ଅମଲାତନ୍ତ୍ରରେ ସଂସ୍କାର

0

ଲୌହପୁରୁଷ ଭାବେ ଜଣାଶୁଣା ସର୍ଦାର ପଟେଲ ଏକଦା ଭାରତୀୟ ପ୍ରଶାସନିକ ସେବାକୁ ଷ୍ଟିଲ୍‌ଫ୍ରେମ୍, ଅର୍ଥାତ ଇସ୍ପାତ୍ ଢାଞ୍ଚାର ସଂଜ୍ଞା ଦେଇଥିଲେ, ଯାହା ଉପରେ ଦେଶର ସରକାରୀ ବ୍ୟବସ୍ଥା ନିର୍ଭର କରିଥାଏ। କିନ୍ତୁ ବର୍ତ୍ତମାନ ଅନେକଙ୍କ ମତରେ ଏହି ସେବା ଇସ୍ପାତ ପିଞ୍ଜରା ପାଲଟି ଯାଇଛି, ଯାହା ଶାସନର ଗତିକୁ ଅବରୋଧ କରୁଛି। ନିକଟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏକ ସଭାରେ କହିଛନ୍ତି ଯେ ଅମଲାତନ୍ତ୍ର ଦେଶର ବିକାଶରେ ସବୁଠାରୁ ବଡ଼ ବାଧା ପାଲଟିଛି ଓ ସେଥିରେ ସଂସ୍କାର ଆବଶ୍ୟକ। ଅବଶ୍ୟ ଦେଶର ବିକାଶରେ ସେ ଅମଲାତନ୍ତ୍ରର ଯୋଗଦାନ କଥା ମଧ୍ୟ ସ୍ମରଣ କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଥିଲେ ଯେ ଭାରତୀୟ ଅମଲାତନ୍ତ୍ର ଊନବିଂଶ ଶତାବ୍ଦୀର ସୃଷ୍ଟି, ଯାହା ଏକବିଂଶ ଶତାବ୍ଦୀର ସମସ୍ୟା ସହ ଯୁଝୁଛି। କହିବା ବାହୁଲ୍ୟ ଯେ ଅମଲାତନ୍ତ୍ର ନେଇ ଏସବୁ କଥା ଆଦୌ ଅତିରଞ୍ଜିତ ନୁହେଁ। ଏ ଦେଶର ପ୍ରାୟ ପ୍ରତ୍ୟେକ ଲୋକ ଏହାକୁ ଅନୁଭବ କରିଆସିଛନ୍ତି। ଭ୍ରଷ୍ଟାଚାର, ନିଷ୍ପତ୍ତି ନେବାରେ ବିଳମ୍ବ, ସାଧାରଣ ଲୋକଙ୍କ ପ୍ରତି ଦୁର୍ବ୍ୟବହାର, କାମ କରିବାରେ ବେପରୁଆ ମନୋଭାବ ଆଦି ଅମଲାତନ୍ତ୍ରର ସାଧାରଣ ଗୁଣ ପାଲଟିଛି। ଆଠବର୍ଷ ତଳେ କେନ୍ଦ୍ର ସରକାର ଅଧିକାରୀମାନଙ୍କୁ ନେଇ କରିଥିବା ଏକ ସର୍ବେକ୍ଷଣରେ ଏକ-ତୃତୀୟାଂଶ ଅଧିକାରୀ ସ୍ବୀକାର କରିଥିଲେ ଯେ ଶାସନ ପ୍ରଣାଳୀ ନ୍ୟାୟପୂର୍ଣ୍ଣ ଓ ପାରଦର୍ଶୀ ନୁହେଁ। ଅର୍ଦ୍ଧେକ ଅଧିକାରୀ କହିଥିଲେ ଯେ ସେମାନଙ୍କୁ ବାହାର ଚାପରେ ରହି କାମ କରିବାକୁ ପଡ଼ୁଛି।
୨୦୧୨ରେ ହଂକଂର ଏକ ସଂସ୍ଥା ନିଜ ରିପୋର୍ଟରେ ପ୍ରକାଶ କରିଥିଲା ଯେ ଭାରତୀୟ ଅମଲାତନ୍ତ୍ର ଏସିଆରେ ସବୁଠୁ ଖରାପ ଓ ଅଧିକାରୀମାନେ ସାଧାରଣତଃ ନିଜକୁ ଉତ୍ତରଦାୟୀ ବୋଲି ଭାବିନଥା’ନ୍ତି। ୨୦୧୩ରେ ପ୍ରମୁଖ ଅମଲା ଓ ସରକାରଙ୍କ ମଧ୍ୟରେ ଏହି ସମସ୍ୟାକୁ ନେଇ ଏକ ବୈଠକ ହୋଇଥିଲା। ଚଳିତବର୍ଷରୁ ଲୋକସେବାରେ ସେବା ଓ କ୍ୟାଡର ବଣ୍ଟନ କ୍ଷେତ୍ରରେ ନିୟମ ବଦଳାଯାଇଛି ଏବଂ କେତେକ ବିଭାଗରେ ପେସାଦାର ଲୋକଙ୍କୁ ବାହାରୁ ନିଯୁକ୍ତି ଦେବାଭଳି ବ୍ୟବସ୍ଥା କରାଯାଇଛି; କିନ୍ତୁ ସେବା ନିୟମ ଓ କେନ୍ଦ୍ରୀକୃତ ସଂସ୍କୃତିରେ ସଂସ୍କାର ନହେବା ପର୍ଯ୍ୟନ୍ତ ସମସ୍ୟା ସହଜରେ ସୁଧୁରିବ ନାହିଁ।

Comments
Loading...