ଧର୍ମାତ୍ମା ବୃକ୍ଷରକ୍ଷକ

0

ପ୍ରବନ୍ଧନ ଓ ପରିଚାଳନା ତ୍ରୁଟିପୂର୍ଣ୍ଣ ହେଲେ କାମ ବିଗିଡ଼େ, ପରିଣତି ଖରାପ ହୁଏ। ​‌େ​‌ଢଙ୍କାନାଳ ଜିଲାର ବଳରାମପୁର ମୌଜାରେ ଏକ ଘରୋଇ ମଦ କମ୍ପାନୀକୁ କାରଖାନା ପାଇଁ ସରକାର ଜାଗାଦେବା ଓ ସେଠାରେ ଗ୍ରାମବାସୀଙ୍କ ଦ୍ବାରା ରକ୍ଷଣାବେକ୍ଷଣ ହେଉଥିବା ଜଙ୍ଗଲରୁ ପୁଲିସ ଓ ପ୍ରଶାସନ ସହାୟତାରେ ଜବରଦସ୍ତ ମୂଲ୍ୟବାନ ଗଛସବୁ କାଟିବା ଫଳରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେଥିପାଇଁ ସରକାର ନିଜେ ହିଁ ଦାୟୀ। ଏ ପ୍ରକରଣଟି ‘ଆ ବଳଦ ମୋତେ ବିନ୍ଧ୍‌’ ଭଳି ହୋଇଛି। ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରକଳ୍ପକୁ ବାତିଲ କରାଯାଇଛି। ଏହି ଘଟଣାରେ ସରକାର ଯେଉଁସବୁ ପଦକ୍ଷେପ ନେଇଥିଲେ ସେଥିରେ ସାଧାରଣ ଜ୍ଞାନ ଓ ଦୂରଦୃଷ୍ଟିର ଯେ ଅଭାବ ଥିଲା ଏହାକୁ ଅସ୍ବୀକାର କରିହେବ ନାହିଁ। ବିରଳ ବୃକ୍ଷଥିବା ଏକ ଜଙ୍ଗଲାଞ୍ଚଳର କିସମ ପରିବର୍ତ୍ତନ ସହ ଏହାକୁ ଗୋଟିଏ ମଦ କମ୍ପାନୀକୁ ଦିଆଯିବା, ଗଛ କାଟିବାକୁ ଜିଲା ପ୍ରଶାସନ ଓ ପୁଲିସକୁ ନି​‌େ​‌ୟାଜିତ କରିବା ଶିଳ୍ପ ଏବଂ ଜଙ୍ଗଲନୀତିର ବିରୋଧାଚରଣ କରେ। ଏଥିରେ ଜଙ୍ଗଲ ଜମିର ଉପଯୋଗ ପାଇଁ ଯେଉଁ ପଦକ୍ଷେପ ସରକାର ନେଇଥିଲେ ତାହାର ଉଦ୍ଦେଶ୍ୟ ମହାନ ଓ ଲୋକାଭିମୁଖୀ ନୁହେଁ। ଆହୁରି ଦୁଃଖଦାୟକ ହେଉଛି ଅବକାରୀ ମନ୍ତ୍ରୀଙ୍କ ବିବୃତି। ଶହଶହ ଗଜାଗଛ କଟାଯାଉଥିବାବେଳେ ତା’ର ଭରଣା ପାଇଁ ତିନିଗୁଣ ଗଛ ଲାଗିବ କହି ସେ କି ବାର୍ତ୍ତାଦେବାକୁ ଚାହୁଁଥିଲେ? ଶାଳ ପ୍ରଜାତିର ଗଛ ପ୍ରାକୃତିକ ଉପାୟରେ ସୃଷ୍ଟି ହୁଏ ଓ ଶାଳ ଜଙ୍ଗଲକୁ ନଷ୍ଟ କଲେ ତାହାର ବିକଳ୍ପ ଜଙ୍ଗଲ ଚାରାରୋପଣ ଦ୍ବାରା ମଣିଷ କରିପାରିବ ନାହିଁ- ଏ କଥାଟି ବୋଧହୁଏ ମନ୍ତ୍ରୀ ମହାଶୟ ଜାଣିନାହାନ୍ତି। ତୀବ୍ର ଜନବିରୋଧ, ବିଶେଷକରି ମହିଳାଙ୍କ ସାହସିକ ପ୍ରତିବାଦ ଯୋଗୁଁ ସରକାର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ଭୟରେ ଗଛକଟା ବନ୍ଦ କରି ତଦନ୍ତ ଆଦେଶ ଦେଲେ। ନିଜ ନିଷ୍ପତ୍ତିର କାର୍ଯ୍ୟକାରିତା ଓ ନିଜ ଅଧିକାରୀ ତଥା ପ୍ରଶାସନ ଦ୍ବାରା ହୋଇଥିବା କାର୍ଯ୍ୟର ତଦନ୍ତ ପୁଣି ଉଚ୍ଚ ସରକାରୀ ଅଧିକାରୀ କରିବେ, ଏଥିରେ କିଏ ଦୋଷୀ ହେବ ଓ ତାକୁ କି ଦଣ୍ଡ ମିଳିବ ତାହା ବୁଝିବା ମୁସ୍କିଲ। ଜିଲାପାଳ ଓ ପୁଲିସ ତ ସରକାରୀ ଆଦେଶ ବଳରାମପୁରରେ ପାଳନ କରିଛନ୍ତି ଓ ସେମାନେ ଆଜ୍ଞାବହ। ସେମାନେ କାହିଁକି ଦଣ୍ଡ ପାଇବେ? ଏ ଘଟଣାରେ ଶାସନର ଯେଉଁମାନେ ପ୍ରଚ୍ଛଦପଟରେ ରହିଛନ୍ତି ସେମାନଙ୍କୁ ତଦନ୍ତ ପରିସର କରାଯାଉ।
ଏବେ ଭାବମୂର୍ତ୍ତି ସୁଧାରିବାକୁ ଓ ବିବାଦ ଏଡ଼ାଇବାକୁ କିଛି ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନାମଧରି ପାରିହେବାକୁ ବସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଗଛକଟା ବନ୍ଦ ହେଲା, ମୁଖ୍ୟମନ୍ତ୍ରୀ ପ୍ରକଳ୍ପକୁ ବାତିଲ କଲେ ବୋଲି କୁହାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ସେଠାରେ ଜମିର କିସମ ବଦଳାଠାରୁ ଗଛକଟା ଓ ପୁଲିସର ବଳପ୍ରୟୋଗ ଆଦି ଯାହାସବୁ ହେଲା ସେସବୁ ବିଷୟରେ ମୁଖ୍ୟମନ୍ତ୍ରୀ କ’ଣ ଭଲଭାବେ ଅବଗତ
ଥିଲେ ନା’ ତାଙ୍କୁ ଅନ୍ଧାରରେ ରଖାଯାଇଥିଲା ତାହା ସ୍ପଷ୍ଟ ହେବା ଉଚିତ। କମ୍ପାନୀ ବାହାଦୁରଙ୍କୁ ଖୁସି କରିବାର ଅଛି ତ ମଦ କାରଖାନା ପାଇଁ ଓଡ଼ିଶାରେ ପ୍ରଚୁର ବିକଳ୍ପ ଜମି ରହିଛି। ଅନ୍ୟସ୍ଥାନରେ ଜମି ନ ଦେଇ ସେଇଠି କାହିଁକି, ଯେଉଁଠି ବିରଳ ବୃକ୍ଷରାଜି ଓ ସବୁଜିମା ରହିଛି। ଶିଳ୍ପାୟନ ଠିକ୍‌ବାଟରେ ଗଲେ ଲୋକେ ବିରୋଧ କରିବେ ନାହିଁ। ଏବେ ଦେଶର ଜଙ୍ଗଲ ଓ ପରିବେଶ ଆଇନ ଅତି କଠୋର। ସାଧାରଣ ଲୋକ ମଧ୍ୟ ନିଜ ବାଡ଼ିବଗିଚାର ଜାଳେଣି ଗଛଟିଏ କାଟିଲେ ସରକାରୀ ଅନୁମତି ନେବାକୁ ପଡ଼ୁଛି। ଏଠି ସରକାର ନିଜେ କିପରି ଆଇନ ଭାଙ୍ଗୁଛନ୍ତି? ଅତଏବ ସରକାରଙ୍କ ପଦକ୍ଷେପ ଓ ନିଷ୍ପତ୍ତି ସବୁ ସାଧାରଣ ସନ୍ଦେହର ଊର୍ଦ୍ଧ୍ବରେ ରହି ସ୍ବଚ୍ଛ ଓ ପାରଦର୍ଶୀ ହେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଛବି ମ୍ଳାନ କଲାଭଳି ଏମିତି କିଛି କାମ ନ’ ହେଉ। ସମସ୍ୟା ସୃଷ୍ଟି କରି ସେଥିରୁ ଉଦ୍ଧାର ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ବ୍ୟବହାର କରି ସରକାରର ଭାବମୂର୍ତ୍ତି ବଢ଼ାଇବା ପ୍ରୟାସ ପରିସ୍ଥିତିରୁ ରକ୍ଷା ପାଇବା ଦୃଷ୍ଟିରୁ ଠିକ୍‌ ହୋଇପାରେ ସତ, ହେଲେ ଏହାର ବାର୍ତ୍ତା ଲୋକଙ୍କ ପାଖକୁ ଠିକ୍‌ ଯାଏନା। ଲୋକେ ଅଲବତ କହିବେ ଇଏ ‘ଡାଆଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା’ ପ୍ରୟାସ। ଏ ଘଟଣାର ପୁନରାବୃତ୍ତି ନ ଘଟୁ।
ସବୁଜ ଆନ୍ଦୋଳନ ଓ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବଳରାମପୁର ଗାଁର ଲୋକେ, ବିଶେଷକରି ମହିଳାମାନେ ଯେଉଁ ସାହସ ଓ ଅଙ୍ଗୀକାର ପ୍ରଦର୍ଶନ କରିଛନ୍ତି ତାହା ଉଦାହରଣୀୟ। ସେଇଥିପାଇଁ ସେମାନେ ଅଭିନନ୍ଦନୀୟ ଓ ଧନ୍ୟବାଦାର୍ହ। ଏ ପ୍ରକୃତି ଓ ବୃକ୍ଷପ୍ରେମୀଙ୍କ ସଂଖ୍ୟା ବଢ଼ୁ ଏବଂ ଏଭଳି ଆନ୍ଦୋଳନ ଅଧିକ ପ୍ରସାରିତ ହେଉ। କୁହାଯାଏ ‘‘ଧର୍ମାତ୍ମା ବୃକ୍ଷ ରକ୍ଷକ’’। ସେମାନଙ୍କ ପ୍ରୟାସ ଦୀର୍ଘସ୍ଥାୟୀ ଓ ବ୍ୟାପକ ହୋଇ ରାଜ୍ୟର ସବୁଜିମା ବଢ଼ୁ। ବଳରାମପୁର ଘଟଣା ଆମକୁ ଓ ଆମ ଶାସନ ବ୍ୟବସ୍ଥାକୁ ସଂପଦର ସୁରକ୍ଷା ପାଇଁ ନୂଆ ପ୍ରେରଣା ଓ ଉତ୍ସାହ ଦେବ ବୋଲି ଆଶା।

Leave A Reply