ବର୍ଜ୍ୟବସ୍ତୁ ପରିଚାଳନା

0

ସ୍ମୃତିରେଖା ମହାନ୍ତି

ବର୍ଜ୍ୟବସ୍ତୁର ପରିଚାଳନା ଏକ ବିରାଟ ସମସ୍ୟାଭାବେ ବର୍ତ୍ତମାନ ଦେଖାଦେଇଛି। ଭାରତର ବଡ଼ବଡ଼ ସହରମାନଙ୍କରେ ଆବର୍ଜନା ବଢ଼ିବଢ଼ି ଚାଲିଛି ଏବଂ ଆବର୍ଜନାର ଉଚିତ ପରିଚାଳନା ହୋଇପାରୁନାହିଁ। ସହର ବିକାଶ ମନ୍ତ୍ରଣାଳୟ ତଥ୍ୟରୁ ଜଣାଯାଏ ଯେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟର ପୌରପାଳିକାଗୁଡ଼ିକ ୧୦ ପ୍ରତିଶତରୁ କମ ବର୍ଜ୍ୟବସ୍ତୁ ମଧ୍ୟ ପରିଚାଳନା କରୁନାହାନ୍ତି, କିନ୍ତୁ ଛତିଶଗଡ଼ ୭୪ ପ୍ରତିଶତ, ତେଲଙ୍ଗାନା ୬୧ ପ୍ରତିଶତ, ସିକ୍କିମ ୬୬ ପ୍ରତିଶତ, ଗୋଆ ୬୨ ପ୍ରତିଶତ ଏବଂ ଦିଲ୍ଲୀ ୫୫ ପ୍ରତିଶତ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି। ସେଣ୍ଟର ଫର୍‌ ସାଇନ୍‌ସ ଆଣ୍ଡ୍‌ ଏନଭାର୍ଣ୍ଣମେଣ୍ଟ (ସିଏସଇ) ଅନୁସାରେ ସହରମାନଙ୍କରେ ବର୍ଜ୍ୟବସ୍ତୁ ଫିଙ୍ଗିବା ପାଇଁ ଆଉ ଜାଗା ନାହିଁ ଯଦ୍ଦ୍ବାରା ପୌରପାଳିକାଗୁଡ଼ିକ ସହରତଳି ଅଞ୍ଚଳ ଏବଂ ପାଖାପାଖି ଗାଁମାନଙ୍କରେ ବର୍ଜ୍ୟବସ୍ତୁ ଫିଙ୍ଗିବା ଆରମ୍ଭ କରିଛନ୍ତି।
ସାଧାରଣତଃ ପୌରପାଳିକାଗୁଡ଼ିକ ଆବର୍ଜନାକୁ ଅଳିଆଗଦାରେ ପକାଉଛନ୍ତି। ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସଙ୍ଗେସଙ୍ଗେ ଭୂତଳଜଳ, ଭୂମି ଏବଂ ବାୟୁ ପ୍ରଦୂଷଣ ହେଉଛି।
ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ହେଲେ ପ୍ରଥମେ ଆମେ ଆମ ମନୋଭାବର ପରିବର୍ତ୍ତନ କରିବା ଆବଶ୍ୟକ। କେରଳର ଆଲେପି ଟାଉନ ହେଉଛି ବିଶ୍ବର ପାଞ୍ଚଟି ସ୍ବଚ୍ଛ, ସହର ମଧ୍ୟରୁ ଗୋଟିଏ। ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ହେଲେ ଆମେ ଘରୁ ହିଁ ବର୍ଜ୍ୟବସ୍ତୁକୁ ଅଲଗା ଅଲଗା କରିବା ଦରକାର।
ବର୍ଜ୍ୟବସ୍ତୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି। ଯଥା ସବୁଜ ବର୍ଜ୍ୟବସ୍ତୁ, ଶୁଖିଲା ବର୍ଜ୍ୟବସ୍ତୁ ଏବଂ ଫିଙ୍ଗିବା ବର୍ଜ୍ୟବସ୍ତୁ। ସବୁଜ ବର୍ଜ୍ୟବସ୍ତୁ ହେଲା କାଗଜ, ପ୍ଲାଷ୍ଟିକ ପାଣିବୋତଲ, ଭଙ୍ଗାପ୍ଲାଷ୍ଟିକ ଜିନିଷ, କୁର୍‌କୁରେ ଏବଂ ବିସ୍କୁୁଟଖୋଳ, କ୍ଷୀର ପ୍ୟାକେଟ୍‌ ଇତ୍ୟାଦି। ଫିଙ୍ଗିବା ବର୍ଜ୍ୟବସ୍ତୁ ହେଲା ସାନିଟାରି ନ୍ୟାପ୍‌କିନ୍‌, ପିଲାଙ୍କ ଡାଏପର, ଧାରୁଆ ଜିନିଷ, ଛୁରି, ବ୍ୟବହୃତ ତୁଳା ଇତ୍ୟାଦି। ପନିପରିବା ଓ ଫଳଚୋପା, ପୂଜାଫୁଲ ଏବଂ ବଗିଚାର ଶୁଖିଲା ପତ୍ର, କାଠି ଇତ୍ୟାଦିକୁ ଶୁଖିଲା ବର୍ଜ୍ୟବସ୍ତୁ କୁହାଯାଏ।
ଆମେ ସବୁଜ ବର୍ଜ୍ୟବସ୍ତୁୁକୁ ସବୁଜ ବାଲ୍‌ଟିରେ ରଖିବା ଯାହାଦ୍ବାରାକି ପରିବର୍ତ୍ତନ ସମୟରେ ଆମେ ସେଗୁଡ଼ିକୁ ଖତ ରୂପେ ବ୍ୟବହାର କରିପାରିବା। ଶୁଖିଲା ବର୍ଜ୍ୟବସ୍ତୁକୁ ଏକ ବ୍ୟାଗ୍‌ରେ ରଖିବା ଯାହାକୁ କି ସପ୍ତାହରେ ଥରେ କିମ୍ବା ଦୁଇଥର କବାଡ଼ିବାଲା କିମ୍ବା ଜରି ଗୋଟାଳି ଓ ଆବର୍ଜନା ସଂଗ୍ରହକାରୀକୁ ଦେଇ ପାରିବା ଏବଂ ଫିଙ୍ଗିବା ବର୍ଜ୍ୟବସ୍ତୁୁ ପୌରପାଳିକାକୁ ଦେବା। ଏହା ଦ୍ବାରା ଆମେ ଦେଖିବା ଯେ ମାତ୍ର ୧୦ ପ୍ରତିଶତ ବର୍ଜ୍ୟବସ୍ତୁ ଅଳିଆଗଦାକୁ ଯିବ ଏବଂ ୯୦ ପ୍ରତିଶତ ବର୍ଜ୍ୟବସ୍ତୁକୁ ଆମେ ନିଜେ ଘରୁ ହିଁ ପରିଚାଳନା କରିପାରିବା। ଶୁଖିଲା ବର୍ଜ୍ୟବସ୍ତୁକୁ ଆବର୍ଜନା ଗୋଟାଳି ବା ସଂଗ୍ରହକାରୀ ସଂସ୍ଥାକୁ ଯେଉଁଠାରେ ଶୁଖିଲା ବର୍ଜ୍ୟବସ୍ତୁୁକୁ ଅଲଗା କରାଯାଇ ରିସାଇକଲ୍ ବା ପୁନଃଚକ୍ରଣ କରିବାପାଇଁ ନିର୍ଦିଷ୍ଟ ସ୍ଥାନକୁ ପଠାଯାଏ। ଏହାଦ୍ବାରା ଆବର୍ଜନା ଗୋଟାଳିର ମଧ୍ୟ ରୋଜଗାର ହୋଇଥାଏ। ବର୍ତ୍ତମାନ କମ୍ପାନୀଗୁଡ଼ିକ ଏକ୍ସଟେଣ୍ଡେଡ୍‌ ପ୍ରଡକ୍ସନ ରେସ୍‌ପନସିବିଲିଟି ଯୋଗୁଁ ସବୁପ୍ରକାର ଶୁଖିଲା ବର୍ଜ୍ୟବସ୍ତୁକୁ କିଣିନେଉଛନ୍ତି ଏବଂ ଆବର୍ଜନା ଗୋଟାଳିକୁ କିଲୋ ହିସାବରେ ପ୍ରାପ୍ୟ ମିଳୁଛି। କଠିନ ବର୍ଜ୍ୟ ପରିଚାଳନା ନିୟମ (ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ) ୨୦୧୬ ଅନୁଯାୟୀ ସଫେଇ କର୍ମଚାରୀମାନେ ବର୍ଜ୍ୟବସ୍ତୁକୁ ଘରୁ ଅଲଗାଅଲଗା ସଂଗ୍ରହ କରିବା କଥା, କିନ୍ତୁ ତାହା ହୋଇପାରୁନାହିଁ।
ଫିଙ୍ଗିବା ବର୍ଜ୍ୟବସ୍ତୁ ଯାହାକି ଅଳିଆଗଦାକୁ ଯାଏ, ତାହାର ମଧ୍ୟ ବିକଳ୍ପ ଅଛି। ମୁଖ୍ୟତଃ ସାନିଟାରୀ ନ୍ୟାପ୍‌କିନ୍‌ ବିକଳ୍ପ ଭାବେ ପୁନଃ ବ୍ୟବହୃତ ହେଉଥିବା କ୍ଲଥପ୍ୟାଡ଼, ମେନ୍‌ଷ୍ଟ୍ରୁଆଲ କପ୍‌ ଏବଂ ପିଲାଙ୍କ ଡାଇପର ବଦଳରେ କ୍ଲଥ୍‌ ଡାଇପର ବ୍ୟବହାର କରି ନିଜେ ସୁସ୍ଥ ରହିବା ସଙ୍ଗେସଙ୍ଗେ ପରିବେଶକୁ ସୁରକ୍ଷିତ ରଖିପାରିବା। କୁହାଯାଏ ଯେ ଇନସିନରେଟର୍‌ ଦ୍ବାରା ଆମେ ସାନିଟାରୀ ନ୍ୟାପ୍‌କିନ୍‌କୁ ପୋଡ଼ିଦେଲେ ପରିବେଶ ପ୍ରଦୂଷଣ ହେବନାହିଁ, କିନ୍ତୁ ସାନିଟାରୀ ନ୍ୟାପ୍‌କିନ୍‌କୁ ୮୦୦ ସେଣ୍ଟିଗ୍ରେଡରୁ ଅଧିକ ତାପମାତ୍ରାରେ ଜଳାଇବା ଆବଶ୍ୟକ। ‘ଦି ଷ୍ଟାଣ୍ଡାର୍ଡ ଫର୍‌ ଟ୍ରିଟ୍‌ମେଣ୍ଟ ଆଣ୍ଡ ଡିସ୍ପୋଜାଲ ଅଫ୍‌ ବାଇଓ ମେଡ଼ିକାଲ ​‌େ‌ୱଷ୍ଟ ୨୦୧୬ ନିୟମରେ ୮୦୦ ସେଣ୍ଟିଗ୍ରେଡରୁ କମ୍‌ ତାପମାତ୍ରାରେ ପୋଡ଼ିଲେ ଯେଉଁ ଗ୍ୟାସ ବାୟୁମଣ୍ଡଳରେ ମିଶେ, ତାହା ସ୍ବାସ୍ଥ୍ୟପାଇଁ କ୍ଷତିକାରକ ଏବଂ କ୍ୟାନସରର ସୂତ୍ରଧର।
ବିଭିନ୍ନ ରାଜ୍ୟରେ ବହୁ ଉଦାହରଣମୂଳକ କାର୍ଯ୍ୟ ସ୍ବଚ୍ଛ ଭାରତ ଜରିଆରେ ହେଉଛି ଏବଂ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି। ତେଣୁ ଆମେ ଚିନ୍ତା କରିବା ଦରକାର ଯେ ଆମ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ଆମର କର୍ତ୍ତବ୍ୟ।
ସ୍ବେଚ୍ଛାସେବୀ, କଠିନ ବର୍ଜ୍ୟବସ୍ତୁୁ
ପରିଚାଳନା ଅଭିଯାନ

Leave A Reply