ହକି ବିଶ୍ବକପ୍: ଏକ ବିହଙ୍ଗାବଲୋକନ

0

ବିଜନ କୁମାର ମହାପାତ୍ର

ଆଉ ମାତ୍ର ଦିନ କେଇଟାକୁ ଅପେକ୍ଷା । ଏହି ମାସ ୨୮ ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହୋଇଯିବ ହକି ମହାକୁମ୍ଭ । ବିଶ୍ବକପ୍ ହକିର ଚତୁର୍ଦଶ ସଂସ୍କରଣ ପାଇଁ କଳିଙ୍ଗ ହକି ଷ୍ଚାଡିୟମ ପ୍ରସ୍ତୁତ । ୧୬ଟି ଦଳ ମଧ୍ୟରେ ବିଶ୍ବ ହକିରେ ଶ୍ରେଷ୍ଠତ୍ବ ପାଇଁ ଚାଲିବ ଲଢେଇ । ଭାରତରେ ତୃତୀୟ ଥର ପାଇଁ ଆୟୋଜନ ହେବ ବିଶ୍ବକପ୍ ହକି । ପୂର୍ବରୁ ୧୯୮୨ରେ ବମ୍ବେ ଓ ୨୦୧୦ରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ବିଶ୍ବକପ୍ ହକି, କିନ୍ତୁ ସେ ଦୁଇ ସଂସ୍କରଣରେ ଭାରତର ପ୍ରଦର୍ଶନ ଥିଲା ନିରାଶାଜନକ । ଏଥର ଭୁବନେଶ୍ବରରେ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲଢୁଆ ପ୍ରଦର୍ଶନ କରି ପଦକ ମଞ୍ଚକୁ ଯିବେ ବୋଲି ଦେଶର ପ୍ରତ୍ୟେକ ହକିପ୍ରେମୀ ଆଶା କରୁଥିବେ ନିଶ୍ଚୟ ।
୧୯୨୮ରୁ ହକି ନିୟମିତ ଭାବେ ଅଲିମ୍ପିକ୍ସରେ ସ୍ଥାନ ପାଇଆସୁଛି । ଅଲିମ୍ପିକ୍ସ ହକି​‌େ​‌ର ତ ଭାରତର ସ୍ବର୍ଣ୍ଣିମ ସଫଳତା କାହାକୁ ଅଜଣା ନ ଥିବ । ୮ ଥର ଭାରତ ଅଲିମ୍ପିକ୍ସ ହକିରେ ଚମ୍ପିଅାନ ହୋଇ ଜିତିଛି ସ୍ବର୍ଣ୍ଣ ପଦକ । ଆଉ ଧ୍ୟାନଚାନ୍ଦଙ୍କ ଯାଦୁକରୀକୁ କିଏ ବା ଭୁଲିପାରିବ ।
ବିଶ୍ବର ପ୍ରମୁଖ ଲୋକପ୍ରିୟ କ୍ରୀଡା ହେଲେ ବି ବେଶ୍ କିଛି ବର୍ଷ ହେବ ହକି କେବଳ ଅଲିମ୍ପିକ୍ସ କ୍ରୀଡା ଭାବେ ସୀମିତ ହୋଇ ରହିଯାଇଥିଲା । ହକି ପାଇଁ ନ ଥିଲା ଏକ ସ୍ବତନ୍ତ୍ର ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ । ସତୁରି ଦଶକର ଶେଷ ଭାଗରେ ହକି ପାଇଁ ଏକ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ୍‌ର ପରିକଳ୍ପନା କରିଥିଲେ ପାକିସ୍ତାନର ତତ୍କାଳୀନ ଏୟାର ମାର୍ଶାଲ୍ ନୁର୍‌ ଖାନ୍। ଜଣେ ହକିପ୍ରେମୀ ଓ କ୍ରୀଡା ପ୍ରଶାସକ ଭାବେ ପରିଚିତ ନୁର୍ ଖାନ ୧୯୬୯ ମସିହାରେ ହକି ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ପ୍ରସ୍ତାବ ଦେଇଥିଲେ । ନୁର୍ ଖାନଙ୍କ ପ୍ରସ୍ତାବକୁ ଉଭୟ ପାକିସ୍ତାନ ଓ ଭାରତୀୟ ହକି ସଂଘ ତୁରନ୍ତ ସମର୍ଥନ ଜଣାଇଥିଲେ । ୧୯୬୯ ମସିହା ଅକ୍ଟୋବର ୨୬ରେ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତିକ ହକି ମହାସଂଘରେ ଉପସ୍ଥାପିତ ହୋଇଥିଲା ହକି ବିଶ୍ବକପ୍ ପ୍ରସ୍ତାବ । ୧୯୭୦ ଏପ୍ରିଲ୍ ୧୨ରେ ବ୍ରସେଲ୍ସରେ ଏଫଆଇଏଚ୍ କାଉନସିଲ୍ ବୈଠକରେ ନୁର୍ ଖାନଙ୍କ ବିଶ୍ବକପ୍ ପ୍ରସ୍ତାବରେ ମୋହର ବାଜିଥିଲା । ତେଣୁ ପାକିସ୍ତାନର ନୁର୍ ଖାନ ହିଁ ବିଶ୍ବକପ୍ ହକିର ଜନକ ଭାବେ ବିବେଚିତ ।
୧୯୭୧ରେ ବିଶ୍ବକପ୍ ହକିର ପ୍ରଥମ ସଂସ୍କରଣ ଆୟୋଜନ ପାଇଁ ପାକିସ୍ତାନକୁ କୁହାଯାଇଥିଲା, କିନ୍ତୁ ପାକିସ୍ତାନର ଅଶାନ୍ତ ରାଜନୈତିକ ପରିସ୍ଥିତି ଓ ସୁରକ୍ଷା ଚିନ୍ତା କାରଣରୁ ସ୍ପେନ୍ ଆୟୋଜନ କରିଥିଲା ପ୍ରଥମ ହକି ବିଶ୍ବକପ୍‌ । ବାର୍ସିଲୋନା ସହରର ରିୟଲ ପୋଲୋ କ୍ଲବ୍‌ରେ ଖେଳାଯାଇଥିଲା ଉଦ୍‌ଘାଟନୀ ବିଶ୍ବକପ୍ । ପ୍ରଥମ ସଂସ୍କରଣରେ ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କ ସଂଖ୍ୟା ଥିଲା ୧୦ । ଅକ୍ଟୋବର ୧୫ରୁ ୨୪ ତାରିଖ ଯାଏଁ ଖେଳାଯାଇଥିବା ପ୍ରଥମ ବିଶ୍ବକପ୍‌ରେ ଚମ୍ପିଅାନ ହୋଇଥିଲା ପାକିସ୍ତାନ । ଫାଇନାଲ୍‌ରେ ଆୟୋଜକ ସ୍ପେନ୍‌କୁ ହରାଇଥିଲା ପାକିସ୍ତାନ । ଉପମହାଦେଶୀୟ ପ୍ରତିଦ୍ବଦ୍ବୀ ଭାରତ ସେମିଫାଇନାଲ୍‌ରେ ପାକିସ୍ତାନଠାରୁ ଅଳ୍ପକେ ପରାସ୍ତ ହୋଇଥିଲା । କେନିଆକୁ ହରାଇ ଭାରତ ଉଦ୍‌ଘାଟନୀ ବିଶ୍ବକପ୍ ସଂସ୍କରଣରେ ତୃତୀୟ ସ୍ଥାନ ହାସଲ କରିଥିଲା । ଅଲିମ୍ପିକ୍ସ ହକିରେ ଭାରତର ପତିଆରା ହ୍ରାସ ପାଉଥିଲା ବେଳେ ବିଶ୍ବକପ୍ ହକି ଆରମ୍ଭ ହୋଇଥିଲା । ଆଉ ସେତେବେଳେ ମଧ୍ୟ ନେଦରଲାଣ୍ଡସ, ପଶ୍ଚିମ ଜର୍ମାନୀ ଓ ବ୍ରିଟେନ୍ ପରି ୟୁରୋପୀୟ ରାଷ୍ଟ୍ର ବିଶ୍ବ ହକିରେ ପ୍ରାଧାନ୍ୟ ବିସ୍ତାର କରିବା ଆରମ୍ଭ କରିଥିଲେ । ତଥାପି ହକି ବିଶ୍ବକପ୍‌ର ପ୍ରଥମ କେତେକ ସଂସ୍କରଣରେ ଭାରତର ପ୍ରଦର୍ଶନ ସେତେଟା ଖରାପ ନ ଥିଲା ବୋଲି କୁହାଯାଇପାରେ । ୧୯୭୩ରେ ଆମଷ୍ଟରଡାମ୍‌ରେ ଆୟୋଜିତ ବିଶ୍ବକପ୍‌ର ଦ୍ବିତୀୟ ସଂସ୍କରଣରେ ଭାରତ ରନର୍ସଅପ୍ ହୋଇଥିଲା । ୧୯୭୫ ମସିହା ସଂସ୍କରଣରେ ବାଜି ମାରିନେଇଥିଲା ଭାରତ । କ୍ବାଲାଲୁମ୍ପୁରରେ ଆୟୋଜିତ ତୃତୀୟ ସଂସ୍କରଣରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୨-୧ ଗୋଲରେ ହରାଇ ଚମ୍ପିଅାନ ହୋଇଥିଲା ଭାରତୀୟ ଦଳ । ଆଉ ଏହା ହିଁ ଭାରତର ଏକମାତ୍ର ବିଶ୍ବକପ୍ ଟାଇଟଲ୍ ହୋଇ ରହିଛି । ସବୁ ବିଶ୍ବକପ୍‌ରେ ଖେଳିଛି ଭାରତ । କିନ୍ତୁ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ବିଶ୍ବକପ୍‌ ହକିରେ ପାକିସ୍ତାନ ହେଉଛି ସବୁଠାରୁ ସଫଳ ଦଳ। ସର୍ବାଧିକ ଚାରିଥର ବିଶ୍ବକପ୍ ଚମ୍ପିଅାନ ହୋଇଛି ପାକିସ୍ତାନ । ସବୁଠାରୁ ଅଭାଗ୍ୟଶାଳୀ ଦଳ ହେଲା ସ୍ପେନ୍ । ଏଯାବତ ସବୁ ବିଶ୍ବକପ୍‌ରେ ଖେଳିଥିଲେ ମଧ୍ୟ ଥରେ ହେଲେ ଟାଇଟଲ୍ ଜିତିପାରିନାହାନ୍ତି ରେଡ୍ ଷ୍ଟିକ୍ସ ଟିମ୍ । ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ତିନି ଥର ଲେଖାଏଁ ଚମ୍ପିଅାନ ହୋଇଥିଲା ବେଳେ ଜର୍ମାନୀ ଦୁଇ ଥର ଜିତିଛି ବିଶ୍ବକପ୍ ଟାଇଟଲ୍ ।
ହକି ବିଶ୍ବକପ୍‌ର ପ୍ରଥମ ତିନିଟି ସଂସ୍କରଣ ପ୍ରତି ଦୁଇ ବର୍ଷକୁ ଥରେ ଖେଳାଯାଇଥିଲା । ୧୯୭୮ ମସିହାର ସଂସ୍କରଣ ପୂର୍ବ ସଂସ୍କରଣର ତିନି ବର୍ଷ ପରେ ଆୟୋଜିତ ହୋଇଥିଲା । ୧୯୮୨ଠାରୁ ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହୋଇଆସୁଛି ବିଶ୍ବକପ୍ । ୧୯୭୧ରେ ବାର୍ସେଲୋନାଠାରୁ ଆରମ୍ଭ ହୋଇଥିବା ବିଶ୍ବକପ୍‌ ହକିର ଜୟଯାତ୍ରା ଏବେ ଭୁବନେଶ୍ବରରେ ପହଞ୍ଚିଛି। ଆୟୋଜକ ଦେଶ ଭାବେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅନ୍ତତଃ ଗୋଟିଏ ପଦକ ପାଇବା ଦେଶର ହକିପ୍ରେମୀ ଆଶା ରଖନ୍ତି ।
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର

Comments
Loading...