟେଲିଜେନ୍ସ ବ୍ୟୁରୋ, ରିସର୍ଚ୍ଚ ଏଣ୍ଡ ଆନାଲିସିସ ଉଇଙ୍ଗ (‘ର’), ପୁଲିସ ମିଲିଟାରୀ ଇଣ୍ଟେଲିଜେନ୍ସ, ନାଭାଲ ଇଣ୍ଟେଲିଜେନ୍ସ, ମାରିଟାଇମ ଇଣ୍ଟେଲିଜେନ୍ସ ଏବଂ ସିକ୍ୟୁରିଟି ଆଡ଼ଭାଇଜରଙ୍କ ମଧ୍ୟରେ ଗୁପ୍ତ ଖବର ସଂଗ୍ରହ, ପ୍ରେରଣ ଓ ଆଦାନପ୍ରଦାନରେ ଯଥେଷ୍ଟ ଉନ୍ନତି ହେବାର ଆବଶ୍ୟକତା ଅନୁଭୂତ ହୁଏ।
‘ଗ୍ଲୋବାଲ ପିସ୍‌ ଇଣ୍ଡେକ୍ସ’ ଅନୁସାରେ ହିଂସା କାରଣରୁ ୨୦୧୪ ମସିହାରେ ଭାରତ ୩୪୧ ବିଲିଅନ ଡଲାର ଅର୍ଥାତ୍‌ ଆମ ଦେଶ ଜିଡିପିର ୪.୭ ପ୍ରତିଶତ ଅର୍ଥ ହରାଇଛି। ୟୁପିଏ ସରକାରଙ୍କ ସମୟରେ ପ୍ରଚଳିତ ‘ଆତଙ୍କବାଦୀ ବିରୋଧୀ ଆଇନ’ ଯାହାକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରାଯିବା କଥା ତାହା ଏବେ ମଧ୍ୟ ସାକାର ହୋଇପାରିନାହିଁ। ୨୬/୧୧ ଘଟଣାପରେ ପରିସ୍ଥିତି ଓ ପାରିପାର୍ଶ୍ବିକ ଅବସ୍ଥାକୁ ଧ୍ୟାରଖି ‘ନେସନାଲ କାଉଣ୍ଟର-ଟେରରିଜିମ୍‌ ସେଣ୍ଟର’କୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରାଯିବା ଉଚିତ ନୁହଁ କି?
ରାଜନେତା ଓ ସେମାନଙ୍କୁ ଶିଖରରେ ପହଞ୍ଚାଇଥିବା ସାଧାରଣ ନାଗରିକଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଛି ବିଶାଳ ବ୍ୟବଧାନ। ଏବେ ମଧ୍ୟ ଆମ ରାଜନେତା ‘ବ୍ଲାକ୍‌-କ୍ୟାଟ୍‌-କମାଣ୍ଡୋ’ଙ୍କ ସୁରକ୍ଷା ବଳୟରେ ରହୁଛନ୍ତି, ମାତ୍ର ସାଧାରଣ ନାଗରିକ ଶିକ୍ଷାର ହେଉଛି ଆତଙ୍କବାଦୀଙ୍କ ନିର୍ଗତ ବୁଲେଟରେ। ଦେଶବାସୀଙ୍କ ଟିକସ ପ୍ରଦତ୍ତ ଅର୍ଥରେ ଆମ ରାଜନେତା ନିଜ ସୁରକ୍ଷା ପାଇଁ କମାଣ୍ଡୋର ନିୟୋଜନ ଓ ସେମାନଙ୍କ ସଂଖ୍ୟା ବୃଦ୍ଧି କରି ନିଜକୁ ସୁରକ୍ଷିତ ରଖିବା ଯଥାର୍ଥ କି? ୨୬/୧୧ ମୁମ୍ବଇ ଘଟନା ପରେ ଆମ ଦେଶର ରାଜନେତାମାନେ ‘ବ୍ଲାକ-କ୍ୟାଟ୍‌ କମାଣ୍ଡୋ’ମାନଙ୍କର ଉପଯୋଗ ପାଇଁ ନିଜନିଜର ସ୍ବାର୍ଥତ୍ୟାଗର ଆବଶ୍ୟକତାକୁ ଉପଲବ୍ଧି କରିବାର ବେଳ ଆସିଛି। ୨୬/୧୧ -ଭଳି ଘଟଣା ନ ଘଟିବା ପାଇଁ ଏବଂ ଯଦି ଘଟୁଥାଏ ଏହାର ମୁକାବିଲା ପାଇଁ କୌଣସି ପ୍ରକାର ଉଦାସୀନତା କିମ୍ବା ଟାଳଟୁଳ ନୀତି ଆତ୍ମଘାତୀ ହେବ।

Leave A Reply