ନେହେରୁ-ରାଜେନ୍ଦ୍ର ପ୍ରସାଦ ସମ୍ପର୍କ

0

ଅରୁଣ କୁମାର ପଣ୍ଡା

ପଣ୍ଡିତ ଜବାହରଲାଲ ନେହେରୁ ଚାହୁଁନଥିଲେ ଯେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ହୁଅନ୍ତୁ। ରାଜେନ୍ଦ୍ରବାବୁଙ୍କ ବ୍ୟକ୍ତିତ୍ବ ଆଗରେ ସେ ସର୍ବଦା ନିଜକୁ ଅସୁରକ୍ଷିତ ମଣୁଥିଲେ। ଯେତେବେଳେ ରାଜେନ୍ଦ୍ର ବାବୁଙ୍କୁ ରାଷ୍ଟ୍ରପତି କରିବା ପାଇଁ କଂଗ୍ରେସ ଭିତରେ ଏବଂ ବାହାରେ ଚାପ ବଢ଼ିଲା ନେହେରୁଙ୍କୁ ବାଧ୍ୟହୋଇ ‘ଅସତ୍ୟ’ର ଆଶ୍ରୟ ନେବାକୁ ପଡ଼ିଲା। ୧୦ ଡିସେମ୍ବର, ୧୯୪୯ରେ ନେହେରୁ ଡ.ରାଜେନ୍ଦ୍ର ପ୍ରସାଦଙ୍କୁୁ ଏକ ଚିଠିରେ ଲେଖିଲେ ଯେ ସେ (ନେହେରୁ) ଏବଂ ସର୍ଦାର ବଲ୍ଲଭଭାଇ ପଟେଲ ମିଳିତ ଭାବରେ ନିଷ୍ପତ୍ତି ନେଇଛନ୍ତି ଯେ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କୁ ଦେଶର ପ୍ରଥମ ରାଷ୍ଟ୍ରପତି କରାଗଲେ ସବୁଠାରୁ ଉଚିତ କାର୍ଯ୍ୟ ହେବ। ନେହେରୁଙ୍କ ଚିଠି ଏବଂ ଏହାର ଲେଖିବାର ଶୈଳୀ ରାଜେନ୍ଦ୍ର ବାବୁଙ୍କୁ ମାନସିକ କଷ୍ଟ ଦେଲା। ସେ ତୁରନ୍ତ ଏହି ଚିଠିିର ଏକ ପ୍ରତିଲିପି ସର୍ଦାର ପଟେଲଙ୍କ ନିକଟକୁ ପଠାଇଦେଲେ। ସେ ସମୟରେ ପଟେଲ ମୁମ୍ବଇରେ ଥିଲେ। କୁହାଯାଏ ଏହି ଚିଠିଟିକୁ ପଢ଼ି ସର୍ଦାର ପଟେଲ ସ୍ତବ୍ଧ ହୋଇଗଲେ, କାରଣ ରାଜେନ୍ଦ୍ରବାବୁ କି ରାଜାଜୀ ଦୁଇଜଣଙ୍କ ମଧ୍ୟରୁ କିଏ ରାଷ୍ଟ୍ରପତି ହେବେ ସେ ନେଇ ଉଭୟଙ୍କ ମଧ୍ୟରେ କୌଣସି ଚର୍ଚ୍ଚା-ଆଲୋଚନା ହୋଇନଥିଲା। ରାଜାଜୀ (ରାଜଗୋପାଳଚାରୀ) ରାଷ୍ଟ୍ରପତି ପଦ ପାଇଁ ତାଙ୍କ ପସନ୍ଦର ପ୍ରାର୍ଥୀବୋଲି ସେ (ପଟେଲ) କେବେ ନେହେରୁଙ୍କୁ କହିନଥିଲେ।
ସର୍ଦାର ପଟେଲ ରାଜେନ୍ଦ୍ର ବାବୁଙ୍କୁ ସ୍ପଷ୍ଟ କରିଦେଲେ ଯେ ରାଷ୍ଟ୍ରପତି ପଦନେଇ ନେହେରୁଙ୍କ ସହ ତାଙ୍କର କୌଣସି କଥାବାର୍ତ୍ତା ହୋଇନାହିଁ। ଏହା ପରେ କ୍ଷୁବ୍ଧ ରାଜେନ୍ଦ୍ରବାବୁ ୧୧ ଡିସେମ୍ବର ୧୯୪୯ ଦିନ ନେହେରୁଙ୍କୁ ଏକ ପତ୍ର ଲେଖିଲେ, ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ପାର୍ଟିରେ ତାଙ୍କର (ରାଜେନ୍ଦ୍ର ବାବୁଙ୍କର) ସ୍ଥିତି ଅନୁସାରେ ସେ ନେହେରୁଙ୍କଠାରୁ ଉଚିତ ବ୍ୟବହାର ଆଶା କରନ୍ତି। ରାଜେନ୍ଦ୍ର ବାବୁଙ୍କ ଚିଠି ପାଇବା ପରେ ନେହେରୁ ଟିକେ ବିଚଳିତ ହେଲେ, କାରଣ ସେ ଜାଣିଗଲେ ଯେ ତାଙ୍କ ମିଛ ଧରାପଡ଼ିଛି। ଲୋକହସା ହେବାପୂର୍ବରୁ ନେହେରୁ ନିଜର ଭୁଲ ସ୍ବୀକାର କରିବାପାଇଁ ମନସ୍ଥ କଲେ। ସେଦିନ ରାତିରେ ସେ ରାଜେନ୍ଦ୍ର ବାବୁଙ୍କୁ କ୍ଷମାପ୍ରାର୍ଥନାମୂଳକ ଚିଠି ନ ଲେଖିବା ପର୍ଯ୍ୟନ୍ତ ଶୋଇପାରିଲେ ନାହିଁ।
ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅପ୍ରତ୍ୟକ୍ଷ ବିରୋଧ ସତ୍ତ୍ବେ ରାଜେନ୍ଦ୍ର ବାବୁ ଦୁଇ ଥର ଭାରତର ରାଷ୍ଟ୍ରପତି ନିର୍ବାଚିତ ହେଲେ। ସର୍ଦାର ପଟେଲ ଏବଂ କଂଗ୍ରେସର ସଂଖ୍ୟାଧିକ ନେତା ରାଜେନ୍ଦ୍ର ବାବୁଙ୍କୁ ହିଁ ସମର୍ଥନ କରିଥିଲେ। ପରିଶେଷରେ ନେହେରୁ ବାଧ୍ୟ ହୋଇ ରାଜେନ୍ଦ୍ରବାବୁଙ୍କୁ ସମର୍ଥନ ଦେଲେ।
ବାରବର୍ଷ ରାଷ୍ଟ୍ରପତି ରହିବା ପରେ ରାଜେନ୍ଦ୍ରବାବୁ ଅବସର ନେଲେ ଏବଂ ପାଟନାରେ ରହିବାପାଇଁ ନିଷ୍ପତ୍ତି ନେଲେ। ଜଣେ ଅବସର ନେଇଥିବା ରାଷ୍ଟ୍ରପତିଙ୍କୁ ଯେଉଁଭଳି ସୁବିଧାସୁଯୋଗ ମିଳିବା କଥା ତାହା ତାଙ୍କୁ ଉପଲବ୍ଧ କରାଗଲାନାହିଁ। ତାଙ୍କ ପାଇଁ ସରକାରୀ ବଙ୍ଗଳା ବ୍ୟବସ୍ଥା କରାଗଲା ନାହିଁ କିମ୍ବା ତାଙ୍କ ସ୍ବାସ୍ଥ୍ୟପ୍ରତି ସରକାରୀ ସ୍ତରରେ କୌଣସି ସ୍ଥାନ ରଖାଗଲା ନାହିଁ। ଦିଲ୍ଲୀରୁ ପାଟନା ଗଲାପରେ ରାଜେନ୍ଦ୍ରବାବୁ ସଦାକତ ଆଶ୍ରମ ପରିସର ବିହାର ବିଦ୍ୟାପୀଠର ଏକ କ୍ଷୁଦ୍ର କକ୍ଷରେ ରହିଲେ। ସେ ଶ୍ବାସରୋଗରେ ଆକ୍ରାନ୍ତ ଥିଲେ ଏବଂ ଏହି ସନ୍ତସନ୍ତିଆ କୋଠରିଟିରେ ରହିବା ଫଳରେ ତାଙ୍କର ରୋଗ ଆହୁରି ବଢ଼ିବାକୁ ଲାଗିଲା। ତାଙ୍କୁ ଭେଟିବା ପାଇଁ ସେଠାରେ ଜୟପ୍ରକାଶ ନାରାୟଣ ପହଞ୍ଚିଲେ ଏବଂ ରାଜେନ୍ଦ୍ର ବାବୁଙ୍କ ଏହି ଅବସ୍ଥା ଦେଖି ତାଙ୍କ ଆଖିରେ ଲୁହ ଜକେଇ ଆସିଲା। ସେ ବିଶ୍ବାସ କରିପାରିଲେ ନାହିଁ ଯେ ଦେଶର ପ୍ରଥମ ରାଷ୍ଟ୍ରପତି ଏବଂ ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ଏଭଳି ଏକ ସନ୍ତସନ୍ତିଆ କ୍ଷୁଦ୍ର କକ୍ଷରେ ରହୁଛନ୍ତି। ସେ ନିଜର ମିତ୍ର ଏବଂ କେତେକ କଂଗ୍ରେସୀ ବନ୍ଧୁଙ୍କୁ କହି ସେହି କକ୍ଷକୁ ଟିକେ ରହିବାଭଳି କରାଇଲେ। ପ୍ରକାଶ ଥାଉକି ସେହି କକ୍ଷରେ ରହୁଥିବା ଅବସ୍ଥାରେ ୨୮ ଫେବୃଆରୀ, ୧୯୬୩ରେ ରାଜେନ୍ଦ୍ର ବାବୁଙ୍କ ମୃତ୍ୟୁ ହୋଇଥିଲା।
ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ତାଙ୍କୁ ଶେଷଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନେହେରୁ ଆସିଲେ ନାହିଁ; ବରଂ ସେଦିନ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜୟପୁର ଚାଲିଗଲେ। ଅ‌େ‌ନ୍ତ୍ୟଷ୍ଟ୍ରିକ୍ରିୟାରେ ଯୋଗଦେବାକୁ ଚାହୁଁଥିବା ରାଜସ୍ଥାନର ତତ୍କାଳୀନ ରାଜ୍ୟପାଳ ଡ.ସମ୍ପୂର୍ଣ୍ଣାନନ୍ଦଙ୍କୁ ମଧ୍ୟ ପାଟନା ଯିବାପାଇଁ ନେହେରୁ ମନା କରିଦେଲେ। ସମ୍ପୂର୍ଣ୍ଣାନନ୍ଦ ନେହେରୁଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ପାଟନା ଯିବାକୁ ଅନୁମତି ଦେବାକୁ। ନେହେରୁ ତାଙ୍କୁ କହିଲେ ରାଜ୍ୟରେ ସ୍ବୟଂ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବାବେଳେ ରାଜ୍ୟପାଳ, ରାଜ୍ୟ ବାହାରକୁ ଚାଲିଯିବା ପ୍ରୋ​‌େ​‌ଟାକଲ ଦୃଷ୍ଟିରୁ ଠିକ୍‌ ନୁହେଁ। ଏହି ମାର୍ମିକ ଚାଞ୍ଚଲ୍ୟକର ତଥ୍ୟଦେଇ ନିଜେ ଡ. ସମ୍ପୂର୍ଣ୍ଣାନନ୍ଦ ପରବର୍ତ୍ତୀ ସମୟରେ କ୍ଷୋଭ ପ୍ରକାଶ କରିଥିଲେ ଯେ ଜଣେ ମହାନ ଦେଶଭକ୍ତଙ୍କୁ ଶେଷଦର୍ଶନ ନ କରିପାରିବାର ଦୁଃଖ ସବୁଦିନ ପାଇଁ ରହିଗଲା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଯେ ଦିଲ୍ଲୀରେ ଥିବା ବିହାରର ବହୁ ପ୍ରମୁଖ କଂଗ୍ରେସନେତା ଓ ମନ୍ତ୍ରୀଙ୍କ ମଧ୍ୟରୁ ଅନେକ ରାଜେନ୍ଦ୍ରବାବୁଙ୍କ ଅ​‌େନ୍ତ୍ୟଷ୍ଟି କ୍ରିୟାରେ ଯୋଗଦେବାପାଇଁ ପାଟନା ଯାଇନଥିଲେ। ଆହୁରି ଗୋଟିଏ ତଥ୍ୟ ପରବର୍ତ୍ତୀ ସମୟରେ ଗଣମାଧ୍ୟମକୁ ଆସିଲା, ତାହା ହେଲା ରାଜେନ୍ଦ୍ରବାବୁଙ୍କ ଉତ୍ତରାଧିକାରୀ ଦେଶର ଦ୍ବିତୀୟ ରାଷ୍ଟ୍ରପତି ଏସ୍ ରାଧାକୃଷ୍ଣନଙ୍କୁ ମଧ୍ୟ ପାଟନା ଯିବାପାଇଁ ନେହେରୁ ମନା କରିଦେଇଥିଲେ। ପରନ୍ତୁ ଡଃ ରାଧାକୃଷ୍ଣନ ନେହେରୁଙ୍କ ପରାମର୍ଶକୁ ନମାନି ରାଜେନ୍ଦ୍ର ବାବୁଙ୍କ ଅ​‌େନ୍ତ୍ୟଷ୍ଟି କ୍ରିୟାରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନେହେରୁ ୧୯୫୧ରେ ଗୁଜରାଟରେ ସୋମନାଥ ମନ୍ଦିର ଉଦ୍‌ଘାଟନ ସମାରୋହକୁ ନଯିବା ପାଇଁ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କୁ ମନା କରିଥିଲେ ମଧ୍ୟ ସର୍ଦାର ପଟେଲଙ୍କ ଅନୁରୋଧ ରକ୍ଷାକରି ସେ କାର୍ଯ୍ୟକ୍ରମକୁ ଯାଇଥିଲେ। ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ମୁଖ୍ୟଙ୍କୁ ମନ୍ଦିର ଉଦ୍‌ଘାଟନ ଭଳି କାର୍ଯ୍ୟକ୍ରମରେ ଯୋଗଦେବା ଠିକ୍‌ ନୁହେଁବୋଲି ନେହେରୁ ଦେଇଥିବା ପରାମର୍ଶର ଉତ୍ତରରେ ରାଜେନ୍ଦ୍ରବାବୁ କହିଥିଲେ- ଧର୍ମ ନିରପେକ୍ଷତାର ଅର୍ଥ ନିଜ ସଂସ୍କାର ଓ ସଂସ୍କୃତିରୁ ଅଲଗା ହେବା କିମ୍ବା ଧର୍ମବିରୋଧୀ ହେବା ନୁହେଁ। ସୋମନାଥ ମନ୍ଦିର ଉଦ୍‌ଘାଟନ ସଭାରେ ରାଜେନ୍ଦ୍ରବାବୁ ନିଜ ଭାଷଣରେ କହିଥିଲେ- ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, କିନ୍ତୁ ନାସ୍ତିକ ରାଷ୍ଟ୍ର ନୁହେଁ। ସବୁ ଧର୍ମପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନ ରହିବା ଉଚିତ। ହିନ୍ଦୁକୋଡ଼ ବିଲ୍‌ ନେଇ ମଧ୍ୟ ନେହେରୁଙ୍କ ସହ ରାଜେନ୍ଦ୍ର ବାବୁଙ୍କ ମତଭେଦ ଥିଲା। ତାଙ୍କର ସ୍ପଷ୍ଟ ମତ ଥିଲା ଯେ ଲୋକଙ୍କ ଜୀବନ ଏବଂ ସଂସ୍କୃତିକୁ ପ୍ରଭାବିତ କଲାଭଳି ଆଇନ ତିଆରି ହେବା ଉଚିତ ନୁହେଁ।
ଥରକର ଘଟଣା; ରାଜେନ୍ଦ୍ରବାବୁ ରାଷ୍ଟ୍ରପତି ଥିବାବେଳେ ବାରାଣସୀ ଗସ୍ତବେଳେ କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ ସମୟରେ ସେଠାକାର ପୂଜକମାନଙ୍କ ପାଦସ୍ପର୍ଶ କରିଥିଲେ। ନେହେରୁ ଏହାକୁ ଖୋଲାଖୋଲି ବିରୋଧ କରି ଭାରତର ରାଷ୍ଟ୍ରପତି ଏଭଳି କରିବା ଉଚିତ ନୁହେଁ ବୋଲି କହିଥିଲେ। ରାଜେନ୍ଦ୍ର ବାବୁ ନେହେରୁଙ୍କ ତିବ୍‌ବତ ନୀତି ଏବଂ ହିନ୍ଦୀ-ଚୀନୀ ଭାଇଭାଇ ନୀତିର ବିରୋଧୀ ଥିଲେ। ନେହେରୁଙ୍କ ଚୀନ ନୀତି କାରଣରୁ ଦେଶକୁ ୧୯୬୨ ଚୀନ ଆକ୍ରମଣର ସାମନା କରିବାକୁ ପଡ଼ିଥିଲା। ହିନ୍ଦୀକୁ ରାଜଭାଷା ମାନ୍ୟତା ପାଇଁ ରାଜେନ୍ଦ୍ରବାବୁ ଚାହୁଁଥିଲେ ମଧ୍ୟ ନେହେରୁ ଏଥିରେ ସହମତ ନଥିଲେ।
ସମ୍ବିଧାନ ସଭାର ଅଧ୍ୟକ୍ଷ ଭାବେ ଡ.ରାଜେନ୍ଦ୍ର ପ୍ରସାଦ ୨୪ଟି ଉପସମିତି ଗଠନ କରିଥିଲେ, ତନ୍ମଧ୍ୟରୁ ଡ୍ରାଫ୍ଟ ଉପସମିତିର ଅଧ୍ୟକ୍ଷ ଥିଲେ ଡକ୍ଟର ଭୀମରାଓ ଆମ୍ବେଦକର। ସମ୍ବିଧାନ ପ୍ରଣୟନର ଶ୍ରେୟ ପାଇବାରେ ମଧ୍ୟ କେତେକାଂଶରେ ଡ.ରାଜେନ୍ଦ୍ର ପ୍ରସାଦ ହକ୍‌ଦାର। ଦେଶର ପ୍ରଥମ ସାର୍ବଜନୀନ ବିଦ୍ରୋହ ଚମ୍ପାରଣ ନୀଳଚାଷୀ ଆନ୍ଦୋଳନର ସୂତ୍ରଧର ଏବଂ କ୍ଷମତାର ଶୀର୍ଷରେ ଥାଇ ମଧ୍ୟ ନମ୍ର ନିରହଂକାର ଗୁଣର ଅଧିକାରୀ ଡ. ରାଜେନ୍ଦ୍ର ପ୍ରସାଦ ଆମ ପାଇଁ ଜଣେ ମହାନ ପ୍ରେରଣାଦାୟୀ କିମ୍ବଦନ୍ତୀ ବ୍ୟକ୍ତିତ୍ବ କହିଲେ ଅତ୍ୟୁକ୍ତି ହେବନାହିଁ।

Leave A Reply