ଆଇନ୍‌ଷ୍ଟାଇନଙ୍କ ବୈଠକଖାନାରେ ଗାନ୍ଧିଜୀ

0

କିଶୋର କୁମାର ସାହୁ

ନିଜର ଅସାମାନ୍ୟ ‘ଧୀ’ ଶକ୍ତି, ବହୁ କ୍ରାନ୍ତିକାରୀ ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁସନ୍ଧିତ୍ସୁ ଦୃଷ୍ଟିକୋଣରେ ସାରା ବିଶ୍ବକୁ ଚମତ୍କୃତ କରିଥିବା ମହାନ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ଆଦର୍ଶ କିଏ ଥିଲେ ବୋଲି ଯଦି ପଚରାଯାଏ, ତା’ହେଲେ ତା’ର ଉତ୍ତର ହୁଏତ ସହଜରେ ମିଳିବ ନାହିଁ। ଗ୍ରେଟ୍‌ବ୍ରିଟେନର ଏହି ମହାମନୀଷୀଙ୍କ ଆଦର୍ଶ ଯେ ସେଇ ଦେଶର ଏକଦା ଉପନିବେଶ ଥିବା ଭାରତରେ ଜନ୍ମିତ ଜଣେ ବ୍ୟକ୍ତି, ତାହା ହୁଏତ ଅନେକେ ବିଶ୍ବାସ କରି ନପାରନ୍ତି। ମାତ୍ର ଏହା ସତ୍ୟ। ସେଇ ଭାରତୀୟ ଜଣକ କିଏ ? ହଁ- ସେ ହେଉଛନ୍ତି ମୋହନଦାସ କରମଚାନ୍ଦ ଗାନ୍ଧୀ।
ସାଧାରଣତଃ ବ୍ରିଟିଶ୍‌ମାନେ ନିଜକୁ ମାନବ ସମାଜର ସର୍ବୋତ୍କୃଷ୍ଟ ଜାତି ବୋଲି ବିଶ୍ବାସ କରନ୍ତି ଏବଂ ଅନ୍ୟମାନଙ୍କ ତୁଳନାରେ ନିଜକୁ ଜ୍ଞାନୀ ଓ ବୁଦ୍ଧିମାନ ମନେକରନ୍ତି। ବିଶେଷକରି ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ସେମାନଙ୍କର ଏହି ଧାରଣା ଚରମ ସୀମାରେ ପହଞ୍ଚିଥିଲା। ସେମାନେ ନିଜକୁ ମାନବଶ୍ରେଷ୍ଠ ବିବେଚନା କରୁଥିଲେ ଏବଂ ଅନ୍ୟମାନଙ୍କୁ ହେୟ ଚକ୍ଷୁରେ ଦେଖୁଥିଲେ। ସେହିପରି ତତ୍‌କାଳୀନ ବ୍ରିଟେନ ଅଧିକୃତ ଦେଶ ଓ ଉପନିବେଶଗୁଡିକର ଅଧିବାସୀମାନଙ୍କୁ ସେମାନେ ନିଜଠାରୁ ହୀନ ମନେ କରୁଥିଲେ। ତେଣୁ ଆଲବର୍ଟ ଆଇନଷ୍ଟାଇନ୍‌ଙ୍କ ପରି ଜଣେ ଜଗତବିଖ୍ୟାତ ଲଣ୍ଡନବାସୀ (ଜର୍ମାନୀରେ ଜନ୍ମିତ) ବୈଜ୍ଞାନିକ ଯେ ବ୍ରିଟିଶ ଶାସନାଧୀନ ଭାରତରେ ଜନ୍ମିତ ଏମ.କେ. ଗାନ୍ଧୀଙ୍କୁ ନିଜର ଆଦର୍ଶ କରିବେ ତାହା ଅନେକଙ୍କ ପାଇଁ ବିଶ୍ବାସଯୋଗ୍ୟ ନହେବା ସ୍ବାଭାବିକ। ମାତ୍ର, ନିଜେ ଆଇନ୍‌ଷ୍ଟାଇନ୍‌ ଏହାକୁ ସ୍ବୀକାର କରିଛନ୍ତି ଏବଂ ତାଙ୍କ ଦ୍ବାରା ସେ ବହୁ ମାତ୍ରାରେ ପ୍ରଭାବିତ ଏବଂ ଅନୁପ୍ରାଣିତ ବୋଲି ପ୍ରକାଶ ମଧ୍ୟ କରିଛନ୍ତି।
ଶୁଣିବାକୁ ମିଳେ ଯେ ଆଇନ୍‌ଷ୍ଟାଇନ୍‌ ନିଜ ବୈଠକଖାନାରେ ଦୁଇଟି ଫଟୋ ଟାଙ୍ଗିଥିଲେ। ସେଥିରୁ ଗୋଟିଏ ଡ, ଅାଲବର୍ଟ ସ୍ବାଏତସରଙ୍କ ଓ ଅନ୍ୟଟି ଗାନ୍ଧିଜୀଙ୍କର। ତାଙ୍କର କିଛି ଅନ୍ତରଙ୍ଗ ବନ୍ଧୁଙ୍କ କହିବା ଅନୁସାରେ ପୂର୍ବରୁ ଉକ୍ତ ସ୍ଥାନରେ ଆଇଜାକ ନ୍ୟୁଟନ ଓ ଜେମ୍ସ ମ୍ୟାକ୍ସୱେଲଙ୍କ ଫଟୋ ଝୁଲୁଥିଲା। ପରେ ଆଇନ୍‌ଷ୍ଟାଇନ୍‌ ସେଗୁଡ଼ିକୁ ହଟାଇ ଏହି ଦୁଇ ଜଣଙ୍କ ଫଟୋ ଲଗାଇଥିଲେ। ନ୍ୟୁଟନ ଓ ମ୍ୟାକ୍ସୱେଲ ଥିଲେ ବିଶ୍ବବିଖ୍ୟାତ୍ ବୈଜ୍ଞାନିକ। ସ୍ବାଏତସର ଓ ଗାନ୍ଧିଜୀ ଥିଲେ ପରମ ମାନବବାଦୀ ଓ ଜନସେବକ। ବ୍ରିଟିଶ ଅଧିକୃତ ଆଫ୍ରିକାରେ ନିର୍ଯାତିତ ନିଗ୍ରୋମାନଙ୍କ ସେବାରେ ନିଜର ଜୀବନକୁ ଊତ୍ସର୍ଗ କରିଥିଲେ ସ୍ବାଏତସର, ଭାରତର ସ୍ବାଧୀନତା ପାଇଁ ପ୍ରାଣବଳି ଦେଇଥିଲେ ମହାତ୍ମା ଗାନ୍ଧୀ। ଏଥରୁ ସ୍ପଷ୍ଟ ହୁଏ ଯେ ଜୀବନର ଉତ୍ତରାର୍ଦ୍ଧରେ ଆଇନ୍‌ଷ୍ଟାଇନ୍‌ ବିଜ୍ଞାନ ଅପେକ୍ଷା ମାନବତାକୁ ପ୍ରାଧାନ୍ୟ ଦେଇଥିଲେ।
ଗାନ୍ଧିଜୀଙ୍କଠାରୁ ୧୦ବର୍ଷ ସାନଥିଲେ ଆଇନ୍‌ଷ୍ଟାଇନ୍‌। ଉଭୟଙ୍କ ମଧ୍ୟରେ ପତ୍ରାଳାପ ତ ହେଉଥିଲା, ହେଲେ ସେମାନେ କେହି କାହାକୁ ଦେଖି ନଥିଲେ। ଗାନ୍ଧିଜୀ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ ଲଣ୍ଡନ ଯାଇଥିବା ବେଳେ ଆଇନ୍‌ଷ୍ଟାଇନ୍‌ ତାଙ୍କୁ ଏକ ପତ୍ର ଲେଖିଥିଲେ। ଏହାର ଉତ୍ତର (୧୮ ଅକ୍ଟୋବର, ୧୯୩୧)ରେ ଗାନ୍ଧିଜୀ ଲେଖିଥିଲେ- ‘ପ୍ରିୟ ବନ୍ଧୁ ! ମୁଁ ଯାହା କରୁଛି, ତାକୁ ଆପଣ ସମର୍ଥନ କରୁଥିବା ଜାଣି ଆତ୍ମସନ୍ତୋଷ ଲାଭ କଲି। ବାସ୍ତବରେ ଆପଣଙ୍କୁ ଭେଟିବା ପାଇଁ ମୁଁ ବି ଚାହୁଁଛି। ଏହି ସାକ୍ଷାତ୍‌ ଭାରତସ୍ଥିତ ମୋ ଆଶ୍ରମରେ ହୋଇପାରିଲେ ଖୁସି ହେବି’। ସେତେବେଳେ ଭାରତର ସ୍ବାଧୀନତା ସଂଗ୍ରାମ ସହିତ ଗାନ୍ଧିଜୀଙ୍କ ଆଦର୍ଶ ଅହିଂସା ଓ ଅସହଯୋଗ ସାରା ୟୁରୋପରେ ବହୁ ଚର୍ଚ୍ଚିତ ବିଷୟ ହୋଇପଡ଼ିଥିଲା ଏବଂ ଗାନ୍ଧିଜୀଙ୍କ ବକ୍ତବ୍ୟ, ତାଙ୍କ ଗତିବିଧି ପ୍ରଭୃତି ବିସ୍ତୃତ ଆକାରରେ ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶ ପାଉଥିଲା। ଆଇନ୍‌ଷ୍ଟାଇନ୍‌ ସେଗୁଡ଼ିକ ମନଦେଇ ପଢ଼ୁଥିଲେ ଏବଂ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ ପ୍ରତି ଆକୃଷ୍ଟ ହୋଇଥିଲେ। ଏପରିକି ତାଙ୍କ ଆଦର୍ଶରେ ସେ ଏତେ ଅନୁପ୍ରାଣିତ ହୋଇଯାଇଥିଲେ ଯେ ମାନବବିରୋଧୀ ଯୁଦ୍ଧରେ ଯୋଗ ନଦେବା ପାଇଁ ସେ ସବୁ ଦେଶର ସୈନିକମାନଙ୍କୁ ଆହ୍ବାନ ଦେବାକୁ ପଛାଇ ନଥିଲେ। ଏହା ସେତେବେଳେ ଲଣ୍ଡନର ପ୍ରଶାସନିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ କିଛି ଶାନ୍ତିବାଦୀ ମଧ୍ୟ ଏହି ଆହ୍ବାନରେ ଚକିତ ହୋଇଥିଲେ। ଲଣ୍ଡନର ଜଣେ ପ୍ରମୁଖ ଶାନ୍ତିବାଦୀ ବ୍ରାଉନ ପତ୍ର ମାଧ୍ୟମରେ ଆଇନ୍‌ଷ୍ଟାଇନ୍‌ଙ୍କ ଉକ୍ତ ମନ୍ତବ୍ୟ ଉପରେ ଗାନ୍ଧିଜୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଲେ। ଉତ୍ତରରେ ଗାନ୍ଧିଜୀ ତାଙ୍କୁ ଲେଖିଲେ (୬ ମେ’ ୧୯୩୧)-‘ମୋ ମତରେ ପ୍ରଫେସର ଆଇନ୍‌ଷ୍ଟାଇନ୍‌ଙ୍କ ଆହ୍ବାନ ଯୁକ୍ତିଯୁକ୍ତ। ଯଦି ଶାନ୍ତିକାମୀମାନେ ସୈନ୍ୟବାହିନୀରେ ଯୋଗ ନଦିଅନ୍ତି, ତା’ହେଲେ ଏହାର ଅର୍ଥ ଏହା ହେବ ଯେ ପୃଥିବୀରେ ଯୁଦ୍ଧକୁ ବିରୋଧ କରୁଥିବା ଲୋକଙ୍କ ଅଭାବ ନାହିଁ।’ ଲଣ୍ଡନରୁ ଫେରିବା ବାଟରେ ଗାନ୍ଧିଜୀ ସ୍ବିଜରଲାଣ୍ଡର ଲୋଜନା ସହରରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇଥିଲେ। ୮ ଡିସେମ୍ବର ୧୯୩୧ର ଅନୁଷ୍ଠିତ ଉକ୍ତ ସଭାରେ ତାଙ୍କୁ ସମାନ ପ୍ରଶ୍ନ ପଚରା ଯାଇଥିଲା। ସେଠାରେ ମଧ୍ୟ ଗାନ୍ଧିଜୀ ତାଙ୍କ ଉତ୍ତର ଦୋହରାଇଥିଲେ।
୨ ଅକ୍ଟୋବର, ୧୯୪୪। ଗାନ୍ଧିଜୀଙ୍କ ୭୫ତମ ଜୟନ୍ତୀ ଅବସରରେ ଆଇନ୍‌ଷ୍ଟାଇନ୍‌ ଏକ ପତ୍ରରେ ଜନ୍ମଦିବସର ଶୁଭକାମନା ସହିତ ଲେଖିଥିଲେ-‘ହୁଏତ ଆଗାମୀ ପିଢ଼ି ପାଇଁ ଏହା ବିଶ୍ବାସ କରିବାକୁ କଠିନ ହେବ ଯେ ଏହି ପରି ରକ୍ତମାଂସଧାରୀ ଜଣେ ବ୍ୟକ୍ତି କେବେ ଏହି ଧରାପୃଷ୍ଠରେ ଚଳପ୍ରଚଳ କରୁଥିଲେ।’
ଅହିଂସା ସମ୍ପର୍କରେ ଆଇନ୍‌ଷ୍ଟାଇନ୍‌ଙ୍କ ଜିଜ୍ଞାସାପୂର୍ଣ୍ଣ ଏକ ପତ୍ରର ଉତ୍ତରରେ ଗାନ୍ଧିଜୀ ଲେଖିଥିଲେ- ‘ଯଦି ୟୁରୋପ ମୋର ମତ ଓ ଆଦର୍ଶକୁ ସମର୍ଥନ କରେ, ତା’ହେଲେ ମୁଁ ଭାବିବି ପ୍ରଫେସର ଆଇନ୍‌ଷ୍ଟାଇନ୍‌ ମୋ ଉପାୟକୁ ଚୋରାଇ ନେଲେ। ତେବେ, ଯଦି ଆପଣ ବିସ୍ତୃତ ଭାବରେ ଏହାକୁ ବୁଝିବାକୁ ଚାହୁଁଛନ୍ତି, ତା’ହେଲେ ମୁଁ ପ୍ରାଞ୍ଜଳ ଭାବରେ ବୁଝାଇବାକୁ ପ୍ରସ୍ତୁତ ଅଛି।’ ଏହାପରେ ଆଇନ୍‌ଷ୍ଟାଇନ୍‌ ତାଙ୍କର ପରମ ଭକ୍ତ ପାଲଟି ଯାଇଥିଲେ। ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ପ୍ରତିଭା ଗାନ୍ଧିଜୀଙ୍କୁ ମଧ୍ୟ ପ୍ରଭାବିତ କରିଥିଲା।
ଗେଙ୍ଗୁଟିପାଲି, ଧନକଉଡ଼ା, ସମ୍ବଲପୁର-୭୬୮୦୦୬

Leave A Reply