ସାଧବ, ଗିର୍‌ମିଟିଆ ଓ ପ୍ରବାସୀ ଭାରତୀୟ

0

ବିପିନ ବିହାରୀ ମିଶ୍ର

ଶହଶହ ବର୍ଷ ପୂର୍ବେ କଳିଙ୍ଗ, ଦାକ୍ଷିଣାତ୍ୟ ରାଜ୍ୟ (ବର୍ତ୍ତମାନ ଆନ୍ଧ୍ର ତାମିଲନାଡ଼ୁ, କେରଳ)ରୁ ବହୁ ସଂଖ୍ୟାରେ ବ୍ୟବସାୟୀ (ସାଧନ) ଜାଭା, ବାଲି, ସୁମାତ୍ରା (ବର୍ତ୍ତମାନ ଇଣ୍ଡୋନେସିଆ) ମାଳୟ (ବର୍ତ୍ତମାନର ମାଲେସିଆ), ଶ୍ୟାମ (ବର୍ତ୍ତମାନ ଥାଇଲାଣ୍ଡ), ତଥା ଲାଓସ, କାମ୍ବୋଡ଼ିଆ, କୋରିଆ ତିବବତ୍‌, ଚୀନ୍‌, ମଧ୍ୟ ଏସିଆ ଏପରିକି ବର୍ତ୍ତମାନର ରୁଷିଆରେ ବେପାର କରୁଥିଲେ। ପଶ୍ଚିମ ଉପକୂଳରୁ ଓ ବର୍ତ୍ତମାନ କେରଳରୁ ବଣିକମାନେ ଯାଇ ରୋମ୍‌ ଓ ଆଫ୍ରିକା, ଆରବ ଦେଶମାନଙ୍କରେ ଜିନିଷ କିଣାବିକା କରୁଥିଲେ। ଜାଭା, ବାଲି, ସୁମାତ୍ରା, ମାଳୟରେ ଅନେକ ସାଧବ ରହିଗଲେ, କିନ୍ତୁ ଯୁଆଡ଼େ ଗଲେ ସେମାନେ ନିଜର ଧର୍ମ ଓ ସଂସ୍କୃତିକୁ ନେଇଥିଲେ। ସେଇଥିପାଇଁ ବିଭିନ୍ନ ଦେଶମାନଙ୍କରେ ଏବେ ମଧ୍ୟ ଭାରତୀୟ ନାଁ, ହିନ୍ଦୁ ମନ୍ଦିର, ଆମ ଧର୍ମ ଓ ସଂସ୍କୃତିର ପାଦଚିହ୍ନ ଅଛି। ଇଣ୍ଡୋନେସିଆ ସରକାରଙ୍କର ବିମାନ ସଂସ୍ଥା ନାଁ ହେଉଛି ଗରୁଡ଼।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଅନେକ ସ୍ଥାନରେ ଭଗବାନ ରାମଚନ୍ଦ୍ର, ମା’ ସରସ୍ବତୀ, ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି; ଯଦିବା ଇଣ୍ଡୋନେସିଆ ଏକ ଇସଲାମିକ୍‌ ରାଷ୍ଟ୍ର, ସେମାନେ କହନ୍ତି- ‘ଆମେ ସିନା ଧର୍ମ ପରିବର୍ତ୍ତନ କଲୁ, ଇତିହାସ ଓ ସଂସ୍କୃତିକୁ କେମିତି ଭୁଲିଯିବୁ।’ ଗଣେଶ ପୂଜା ଓ ସରସ୍ବତୀ ପୂଜାରେ ଅନେକ ସ୍ଥାନରେ ସରକାରୀ ଛୁଟି ହୁଏ ଓ କିଛିବର୍ଷତଳେ ଇଣ୍ଡୋନେସିଆ ସରକାର ଏକ ବିରାଟ ସରସ୍ବତୀ ମୂର୍ତ୍ତି ଆମେରିକା ସରକାରଙ୍କୁ ଉପହାର ଭାବେ ପଠାଇଥିଲେ। କାମ୍ବୋଡ଼ିଆର ଆଙ୍କରଭଟ୍ଟ ମନ୍ଦିର ବିଶ୍ବବିଖ୍ୟାତ। ଥାଇଲାଣ୍ଡ ମହାରାଜାଙ୍କର
ଉପାଧି ହେଉଛି ରାମ। କେତେକ ସ୍ଥାନରେ ଭାରତୀୟମାନେ ରାଜ୍ୟ ସ୍ଥାପନ କରିଥିଲେ। ଶ୍ରୀ ବିଜୟ ସାମ୍ରାଜ୍ୟ ତନ୍ମଧ୍ୟରୁ ଅନ୍ୟତମ।
ହିନ୍ଦୁ ଧର୍ମ ସହିତ ବୌଦ୍ଧ ଧର୍ମ ମଧ୍ୟ ଗଲା। ତିବ୍‌ବତ, ଚୀନ୍‌, କୋରିଆ, ଜାପାନ, ଭିଏତ୍‌ନାମ, ଥାଇଲାଣ୍ଡ ପ୍ରଭୃତି ଦେଶରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ହେଲା। ଏଇ ଦେଶଗୁଡ଼ିକର ଭାରତ ସହିତ ଧାର୍ମିକ, ବାଣିଜ୍ୟିକ ଦୃଷ୍ଟିକୋଣରୁ ଘନିଷ୍ଠତା ଥିଲା। ବାଲିରେ ଏପର୍ଯ୍ୟନ୍ତ ଲୋକ କୁହନ୍ତି ଯେ ଭାରତରୁ ଶ୍ରୀଲଙ୍କାଦେଇ ମାର୍କଣ୍ଡେୟ ଋଷି ବାଲି ଆସି ଧର୍ମପ୍ରଚାର କରିଥିଲେ। ସେମାନେ ଅବଶ୍ୟ ମାର୍କ‌େ‌ଣ୍ଡୟ ମୁନି (ମାର୍କଣ୍ଡେୟ ପୁରାଣ ବର୍ଣ୍ଣିତ) କଥା କୁହନ୍ତି ନାହିଁ। ସମୟାନୁକ୍ରମେ ଆରବରୁ ମୁସଲମାନମାନେ ଦକ୍ଷିଣପୂର୍ବ ଏସିଆରେ ନିଜର ପ୍ରାଧାନ୍ୟ ବିସ୍ତାର କଲେ। ବାଣିଜ୍ୟ ସାଙ୍ଗେ ଧର୍ମାନ୍ତରୀକରଣ ମଧ୍ୟ କଲେ। ଏଣେ ଭାରତ ଇଂରେଜମାନଙ୍କ ଦ୍ବାରା ଶାସିତ ହେଲା। ଆମମାନଙ୍କର ନୌସେନା ନଥିଲା କେବଳ ଚୋଳ ରାଜ୍ୟକୁ ଛାଡ଼ି। ତେଣୁ ଆରବମାନଙ୍କ ମାଧ୍ୟମରେ ଆମେ ବାଣିଜ୍ୟ କଲୁ। ମୋଗଲ୍‌ ଓ ଆଫ୍‌ଗାନ ମାନଙ୍କର ନୌସେନା ନଥିବାରୁ ସେମାନେ ଆରବ, ପର୍ତ୍ତୁଗୀଜ ଇତ୍ୟାଦିକୁ ମୁକାବିଲା କରି ପାରିଲେ ନାହିଁ। ବିଶାଳ ମୋଗଲ ସାମ୍ରାଜ୍ୟ ଓ ବାହାମନି ସାମ୍ରାଜ୍ୟ ଥିବା ସତ୍ତ୍ବେ ପର୍ତ୍ତୁଗାଲ ଗୋଆ, ଡାମନ୍‌ ଡିୟୁୁକୁ ମାଡ଼ିବସିଲା।
ଏହି ପ୍ରକାରେ ଆମ୍ଭେମାନେ କ୍ରମଶଃ ଏସିଅାର ଅନ୍ୟ ଦେଶମାନଙ୍କରୁ ଅପସରି ଗଲୁ। ଊନବିଂଶ ଶତାବ୍ଦୀରେ ପୃଥିବୀର ଅଧାଅଂଶକୁ ମାଡ଼ିବସିଥିବା ଇଂରେଜମାନେ ତାଙ୍କ ଉପନିବେଶମାନଙ୍କରେ ଆଖୁ ଓ ରବର ଚାଷ ପାଇଁ ବହୁ ସଂଖ୍ୟାରେ ଶ୍ରମିକ ଦରକାର କଲେ। ସ୍ଥାନୀୟ ଅଧିବାସୀମାନେ ଶ୍ରମିକଭାବରେ ରହିଲେ କାଳେ ଆନ୍ଦୋଳନ କରିବେ, ତେଣୁ ନିଷ୍ପତ୍ତି ହେଲା ଅନ୍ୟଦେଶମାନଙ୍କରୁ ଶ୍ରମିକ ନିଆଯିବ। ଆମେରିକା ଆଫ୍ରିକାରୁ ନେଲା କ୍ରୀତଦାସ କିନ୍ତୁ ଇଂଲଣ୍ଡ କ୍ରୀତଦାସ ପ୍ରଥା ବନ୍ଦ କରିଦେବାରୁ ଠିକାରେ ନିଆଯାଉ
ଥିବା ଶ୍ରମିକ ବନ୍ଦୋବସ୍ତ କଲା। ଭାରତର ଅଧିକାଂଶ ଠିକା ଶ୍ରମିକ ଗଲେ ଉତ୍ତର ପ୍ରଦେଶ ଓ ବିହାରରୁ। ସେମାନଙ୍କ ସଙ୍ଗରେ ରାଜିନାମା କରାଗଲା। ଯେଉଁମାନେ ଏଗ୍ରିମେଣ୍ଟ କରି ଗଲେ ସେମାନଙ୍କୁ କୁହାଗଲା ଏଗ୍ରିମେଣ୍ଟିଆ। ଅପଭ୍ରଂଶ ହୋଇ ହେଲା ଗିରମିଟିଆ। ହଜାରହଜାର ସଂଖ୍ୟାରେ ଗିର୍‌ମିଟିଆ ଗଲେ ମରିସସ୍‌, ସୁରିନାମ, ପଶ୍ଚିମ ଭାରତ ଦ୍ବୀପପୁଞ୍ଜ(ୱେଷ୍ଟଇଣ୍ଡିଜ୍‌), ଗାଏନା, ଫିଜି, ମାଲେସିଆ, ଶ୍ରୀଲଙ୍କା, ଦକ୍ଷିଣଆଫ୍ରିକା ଓ ପୂର୍ବଆଫ୍ରିକା(କେନିଆ ଉଗାଣ୍ଡା ଇତ୍ୟାଦି)। ବହୁତ ଗିର୍‌ମିଟିଆ ଉକ୍ତ ଦେଶମାନଙ୍କର ଜମିକିଣି ରହିଗଲେ, କିନ୍ତୁ ସେମାନେ ନିଜଭାଷା ସଂସ୍କୃତି, ମହାଭାରତ ରାମାୟଣକୁ ଭୁଲିଲେ ନାହିଁ। ସେମିତି ପୂର୍ବ ଏସିଆରେ ଥିବା ଭାରତୀୟମାନେ ନିଜ ସଂସ୍କୃତି ଓ ଧର୍ମର ପ୍ରତିନିଧି ହୋଇ ଏବେ ବି ରହିଛନ୍ତି। ଅନ୍ୟ ଏକ ମାଧ୍ୟମରେ ଗଲେ ଭାରତୀୟମାନେ। ଦୁଇ ମହାଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧ ପରେ ଅନେକ ଭାରତୀୟ ସୈନିକ ବିଜେତା ରାଜ୍ୟରେ ରହିଗଲେ। ବହୁତ ଗୁଜୁରାଟି, ସିନ୍ଧି, ଆଫ୍ରିକାର ଅନେକ ରାଜ୍ୟରେ ବାଣିଜ୍ୟ କରୁକରୁ ବାସିନ୍ଦା ହୋଇଗଲେ। ସେହିଭଳି ଅନେକ ଶିଖ୍‌ କାନାଡ଼ା ଚାଲିଗଲେ ଓ ସ୍ବାଧୀନତା ପରେ ବହୁ ଭାରତୀୟ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଆଦି ଦେଶରେ ନାଗରିକ ହୋଇଗଲେ। କମ୍ପ୍ୟୁଟର ଇଣ୍ଟରନେଟ୍‌ର ବହୁଳ ପ୍ରଚାର, ସୁବିଧା ଦେଲା ଅନେକ ନିରକ୍ଷର ଭାରତୀୟଙ୍କୁ ବିଭିନ୍ନ ଦେଶରେ ସେମାନଙ୍କର ଆସ୍ଥାନ ଜମେଇବାକୁ। ବହୁ ସଂଖ୍ୟାରେ ଭାରତୀୟ ଆମେରିକା, ୟୁରୋପରେ ଡାକ୍ତର, ଇଞ୍ଜିନିୟର, ପ୍ରଫେସର, ନର୍ସ, ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଗଲେ ଓ ଅନେକ ସେଠାରେ ବାସିନ୍ଦା ମଧ୍ୟ ହୋଇଗଲେ। ଭାରତୀୟଙ୍କ ପ୍ରଭାବ ଧୀରେଧୀରେ ବଢ଼ିଲା। ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା)ର ପ୍ରାୟ ଚାରିଭାଗରୁ ଭାଗେ ବୈଜ୍ଞାନିକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ପାଞ୍ଚଜଣ ଭାରତୀୟ ବଂଶୋଦ୍ଭବ (ଅମର୍ତ୍ତ୍ୟସେନ, ଡ. ଖୁରାନା ସମେତ) ନୋବେଲ ପୁରସ୍କାର ପାଇଛନ୍ତି। ଆମେରିକାର ଗଭର୍ଣ୍ଣର, ସିନେଟର, ମେୟର, ବହୁ ବଡ଼ବଡ଼ କମ୍ପାନୀର ମୁଖ୍ୟ ଓ ପ୍ରାୟ ୨୫%ଡାକ୍ତର ହୋଇଥିବାରୁ ସେମାନେ ସମ୍ମାନ (କେତେକ କ୍ଷେତ୍ରରେ ଈର୍ଷା)ର ପାତ୍ର ହୋଇଛନ୍ତି। ଭାରତୀୟମାନେ ଯୁଆଡ଼େ ଗଲେ ତାଙ୍କ ସାଙ୍ଗରେ ଗଲା ସଂସ୍କୃତି ଓ ଭାଷା। ସେମାନେ ଗର୍ବର ସହିତ କୁହନ୍ତି ‘ଆମ ମୂଳ ଭାରତୀୟ’। ୱେଷ୍ଟଇଣ୍ଡିଜ୍‌ର ନାଇପଲ ଯାହାଙ୍କର ପୂର୍ବପୁରୁଷ ଏକଦା ଗିର୍‌ମିଟିଆ ଥିଲେ ସେ ପାଇଲେ ସାହିତ୍ୟରେ ନୋବେଲ୍‌ ପୁରସ୍କାର। ସେଇ ଭି ଏସ୍‌ ନାଇପଲ ହେଉଛନ୍ତି ପୃଥିବୀ ବିଖ୍ୟାତ ସାହିତ୍ୟିକ। ମରିସସ୍‌ରେ ଭାରତୀୟ ହୋଇଛନ୍ତି ରାଷ୍ଟ୍ରପତି। ଫିଜିରେ ଶାସନମୁଖ୍ୟ ଓ ନ୍ୟୁଜିଲାଣ୍ଡର ଆନନ୍ଦ ସତ୍ୟାନନ୍ଦ ହୋଇଛନ୍ତି ଗଭର୍ଣ୍ଣର ଜେନେରାଲ। ଭାରତ ଆଉ ‘ସାପୁଆକେଳା, କୁଲି ଭିକାରିଙ୍କ ଦେଶ’ ହୋଇ ରହିନାହିଁ। ଆର୍ଥିକ
ଓ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ଦେଶ ହୋଇଥିବାରୁ ଭାରତୀୟମାନେ ବିଦେଶରେ ମୁଣ୍ଡ ଟେକି ଚାଲିପାରୁଛନ୍ତି, ଅଥଚ ସେହି ଭାରତର ଏକଦା ଅଂଶଥିବା ପାକିସ୍ତାନର ନାଗରିକମାନଙ୍କୁ ଆକ୍ଷେପ କରାଯାଉଛି। ସେଥିପାଇଁ ଯଦି କେହି ପାକିସ୍ତାନୀ, ଆମେରିକା, ଇଂଲଣ୍ଡ କିମ୍ବା ଏସିଆରେ ଭୋଜନାଳୟ ଖୋଲିଲେ ଲେଖନ୍ତି ଇଣ୍ଡିଆନ୍‌ ରେଷ୍ଟୁରାଣ୍ଟ। ବାଂଲାଦେଶୀମାନେ ମଧ୍ୟ ସେଇଆ କରନ୍ତି, କାରଣ ସେମାନେ ସେ ଦେଶରେ ନିଜର ପରିଚୟ ଖୋଜୁଛନ୍ତି। ଆରବ ଦେଶମାନଙ୍କର ଭାରତୀୟଙ୍କ ବହୁତ ଆବଶ୍ୟକତା। ତେଲର ଆବଶ୍ୟକତା ବଢ଼ିବାରୁ ​‌େ​‌ସମାନେ ବିଭିନ୍ନ ସ୍ତରରେ ଉପଯୁକ୍ତ ଲୋକ ଖୋଜିଲେ ଓ ସ୍ଥାନ ପୂରଣ କଲେ ଭାରତୀୟ ପାକିସ୍ତାନୀ, ବାଂଲାଦେଶୀ, ସିଂହଳୀ ଓ ଅର୍ଦ୍ଧଶିକ୍ଷିତ ଲୋକମାନେ। ଦୁବାଇରେ ଅନୌପଚାରିକ ଭାବେ ହିନ୍ଦୀକୁ ରାଷ୍ଟ୍ରଭାଷା ବୋଲି ଗ୍ରହଣ କରାଯାଏ। ସରକାରଙ୍କ ତରଫରୁ ଦିୱାଲି ପାଳନ କରାଯାଏ। ସ୍ବାଧୀନତା ପରେ ବହୁତ ଶିଖ୍‌, ମାରୱାଡ଼ି, ଗୁଜରାଟି, ବିଭିନ୍ନ ଦେଶକୁ ଯିବାରୁ ପୂର୍ବରୁ ଥିବା ତାମିଲ, ମଲାୟଲୀ ଓ ସିନ୍ଧି, ସମସ୍ତେ ମିଳିତ ହୋଇ ମନ୍ଦିର, ମସଜିଦ୍‌ ଓ ଗୁରୁଦ୍ବାର ଇତ୍ୟାଦି ବନେଇଲେ।
ଯେଉଁଠାରେ ଭାରତୀୟମାନେ ଅଛନ୍ତି ପ୍ରାୟ (ତିନି କୋଟି ଉପରେ) ସେଠାରେ ନିଜର ସତ୍ତା ହରେଇ ନାହାନ୍ତି। ଆମେରିକାରେ ଜର୍ମାନୀ, ଆୟାର୍ଲାଣ୍ଡ ଓ ଇଂଲଣ୍ଡର ବହୁ ବାସିନ୍ଦା ଆମେରିକୀୟ ହୋଇଯାଇଛନ୍ତି, କିନ୍ତୁ ସେମାନଙ୍କର ସ୍ବତନ୍ତ୍ର ସଂସ୍କୃତି ନଥିବାରୁ ସେମାନେ ସତ୍ତା ହରେଇଛନ୍ତି। ପାକିସ୍ତାନୀମାନେ ଭାରତୀୟ ସଂସ୍କୃତିକୁ ମାନନ୍ତି ନାହିଁ। ତେଣୁ ସେମାନେ ନିଜର ସ୍ବାତନ୍ତ୍ର୍ୟ ପାଇଁ ନିଜର ଧନ ଉପରେ ନିର୍ଭର କରନ୍ତି। ଯାହାଦ୍ବାରା ଚକ୍ଷୁଶୂଳ ହେଉଛନ୍ତି।
ସେ ଦେଶରେ ସଂସ୍କୃତିର ଯେଉଁ ଦିଗଗୁଡ଼ିକ ପ୍ରଭାବିତ କରୁଛି ସେଗୁୁଡ଼ିକ ହେଲା ଭାଷା, ସଂଗୀତ ଓ ନୃତ୍ୟ। ଭାରତର ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ, ପୃଥିବୀରେ ବିଖ୍ୟାତ। ଜନଜାତିଙ୍କ ନୃତ୍ୟ ମଧ୍ୟ ବହୁ ଆଲୋଚିତ। ବିଶ୍ବର ବହୁ ସ୍ଥାନରେ ଭାରତନାଟ୍ୟମ, କଥାକଳି ଓ ଓଡ଼ିଶୀର ବହୁତ ସମ୍ମାନ। ଓଡ଼ିଶାର ଛଉନୃତ୍ୟ ଓ ପଞ୍ଜାବର ଭାଙ୍ଗଡା ଦେଖିବା ପାଇଁ ହୁଏ ବହୁତ ଭିଡ଼। ଏସବୁ ସାଙ୍ଗକୁ ମହାତ୍ମା ଗାନ୍ଧୀଙ୍କ ନାଁ। ସେ ଏଭଳି ଜଣେ ମହାନ ନେତା ସେ ଗୋଟିଏ ଦେଶରୁ ଯାଇ ଆଉ ଗୋଟିଏ ଦେଶରେ (ଦକ୍ଷିଣ ଆଫ୍ରିକା) ଅହିଂସା ଆନ୍ଦୋଳନ କଲେ। ଏହାର ବୈଚିତ୍ର୍ୟ ବିଶ୍ବ ବିଖ୍ୟାତ ଲେଖକ ଟଲଷ୍ଟୟ, ରୋମା ରୋଁଲାଙ୍କୁ ଚମତ୍କୃତ କରିଥିଲା। ଯେତେ ବିଶ୍ବଦିବସ ପାଳନ କରାଯାଉଛି ଯଥା, ପିତୃଦିବସ, ମାତୃଦିବସ, ତାହାସବୁ ଇଂଲଣ୍ଡ, ଆମେରିକାରୁ ଜାତ। ଏକମାତ୍ର ସାରା ପୃଥିବୀରେ ପାଳନ ହେଉଥିବା ବିଶ୍ବ ଯୋଗଦିବସ ଭାରତରୁ ଉତ୍ପନ୍ନ। ଆମର ଆୟୁର୍ବେଦ କ୍ରମଶଃ ଲୋକପ୍ରିୟ ହେବାରୁ ବହୁ ବିଦେଶୀ କେରଳକୁ ଆସନ୍ତି ପଞ୍ଚକର୍ମର ଚିକିତ୍ସା ପାଇଁ। ଭାରତକୁ ଆହୁରି ଜନପ୍ରିୟ କରୁଛି ହିନ୍ଦୀ ସିନେମା ଓ ଗୀତ। ଦୁବାଇରେ ୨୬ଟି ସିନେମା ହଲରେ କେବଳ ଭାରତୀୟ ସିନେମା ଦେଖାଯାଏ। ଆମ ନେତାମାନଙ୍କ ଅପେକ୍ଷା ବେଶି ଜଣାଶୁଣା ହେଉଛନ୍ତି ଶାହରୁଖ୍‌ ଖାଁ, ଅମୀର ଖାଁ ଓ ସଲମାନ୍‌ ଖାଁ। ପାକିସ୍ତାନର ପ୍ରଚାର ଯେ ଭାରତରେ ମୁସଲମାନମାନେ ବଡ଼ କଷ୍ଟରେ ଚଳୁଛନ୍ତି, ସେହି ଧାରଣାକୁ ବହୁ ଅଂଶରେ ନଷ୍ଟ କରୁଛି ଏଇ ତିନି ଖାନ୍‌ଙ୍କ ଭାବମୂର୍ତ୍ତି।
ପ୍ରବାସୀ ଭାରତୀୟମାନେ ଦେଶର ସମ୍ମାନ ବଢ଼େଇବା ସମେତ ଆମ ଅର୍ଥନୀତିକୁ ଆଗକୁ ବଢ଼େଇ ଚାଲୁଛନ୍ତି। ବର୍ଷକୁ ପ୍ରାୟ ଚାରିଲକ୍ଷ ହଜାରକୋଟି ଟଙ୍କା ପଠାଉଥିବାରୁ ଆମର ବିଦେଶୀ ମୁଦ୍ରା ସଞ୍ଚୟ ବଢ଼ୁଛି। ଆମ ଭାରତୀୟଙ୍କ ସ୍ବଭାବ ଦେଖି ସାରା ପୃଥିବୀର ଧାରଣା ହୋଇଛି ଯେ ସେମାନେ ଶାନ୍ତଶିଷ୍ଟ; ଆନ୍ଦୋଳନକାରୀ କିମ୍ବା ସନ୍ତ୍ରାସବାଦୀ ନୁହନ୍ତି। ଆମ ଦେଶର ପ୍ରଭାବ ସବୁଦିନ ପାଇଁ ଅତୁଟ ରଖିବେ ସେ ଦିନର ସାଧବ, ଗିରମିଟିଆ ଓ ଆଜିର ପ୍ରବାସୀ ଭାରତୀୟ।

Leave A Reply